ଖୋର୍ଦ୍ଧା ପୁଲିସକୁ ବଡ ସଫଳତା: ୪୫ ଲକ୍ଷ ଟଙ୍କାର ଗୁଟ୍ଖା-ତମାଖୁ ସହ ନଗଦ ୨.୯୪ ଲକ୍ଷ ଟଙ୍କା ଜବତ, ୩ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ପୁଲିସ ପକ୍ଷରୁ ତମାଖୁଜାତୀୟ ସାମଗ୍ରୀର ବେଆଇନ ପରିବହନ ଓ ଉତ୍ପାଦନ ବିରୋଧରେ ବଡ଼ ଧରଣର ଚଢ଼ାଉ କରାଯାଇଛି। ଏହି ଘଟଣାରେ ପ୍ରାୟ ୪୫ ଲକ୍ଷ ଟଙ୍କା ମୂଲ୍ୟର ଗୁଟ୍ଖା/ତମାଖୁ ପ୍ୟାକେଟ, ୨ ଲକ୍ଷ ୯୪ ହଜାର ଟଙ୍କା ନଗଦ, ଦୁଇଟି ମିନି ଟ୍ରକ୍, କଞ୍ଚାମାଲ ଓ ୩ଟି ସିଲେଇ ମେସିନ୍ ଜବତ କରାଯାଇଛି। ଏହି ଘଟଣା ରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ମାନେ ହେଲେ ସନ୍ତୋଷ କୁମାର ରଣା(୨୮), ଦୀପକ କୁମାର ସାହୁ(୨୬) ଓ ହରିହର ସାହୁ(୩୮)ଙ୍କୁ ପୁଲିସ ଗିରଫ କରିଛି । ଫେରାର ଥିବା ପ୍ରୋପାଇଟର ନରେନ୍ଦ୍ର କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଆଜି ସନ୍ଧ୍ୟାରେ ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମିଳନୀରେ ଏସ୍ପି ପରମାର ସ୍ମିଥ ପାର୍ଷତମ ଦାସ ସୂଚନା ଦେଇଛନ୍ତି।
ପୁଲିସ ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ପ୍ରାୟ ୨ଟା ୨୫ରେ ସଦର ଥାନା ପୁଲିସ ଦିନ ପାଟ୍ରୋଲିଂ କରୁଥିବା ସମୟରେ ଟ୍ରେଡ୍ ଲାଇସେନ୍ସ କିମ୍ବା ଆବଶ୍ୟକୀୟ ଅନୁମତି ବିନା ତମାଖୁଜାତୀୟ ସାମଗ୍ରୀ ପରିବହନ ସମ୍ପର୍କରେ ସୂଚନା ପାଇଥିଲା। ଏହାପରେ ଏସ୍ପି ଖୋର୍ଦ୍ଧା ଓ ଏସ୍ଡିପିଓ ଖୋର୍ଦ୍ଧାଙ୍କ ନିର୍ଦ୍ଦେଶରେ ତାପଙ୍ଗ ଛକ ନିକଟରେ OD-07-BA-6117 ନମ୍ବର ଟ୍ରକ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଟ୍ରକ୍ରୁ ୬୦୦ଟି ଧଳା ଜରି ବସ୍ତା ମିଳିଥିଲା। ପ୍ରତ୍ୟେକ ବସ୍ତାରେ ୩୦ଟି ଲେଖାଏଁ ତମାଖୁ ପ୍ୟାକେଟ ଥିବା ପୁଲିସ ସୂଚନା ଦେଇଛି।
ଘଟଣାରେ ଟ୍ରକ୍ ଚାଳକ ସନ୍ତୋଷ କୁମାର ରଣାଙ୍କୁ ପୁଲିସ ଧରିଥିଲା। ତାଙ୍କୁ ପଚରାଉଚରା ପରେ ସେ ବାଉଁଶପାଲି, ବ୍ରହ୍ମପୁର ଅଞ୍ଚଳର ଏକ ପରିସରକୁ ନେଇଥିଲେ। ସେଠାରେ ସ୍ଥାନୀୟ ପୁଲିସ ସହାୟତାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଦୀପକ କୁମାର ସାହୁ ଓ ନରେନ୍ଦ୍ର କୁମାର ସାହୁ ନାମକ ଦୁଇଜଣ ବ୍ୟକ୍ତି ଉପସ୍ଥିତ ଥିଲେ। ପରିସରରୁ ଆଉ ୨୦୦ଟି ଧଳା ଜରି ବସ୍ତା ଏବଂ OD-07-AH-3078 ନମ୍ବର ମିନି ଟ୍ରକ୍ରେ ଥିବା ଅନ୍ୟ ୨୦୦ଟି ଜରି ବସ୍ତାରୁ ସମାନ ତମାଖୁ ପ୍ୟାକେଟ ଜବତ ହୋଇଥିଲା।
ଏଥିସହ ସେଠାରୁ ତମାଖୁ ପ୍ରସ୍ତୁତିରେ ବ୍ୟବହୃତ କିଛି ରାସାୟନିକ କଞ୍ଚାମାଲ, ୨ ଲକ୍ଷ ୯୪ ହଜାର ଟଙ୍କା ନଗଦ ଏବଂ ୩ଟି ସିଲେଇ ମେସିନ୍ ଜବତ କରାଯାଇଛି। ଦୀପକ ଓ ନରେନ୍ଦ୍ର ନିଜକୁ ଯଥାକ୍ରମେ ମ୍ୟାନେଜର ଓ ଲଜିଷ୍ଟିକ୍ ସହାୟକ ବୋଲି ପୁଲିସକୁ କହିଥିବା ଜଣାପଡ଼ିଛି। ଏହି ପରିସର ବଡ଼ବଜାର, ବ୍ରହ୍ମପୁରର ନରେନ୍ଦ୍ର ସାହୁଙ୍କ ଫାର୍ମହାଉସ୍ରେ ଚାଲୁଥିବା ନେଇ ସେମାନେ ସୂଚନା ଦେଇଥିବା ପୁଲିସ କହିଛି।
ଏହି ଘଟଣାରେ ଖୋର୍ଦ୍ଧା ସଦର ଥାନାରେ କେସ୍ ନଂ ୪୬୩/୨୦୨୬, ତାରିଖ ୨୧.୦୯.୨୦୨୬ରେ BNSର ଧାରା ୩୦୩(୨)/୨୭୪/୨୭୫ ଏବଂ COTPA ଆଇନର ଧାରା ୨୦ ଅନୁଯାୟୀ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ ଏସ୍ଆଇ ଦୀପକ ପାକଳଙ୍କ ଦ୍ୱାରା ଜାରି ରହିଛି। ପୁଲିସର ତଦନ୍ତରେ ତମାଖୁଜାତୀୟ ସାମଗ୍ରୀର ଉତ୍ସ, ପ୍ରସ୍ତୁତି ଓ ବିତରଣ ସହ ଜଡ଼ିତ ପରିସରର ସନ୍ଧାନ ମିଳିଥିବା ବେଳେ ଘଟଣାର ଅନ୍ୟାନ୍ୟ ଦିଗ ନେଇ ତଦନ୍ତ ଚାଲିଛି।






