ରାଜଧାନୀର କିଛିକଥା: ଖାସି ମାଂସ କେଜି ଥିଲା ଦେଢ଼ଟଙ୍କା

The Sakala Picture
Published On

୧୯୫୬ ମସିହାରୁ ଭୁବନେଶ୍ୱରକୁ ଆସିଥିଲି। ସେତେବେଳେ ମୋତେ ମାତ୍ର ୫ବର୍ଷ ବୟସ ହୋଇଥିଲା। ସେତେବେଳେ ଭୁବନେଶ୍ୱରର ଚାରିଆଡ଼ ଜଙ୍ଗଲ ଓ ଫାଙ୍କା ଜାଗା ହୋଇଥିଲା। ସେତେବେଳେ ବେଶୀ ରିକ୍ସା ଚାଲୁଥିଲା। କାଁଭାଁ ଗୋଟିଏ କି ଦୁଇଟି ଗାଡ଼ି ଦେଖିବାକୁ ମିଳୁଥିଲା। ସନ୍ଧ୍ୟା ୪ଟା ୫ଟାରୁ ବି ବିଲୁଆ ଶିଆଳ ଭୁକୁଥିଲେ। ସଞ୍ଜ ନଇଁବା ଆଗରୁ ଭୁବନେଶ୍ୱର ଭିତରେ ଭୟ ଲାଗୁଥିଲା। ରାସ୍ତା ବି ସଂକୀର୍ଣ୍ଣ ଥିଲା। ସରୁ ନାଲି ରାସ୍ତା ଥିଲା। ସେଥିରେ ପୁଣି ଲାଇଟ୍‍ ଖୁଣ୍ଟ […]

୧୯୫୬ ମସିହାରୁ ଭୁବନେଶ୍ୱରକୁ ଆସିଥିଲି। ସେତେବେଳେ ମୋତେ ମାତ୍ର ୫ବର୍ଷ ବୟସ ହୋଇଥିଲା। ସେତେବେଳେ ଭୁବନେଶ୍ୱରର ଚାରିଆଡ଼ ଜଙ୍ଗଲ ଓ ଫାଙ୍କା ଜାଗା ହୋଇଥିଲା। ସେତେବେଳେ ବେଶୀ ରିକ୍ସା ଚାଲୁଥିଲା। କାଁଭାଁ ଗୋଟିଏ କି ଦୁଇଟି ଗାଡ଼ି ଦେଖିବାକୁ ମିଳୁଥିଲା। ସନ୍ଧ୍ୟା ୪ଟା ୫ଟାରୁ ବି ବିଲୁଆ ଶିଆଳ ଭୁକୁଥିଲେ। ସଞ୍ଜ ନଇଁବା ଆଗରୁ ଭୁବନେଶ୍ୱର ଭିତରେ ଭୟ ଲାଗୁଥିଲା। ରାସ୍ତା ବି ସଂକୀର୍ଣ୍ଣ ଥିଲା। ସରୁ ନାଲି ରାସ୍ତା ଥିଲା। ସେଥିରେ ପୁଣି ଲାଇଟ୍‍ ଖୁଣ୍ଟ ଗୋଟିଏ ଗୋଟିଏ ଥିଲା। ପୂରା ଭୁବନେଶ୍ୱର ଅନ୍ଧକାର ଥିଲା। ସେତେବେଳେ ମୁଁ ୟୁନିଟ୍‍-୧ରେ ରହୁଥିଲି। ୟୁନିଟ୍‍-୧ ଅଞ୍ଚଳ ଭୟଙ୍କର ଥିଲା। କ୍ୱାର୍ଟର୍ସ ସବୁ ତିଆରି ହେଉଥିଲା। ସେତେବେଳେ ଲୋକଙ୍କ ପାଖରେ ବଡ଼ ଗାଡ଼ି ନ ଥିଲା, ସରୁ ରାସ୍ତାରେ ସମସ୍ତେ ସାଇକଲ୍‍ ଓ ଚାଲିକରି ଯାଉଥିଲୁ। କିନ୍ତୁ ସେତେବେଳେ ରାଜଧାନୀ ଖୁବ୍‍ ସୁନ୍ଦର ଥିଲା। ଧୀରେ ରାଜଧାନୀର ଉନ୍ନତି ହେଲାଣି। ସନ୍ଧ୍ୟା ସମୟରେ ଶୀତୁଆ ଥଣ୍ଡା ପବନ ଦେଉଥିଲା। ପ୍ରଚୁର ପରିମାଣରେ ଗଛଲତା ବି ଭୁବନେଶ୍ୱରରେ ଥିଲା। ୟୁନିଟ୍‍-୧, ୟୁନିଟ୍‍-୯, ସହିଦ୍‍ ନଗର ଆଦି ଅଞ୍ଚଳ ଥିଲା। ମାତ୍ର ଲୋକ କେହି ନ ଥିଲେ। ଏକନମ୍ବରରେ ସେତେବେଳେ ପାଖାପାଖି ଦେଢ଼ଶହରୁ ୨ଶହ ଲୋକ ରହୁଥିଲେ। ଏରୋଡ୍ରମ ଫିଲ୍ଡ ଆଡ଼େ ଗଧିଆ ବୁଲୁଥିଲେ।

