ରାଜଧାନୀରୁ ପୁଣି ସିମ୍ ବକ୍ସ ଠାବ, ୨ କେରଳ ଯୁବକ ଅଟକ
ଭୁବନେଶ୍ୱର: ପୁଣି ରାଜଧାନୀ ଭୁବନେଶ୍ୱରରୁ ଠାବ ହେଲା ସିମ୍ ବକ୍ସ । ପଟିଆ ଅଞ୍ଚଳରେ ଆଡ୍ଡା ଜମାଇଥିଲେ ସାଇବର ଠକ । ଖବର ପାଇବା ପରେ ସ୍ପେଶାଲ ସ୍କ୍ୱାଡ଼ ପକ୍ଷରୁ ଚଢ଼ାଉ । ଚନ୍ଦ୍ରଶେଖରପୁରର ଏକ ହଷ୍ଟେଲରୁ ଠାବ ହୋଇଛି ସିମ୍ ବକ୍ସ । ୧୨ଟି ସିମ୍ ବକ୍ସ ଜବତ ହୋଇଛି । ୨ ଜଣ କେରଳ ଯୁବକଙ୍କୁ ଅଟକ ରଖାଯାଇଛି । ଘଟଣାସ୍ଥଳରୁ ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଓ ସନ୍ଦିଗ୍ଧ ମେସିନ ଜବତ କରିଛି ପୋଲିସ ।
ପୂର୍ବରୁ ଭୁବନେଶ୍ୱରର ଲକ୍ଷ୍ମୀସାଗରରୁ ଧରାପଡିଥିଲା ସିମ୍ ବକ୍ସ । ରାଜଧାନୀରେ ରହି ବାହାର ଦେଶର ଲୋକଙ୍କୁ ଚୂନ ଲଗାଉଥିଲେ ସାଇବର ଠକ । ଭଡାଘରେ ଚାଲିଥିଲା ରାକେଟ । ଭୁବନେଶ୍ୱରରୁ ଚାଇନାକୁ ଲମ୍ବିଛି ଚେର । ୨ ଅଟକ ଯୁବକଙ୍କ ଘର କେରଳ ବୋଲି ଜଣାପଡିଛି । ଚାଇନାର ହାର୍ଡୱେର ଓ ବାଂଲାଦେଶୀ ଆପ୍ଲିକେସନ ବ୍ୟବହାର ହେଉଥିଲା । ଆସାମ ର ବେନାମୀ ସିମ୍ କୁ ବ୍ୟବହାର କରାଯାଉଥିଲା । ଇଣ୍ଟରନ୍ୟାସନ୍ୟାଲ କଲ ଡାଇଭର୍ଟ କରି ନୂଆ ତରିକାରେ ସାଇବର ଠକେଇ କରୁଥିଲେ ଏ ଦୁଇ ଅଭିଯୁକ୍ତ । ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଏହି ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଥିବା ସୂଚନା ଦେଇଛି କମିଶନରେଟ ପୋଲିସ ।





