ମନୋରଞ୍ଜନ
ଓଡ଼ିଶା
ବାହାନଗା ଟ୍ରେନ ଟ୍ରାଜେଡ଼ି: ରେଳଲାଇନ ପାର୍ଶ୍ବରୁ ୪୮ ଘଣ୍ଟା ପରେ ଉଦ୍ଧାର ହେଲେ ଜଣେ ଜୀବିତ ଯୁବକ
ବାଲେଶ୍ୱର/ବାହାନଗା/ସୋର: ମର୍ମନ୍ତୁଦ ବାହାନଗା ରେଳ ଦୁର୍ଘଟଣାକୁ ୪୮ ଘଣ୍ଟା ବିତିଲାଣି। ଉଦ୍ଧାର କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିଲା; କିନ୍ତୁ ବାହାନଗା ରେଳଲାଇନ ପାର୍ଶ୍ବରୁ ଜୀବିତ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି। କଥାରେ ଅଛି ‘ରଖେ ହରି, ମାରେ କିଏ’? ଆଜି ଅପରାହ୍ଣରେ ହଠାତ୍ ରେଳ ସୁରକ୍ଷା ବାହିନୀ ନଜରରେ ପଡ଼ିଥିଲେ ଯୁବକ ଜଣକ; କିନ୍ତୁ ଦୁର୍ଘଟଣା ଭୟରେ ଯୁବକ ଜଣକ ନିର୍ବାକ ହୋଇଯାଇଥିଲେ। କଥା ହେବାକୁ ଶକ୍ତି ମଧ୍ୟ ନ ଥିଲା। ହେଲେ ରେଳ […]
ବାଲେଶ୍ୱର/ବାହାନଗା/ସୋର: ମର୍ମନ୍ତୁଦ ବାହାନଗା ରେଳ ଦୁର୍ଘଟଣାକୁ ୪୮ ଘଣ୍ଟା ବିତିଲାଣି। ଉଦ୍ଧାର କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିଲା; କିନ୍ତୁ ବାହାନଗା ରେଳଲାଇନ ପାର୍ଶ୍ବରୁ ଜୀବିତ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି। କଥାରେ ଅଛି ‘ରଖେ ହରି, ମାରେ କିଏ’? ଆଜି ଅପରାହ୍ଣରେ ହଠାତ୍ ରେଳ ସୁରକ୍ଷା ବାହିନୀ ନଜରରେ ପଡ଼ିଥିଲେ ଯୁବକ ଜଣକ; କିନ୍ତୁ ଦୁର୍ଘଟଣା ଭୟରେ ଯୁବକ ଜଣକ ନିର୍ବାକ ହୋଇଯାଇଥିଲେ। କଥା ହେବାକୁ ଶକ୍ତି ମଧ୍ୟ ନ ଥିଲା। ହେଲେ ରେଳ ଲାଇନ କଡ଼ରେ ପଡ଼ିଥିବା ଯୁବକଙ୍କୁ ଦେଖିଥିଲେ କାମ କରୁଥିବା କର୍ମଚାରୀ। ପରେ ଯୁବକ ଜଣକୁ ଆରପିଏଫ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଛି। ଦୀର୍ଘ ୪୮ ଘଣ୍ଟା କାଳ ଯୁବକ ଜଣକ ନଖାଇ ନପିଇ ଜୀବନ ମରଣ ସହ ସଂଗ୍ରାମ କରୁଥିଲେ।
ଯୁବକ ଜଣକ ଆସାମର ହାଉରାଘାଟ ଥାନା ଉତ୍ତର ବରବିଲ ଅଞ୍ଚଳର ଧୋଲାଲ ବୋଲି ଜଣାପଡ଼ିଛି। ସେ ଜଣେ ନିର୍ମାଣ ଠିକାଦାରଙ୍କ ପାଖରେ କାମ କରିବାକୁ ୬/୭ ଜଣ ଯୁବକ ସହିତ ଯାଉଥିଲେ। ସେମାନେ ହାୱଡ଼ାରୁ କରମଣ୍ଡଳ ଏକ୍ସପ୍ରେସ୍ରେ ଆସୁଥିଲେ। କିନ୍ତୁ ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା ପରେ ସେମାନେ ଅଲଗା ହୋଇଯାଇଥିଲେ। ଅନ୍ୟ ସାଥୀମାନେ କୁଆଡ଼େ ଗଲେ ସେନେଇ ତାଙ୍କ ପାଖରେ କିଛି ସୂଚନା ମଧ୍ୟ ନାହିଁ। ତାଙ୍କୁ ସୋର ଡାକ୍ତରଖାନାରୁ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଯୁବକ ଜଣକ ଦୁର୍ଘଟଣା ପରେ ଭୟଭୀତ ହୋଇଯାଇଥିବାରୁ ସହାୟତା ପାଇଁ କାହାକୁ ଡାକି ପାରି ନ ଥିଲେ। ଉଦ୍ଧାର କାର୍ଯ୍ୟ ସରିଥିବା ନେଇ ରେଳ ବିଭାଗ କହୁଥିବା ବେଳେ ଜଣେ ଜୀବନ୍ତ ଯାତ୍ରୀ ଦୁର୍ଘଟଣାସ୍ଥଳରୁ ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି।