ଆହୁରି ପଢ଼ନ୍ତୁ: ଡିଜେ ନିଷେଧ ସତ୍ତ୍ବେ ରାଜରାସ୍ତାରେ ଶବ୍ଦର ତାଣ୍ଡବ; ହାତ ଟେକି ଦେଇଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ବଜାର କହିଲେ କେବଳ ଲିଙ୍ଗରାଜ ମନ୍ଦିର ପାଖ ହାଟ ଏବଂ କ୍ୟାପିଟାଲ ହାଟକୁ ବୁଝାଉଥିଲା। ୧୯୫୬ ମସିହା ବେଳକୁ କେଉଁଠି ହୋଟେଲଟିଏ ବି ନ ଥିଲା। ୧୯୬୦ ମସିହା ବେଳକୁ ରାଜମହଲରେ ରାଜୁ ସାହୁ ଏକ ଝୁମ୍ପୁଡ଼ି ହୋଟେଲ କରିଥିଲେ। ତାଙ୍କ ପାଖରୁ ବିଭିନ୍ନ ଆଡୁ ଲୋକେ ତାଙ୍କଠାରୁ ଟିଫିନ୍‍ ଆଉ ମିଲ୍ସ ନେଉଥିଲେ। ଏମିତିକି ଜଳଖିଆ ଚା’ ଦୋକାନ ନ ଥିଲା। ସେତେବେଳେ ସେର, ପା’, ମାଣରେ ଲୋକେ ଜିନିଷ କିଣୁଥିଲେ। ଦୋକାନ ବଜାର ଖୁବ୍‍ କମ୍‍ ଥିଲା। ସୁବିଧା ଦରରେ ପନିପରିବା ମିଳୁଥିଲା। ଏକପଇସା, ଅଣା, ଟିକି ପଇସାର ପ୍ରଚଳନ ଥିଲା। ପରେ ରାସ୍ତାକଡ଼ରେ କାଁଭାଁ ଛୋଟ ଦୋକାନ ହେଲା। ସେ ସମୟରେ ଖାଇବା ଖୁବ୍‍ ଶସ୍ତା ଥିଲା। ସେତେବେଳେ ହୋଟେଲ କମ୍‍ ଥିଲେ ବି ଭଲ ଖାଦ୍ୟ ମିଳୁଥିଲା। ୪-୫ଟଙ୍କାରେ ପେଟପୂରା ସୁସ୍ୱାଦୁ ଖାଦ୍ୟ ମିଳିଯାଉଥିଲା। ଖାସିମାଂସ କେଜି ଥିଲା ଦେଢ଼ ଟଙ୍କା। ଜଳଖିଆ ଦୋକାନ ନ ଥିବାରୁ ଲୋକେ ଘରେ ପିଠା, ମୁଢି ତିଆରି କରି ଖାଉଥିଲେ। ନାଲି ଚା’ କରି ଖାଉଥିଲେ। ସେବେ ଆଉ ଏବେ ଭିତରେ ତୁଳନା କରିହେବନାହିଁ। ସେତେବେଳେ ଏତେ ଉନ୍ନତି ହୋଇ ନ ଥିଲା। ଧୀରେ ଧୀରେ ସବୁ ୧୯୮୦ ମସିହାରୁ ପରିବର୍ତ୍ତନ ହୋଇଛି। ଏବେ ଭୁବନେଶ୍ୱରବାସୀଙ୍କ ଭିତରେ ମଣିଷପଣିଆ ସୁପ୍ତ ହୋଇପଡ଼ିଲାଣି। ଏବେ ତ ଚାରିଆଡ଼େ ଖାଲି ଦୋକାନ ବଜାର, ବଡ଼ବଡ଼ କୋଠାଘର। କିନ୍ତୁ ସେ ସମୟର ଶାନ୍ତି ଏବେ ଭୁବନେଶ୍ୱରରେ ନାହିଁ। ସମସ୍ତେ ନିଜ ନିଜ ସ୍ୱାର୍ଥରେ ରହିଛନ୍ତି।
ମହେନ୍ଦ୍ର ନାୟକ (ୟୁନିଟ୍‍-୧)

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର