ବିଶ୍ବାସ ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକାମ୍ର କ୍ଷେତ୍ରର ପୁରାତନ ଐତିହ୍ୟ ବିମଣ୍ଡିତ ମନ୍ଦିର ‘ଅନନ୍ତ ବାସୁଦେବ’…

The Sakala Picture
Published On

ଭୁବନେଶ୍ୱର(ଦେବାଶିଷ): ଏକାମ୍ର କ୍ଷେତ୍ରର ପୁରାତନ ଐତିହ୍ୟ ବିମଣ୍ଡିତ ମନ୍ଦିର ହେଉଛି ଅନନ୍ତ ବାସୁଦେବ। ପୌରାଣିକ ମତାନୁସାରେ ଅନନ୍ତ ବାସୁଦେବଙ୍କୁ ଏହି କ୍ଷେତ୍ରର କ୍ଷେତ୍ରପାଳକ ବୋଲି କୁହାଯାଏ। ସେହିଭଳି ଭଗବାନ ଅନନ୍ତ ଓ ପୁରୁଷୋତ୍ତମ ବିନ୍ଦୁ ସାଗର କୂଳରେ ପୂର୍ବ ଦିଗରେ ଅବସ୍ଥାନ କରି ଏକାମ୍ର କ୍ଷେତ୍ରକୁ ସୁରକ୍ଷା ଦେଇ ଆସୁଛନ୍ତି ବୋଲି ଅନେକଙ୍କ ବିଶ୍ବାସ ରହିଛି। ବିନ୍ଦୁସରୋବରରେ ସ୍ନାନ ତର୍ପଣ କରି ଅନନ୍ତ ବାସୁଦେବଙ୍କୁ ପ୍ରଥମେ ଦର୍ଶନ କରି ତା’ ପରେ ଲିଙ୍ଗରାଜଙ୍କୁ ଦର୍ଶନ କଲେ, ମନବାଞ୍ଛା […]

ଭୁବନେଶ୍ୱର(ଦେବାଶିଷ): ଏକାମ୍ର କ୍ଷେତ୍ରର ପୁରାତନ ଐତିହ୍ୟ ବିମଣ୍ଡିତ ମନ୍ଦିର ହେଉଛି ଅନନ୍ତ ବାସୁଦେବ। ପୌରାଣିକ ମତାନୁସାରେ ଅନନ୍ତ ବାସୁଦେବଙ୍କୁ ଏହି କ୍ଷେତ୍ରର କ୍ଷେତ୍ରପାଳକ ବୋଲି କୁହାଯାଏ। ସେହିଭଳି ଭଗବାନ ଅନନ୍ତ ଓ ପୁରୁଷୋତ୍ତମ ବିନ୍ଦୁ ସାଗର କୂଳରେ ପୂର୍ବ ଦିଗରେ ଅବସ୍ଥାନ କରି ଏକାମ୍ର କ୍ଷେତ୍ରକୁ ସୁରକ୍ଷା ଦେଇ ଆସୁଛନ୍ତି ବୋଲି ଅନେକଙ୍କ ବିଶ୍ବାସ ରହିଛି। ବିନ୍ଦୁସରୋବରରେ ସ୍ନାନ ତର୍ପଣ କରି ଅନନ୍ତ ବାସୁଦେବଙ୍କୁ ପ୍ରଥମେ ଦର୍ଶନ କରି ତା’ ପରେ ଲିଙ୍ଗରାଜଙ୍କୁ ଦର୍ଶନ କଲେ, ମନବାଞ୍ଛା ପୂର୍ଣ୍ଣ ହେବା ସହ ଶୁଭ ଫଳ ପ୍ରାପ୍ତ ହୁଏ ବୋଲି ପୌରାଣିକ ମତ ରହିଛି। ଏଭଳି ଅନେକ ବିଶ୍ବାସ ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକାମ୍ର କ୍ଷେତ୍ରରେ ଅବସ୍ଥିତ ଅନନ୍ତବାସୁଦେବଙ୍କ ସମ୍ପର୍କରେ ଏଥର ସ୍ବତନ୍ତ୍ର ଉପସ୍ଥାପନା।

ଆହୁରି ପଢ଼ନ୍ତୁ: ମଝି ସମୁଦ୍ରରୁ ଓଡ଼ିଆ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣାକୁ ନେଇ ନବୀନଙ୍କ ଉଦବେଗ

ପ୍ରତିଦିନ ଆନନ୍ଦ ବଜାରରେ ଖାଉଛନ୍ତି ୩ହଜାର ଭକ୍ତ
ସକାଳ ସାଢ଼େ ୫ଟା ପରେ ମଙ୍ଗଳ ଆଳତୀ ହେବା ପରେ ଭୋଗ ରନ୍ଧା ଆରମ୍ଭ ହୋଇଯାଏ। ରୋଷଶାଳାରେ ଭୋଗ ପ୍ରସ୍ତୁତ ହୋଇ ପ୍ରଥମେ ଠାକୁରଙ୍କ ପାଖରେ ଲାଗି ହୁଏ। ତା’ ପରେ ଆନନ୍ଦ ବଜାରରେ ଯାଇ ବିକ୍ରିବଟା ହୋଇଥାଏ। ପୂର୍ବରୁ ମନ୍ଦିରର ଡାହାଣ ପାର୍ଶ୍ବରେ ରୋଷଶାଳା ରହିଥିବାବେଳେ ମନ୍ଦିର ବେଢ଼ା ଭିତରେ ତଥା ବାମ ପାର୍ଶ୍ବରେ ଅବଢ଼ା ବିକ୍ରି ହେଉଥିଲା। କାଳକ୍ରମେ ଭକ୍ତଙ୍କ ସମାଗମ ବୃଦ୍ଧି ଓ ରାଜଧାନୀରେ ଜନସଂଖ୍ୟା ବଢ଼ିବା ପରେ ଲୋକଙ୍କ ଚାହିଦା ବଢ଼ିଲା। ଏହାକୁ ଦୃଷ୍ଟିରେ ରଖି ୯୦ଦଶକରେ ବୃହତ୍ତ ଆକାରରେ ଏକ ଆନନ୍ଦ ବଜାର ନିର୍ମାଣ କରାଯାଇଛି। ଫଳରେ ସେଠାରେ ୨୧ରୁ ଅଧିକ ଅବଢ଼ା ଦୋକାନ ପ୍ରତିଦିନ ଖୋଲାଯାଉଥିବା ବେଳେ ଦୈନିକ ୩-୪ହଜାର ଭକ୍ତ ଭୋଜନ କରୁଛନ୍ତି।

୧୦ ହଜାର ଭକ୍ତଙ୍କ ପାଇଁ ପ୍ରସ୍ତୁତ ହେଉଛି ଅବଢ଼ା
ମନ୍ଦିରର ଡାହାଣ ପାର୍ଶ୍ବରେ ଥିବା ରୋଷଶାଳାରେ ୨୪ଟି ଚୁଲିରେ ୧୦୦ରୁ ଅଧିକ ଝିଙ୍କାରେ ପ୍ରତିଦିନ ଅବଢ଼ା ପ୍ରସ୍ତୁତ ହେଉଛି। ଏଠି ବାଇହାଣ୍ଡି, ମଠହାଣ୍ଡି, ନିରସା ମଠ, ଗୋଟିକିଆ ପ୍ରମୁଖ ବିଭିନ୍ନ ହାଣ୍ଡି ସିଧାସଳଖ ପ୍ରସ୍ତୁତ ହୋଇଥାଏ। ପୁରୀ ଢାଞ୍ଚାରେ ଏଠାରେ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ। ଘିଅ ଅନ୍ନ, ମିଠା ଅନ୍ନ, ସାଦା ଅନ୍ନ, ଡାଲି, ଡଲ୍ମା, ବେସର, ଶାଗ, ମହୁର, ଜହ୍ନିପୋସ୍ତକ, ପୋଟଳ ରସା, ବୋଟ ତରକାରୀ, ଖଜୁରୀ ଖଟା, ଦହି ବାଇଗଣ, ଚାଉଳ ଖିରି ପ୍ରମୁଖ ଭୋଗ ହୋଇଥାଏ। ଏହାବାଦ୍ ଭକ୍ତଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦହି ପାଚେଡ଼ି, କ୍ଷୀରା, ଆମ୍ବୁଲ ରାଇ ଇତ୍ୟାଦି ପ୍ରସ୍ତୁତ କରାଯାଇଥାଏ। ପୁରୀ ଭଳି ଏଠାରେ ଅବଢ଼ାରେ ଗୋଲଆଳୁ, ଟମାଟୋ, ବିନ୍ ପଡ଼ି ନ ଥାଏ। ୩୦୦ରୁ ଅଧିକ ଲୋକ ଏଠାରେ ଅବଢ଼ା ପ୍ରସ୍ତୁତିରେ ଥିବାବେଳେ ପ୍ରାୟ ୧୦ ହଜାର ଭକ୍ତଙ୍କ ପାଇଁ ଦୈନିକ ଅବଢ଼ା ପ୍ରସ୍ତୁତ ହେଉଛି। ଅବଢ଼ା ହାଣ୍ଡି ପୁରୀ ଓ ନୟାଗଡ଼ କୁମ୍ଭାରଙ୍କଠାରୁ କିଣା ହୋଇ ଆସୁଥିବାବେଳେ କଦଳୀ ପତ୍ର ଭୁବନେଶ୍ବର ଉପକଣ୍ଠ ପିପିଲ, ବାସୁଆଘାଇ, ଇଟିପୁର, ନୂଆଗାଁ ଓ ଲକ୍ଷ୍ମୀନାରାୟଣପୁର ଆଦିରୁ ଆସୁଛି।

ସେବାରେ ୩୭୦ ବ୍ରାହ୍ମଣ ପରିବାର
ପ୍ରଭୁ ଅନନ୍ତ ବାସୁଦେବଙ୍କର ନୀତିକାନ୍ତି, ସେବା ପୂଜା ଆଦି ବ୍ରାହ୍କଣ ନିଯୋଗ ଉପରେ ନ୍ୟସ୍ତ। ପ୍ରଭୁଙ୍କ ସେବା ପାଇଁ ୩୭୦ ବ୍ରାହ୍ମଣ ପରିବାର ଅଛନ୍ତି। ଏହି ପରିବାରର ପୂଜକମାନେ ପ୍ରଭୁଙ୍କ ସେବା ପୂଜା କରିଥା’ନ୍ତି। ଏବେ ଦୁଇ ଜଣ ବ୍ରାହ୍ମଣ ପ୍ରଭାତ ମହାପାତ୍ର ଓ ସୁମନ୍ତ ମହାପାତ୍ର ଠାକୁରଙ୍କ ସେବା ପୂଜା ପାଳି କରି କରୁଛନ୍ତି। ଏଥିପାଇଁ ନିଯୋଗ ତରଫରୁ ତାଙ୍କୁ ମାସିକ ଦରମା ଆକାରରେ କିଛି ଅର୍ଥରାଶି ଦିଆଯାଉଛି। ବ୍ରାହ୍ମଣ ନିଯୋଗ ଜରିଆରେ ଅବଢ଼ା ବିକ୍ରିରୁ କର ସୂତ୍ରରେ ଆଦାୟ ହେଉଥିବା ଟଙ୍କାରେ ମନ୍ଦିରର ସମସ୍ତ ଖର୍ଚ୍ଚ ବହନ କରାଯାଉଛି।

