ମନୋରଞ୍ଜନ
ଓଡ଼ିଶା
ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଜୟ ନାରାୟଣ ପଙ୍କଜ
ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ଜୟ ନାରାୟଣ ପଙ୍କଜ ଦକ୍ଷିଣାଞ୍ଚଳ ରେଞ୍ଜର ପୋଲିସ ମହାନିରୀକ୍ଷକ (ଆଇଜିପି) ଭାବେ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ବରିଷ୍ଠ ଆଇପିଏସ୍ ଅଧିକାରୀ ନୀତି ଶେଖରଙ୍କ ସ୍ଥାନରେ ଏହି ନୂତନ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି।
ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ରେଞ୍ଜ ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବରିଷ୍ଠ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ସେ ଏହି ପଦବୀର ଦାୟିତ୍ୱ ନେଇଛନ୍ତି। ୨୦୦୫ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଶ୍ରୀ ପଙ୍କଜ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିବାରୁ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦକ୍ଷିଣାଞ୍ଚଳ ରେଞ୍ଜରେ ପୋଲିସ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ଦକ୍ଷିଣାଞ୍ଚଳ ରେଞ୍ଜ ଅଧୀନରେ ଗଞ୍ଜାମ, ଗଜପତି, କନ୍ଧମାଳ ଏବଂ ବୌଦ୍ଧ ଭଳି ପ୍ରମୁଖ ଜିଲ୍ଲାଗୁଡ଼ିକ ଆସୁଛି। ଏହି ସମସ୍ତ ଅଞ୍ଚଳରେ ପ୍ରଭାବଶାଳୀ ପୋଲିସିଂ ନିଶ୍ଚିତ କରିବା ସହ ବିଭିନ୍ନ ପୋଲିସ ୟୁନିଟ୍ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ତାଙ୍କର ପ୍ରମୁଖ ପ୍ରାଥମିକତା ରହିବ ବୋଲି ଶ୍ରୀ ପଙ୍କଜ କହିଛନ୍ତି। ନୂତନ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ଭୁବନେଶ୍ୱର ଠାରେ ଇଣ୍ଟେଲିଜେନ୍ସ ବିଭାଗର ଆଇଜିପି ଭାବେ କାର୍ଯ୍ୟରତ ଥିଲେ।
ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୨୧, ୨୦୨୬ରେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇପିଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଥିଲା। ଏହି କ୍ରମରେ ପୂର୍ବତନ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖରଙ୍କୁ ପୋଲିସ ମୁଖ୍ୟାଳୟର ପ୍ରୋଭିଜନିଂ ବିଭାଗର ଆଇଜି ଭାବେ ବଦଳି କରାଯିବା ପରେ ଜୟ ନାରାୟଣ ପଙ୍କଜଙ୍କୁ ଏହି ସ୍ଥାନରେ ଅବସ୍ଥାପିତ କରାଯାଇଥିଲା।






