ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର: ଦିଲ୍ଲୀରେ ଏକ କୋଠା ଭୁଶୁଡ଼ିବା ଘଟଣା ପରେ ଓଡ଼ିଶା ସରକାର ତତ୍ପର ହୋଇଉଠିଛନ୍ତି। ରାଜ୍ୟରେ ଥିବା ବିପଦସଙ୍କୁଳ ଏବଂ ପୁରୁଣା କୋଠାଗୁଡ଼ିକୁ ଚିହ୍ନଟ କରିବା ତଥା ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ସରକାର ଏକ ୧୫ ଦିନିଆ ତଦନ୍ତକାରୀ ଦଳ ଗଠନ କରିଛନ୍ତି। ଏହି ଟିମ୍ ସମ୍ଭାବ୍ୟ ବିପଦ ଥିବା କୋଠାଗୁଡ଼ିକର ଯାଞ୍ଚ କରିବ ଏବଂ ତାହାକୁ ଭାଙ୍ଗିବା ପାଇଁ ପଦକ୍ଷେପ ନେବ।
ନୂଆଦିଲ୍ଲୀର ସାଉଥ୍ କ୍ୟାମ୍ପସ ଅଞ୍ଚଳରେ ଥିବା ସତ୍ୟ ନିକେତନ ମାର୍କେଟରେ ଏକ କୋଠା ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଥିଲେ। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି। ନବଗଠିତ ୧୫ ଦିନିଆ ଇନକ୍ୱାରୀ ଏବଂ ଇନ୍ସପେକ୍ସନ୍ ଟିମ୍ ବିପଦସଙ୍କୁଳ କୋଠାଗୁଡ଼ିକର ସ୍ଥିତି ଅନୁଧ୍ୟାନ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ।
ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ସରକାରୀ ବିପଦସଙ୍କୁଳ କୋଠାଗୁଡ଼ିକର ସ୍ଥିତି ଅନୁଧ୍ୟାନ ସରିଛି ଏବଂ ଆବଶ୍ୟକ ସ୍ଥଳେ ନୋଟିସ୍ ଜାରି କରାଯାଇଛି। ସେ ନିକଟରେ ବିଭାଗୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ ଯେଉଁଥିରେ ଅସୁରକ୍ଷିତ କୋଠାଗୁଡ଼ିକୁ ଭାଙ୍ଗିବା ପାଇଁ ଖୁବଶୀଘ୍ର ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ କୋଠାଗୁଡ଼ିକ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଆସୁଛି, ସେଗୁଡ଼ିକ ଉପରେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ ଅନ୍ୟ ବିଭାଗର କୋଠା ହୋଇଥିଲେ ସମ୍ପୃକ୍ତ ବିଭାଗକୁ ଜଣାଇ ଦିଆଯିବ।
କେବଳ ସରକାରୀ ନୁହେଁ, ବରଂ ଘରୋଇ ବିପଦସଙ୍କୁଳ କୋଠାଗୁଡ଼ିକୁ ମଧ୍ୟ ଏହି ସୁରକ୍ଷା ଯାଞ୍ଚ ପରିସରଭୁକ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିଶେଷକରି କଟକ ଏବଂ ପୁରୀ ଭଳି ପୁରୁଣା ସହରଗୁଡ଼ିକରେ ଥିବା ବହୁ ପୁରାତନ ତଥା ଘରୋଇ ମାଲିକାନାରେ ଥିବା କୋଠାଗୁଡ଼ିକର ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯିବ। ଆଇନ ଅନୁଯାୟୀ ବିପଦସଙ୍କୁଳ ଅବସ୍ଥାରେ ଥିବା ଘରୋଇ କୋଠା ମାଲିକମାନଙ୍କୁ ମଧ୍ୟ ନୋଟିସ୍ ପଠାଯିବ ବୋଲି ମନ୍ତ୍ରୀ ଡ. ମହାପାତ୍ର ସ୍ପଷ୍ଟ କରିଛନ୍ତି। ଯାଞ୍ଚ ପରେ ଯେଉଁ ସବୁ କୋଠା ଅସୁରକ୍ଷିତ ବର୍ଗରେ ଆସିବ, ସେଗୁଡ଼ିକୁ ତୁରନ୍ତ ଭାଙ୍ଗି ଦିଆଯିବ।