ବର୍ଷକରେ ଗୋଟିଏ ଦିନ ପାର୍ବତୀଙ୍କ ସହ ଆସନ୍ତି ଲିଙ୍ଗରାଜ
ବର୍ଷରେ ଗୋଟିଏ ଦିନ ଅର୍ଥାତ୍ ଶୀତଳ ଷଷ୍ଠୀ ପରେ ନବମୀ ଦିନ ଶ୍ରୀଲିଙ୍ଗରାଜ ସାଙ୍ଗରେ ମାତା ପାର୍ବତୀଙ୍କୁ ଧରି ଏହି ମନ୍ଦିରକୁ ଆସିଥା’ନ୍ତି। ଏଠାରେ ବାସୁଦେବଙ୍କ ସାମ୍ନାରେ ବେଶ ଆଳତି ହେବା ସହ ପଞ୍ଚଗ୍ରାସୀ କରାଯାଏ। ଏହି ସବୁ ଉତ୍ସବଗୁଡ଼ିକରେ ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ। ସେହିଭଳି ଦୈନନ୍ଦିନ ନୀତିକାନ୍ତିରେ ଠାକୁରଙ୍କର ସକାଳୁ ମଙ୍ଗଳ ଆଳତୀ ବା ଅବକାଶ କରାଯାଏ। ତା’ ପରେ ବାଳ ଭୋଗ ତଥା ସକାଳ ଧୂପ, ତା’ପରେ ମଧ୍ୟାହ୍ନ ଭୋଗ, ସନ୍ଧ୍ୟା ଧୂପ ଓ ଶେଷରେ ଶୟନ ସମଙ୍ଗାର କରାଯାଇ ପହୁଡ଼ ପକାଯାଏ। ଏହି ସବୁ ଧୂପରେ ରୋଷଶାଳାରେ ପ୍ରସ୍ତୁତ ଅବଢ଼ା ଭୋଗ ହେବା ପରେ ଆନନ୍ଦ ବଜାରକୁ ଆସିଥାଏ।

ଅନନ୍ତ ବ୍ରତରେ ୬୦ ହଜାର ଭକ୍ତ
ମନ୍ଦିରର ମୁଖ୍ୟ ପର୍ବ ହେଉଛି ଅନନ୍ତ ବ୍ରତ। ଭାଦ୍ରବ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ତିଥିରେ ଏହି ପର୍ବ ପାଳନ କରାଯାଏ। ଏହି ଦିନ ଦେଉଳ ଭିତରକୁ ହଜାର ହଜାର ସଂଖ୍ୟାରେ ବ୍ରତଧାରୀଙ୍କ ସୁଅ ଛୁଟିଥାଏ। ଭୋର ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭକ୍ତମାନେ ବାସୁଦେବଙ୍କୁ ଦର୍ଶନ କରି କୃପା ଲାଭ କରିଥା’ନ୍ତି। ଗତ କିଛିଦିନ ତଳେ ହୋଇଥିବା ଏହି ବ୍ରତରେ ଦିନବ୍ୟାପୀ ପ୍ରାୟ ୫୦ରୁ ୬୦ହଜାର ଭକ୍ତଙ୍କ ସମାଗମ ହୋଇଥିଲା ବୋଲି ପୂଜକ କହିଛନ୍ତି। ସେହିଭଳି ସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କର ସ୍ବତନ୍ତ୍ର ନୀତିକାନ୍ତି ହେବା ସହ ଗଜାନନ ତଥା ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଶ୍ରୀଗୁଣ୍ଡିଚାରେ ଠାକୁରଙ୍କ ପତିତପାବନ ବେଶ ଏକ ଅନ୍ୟତମ ବେଶ। ଯାହାକୁ ଦେଖିବା ପାଇଁ ମନ୍ଦିରରେ ଭିଡ଼ ପରିଲକ୍ଷିତ ହୋଇଥାଏ। ଏହାସହ ଜନ୍ମାଷ୍ଟମୀ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଏଥିସହ ଆଷାଢ଼, କାର୍ତ୍ତିକ ଓ ମାଘ ଶୁକ୍ଲପକ୍ଷ ଏକାଦଶୀରେ ପ୍ରଭୁଙ୍କର ମହାଦୀପ ଉଠେ। ଯାହା ବେଶ୍ ମନୋହର ଦୃଶ୍ୟ ବୋଲି କୁହାଯାଏ।

ରାଣୀଙ୍କ ପାଇଁ ମହାପ୍ରସାଦ
ମହାପ୍ରତାପୀ ଗଙ୍ଗବଂଶୀୟ ରାଜା ଅନଙ୍ଗ ଭୀମ ଦେବଙ୍କ କନ୍ୟା ତଥା ଲାଙ୍ଗୁଳା ନରସିଂହ ଦେବଙ୍କ ଭଗିନୀ ଚନ୍ଦ୍ରିକା ଦେବୀ ଏହି ମନ୍ଦିରର ଗଢ଼ିଥିବା କିମ୍ବଦନ୍ତୀରୁ ଜଣାଯାଏ। ୧୨୦୦ ଶକାବ୍ଦ ବା ୧୨୭୮ ଖ୍ରୀଷ୍ଟାବ୍ଦରେ ଏହା ନିର୍ମାଣ ହୋଇଥିବା ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇଛି। ଚନ୍ଦ୍ରିକା ଦେବୀ ବାଲ୍ୟକାଳରୁ ବିଷ୍ଣୁଙ୍କ ଉପାସକ ଥିଲେ। ଯୁଦ୍ଧରେ ତାଙ୍କ ସ୍ବାମୀ ପରମର୍ଦ୍ଦୀ ଦେବଙ୍କ ନିଧନ ପରେ ସେ ବୈଷ୍ଣବ ପ୍ରାପ୍ତି ପାଇଁ ଏକାମ୍ର କ୍ଷେତ୍ରରେ ଅତ୍ୟନ୍ତ କାରୁକାର୍ଯ୍ୟ ବିମଣ୍ଡିତ ବିଷ୍ଣୁ ମନ୍ଦିର ନିର୍ମାଣ କରିଥିଲେ। ସେବାୟମାନଙ୍କ ମତାନୁସାରେ, ରାଣୀ କାର୍ତ୍ତିକ ବ୍ରତ କରୁଥିଲେ। ତାଙ୍କ ପାଇଁ ପ୍ରତ୍ୟେକ ଦିନ ଶ୍ରୀମନ୍ଦିରରୁ ମହାପ୍ରସାଦ ଆସୁଥଲା। କିନ୍ତୁ ଅଧିକାଂଶ ଦିନ ପହଞ୍ଚିବାରେ ବିଳମ୍ବ ହେବା ସହ ଆଦୌ ପହଞ୍ଚି ପାରୁ ନ ଥିଲା। ଫଳରେ ସେ ଏକାମ୍ର କ୍ଷେତ୍ରରେ ବିଷ୍ଣୁଙ୍କ ଦର୍ଶନ ଓ ମହାପ୍ରସାଦ ପ୍ରସ୍ତୁତ ଲକ୍ଷ୍ୟରେ ଏହି ମନ୍ଦିର ଗଢ଼ିଥିବା କୁହାଯାଉଛି। ତେଣୁ ପୁରୀ ଯାଇପାରୁ ନ ଥିବା ସାଧାରଣ ଲୋକେ ଜଗନ୍ନାଥଙ୍କ ପ୍ରସାଦ ପାଇବାକୁ ଅନନ୍ତବାସୁଦେବଙ୍କ ମନ୍ଦିରକୁ ଛୁଟି ଆସିଥା’ନ୍ତି।

ଚାରୋଟି ସ୍ତରରେ ଶୋଭାବର୍ଦ୍ଧନ
ଏହି ମନ୍ଦିରର ବିମାନ ଓ ଜଗମୋହନ ପ୍ରଥମରେ ନିର୍ମାଣ କରାଯାଇଥିଲା। ପରବର୍ତ୍ତୀକାଳରେ ନାଟମଣ୍ଡପ ଓ ଭୋଗ ମଣ୍ଡପ ନିର୍ମାଣ କରାଯାଇଥିଲା। ଯାହା ବର୍ତ୍ତମାନ ଚାରୋଟି ସ୍ତରରେ ଶୋଭାବର୍ଦ୍ଧନ କରୁଛନ୍ତି। ମନ୍ଦିରର ମୂଳପିଣ୍ଡ ହେଉଛନ୍ତି ଜଗମୋହନ ବା ଗର୍ଭଗୃହ। ଏଠି ପ୍ରଭୁ ଅନନ୍ତ, ବାସୁଦେବ, ସୁଭଦ୍ରା ଓ ମା’ ମହାଲକ୍ଷ୍ମୀ ପୂଜା ପାଉଛନ୍ତି। ତା’ ପରେ ସାମ୍ନାରେ ରହିଛି ନାଟ ମଣ୍ଡପ ଓ ଭୋଗମଣ୍ଡପ। ବିନ୍ଦୁ ସାଗରକୁ ମୁଖକରି ଏହି ତିନି ମନ୍ଦିର ପ୍ରତୀୟମାନ ଅଛନ୍ତି। ସେହିଭଳି ମନ୍ଦିରର ବାମପାର୍ଶ୍ବରେ ଲକ୍ଷ୍ମୀଙ୍କ ମନ୍ଦିର ଓ ଦକ୍ଷିଣ ପାର୍ଶ୍ବରେ ସରସ୍ବତୀଙ୍କ ମନ୍ଦିର ରହିଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଉଭୟ ମନ୍ଦିର ଭାଙ୍ଗିରୁଜି ଗଲାଣି। ଫଳରେ ଲକ୍ଷ୍ମୀ ଗର୍ଭଗୃହରେ ଅନନ୍ତଙ୍କ ପାଖରେ ପୂଜା ପାଉଥିବାବେଳେ ମା’ ସରସ୍ବତୀ କେଉଁ ଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି ବୋଲି ସେବାୟତମାନେ କହିଛନ୍ତି। ମନ୍ଦିର ବେଢ଼ା ଭିତରେ ଐଶାନ୍ୟ କୋଣରେ ପ୍ରଭୁ ଲୋକନାଥ ମହାଦେବ ପୂଜା ପାଉଛନ୍ତି। ପାର୍ଶ୍ବ ଦେବତା ଭାବେ ନୃସିଂହ, ବାମନ ଓ ବରାହ ପୂଜିତ ହେଉଛନ୍ତି। ପ୍ରଭୁ ନୃସିଂହଙ୍କ ମନ୍ଦିର ମଧ୍ୟ ଭାଙ୍ଗିଯାଇଥିବାବେଳେ ମୂର୍ତ୍ତି ମଧ୍ୟ ଉଭାନ୍ ହୋଇଯାଇଛି।

ଅନନ୍ତ ବାସୁଦେବଙ୍କୁ କାହିଁକି କୁହାଯାଏ କ୍ଷେତ୍ରପାଳ
ସ୍କନ୍ଦ ପୁରାଣ, ଏକାମ୍ର ପୁରାଣ ଓ ଶିବ ପୁରାଣ ଆଦି ଅନୁସାରେ, ଶିବ ନିଜର ତ୍ରିଶୂଳ ମାରି ଜଳୋତ୍ତଳନ କରି ପାର୍ବତୀଙ୍କର ତୃଷ୍ଣା ନିବାରଣ କରିଥିଲେ। ସେତେବେଳେ ପାର୍ବତୀଙ୍କର ଅନୁରୋଧକ୍ରମେ ବିନ୍ଦୁ ସାଗର ନାମରେ ଜଳାଶୟଟି ପ୍ରତିଷ୍ଠା କରାଯାଇଥିଲା। ଏଥିପାଇଁ ସଚରାଚର ଜଗତରୁ ତୀର୍ଥମାନଙ୍କୁ ଅଣାଯାଇଥିଲା। ଏହାସହ ବ୍ରହ୍ମା ବିଷ୍ଣୁ ତଥା ଇନ୍ଦ୍ରାତି ଦେବତାମାନେ ମଧ୍ୟ ଆସିଥିଲେ। ପ୍ରତିଷ୍ଠା କାର୍ଯ୍ୟ ସରିବା ପରେ ଭଗବାନ ଶିବ ନିଜେ ବାସୁଦେବଙ୍କୁ ବସ୍ତ୍ରଦ୍ବୟ ଅନନ୍ତ ଓ ଭଗବାନ ବାସୁଦେବଙ୍କର ମସ୍ତକରେ ବାନ୍ଧି (ଲୁଗାଯୋଡ଼) ଦେଇଥିଲେ। ତା’ ପରେ ସମସ୍ତ ଦେବତାଙ୍କ ଆଗରେ ଅନୁରୋଧ କରି କହିଥିଲେ ହେ ପୁରୁଷୋତ୍ତମ ମହାବଳଶାଳୀ ଓ ପରାକ୍ରମୀ ଆପଣ ଅନନ୍ତଙ୍କ ସହିତ ମୋ ଶୂଳଦ୍ବାରା ନିର୍ମିତ ଏହି ତୀର୍ଥରେ ମୂର୍ତ୍ତୀଦ୍ବୟ ରୂପେ ପାଳନ କର୍ତ୍ତା ହୁଅନ୍ତୁ। ଏହି ହ୍ରଦର ପୂର୍ବ ଦିଗରେ ଅବସ୍ଥାନ କରନ୍ତୁ। ସେହି ଦିନଠାରୁ ପ୍ରଭୁ ଅନନ୍ତ ବାସୁଦେବ ଏଠି ରକ୍ଷାକର୍ତ୍ତା ଭାବେ ରହି ଆସିଛନ୍ତି।

ସମସ୍ୟାର ସମାଧାନ କରୁ ଏଏସ୍ଆଇ
ଲିଙ୍ଗରାଜଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଭକ୍ତମାନେ ପ୍ରଥମେ ବିନ୍ଦୁ ସାଗରରେ ସ୍ନାନକରି ଭଗବାନ ବାସୁଦେବଙ୍କୁ ଦର୍ଶନ କରନ୍ତୁ। ତା’ ପରେ ଭବନୀ ଶଙ୍କର, ତୀର୍ଥେଶ୍ବର ଓ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରନ୍ତୁ। ଏହାସହ ମନ୍ଦିରରେ ଥିବା ପିଇବା ପାଣି, ଶୌଚାଳୟ ଆଦି ସମସ୍ୟାର ସମାଧାନ ଦିଗରେ ଏଏସ୍ଆଇ ତୁରନ୍ତ ପଦକ୍ଷେପ ନେଉ ବୋଲି ସେ ଦାବି କରିଛନ୍ତି। କାରଣ ପ୍ରତିଦିନ ହଜାର ହଜାର ଭକ୍ତ ଆସି ଏଠାରେ ବହୁ ହଇରାଣ ହରକତ ହୋଇଯାଉଛନ୍ତି। (ପ୍ରଭାତ ମହାପାତ୍ର, ଅନନ୍ତ ବାସୁଦେବଙ୍କ ପୂଜକ)

ମନ୍ଦିରର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉ
ମନ୍ଦିର ରକ୍ଷଣାବେକ୍ଷଣା ପାଇଁ ଏଏସ୍ଆଇ ପାଖକୁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି। ହେଲେ ମନ୍ଦିରର ଛୋଟ ଛୋଟ ସମସ୍ୟା ବର୍ଷ ବର୍ଷ ଧରି ସମାଧାନ ହୋଇପାରୁନି। ଏଏସ୍ଆଇ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି। ମନ୍ଦିରର ବିଭିନ୍ନ ସ୍ଥାନରେ ଲୁହା ଭାଡ଼ ବନ୍ଧାହୋଇ ବର୍ଷବର୍ଷ ରହିଛି, ହେଲେ କାମ ହେଉନି। ସିଂହଦ୍ବାର ସାମ୍ନାରେ ପଥର ଦବିଯାଇଛି, ତା’ର ମରାମତି ମଧ୍ୟ ହେଉନି। ମନ୍ଦିରର ବିଭିନ୍ନ ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କାର ପଥର ଆସି ଚୋରି ହୋଇଗଲା, ତଥାପି କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ନାହିଁ। ତେଣୁ ଭକ୍ତଙ୍କ ଭାବବେଗ ସହ ଆଉ ଖେଳନ୍ତୁ ନାହିଁ ଏଏସ୍ଆଇ କର୍ତ୍ତୃପକ୍ଷ। (ବିରଞ୍ଚି ନାରାୟଣ ପତି, ବ୍ରାହ୍ମଣ ନିଯୋଗ ସମ୍ପାଦକ)

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp