ମନୋରଞ୍ଜନ
ଓଡ଼ିଶା
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୬ପରିବାରର ୧୬ବଖରା ଘର, ୯ ଗୋରୁ ଜୀବନ୍ତ ଦଗ୍ଧ
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ଛତ୍ରପଦା ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିପୋଡ଼ି ପାଉଁଶ ହୋଇଗଲା ୬ପରିବାରର ୧୬ବଖରା ଘର । ନିଆଁରେ ଜଳି ୯ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବାବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।
ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ । ନିଆଁଲାଗି ଘରେ ଗଛିତ ଥିବା କୁଇଣ୍ଟାଲ କୁଇଣ୍ଟାଲ ଧାନ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଘରର ସମସ୍ତ ଆସବାବପତ୍ର, ୪୦୦ରୁ ଅଧିକ ବସ୍ତା ଧାନ ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ନିଆଁ ଏତେ ଭାୟାନକ ଥିଲା ଯେ ଘର ଭିତରୁ କିଛି କାଢ଼ିବା ସମ୍ଭବ ଭୋଇନଥିଲା । ଗାଁ ନିକଟରେ ଜଳ ସମସ୍ୟା ଥିବାରୁ ନିଆଁ ଲିଭାଇବାକୁ ନାକେଦମ ହୋଇଥିଲେ ଗ୍ରାମବାସୀ । ନିଆଁ କୁ ଆୟତ୍ତ କରିବାକୁ ବହୁ ସମୟ ଲାଗିଥିବାବେଳେ ଅଗ୍ନିଶମ ଗାଡି ବିଳମ୍ବରେ ପହଁଚିବାକୁ ନେଇ ଉଦବେଗ ଦେଖା ଦେଇଥିଲା । ଅଗ୍ନିଶମ ଗାଡି ପହଁଚିଲା ବେଳକୁ ସବୁ ପୋଡି ପାଉଁଶ ହୋଇ ଯାଇଥିଲା । ଘଟଣାସ୍ଥଳକୁ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଥିବା ସୂଚନା ମିଳିଛି ।





