ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା
ଖୋର୍ଦ୍ଧା: ବୋଲଗଡ଼ ବ୍ଲକ ଡାବରଧୁଆ ପଞ୍ଚାୟତ କପାସିଆ ଗ୍ରାମରେ ଆଜି ଏକ ଅଘଟଣ ଘଟିଯାଇଛି। ୨ ଜଣ କୁନି ଝିଅଙ୍କୁ ପାଣିରୁ ବଞ୍ଚାଇବାକୁ ଯାଇ ଜଣେ ମହିଳା ନିଜର ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ, କପାସିଆ ଗ୍ରାମର ମଠ ପୋଖରୀକୁ ଗାଧୋଇବାକୁ ଯାଇ ୨ ଛୋଟ ଝିଅ ହଠାତ୍ ପୋଖରୀର ଗଭୀର ପାଣିକୁ ଖସିପଡ଼ିଥିଲେ। ଉଭୟଙ୍କୁ ପହଁରା ଆସିନଥିବାରୁ ସେମାନେ ବୁଡ଼ିଯାଉଥିବା ଦେଖି, ତାଙ୍କ ସହ ଯାଇଥିବା ସସ୍ମିତା ବରାଡ଼ (୪୦) ନିଜ ଜୀବନକୁ ବାଜି ଲଗାଇ ପିଲା ଦୁଇଟିକୁ କୌଣସି ପ୍ରକାରେ ଉଦ୍ଧାର କରିଥିଲେ। ମାତ୍ର ସସ୍ମିତା ନିଜେ ପୋଖରୀ ଗଭୀର ପାଣିରେ ବୁଡ଼ିଯାଇଥିଲେ। ପିଲାମାନଙ୍କ ଚିତ୍କାର ଶୁଣି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସସ୍ମିତାଙ୍କୁ ଖୋଜି ପାଇନଥିଲେ। ପରେ ବୋଲଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ବୋଲଗଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖୋର୍ଦ୍ଧା ଠାରେ ଶବ ବ୍ୟବଚ୍ଛେଦ ପରେ ପୁରୀ ସ୍ୱର୍ଗଦ୍ୱାରଠାରେ ସସ୍ମିତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ତାଙ୍କ ପରିବାର ଲୋକେ। ମୃତା ସସ୍ମିତା ଅବିବାହିତା ଥିଲେ। ଏହି ଅଭାବନୀୟ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସସ୍ମିତାଙ୍କ ଏହି ମହାନ ବଳିଦାନ ପାଇଁ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ଏନେଇ ବୋଲଗଡ଼ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।






