ରଥଯାତ୍ରାରେ ଶୃଙ୍ଖଳିତ ପରିବହନ ଲକ୍ଷ୍ୟ: ବସ୍ ପାର୍କିଂଠାରୁ ଆରମ୍ଭ କରି ଟୋଲ୍ ଫି ଛାଡ଼, ଅନ୍ୟ ରୁଟ୍‌ ବସଙ୍କୁ ଅସ୍ଥାୟୀ ପରମିଟ୍‌

Madhusudan Das Picture
Published On

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁଗମ ପରିବହନ ପାଇଁ ବୁଧବାର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ ଭୁବନେଶ୍ୱର-୧ କାର୍ଯ୍ୟାଳୟରେ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ। ଶ୍ରଦ୍ଧାଳୁମାନେ କିଭଳି ପୁରୀରେ ସୁବିଧାରେ ପହଞ୍ଚିବେ ଓ ଫେରିବେ, ସେ ବିଷୟରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବା ସହ କେତେକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବସ୍ ପାର୍କିଂଠାରୁ ଆରମ୍ଭ କରି ଟୋଲ୍ ଫି ଛାଡ଼, ଯାତ୍ରୀ ସୁବିଧା କେନ୍ଦ୍ର ଓ ବ୍ରେକଡାଉନ୍ ସେବା ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରାଯାଇଛି । ୧ ହଜାର ବସ୍ ଚଳାଚଳ ପାଇଁ ବସ୍‌ଗୁଡ଼ିକୁ ସ୍ୱତନ୍ତ୍ର ଅସ୍ଥାୟୀ ପରମିଟ୍ ପ୍ରଦାନ କରାଯିବ । 

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଯାତ୍ରୀଙ୍କ ଚାହିଦା ପୂରଣ ପାଇଁ ପୁରୀକୁ ବହୁ ସଂଖ୍ୟାରେ ଷ୍ଟେଜ୍‌ କ୍ୟାରେଜ୍‌ ବସ୍‌ ଚଳାଚଳ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ନିମନ୍ତେ ଅସ୍ଥାୟୀ ପରମିଟ୍‌ ପ୍ରଦାନ କରାଯିବ। ରଥଯାତ୍ରାର ପୂର୍ବଦିନ ପାଇଁ ମଧ୍ୟ ଏହି ଅସ୍ଥାୟୀ ପରମିଟ୍‌ ମିଳିପାରିବ। ପୁରୀ ବାହାର ରୁଟ୍‌ ର କୌଣସି ବି ବସ୍‌ ମାଲିକ ଏଥିପାଇଁ ଆବେଦନ କରିପାରିବେ। ଏବେ ପୁରୀକୁ ପ୍ରତିଦିନ ପ୍ରାୟ ୨୦୦ ଘରୋଇ ବସ୍‌ ଚଳାଚଳ କରୁଥିବା ବେଳେ ରଥଯାତ୍ରା ସମୟରେ ଏହି ସଂଖ୍ୟାକୁ ଦୁଇଗୁଣା କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ପୁରୀକୁ ଓଏସଆରଟିସି ଏବଂ କ୍ରୁଟ୍‌ ସରକାରୀ ବସ୍‌ ସଂଖ୍ୟା ମଧ୍ୟ ଏହି ସମୟରେ ବୃଦ୍ଧି କରାଯିବ। ରଥଯାତ୍ରା ସମୟରେ ପୁରୀଠାରେ ଏକ ସୂଚନା କେନ୍ଦ୍ର ତଥା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା ଖୋଲା ରହିବ। ଏଥିପାଇଁ ସ୍ୱତନ୍ତ୍ର ନମ୍ୱର ଜାରି ହେବ। ତାଳବଣିଆରେ ମଧ୍ୟ ଏକ ହେଲ୍ପଡେସ୍କ କାର୍ଯ୍ୟ କରିବ। ଏହା ସହ ଏସଟିଏର ୨୪ ଘଣ୍ଟିଆ ଟୋଲ୍‌ ଫ୍ରି ନମ୍ୱର ମଧ୍ୟ ସୂଚନା ପ୍ରଦାନ ପାଇଁ କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଛି। ସେହିଭଳି ତାଳବଣିଆ ଓ ଅନ୍ୟ ପ୍ରମୁଖ ପାର୍କିଂ ସ୍ଥାନରୁ ନିଃଶୁଳ୍କ ଇ-ରିକ୍ସା ସୁବିଧା ପରିବହନ ବିଭାଗ ଦ୍ୱାରା କରାଯିବ। ଏଥିପାଇଁ ୪୫୦ଟି ଇ-ରିକ୍ସା ନିୟୋଜିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରତି ବସରେ ଭଡ଼ା ଚାର୍ଟ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। କୌଣସି ବସ୍‌ ଯେପରି ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଟଙ୍କା ? ଆଦାୟ ନ କରନ୍ତି, ସେଥିପାଇଁ ପରିବହନ ବିଭାଗ ସହ ବସ୍‌ ମାଲିକ ସଂଘ ମଧ୍ୟ କଡ଼ା ଦୃଷ୍ଟି ଦେବେ। 

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ଦିନ ପିପିଲି ଟୋଲ୍ ଗେଟ୍‌ରେ ବସ୍‌ ସମେତ ଅନ୍ୟ କୌଣସି ଗାଡିରୁ ଟୋଲ୍ ଫି ଆଦାୟ ହେବ ନାହିଁ । ଫଳରେ ଟୋଲ୍ ପ୍ଲାଜାରେ ଗାଡ଼ି ଅଟକିବ ନାହିଁ ଏବଂ ଯାତାୟାତ ସୁଗମ ହେବ ବୋଲି ଘରୋଇ ବସ୍ ମାଲିକ ସଂଘ ସୂଚନା ଦେଇଛି । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରତ୍ୟେକ ବସ୍‌ରେ ଫାଷ୍ଟ ଏଡ୍ କିଟ୍ ରହିବ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଭୁବନେଶ୍ୱରରୁ ପୁରୀ ରାସ୍ତାରେ ପର୍ଯ୍ୟାପ୍ତ ସଂଖ୍ୟକ କ୍ରେନ୍‌ ଏବଂ ଆମ୍ୱୁଲାନ୍ସ ମୁତୟନ କରାଯିବ। ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ତ୍ୱରିତ ଚିକିତ୍ସା ସୁନିଶ୍ଚିତ କରାଯିବ। ରଥଯାତ୍ରା ସମୟରେ ଭୁବନେଶ୍ୱର-ପୁରୀ ଏବଂ ପୁରୀ-କୋଣାର୍କ ରାଜପଥରେ ଯଦି କୌଣସି ଗାଡ଼ି ଖରାପ ହୁଏ, ତେବେ ତୁରନ୍ତ ମରାମତି ସେବା ଯୋଗାଇଦେବା ପାଇଁ ଗାଡ଼ି ନିର୍ମାତା ଓ ଡିଲରମାନଙ୍କୁ କୁହାଯାଇଛି। ବୈଠକରେ ଭୁବନେଶ୍ୱର ଓ କଟକ ଡିସିପି, ଟ୍ରାଫିକ ଡିସିପି, ପୁରୀର ଅତିରିକ୍ତ ଏସପି, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ବସ୍‌ ମାଲିକ ସଂଘର କର୍ମକର୍ତ୍ତା, ଓଏସଆରଟିସି ଏବଂ କ୍ରୁଟ୍‌୍‌ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଭର୍ଚ୍ଚୁଆଲ ମାଧ୍ୟମରେ ପୁରୀ ଜିଲ୍ଲାପାଳ ଯୋଗ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର