ଓଡ଼ିଶାରେ ଅଟୋଚାଳକ-ଦୋକାନୀ ବେଶରେ ପାକିସ୍ତାନୀ ଏଜେଣ୍ଟ, କିଛି ଟଙ୍କା ପାଇଁ କରୁଛନ୍ତି ଦେଶଦ୍ରୋହ କାର୍ଯ୍ୟ

The Sakala Picture
Published On

ଭୁବନେଶ୍ୱର : ଭାରତରେ ଅସ୍ଥିରତା ସୃଷ୍ଟି, ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଅହରହ ଉଦ୍ୟମ ଚଳାଇଛି। ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଆମରି ଲୋକଙ୍କୁ ଆମ ଦେଶ ବିରୋଧରେ ବ୍ୟବହାର କରୁଛି। ବିଶେଷକରି ଅଟୋ ଚାଳକ, ରିକ୍ସା ଚାଳକ, ପାନ ଦୋକାନୀ ଭଳି ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କ ଉପରେ ସେମାନେ ଥୋପ ପକାଉଛନ୍ତି। ଅଳ୍ପ କିଛି ଟଙ୍କାର ପ୍ରଲୋଭନ ଦେଖାଇ ସେମାନଙ୍କ ଜରିଆରେ ବହୁ ସମ୍ବେଦନଶୀଳ ତଥ୍ୟ ହାତେଇବାକୁ ଚେଷ୍ଟା […]

ଭୁବନେଶ୍ୱର : ଭାରତରେ ଅସ୍ଥିରତା ସୃଷ୍ଟି, ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଅହରହ ଉଦ୍ୟମ ଚଳାଇଛି। ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଆମରି ଲୋକଙ୍କୁ ଆମ ଦେଶ ବିରୋଧରେ ବ୍ୟବହାର କରୁଛି। ବିଶେଷକରି ଅଟୋ ଚାଳକ, ରିକ୍ସା ଚାଳକ, ପାନ ଦୋକାନୀ ଭଳି ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କ ଉପରେ ସେମାନେ ଥୋପ ପକାଉଛନ୍ତି। ଅଳ୍ପ କିଛି ଟଙ୍କାର ପ୍ରଲୋଭନ ଦେଖାଇ ସେମାନଙ୍କ ଜରିଆରେ ବହୁ ସମ୍ବେଦନଶୀଳ ତଥ୍ୟ ହାତେଇବାକୁ ଚେଷ୍ଟା କରୁଛନ୍ତି। ଖାଲି ସେତିକି ନୁହେଁ, ଏମାନଙ୍କ ଜରିଆରେ ଆତଙ୍କୀ ହମ୍‌ଲା କରିବାକୁ ମଧ୍ୟ ଯୋଜନା କରୁଛନ୍ତି। ଓଟିପି ସେୟାରିଂ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ହାତରେ ଏଭଳି ସାଂଘାତିକ ତଥ୍ୟ ଲାଗିଛି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ଏସ୍‌‌ଟିଏଫ୍‌ ତଦନ୍ତରୁ ଜଣାପଡ଼ିଛି ଯେ ରାଜ୍ୟରେ ଏବେ ଏକାଧିକ ପାକିସ୍ତାନ ଏଜେଣ୍ଟ ରହିଛନ୍ତି। ସେମାନଙ୍କ ମଧ୍ୟରୁ କିଏ ପାନ ଦୋକାନ କରିଛି ତ କିଏ ଦିନମଜୁରିଆ, ପୁଣି କିଏ ଜୋତା ସଫା କରୁଛି। ଏମାନଙ୍କୁ ସ୍ଲିପରସେଲ୍‌ ବୋଲି କୁହାଯାଏ। ତେଣୁ ଏମାନଙ୍କୁ ଚିହ୍ନଟ କରିବା ଏକପ୍ରକାର ଅସମ୍ଭବ। ଏହା ଆଗାମୀ ଦିନରେ ରାଜ୍ୟ ତଥା ଦେଶ ପାଇଁ ଏକ ବଡ଼ ବିପଦକୁ ଟାଣି ଆଣିପାରେ ବୋଲି ସୁରକ୍ଷା ପରାମର୍ଶଦାତାମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ସୂଚନାନୁଯାୟୀ, ପାକିସ୍ତାନୀ ପାଇଁ ଗୁଇନ୍ଦାଗିରି ତଥା ଓଟିପି ସେୟାରିଂ ମାମଲାରେ ଏସ୍‌ଟିଏଫ୍‌ ଆସାମରୁ ଆଉ ଜଣେ ଅଭିଯୁକ୍ତ ଇକ୍‌‌ବାଲ ହୁସେନ୍‌କୁ ଗିରଫ କରିଥିଲା। ସେ ରିକ୍ସାବାଲା ଏବଂ ହୋଟେଲ କର୍ମଚାରୀ ଭାବେ କାମ କରୁଥିବାରୁ ତାକୁ ଧରିବା ତଦନ୍ତକାରୀ ସଂସ୍ଥା ଧରିବା ସମ୍ଭବପର ହେଉନଥିଲା। ତେବେ ଖାଲି ସେ ଏକୁଟିଆ ନୁହେଁ, ତା’ ଭଳି ବହୁ ଲୋକ ପାକିସ୍ତାନର ଗୁଇନ୍ଦା ସଂସ୍ଥା ପାଇଁ କାମ କରୁଛନ୍ତି ବୋଲି ସେ କହିଛି। ଏଥିପାଇଁ ସେମାନଙ୍କ ଆକାଉଣ୍ଟକୁ ପ୍ରତି ମାସରେ ପାକିସ୍ତାନରୁ ୫୦ରୁ ୬୦ ହଜାର ଟଙ୍କା ଆସୁଛି। ଏହି କିଛି ଟଙ୍କା ପାଇଁ ସେମାନେ ରାଜ୍ୟକୁ ବିପଦରେ ପକାଉଛନ୍ତି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ବଡ଼ କଥା ହେଲା, ଏହି ଏଜେଣ୍ଟମାନଙ୍କୁ ସହଯୋଗ କରୁଛନ୍ତି ଟେଲିକମ୍‌‌ କମ୍ପାନିର କିଛି କର୍ମଚାରୀ। ସେମାନେ ପ୍ରି-ଆକ୍ଟିଭ୍‌‌ ସିମ୍‌‌ ବିକ୍ରି କରୁଛନ୍ତି। ଏହା ଏଜେଣ୍ଟଙ୍କ କାର୍ଯ୍ୟ ଆହୁରି ସହଜ କରିଦେଉଛି। ସେହି ନମ୍ବରକୁ ବ୍ୟବହାର କରି ବିଭିନ୍ନ ସୋସିଅାଲ ମିଡିଆ‌‌ରେ ନକଲି ଆକାଉଣ୍ଟ ଖୋଲାଯାଉଛି ଓ ତାହାକୁ ପରେ ପାକିସ୍ତାନ ଏଜେଣ୍ଟଙ୍କୁ ବିକ୍ରି କରି ଦିଆଯାଉଛି। ସେହି ସବୁ ଆକାଉଣ୍ଟ ଜରିଆରେ ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନ ଉଦ୍ୟମ କରୁଛି। ଘୃଣ୍ୟ ବକ୍ତବ୍ୟ, ସାଂପ୍ରଦାୟିକ ପୋଷ୍ଟ କରି ଦଙ୍ଗା କରାଇବାକୁ ସେମାନେ ସକ୍ଷମ ହେଉଛନ୍ତି। ତେବେ ପୁଲିସ କିମ୍ବା ଅନ୍ୟ ତଦନ୍ତକାରୀ ସଂସ୍ଥା ସେ ଆକାଉଣ୍ଟ ଯାଞ୍ଚ କଲା ବେଳକୁ ତା’ର ଟେର୍‌ ପାଉନାହିଁ। ସିମ୍‌‌ ମଧ୍ୟ ଅନ୍ୟ କାହା ନାମରେ ପଞ୍ଜୀକରଣ ହୋଇଥିବାରୁ ପ୍ରକୃତ ଆସାମୀଙ୍କ ପାଖରେ ପୁଲିସ୍‌ ପହଞ୍ଚି ପାରୁନାହିଁ। ଅପରପେକ୍ଷ, ସେମାନେ ଏହି ପ୍ରି-ଆକ୍ଟିଭ୍‌‌ ସିମ୍‌‌ ମାଧ୍ୟମରେ ସେମାନେ ସ୍ୱତନ୍ତ୍ର ଆପ୍‌‌ ପ୍ରସ୍ତୁତ୍‌‌ କରୁଛନ୍ତି। ଯେଉଁ ଆପ୍‌‌ ଦ୍ୱାରା ସେମାନେ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ଏବଂ ଆଇଏସ୍‌‌ଆଇ ସହ ଲିଙ୍କ୍‌‌ରେ ରହୁଛନ୍ତି।

ଏହାବ୍ୟତୀତ, ରାଜ୍ୟରେ ଥିବା ବିଭିନ୍ନ ସମ୍ବେଦନଶୀଳ ସଂସ୍ଥାଗୁଡ଼ିକରୁ ତଥ୍ୟ ହାତେଇବା ପାଇଁ ଆଇଏସ୍‌ଆଇ ସେଠାକାର କର୍ମଚାରୀ ଓ ଅଧିକାରୀଙ୍କୁ ଟାର୍ଗେଟ୍‌ କରୁଛି। ପୂର୍ବରୁ ବାଲେଶ୍ୱର ଚାନ୍ଦିପରୁ ଆଇଟିଆର୍‌ର ନିର୍ଦ୍ଦେଶକଙ୍କ ଡ୍ରାଇଭର୍‌ ସଚିନ୍‌‌ କୁମାର ପାକିସ୍ତାନ ଲିଙ୍କ୍‌‌ରେ ଥିଲା। ହନିଟ୍ରାପ୍‌ ମାଧ୍ୟମରେ ପାକିସ୍ତାନ ତାଙ୍କୁ ଜାଲରେ ଫସାଇଥିଲା। ତଦନ୍ତ ପରେ କ୍ରାଇମ୍‌‌ବ୍ରାଞ୍ଚ ସଚିନ ସମେତ ବସନ୍ତ ବେହେରା, ଟୁଲୁ ବେହେରା, ମୂଷା ସମେତ ୫ଜଣଙ୍କୁ ଗିରଫ କରିଥିଲା। ପରେ ଏନ୍‌‌ଆଇଏ ମଧ୍ୟ ତଦନ୍ତ କରିଥିଲା। ପୂର୍ବରୁ ମଧ୍ୟ ଚାନ୍ଦିପୁର ତଥ୍ୟ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ(ଆଇଏସ୍‌‌ଆଇ)କୁ ଈଶ୍ୱର ବେହେରା ତଥ୍ୟ ଦେଉଥିଲେ। ସେ ଆଇଟିଆର୍‌ର ଅନେକଗୁଡ଼ିଏ ସମ୍ବେଦନଶୀଳ ସ୍ଥାନର ଫଟୋ ପାକିସ୍ତାନକୁ ପଠାଇଥିଲେ। କ୍ରାଇମ୍‌‌ବ୍ରାଞ୍ଚ ତଦନ୍ତ ବେଳେ ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ସେହପରି ପୂର୍ବରୁ ମଧ୍ୟ ପାକିସ୍ତାନ ଏଜେଣ୍ଟ ପାଇଁ କାମ କରୁଥିବା ଜଗତପୁର ପଶ୍ଚିମକଚ୍ଛରୁ ଅବଦୁର ରେହମାନଙ୍କୁ ଗିରଫ କରାଯାଇଥିଲା। ତା’ର ଆତଙ୍କବାଦୀ ଲିଙ୍କ୍‌‌ ଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ପାକିସ୍ତାନ ଓ ମଧ୍ୟପ୍ରାଚ୍ୟ ସହ ଅବଦୁର ରେହମାନ୍‌‌ର ସମ୍ପର୍କ ରହିଥିଲା। ଆତଙ୍କବାଦୀ ସଂଗଠନ ଅଲକାଏଦାର ଏଜେଣ୍ଟ ଭାବେ ସେ କାମ କରୁଥିଲା। ତେଣୁ ଏହିଭଳି ଓଡ଼ିଶା ଉପରେ ପାକିସ୍ତାନ ଏଜେଣ୍ଟଙ୍କ ନଜର ରହିଛି। ତେଣୁ କ୍ରାଇମ୍‌‌ବ୍ରାଞ୍ଚର ସ୍ଲିପର ସେଲରେ ଲୁଚିଥିବା ପାକିସ୍ତାନ ଏଜେଣ୍ଟଙ୍କ ଉପରେ ନଜର ରଖିଛି। ଯେଉଁମାନଙ୍କ ଆକାଉଣ୍ଟକୁ ପାକିସ୍ତାନରୁ ଟଙ୍କା ଆସୁଛି, ସେମାନଙ୍କୁ ସ୍କାନରରେ ରଖିଛି କ୍ରାଇମ୍‌‌ବ୍ରାଞ୍ଚ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର