ଗତ ଦଶନ୍ଧିରେ ମୁଣ୍ଡପିଛା ଆୟବୃଦ୍ଧି; ଓଡ଼ିଶା ଦେଶରେ ଏକ ନମ୍ବର, ନବୀନ ଅର୍ଥନୀତିକୁ କେନ୍ଦ୍ରର ସ୍ୱୀକୃତି…
ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ସରକାରର ବିତ୍ତୀୟ ପରିଚାଳନା ଓ ଅର୍ଥନୀତିକୁ ପୁଣିଥରେ ସ୍ୱୀକୃତି ଦେଇଛନ୍ତି କେନ୍ଦ୍ର ସରକାର। ୨୦୧୪ରୁ ୨୦୨୪ ମସିହା ମଧ୍ୟରେ ଓଡ଼ିଶାବାସୀଙ୍କ ମୁଣ୍ଡପିଛା ଆୟ ହାର କେବଳ ଦ୍ୱିଗୁଣିତ ହୋଇନାହିଁ, ଆୟ ହାର ବୃଦ୍ଧିରେ ଓଡ଼ିଶା ସାରା ଦେଶରେ ଏକନମ୍ବର ରାଜ୍ୟର ମାନ୍ୟତା ପାଇଛି। ସଂସଦରେ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ । ଲୋକସଭାରେ ସାଂସଦ ଗିରିଧାରୀ ଯାଦବ ଓ ଦୀନେଶ ଚନ୍ଦ୍ର ଯାଦବଙ୍କ ଏକ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ […]
ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ସରକାରର ବିତ୍ତୀୟ ପରିଚାଳନା ଓ ଅର୍ଥନୀତିକୁ ପୁଣିଥରେ ସ୍ୱୀକୃତି ଦେଇଛନ୍ତି କେନ୍ଦ୍ର ସରକାର। ୨୦୧୪ରୁ ୨୦୨୪ ମସିହା ମଧ୍ୟରେ ଓଡ଼ିଶାବାସୀଙ୍କ ମୁଣ୍ଡପିଛା ଆୟ ହାର କେବଳ ଦ୍ୱିଗୁଣିତ ହୋଇନାହିଁ, ଆୟ ହାର ବୃଦ୍ଧିରେ ଓଡ଼ିଶା ସାରା ଦେଶରେ ଏକନମ୍ବର ରାଜ୍ୟର ମାନ୍ୟତା ପାଇଛି। ସଂସଦରେ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ।
ଲୋକସଭାରେ ସାଂସଦ ଗିରିଧାରୀ ଯାଦବ ଓ ଦୀନେଶ ଚନ୍ଦ୍ର ଯାଦବଙ୍କ ଏକ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌଧୁରୀ ପ୍ରଦାନ କରିଥିବା ତଥ୍ୟ ଅନୁସାରେ ୨୦୧୩-୧୪ ଆର୍ଥିକ ବର୍ଷରେ ଓଡ଼ିଶାର ହାରାହାରି ମୁଣ୍ଡପିଛା ଆୟ ୫୪୨୦୯ ଟଙ୍କା ରହିଥିଲା। ମାତ୍ର ଏକ ଦଶନ୍ଧି ମଧ୍ୟରେ ମୁଣ୍ଡପିଛା ଆୟ ପ୍ରାୟ ଦ୍ୱିଗୁଣିତ ହୋଇ ୨୦୨୪ ଆର୍ଥିକ ବର୍ଷରେ ଏହା ୧୦୬୯୧୮ ଟଙ୍କାରେ ପହଞ୍ଚିଛି। ୧୦ବର୍ଷରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୯୬.୭% ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ କର୍ଣ୍ଣାଟକରେ ମୁଣ୍ଡପିଛା ଆୟ ୯୩.୬% ବୃଦ୍ଧି ପାଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୭୮.୯%, ଆସାମରେ ୮୧%, ଛତିଶଗଡ଼ରେ ୫୨.୪%, ମଧ୍ୟପ୍ରଦେଶରେ ୬୦%, ମହାରାଷ୍ଟ୍ରରେ ୫୩.୬%, ତାମିଲନାଡ଼ୁରେ ୮୩.୩%, ତେଲଙ୍ଗାନାରେ ୮୫.୩%, ପଶ୍ଚିମବଙ୍ଗରେ ୫୧.୮% ବୃଦ୍ଧି ପାଇଛି। ଦେଶର କେବଳ ଦୁଇଟି ରାଜ୍ୟ ଓଡ଼ିଶା ଓ କର୍ଣ୍ଣାଟକରେ ମୁଣ୍ଡପିଛା ଆୟ ହାର ବୃଦ୍ଧି ୯୦% ଅତିକ୍ରମ କରିଛି ଏବଂ ଓଡ଼ିଶା ଏକ ନମ୍ବର ସ୍ଥାନ ଅଧିକାର କରିଛି। ତତ୍କାଳୀନ ନବୀନ ସରକାରଙ୍କ ବିତ୍ତୀୟ ପରିଚାଳନା ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ କରିଛି ।
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଆଧାରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସଂସଦରେ ଏସମ୍ପର୍କରେ ସୂଚନା ଦେଇଛନ୍ତି। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ରିପୋର୍ଟ ଅନୁସାରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଅସ୍ଥାୟୀ ଆକଳନ ଅନୁଯାୟୀ, ୨୦୨୪-୨୫ ଆର୍ଥକ ବର୍ଷ ପାଇଁ ସ୍ଥିର ମୂଲ୍ୟରେ ମୁଣ୍ଡପିଛା ନେଟ୍ ଜାତୀୟ ଆୟ (ଏନ୍ଏନ୍ଆଇ) ୧,୧୪,୭୧୦ ଟଙ୍କା ରହିଛି। ୧୦ବର୍ଷ ପୂର୍ବେ ମୁଣ୍ଡପିଛା ନେଟ୍ ଜାତୀୟ ଆୟ ୭୨,୮୦୫ ଟଙ୍କା ଥିଲା ଓ ସେହି ସମୟରେ ଓଡିଶାର ମୁଣ୍ଡପିଛା ନେଟ୍ ଜାତୀୟ ଆୟ ୫୪,୨୦୯ ଟଙ୍କା ରହିଥିଲା। ମାତ୍ର ଏହି ୧୦ବର୍ଷ ମଧ୍ୟରେ ଓଡ଼ିଶାର ମୁଣ୍ଡପିଛା ଆୟ ହାର ବୃଦ୍ଧି ୯୬.୭% ବୃଦ୍ଧି ପାଇଛି। ଅପରପକ୍ଷେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ରିପୋର୍ଟରେ ଭାରତର ଆର୍ଥିକ ଅଭିବୃଦ୍ଧିର ଅସମାନତାକୁ ପ୍ରକଟ କରିଛି । ମୁଣ୍ଡପିଛା ଆୟ ଦୃଷ୍ଟିରୁ କର୍ଣ୍ଣାଟକ ଦେଶର ସବୁଠାରୁ ଧନୀ ରାଜ୍ୟ ହୋଇଥିବା ବେଳେ ବିହାର ସବୁଠାରୁ ଗରିବ ରାଜ୍ୟ ଭାବରେ ଉଭା ହୋଇଛି । ୨୦୨୪-୨୫ରେ କର୍ଣ୍ଣାଟକରେ ମୁଣ୍ଡପିଛା ହାରାହାରି ଆୟ ୨.୦୪ ଲକ୍ଷ ଟଙ୍କା ଥିବାବେଳେ ବିହାରର ହାରାହାରି ମୁଣ୍ଡପିଛା ଆୟ ୨୦୨୩-୨୪ରେ ମାତ୍ର ୩୨୨୨୭ ଟଙ୍କା ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ରିପୋର୍ଟରେ ଉଲ୍ଲେଖ ଅଛି । ସେହିପରି ମଧ୍ୟପ୍ରଦେଶରେ ହାରାହାରି ମୁଣ୍ଡପିଛା ଆୟ ୭୦୪୩୪ ଟଙ୍କା, ଛତିଶଗଡ଼ରେ ୯୩୧୬୧ ଟଙ୍କା, ରାଜସ୍ଥାନରେ ୯୬୬୩୮ଟଙ୍କା, ଓ ଆସାମରେ ମୁଣ୍ଡପିଛା ହାରାହାରି ଆୟ ୮୧୧୨୭ ଟଙ୍କା ଥିବା ରିପୋର୍ଟରେ କୁହାଯାଇଛି। ଅର୍ଥନୈତିକ ବିକାଶର ବିଭିନ୍ନ ସ୍ତର, ଆଞ୍ଚଳିକ ଗଠନ, ସଂରଚନା ଜନିତ ଅସମାନତା ଏବଂ ଶାସନ ତନ୍ତ୍ରରେ ପାର୍ଥକ୍ୟ ଯୋଗୁଁ ଆୟ ହାର ବୃଦ୍ଧିରେ ପାର୍ଥକ୍ୟ ଦେଖାଯାଇଥାଇପାରେ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ଚୌଧୁରୀ ମତ ପ୍ରକାଶ କରିଛନ୍ତି।






