ସରକାରଙ୍କ ଭୁଲ୍; ଦଣ୍ଡ ଭୋଗୁଛନ୍ତିି ଆଶାୟୀ: ଦଳେ ରାସ୍ତାରେ, ଦଳେ କୋର୍ଟରେ ...

Deviprasad Mohanty Picture
Published On

ଭୁବନେଶ୍ୱର: ଲିଭ୍‌ ଟ୍ରେନିଂ ଟିଚର (ଏଲ୍‌ଟିଆର୍‌) ନିଯୁକ୍ତିରେ ବ୍ୟାପକ ଅସଙ୍ଗତି ରହିଛି। ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟଗ (ଓଏସ୍‌ଏସ୍‌ସି) ପରୀକ୍ଷା ପରିଚାଳନା କରିନାହିଁ। ପୁନଶ୍ଚ ଯେଉଁ ପରୀକ୍ଷା ହୋଇଛି, ସେଥିରେ ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦିଆଯାଇଛି। ଫଳରେ ମାମଲା କୋର୍ଟରେ ପହଞ୍ଚିବା ସହ ସମ୍ପୂର୍ଣ୍ଣର୍ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ  ହୋଇଛି। ହିନ୍ଦୀ ଶିକ୍ଷକ ପରୀକ୍ଷାକୁ ହାଇକୋର୍ଟ ରଦ୍ଦ କରିଥିବାବେଳେ ସଂସ୍କୃତ ଶିକ୍ଷକ ଆଶାୟୀମାନେ ଦୁଇଦିନ ହେଲା ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି। ଅପରପକ୍ଷରେ ହିନ୍ଦୀ ପରି ସଂସ୍କୃତ ଶିକ୍ଷକ ପଦ ପାଇଁ ୫ଗୁଣାରୁ ଅଧିକ ଆଶାୟୀ ଆବେଦନ କରିଥିବାବେଳେ ପ୍ରିଲିମିନାରୀ ପରୀକ୍ଷା କରାଯାଇ ନ ଥିବାରୁ ସମ୍ପୂର୍ଣ୍ଣ ନିଯୁକ୍ତି ପରୀକ୍ଷା ରଦ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି । 

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଏଲ୍‌ଟିଆର୍‌ ଶିକ୍ଷକ ନିଯୁକ୍ତିରେ ୭୨୯ଟି ସଂସ୍କୃତ ଶିକ୍ଷକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ପ୍ରାୟ ୪୯୬୯ ଜଣ ଆଶାୟୀ ଆବେଦନ କରିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଅର୍ଥାତ୍‌ ମୋଟ୍‌ ପଦ ପାଇଁ ପ୍ରାୟ ୭ଗୁଣା ଆଶାୟୀ ଆବେଦନ କରିଥିଲେ। ଅପରପକ୍ଷରେ ମୋଟ୍‌ ପଦର ୫ଗୁଣାରୁ ଅଧିକ ଆଶାୟୀ ଆବେଦନ କଲେ ପ୍ରିଲିମିନାରୀ ପରୀକ୍ଷା ହେବା ପରେ ମୁଖ୍ୟ ପରୀକ୍ଷା ହେବ ବୋଲି ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ଏହାସତ୍ତେ୍ୱ ଉଭୟ ହିନ୍ଦୀ ଓ ସଂସ୍କୃତ ଆଶାୟୀଙ୍କ ପ୍ରିଲିମିନାରୀ ପରୀକ୍ଷା କରାଯାଇ ନ ଥିଲା।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ହିନ୍ଦୀ ଶିକ୍ଷକଙ୍କ ମାମଲା କୋର୍ଟରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟାକୁ ଗତମାସ ୧୬ ତାରିଖରେ ହାଇକୋର୍ଟ ରଦ୍ଦ କରିଛନ୍ତି। ଅନୁରୂପ ଭାବେ ସଂସ୍କୃତ ଶିକ୍ଷକ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ରଦ୍ଦ କରି ପ୍ରିଲିମିନାରୀ ପରୀକ୍ଷା କରିବାକୁ କୋର୍ଟରେ ମାମଲା ବିଚାରଧୀନ ରହିଛି। ଅପରପକ୍ଷରେ ସଂସ୍କୃତ ବ୍ୟତୀତ ଅନ୍ୟ ସମସ୍ତ ପଦ ପାଇଁ ଚୁଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆସନ୍ତା ୧୫ ତାରିଖରେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ବାଣ୍ଟିବେ। ଏଣୁ ସଂସ୍କୃତ ଆଶାୟୀଙ୍କ ପରୀକ୍ଷା ଫଳ ପ୍ରକାଶ କରି ସେମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉ ବୋଲି ଆଶାୟୀମାନେ ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ୨ଦିନ ଧରି ଆନ୍ଦୋଳନ କରିଛନ୍ତି। ଓଏସ୍‌ଏସ୍‌ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କୋର୍ଟରେ ମାମଲା ବିଚାରଧୀନ ରହିଥିବାରୁ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ। ଚୁଡ଼ାନ୍ତ ରାୟ ବା କୋର୍ଟଙ୍କ ନିର୍ଦ୍ଦେଶ ବିନା ପରୀକ୍ଷା ଫଳ ପ୍ରକାଶ ପାଇବ ନାହିଁ। 

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ସରକାରଙ୍କ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି ପାଇଁ ଆଶାୟୀମାନେ ଦହଗଞ୍ଜ ହେଉଛନ୍ତି। ପରୀକ୍ଷା ଦେଇ ଚାକିରି ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ନିଯୁକ୍ତି ପତ୍ର ଦିଆଯାଉ ନାହିଁ। କେବଳ ଏଲ୍‌ଟିଆର୍‌ ନୁହେଁ, ପ୍ରତିଟି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେଉଥିବାରୁ ଆଶାୟୀଙ୍କ ମାନସିକ ସ୍ଥିତି ଦୋହଲି ସାରିଛି। ସରକାର ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା କରିବାରେ ବାରମ୍ବାର ବିଫଳ ହେଉଥିବା ଅଭିଯୋଗ ହେଉଛି।

୧୬ରେ ହିନ୍ଦୀ ଶିକ୍ଷକଙ୍କ ପ୍ରିଲିମିନାରୀ ପରୀକ୍ଷା
ରଦ୍ଦ ହୋଇଥିବା ଏଲ୍‌ଟିଆର୍‌ ହିନ୍ଦୀ ଶିକ୍ଷକ ପରୀକ୍ଷା ଆସନ୍ତା ୧୬ତାରିଖରେ ଅନୁଷ୍ଠିତ ହେବ। ଅବିଭକ୍ତ ୧୩ଟି ଜିଲ୍ଲାର ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ଦେବେ ଆଶାୟୀ ଛାତ୍ରଛାତ୍ରୀ। ଓଏମ୍‌ଆର୍‌ ବେସଡ୍‌ ପରୀକ୍ଷା ପାଇଁ ଆବେଦନ କରିଥିବା ପିଲାମାନେ ଆସନ୍ତା ୧୦ ତାରିଖ ଠାରୁ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ। ଦୁଇ ଘଣ୍ଟାରେ ସମୁଦାୟ ଶହେ ମାର୍କର ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଓଏସ୍‌ଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ

ଏଲ୍‌ଟିଆର୍‌ ସଂସ୍କୃତ ଶିକ୍ଷକ ଆଶାୟୀମାନେ ଦୁଇଦିନ ଧରି ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। ରାତିରେ କାର୍ଯ୍ୟାଳୟ ସମ୍ମୁଖରେ ଶୋଇବା ସହ ଚୂଡାନ୍ତ ପରୀକ୍ଷାଫଳ ପ୍ରକାଶ ନ କଲେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଓଏସ୍‌ଏସ୍‌ସିର ସମସ୍ତ ନିୟମ ଅନୁଯାୟୀ ପରୀକ୍ଷା ଦେଇଥିଲେ ମଧ୍ୟ ସେମାନଙ୍କୁ କାହିଁକି ନିଯୁକ୍ତି ଦିଆଯାଉନି ବୋଲି ଗର୍ଜନ କରିଛନ୍ତି। ଆଶାୟୀଙ୍କ କହିବା କଥା ପରୀକ୍ଷାରେ ଅକୃତକାର୍ଯ୍ୟ ହେଉଥିବା କିଛି ପରୀକ୍ଷାର୍ଥୀ ଉଦ୍ଦେଶ୍ୟମୂଳକ ଭାବେ କୋର୍ଟ ଯାଉଛନ୍ତି। ବିଜ୍ଞପ୍ତିରେ ଏକାଧିକ ତ୍ରୁଟି ସେମାନଙ୍କୁ କେସ୍‌ କରିବାକୁ ସୁଯୋଗ ଦେଉଛି। ହେଲେ ପରୀକ୍ଷା ଦେଇ ମେଧା ଆଧାରରେ ଚୟନ ହୋଇଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତି ଦିଆଯାଉନି ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟ ଏଲ୍‌ଟିଆର୍‌ ପଦ ପାଇଁ କୋର୍ଟରେ ମାମଲା ହୋଇଥିଲେ ମଧ୍ୟ କେସ୍‌ ନମ୍ବର ପକାଇ ରେଜଲ୍ଟ ପ୍ରକାଶ କରାଯାଇଛି। ତାହେଲେ ସଂସ୍କୃତ ଶିକ୍ଷକଙ୍କ ସହ ବୈମାତୃକ ମନୋଭାବ କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସମାନ ବିଜ୍ଞପ୍ତିରେ ଆସନ୍ତା ୧୫ ତାରିଖ ଦିନ ସମସ୍ତେ ନିଯୁକ୍ତି ପତ୍ର ପାଇବାକୁ ଯାଉଥିବାବେଳେ ସେମାନଙ୍କୁ କାହିଁକି ବାଦ୍‌ ଦିଆଯାଉଛି ବୋଲି ପଚାରିଛନ୍ତି। ମେଧାବୀ ପରୀକ୍ଷାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ମାମଲା ବିଚାରଧୀନ ଥିଲେ ମଧ୍ୟ ଅନ୍ୟ ବିଷୟରେ ନିଯୁକ୍ତି ପରି କେସ୍‌ ନମ୍ବର ପକାଇ ସେମାନଙ୍କୁ ମଧ୍ୟ ନିଯୁକ୍ତି ଦେବାକୁ ଆନ୍ଦୋଳନରତ ଆଶାୟୀମାନେ ଦାବି କରିଛନ୍ତି। ଓଏସ୍‌ଏସ୍‌ସି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ବିଳମ୍ବିତ ସନ୍ଧ୍ୟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର