ଜଗନ୍ନାଥ ମହାପ୍ରଭୁ ବି ପଖାଳ ପ୍ରିୟ; ଶ୍ରୀମନ୍ଦିରରେ ଠାକୁରଙ୍କୁ ଭୋଗ ଲାଗି ହୁଏ ୫ ପ୍ରକାର ପଖାଳ..

The Sakala Picture
Published On

ପଖାଳ ଖାଣ୍ଟି ଓଡ଼ିଆ ଖାଦ୍ୟ। ଏହାର ସୁଆଦ ସ୍ୱତନ୍ତ୍ର। ଖରାଦିନେ ତ ପଖାଳର ଚାହିଦା କାହିଁରେ କେତେ। ତୋରାଣିରେ ଆମ୍ବକଷିଆ ଅଦା, ଲଙ୍କା, ଲେମ୍ବୁର ମହ ମହ ବାସ୍ନା ଅନେକଙ୍କୁ ପଖାଳ କଂସା ଆଡକୁ ଟାଣିନିଏ। ପଖାଳ ଭାତ ଖାଇ ତୋରାଣି ଦି ଢୋକ ପିଇଦେଲେ ଆତ୍ମା ଶାନ୍ତି ହୋଇଯାଏ। ତେବେ ମଣିଷ କେବଳ ଯେ ପଖାଳ ଖାଉଛନ୍ତି ତାହା ନୁହେଁ, ଜଗନ୍ନାଥ ମହାପ୍ରଭୁ ବି ପଖାଳ ପ୍ରିୟ; ଯେଉଁଥିପାଇଁ ବର୍ଷତମାମ୍‍ ଚତୁର୍ଦ୍ଧାବିଗ୍ରହଙ୍କ ପାଖରେ ପଖାଳ ଭୋଗ […]

ପଖାଳ ଖାଣ୍ଟି ଓଡ଼ିଆ ଖାଦ୍ୟ। ଏହାର ସୁଆଦ ସ୍ୱତନ୍ତ୍ର। ଖରାଦିନେ ପଖାଳର ଚାହିଦା କାହିଁରେ କେତେ। ତୋରାଣିରେ ଆମ୍ବକଷିଆ ଅଦା, ଲଙ୍କା, ଲେମ୍ବୁର ମହ ମହ ବାସ୍ନା ଅନେକଙ୍କୁ ପଖାଳ କଂସା ଆଡକୁ ଟାଣିନିଏ। ପଖାଳ ଭାତ ଖାଇ ତୋରାଣି ଦି ଢୋକ ପିଇଦେଲେ ଆତ୍ମା ଶାନ୍ତି ହୋଇଯାଏ। ତେବେ ମଣିଷ କେବଳ ଯେ ପଖାଳ ଖାଉଛନ୍ତି ତାହା ନୁହେଁ, ଜଗନ୍ନାଥ ମହାପ୍ରଭୁ ବି ପଖାଳ ପ୍ରିୟ; ଯେଉଁଥିପାଇଁ ବର୍ଷତମାମ୍ଚତୁର୍ଦ୍ଧାବିଗ୍ରହଙ୍କ ପାଖରେ ପଖାଳ ଭୋଗ ଲାଗି ହୁଏ। ଏହି ଓଡ଼ିଆ ଖାଦ୍ୟର ପ୍ରଚାର, ପ୍ରସାର ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ଭୋଗ ଲାଗି ହେଉଥିବା ପଖାଳକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା..

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ପୁରୀ: ଉତ୍କଳୀୟ ପରମ୍ପରାରେ ଖାଦ୍ୟର ଯେଉଁ ବିଶେଷତ୍ୱ ରହିଛି ତା’ ମଧ୍ୟରୁ ପଖାଳ ଅନ୍ୟତମ। ଓଡ଼ିଆ ଘରର ପ୍ରତିଟି ଜନଜୀବନରେ ପଖାଳର ଆଦର ରହିଆସିଛି। ଏହି ପଖାଳ ଶ୍ରୀମନ୍ଦିର ପରମ୍ପରାରେ ବି ଯୋଡ଼ି ହୋଇଯାଇଛି। ମହାପ୍ରଭୁଙ୍କ ନିକଟରେ ଦୈନନ୍ଦିନ ଲାଗି ହେଉଥିବା ଛପନ ଭୋଗ ମଧ୍ୟରେ ପଖାଳ ଅନ୍ୟତମ। ବର୍ଷର ଅଳ୍ପ କିଛିଦିନକୁ ବାଦ୍‍ ଦେଲେ ପ୍ରାୟ ସବୁଦିନ ଚତୁର୍ଦ୍ଧାବିଗ୍ରହଙ୍କ ପାଖେ ଖାଳ ଲାଗି କରାଯାଇଥାଏ। ଖରାଦିନେ ଭକ୍ତମାନେ ମହାପ୍ରସାଦକୁ ପଖାଳ କରି ଖାଇଥାନ୍ତି। ଶ୍ରୀମନ୍ଦିରରେ ଯେଉଁ ଟଙ୍କତୋରାଣି (ଏବେ ବନ୍ଦ ଅଛି) ମିଳେ ତାହା ମହାପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ। ଏହି ପଖାଳ ତୁଣ ସୁଆର ଓ ଥାଳି ସୁଆର ସେବକମାନେ ପ୍ରସ୍ତୁତ କରିଥାନ୍ତି। ପନ୍ତି ବଡ଼ୁ ସେବକ ଯେଉଁ ଭୋଗରେ ଯେଉଁ ପଖାଳ ଲାଗି ହେବା କଥା ତାହା ପନ୍ତି ଲଗାଇଥାନ୍ତି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଶ୍ରୀମନ୍ଦିରରେ ପଖାଳ:
ବଡ଼ୁ ସୁଆର ନିଯୋଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସମ୍ପ୍ରତି ଶ୍ରୀମନ୍ଦିରରେ ୫ ପ୍ରକାର ପଖାଳ ଠାକୁରଙ୍କୁ ଭୋଗ ଲାଗି ହେଉଛି। ଏହି ପଖାଳ ହେଲା ଚିପୁଡ଼ା ପଖାଳ, ଟଭା ପଖାଳ, ସୁବାଷିତ ପଖାଳ, ଦହି ପଖାଳ ଓ ଘିଅ ପଖାଳ। ଏହି ପଖାଳ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ରୋଷ ଭିତରେ ସ୍ୱତନ୍ତ୍ର ପଥରରେ ଏକ ପଖାଳ କୁଣ୍ଡ ରହିଛି। ଏଥିରେ ଅନ୍ନ ଓ ପାଣି ପୂରାଯାଇ ମହାପ୍ରଭୁଙ୍କ ଲାଗି ପଖାଳ ପ୍ରସ୍ତୁତ କରାଯାଇଥାଏ।

ଚିପୁଡ଼ା ପଖାଳ: ଅନ୍ନରେ ପାଣି, ଲୁଣ ଇତ୍ୟାଦି ମିଶ୍ରିତ ହୋଇ ଚିପୁଡ଼ା ଯାଇ ଓଳିରେ ରଖାଯାଏ। ଏହା ଉପରେ ଅଦା ପାତି, ଭଜା ଜିରା ପକାଯାଇ ଚିପୁଡ଼ା ପଖାଳ ପ୍ରସ୍ତୁତ କରାଯାଇଥାଏ। ମଧ୍ୟାହ୍ନ ଧୂପ ସମୟରେ ଏହି ପଖାଳ ଠାକୁରଙ୍କ ପାଖରେ ଲାଗି କରାଯାଏ।

ଟଭା ପଖାଳ: ଅନ୍ନରେ ଟଭା (କମଳା ଭଳି ଦେଖାଯାଉଥିବା ଏକ ଖଟା ଜାତୀୟ ଫଳର ରସ) ପକାଯାଇ ସେଥିରେ ଲୁଣ, ଜିରା, ପାଣି, ଅଦାଖଣ୍ଡ ଇତ୍ୟାଦି ପକାଯାଏ। ଏହାକୁ ଟଭା ପଖାଳ କୁହାଯାଏ। ଏହା ଦ୍ୱିପ୍ରହର ଧୂପ ସମୟରେ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି କରାଯାଏ।

ସୁବାଷିତ ପଖାଳ: ଅନ୍ନରେ ପାଣି ମିଶ୍ରିତ ପୂର୍ବକ ଏଥିରେ ଲୁଣ, ଭଜା ଜିରା, ଅଦାଖଣ୍ଡ, ଲବଙ୍ଗ, ଗୋଲମରିଚ ଇତ୍ୟାଦି ପକାଯାଇ ସୁବାଷିତ ପଖାଳ ପ୍ରସ୍ତୁତ ହୋଇଥାଏ। ଏହା ମଧ୍ୟାହ୍ନ ଧୂପରେ ଠାକୁରଙ୍କ ପାଖରେ ଲାଗି କରାଯାଇଥାଏ।

ଦହି ପଖାଳ: ଅନ୍ନରେ ପାଣି ମିଶାଯାଏ। ଏଥିରେ ଲୁଣ, ଭଜା ଜିରା, ଅଦାଖଣ୍ଡ, ଦହି ଇତ୍ୟାଦି ପକାଯାଇ ପ୍ରସ୍ତୁତ ପଖାଳକୁ ଦହି ପଖାଳ କୁହାଯାଏ। ଏହା ସନ୍ଧ୍ୟା ଧୂପରେ ଦାରୁବିଗ୍ରହଙ୍କ ପାଖରେ ଲାଗି ହୋଇଥାଏ।

ଘିଅ ପଖାଳ: ବଡ଼ସିଂହାର ଧୂପରେ ଦାରୁବିଗ୍ରହଙ୍କ ଉଦ୍ଦେଶ୍ୟରେ ଘିଅ ପଖାଳ ଅର୍ପଣ କରାଯାଇଥାଏ। ଅନ୍ନ, ଲୁଣ, ଅଦାଖଣ୍ଡ, ଦହି, ଭଜା ଜିରା ଇତ୍ୟାଦି ଓଳିରେ ରଖାଯାଇ ଏଥିରେ ଘିଅ ମିଶାଯାଏ। ଶ୍ରୀମନ୍ଦିର ପାରମ୍ପରିକ ଭାଷାରେ ଏହାକୁ ଘିଅ ପଖାଳ କୁହାଯାଏ। ଏଭଳି ଭୋଗ ଅର୍ପଣ ଓ ପ୍ରସ୍ତୁତ ପରମ୍ପରା ବାସ୍ତବିକ ସମଗ୍ର ବିଶ୍ୱରେ ବିରଳ; ଯେଉଁଥିପାଇଁ ଏକ ପ୍ରବାଦ ରହିଛି ‘ଏମିତିଆ ଦିଅଁ କେଉଁଠି ଅଛି, ପଖାଳ ଭାତରେ ଘିଅ ଖାଉଛି’।

ଅନ୍ୟପକ୍ଷରେ ମହାପ୍ରଭୁଙ୍କ କେଉଁ ଭୋଗରେ କ’ଣ ଲାଗି ହେବ ତାହା ଶ୍ରୀମନ୍ଦିର ଆରମ୍ଭରୁ ମାଦଳା ପାଞ୍ଜିରେ ଲିଖିତ ରହିଛି। ବିଭିନ୍ନ ରାଜାଙ୍କ ସମୟରେ ଏକାଧିକ ପିଠା ଏବଂ ଭୋଗ ଯୋଡ଼ା ଯାଇଥିଲେ ମଧ୍ୟ ପଖାଳ ତନ୍ମଧ୍ୟରୁ ପ୍ରାଚୀନ ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର