ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ
ନୂଆଦିଲ୍ଲୀ: ଏସୀୟ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ ବେହେରା । ୪୦୦ ମିଟର ଦୌଡ଼ T47 ବର୍ଗରେ ଜୟନ୍ତୀ ବେହେରା ଜିତିଲେ ରୌପ୍ୟ । ଭାରତର ଅଞ୍ଜନାବେନ୍ ବୁମ୍ବାଦିୟା ପ୍ରଥମ ସ୍ଥାନରେ ରହି ଜିତିଲେ ସ୍ବର୍ଣ୍ଣ ପଦକ । ଜାପାନର ନାଗୋୟା ସିଟି ମିଜୁହୋ ପାର୍କ ଆଥଲେଟିକ୍ ଷ୍ଟାଡିୟମ୍ ଠାରେ ଚାଲିଥିବା ଏସୀୟ ପାରା ଗେମ୍ସରେ ଭାରତକୁ ମିଳିଛି ବଡ଼ ସଫଳତା। ଗୁରୁବାର ଅନୁଷ୍ଠିତ ମହିଳା ୪୦୦ ମିଟର T47 ଇଭେଣ୍ଟରେ ଭାରତୀୟ ପାରା ଆଥଲେଟ୍ ଅଞ୍ଜନାବେନ ବୁମ୍ବାଡିୟା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ, ଓଡ଼ିଶାର ଗର୍ବ ଜୟନ୍ତୀ ବେହେରା ରୌପ୍ୟ ପଦକ ହାସଲ କରିଛନ୍ତି।
୪୦୦ ମିଟର T47 ରେସ୍ରେ ଅଞ୍ଜନାବେନ ମାତ୍ର ୫୯.୯୭ ସେକେଣ୍ଡ ସମୟ ନେଇ ନିଜର ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ୱର୍ଣ୍ଣ ପଦକ (୮୪୮ ରାଜା ପଏଣ୍ଟ) ନିଜ ନାମରେ କରିଛନ୍ତି। ଅନ୍ୟପକ୍ଷରେ ଭାରତର ଜୟନ୍ତୀ ବେହେରା ୧ ମିନିଟ୍ ୦୦.୬୫ ସେକେଣ୍ଡ ସମୟ ସହ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ (୮୧୫ ରାଜା ପଏଣ୍ଟ) ଜିତିଛନ୍ତି। ଥାଇଲାଣ୍ଡର ଶଶିରାୱନ ଇନ୍ଥାଚୋଟ (୧ ମିନିଟ୍ ୦୨.୫୮ ସେକେଣ୍ଡ) ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅଞ୍ଜନାବେନ ଏସୀୟ ପାରା ଗେମ୍ସ ରେକର୍ଡ (୫୮.୩୯ ସେକେଣ୍ଡ) ଭାଙ୍ଗିବାର ଖୁବ୍ ନିକଟତର ହୋଇଥିଲେ।
ଅନ୍ୟ ଏକ ଇଭେଣ୍ଟ ମହିଳା ୪୦୦ ମିଟର T12 ବର୍ଗରେ ଭାରତର ତେଜଲବେନ ଡାମୋର ରୌପ୍ୟ ପଦକ ହାସଲ କରିଛନ୍ତି। ସେ ଏହି ଦୂରତାକୁ ୫୭.୬୦ ସେକେଣ୍ଡରେ ଅତିକ୍ରମ କରି ଦେଶ ପାଇଁ ଆଉ ଏକ ଗୌରବ ଆଣିଛନ୍ତି। ଏହି ଇଭେଣ୍ଟରେ ଇରାନର ହଜାର ସଫରଜାଦେହ (୫୬.୪୩ ସେକେଣ୍ଡ) ସ୍ୱର୍ଣ୍ଣ ଏବଂ ଚୀନ୍ର ସେନ୍ ୟାକିନ୍ (୫୮.୦୪ ସେକେଣ୍ଡ) ବ୍ରୋଞ୍ଜ ପଦକ ଜିତିଛନ୍ତି।
ଗୁଜରାଟର ପାରା ଆଥଲେଟ୍ ଅଞ୍ଜନାବେନ ୨୦୦୧ ମସିହାରେ ଜନ୍ମଗ୍ରହଣ କରିଥିଲେ। ଜନ୍ମରୁ ତାଙ୍କର ଗୋଟିଏ ହାତ ଛୋଟ ରହିଥିଲା। ନିଜର ଶାରୀରିକ ପ୍ରତିବନ୍ଧକକୁ ଖାତିର ନକରି ସେ ଆଜି ଭାରତର ଜଣେ ଆଗଧାଡ଼ିର ମହିଳା ପାରା-ସ୍ପ୍ରିଣ୍ଟର ଭାବେ ଉଭା ହୋଇଛନ୍ତି।
ସେହିପରି ଓଡ଼ିଶାର ଝିଅ ଜୟନ୍ତୀ ବେହେରା (ଜନ୍ମ ୧୯୯୯) ଙ୍କ ସଂଘର୍ଷ ମଧ୍ୟ ପ୍ରେରଣାଦାୟକ। ମାତ୍ର ବର୍ଷକ ବୟସରେ ଏକ ଦୁର୍ଘଟଣାରେ ଚୁଲି ନିଆଁରେ ପଡ଼ି ତାଙ୍କ ବାମ ହାତ ଜଳିଯାଇଥିଲା। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଗୁରୁକୁଳ ଆଥଲେଟିକ୍ ଟ୍ରେନିଂ ସେଣ୍ଟରରେ କୋଚ୍ ବିଷ୍ଣୁ ପ୍ରସାଦ ମିଶ୍ର ତାଙ୍କ ପ୍ରତିଭାକୁ ଚିହ୍ନିବା ସହ ବିନା ମୂଲ୍ୟରେ ତାଲିମ ଦେଇଥିଲେ। ପୂର୍ବରୁ ଜୟନ୍ତୀ ୨୦୧୮ ଏସୀୟ ପାରା ଗେମ୍ସରେ ଦୁଇଟି ପଦକ ଏବଂ ୨୦୧୭ ୱାର୍ଲ୍ଡ ୟୁଥ୍ ଚାମ୍ପିଅନସିପ୍ରେ ସ୍ୱର୍ଣ୍ଣ ପଦକ ଜିତି ଦେଶର ଟେକ ରଖିଥିଲେ।






