ଚାର୍ବାକ ଦର୍ଶନ ଓ ସୁଖବାଦ

The Sakala Picture
Published On

ତମେ ଯେତେଦିନ ଦୁନିଆରେ ଦେହ ଧରି ରହିଛ, ସେତେଦିନ ଭଲରେ ରୁହ। ଆନନ୍ଦ ଉଲ୍ଲାସରେ କାଳାତିପାତ କର। ଋଣ କର ପଛେ ଘିଅ ମହୁରେ ଅର୍ଥାତ୍‌‌ ଖୁବ୍‌‌ ସୁଖମୟ ଜୀବନ ଯାପନ କର(ଋଣଂ କୃତ୍ୱା ଘୃତମ୍‌‌ ପିବେତ୍‌‌, ଯାବତ୍‌‌ ଜିବେତ୍‌‌ ସୁଖମ ଜିବେତ୍‌‌)। ଭଷ୍ମୀଭୂତସ୍ୟ ଦେହସ୍ୟ – ଏହି ଦେହ ଚିତାରେ ଭସ୍ମ ହୋଇଯିବ, କିଛି ବି ରହିବ ନାହିଁ। ଆତ୍ମା ରହିଥାଏ ବୋଲି କିଛି ପ୍ରମାଣ ନାହିଁ। ପୁନରାଗମନ କୁତଃ – ଏହି ଶରୀର ଫେରିବ […]

ତମେ ଯେତେଦିନ ଦୁନିଆରେ ଦେହ ଧରି ରହିଛ, ସେତେଦିନ ଭଲରେ ରୁହ। ଆନନ୍ଦ ଉଲ୍ଲାସରେ କାଳାତିପାତ କର। ଋଣ କର ପଛେ ଘିଅ ମହୁରେ ଅର୍ଥାତ୍‌‌ ଖୁବ୍‌‌ ସୁଖମୟ ଜୀବନ ଯାପନ କର(ଋଣଂ କୃତ୍ୱା ଘୃତମ୍‌‌ ପିବେତ୍‌‌, ଯାବତ୍‌‌ ଜିବେତ୍‌‌ ସୁଖମ ଜିବେତ୍‌‌)। ଭଷ୍ମୀଭୂତସ୍ୟ ଦେହସ୍ୟ – ଏହି ଦେହ ଚିତାରେ ଭସ୍ମ ହୋଇଯିବ, କିଛି ବି ରହିବ ନାହିଁ। ଆତ୍ମା ରହିଥାଏ ବୋଲି କିଛି ପ୍ରମାଣ ନାହିଁ। ପୁନରାଗମନ କୁତଃ – ଏହି ଶରୀର ଫେରିବ ନାହିଁ, ପୁନର୍ଜନ୍ମର କୌଣସି ପ୍ରମାଣ ନାହିଁ। – ଏହିସବୁ ହେଉଛି ଚାର୍ବାକ ଦର୍ଶନର ସାଧାରଣରେ ବୁଝିବା ଭଳି ନିୟମ ସବୁ। ଯଦିଓ ପରମ୍ପରା ବା ପ୍ରଥା ଭଙ୍ଗକାରୀ ଏଭଳି ଭାରତୀୟ ଦର୍ଶନର ଗଭୀରତା ଏବଂ ସର୍ବବ୍ୟାପକତା ଅଧିକ ବିଶ୍ଲେଷଣ ଆବଶ୍ୟକ କରେ।

ଏ ବିଷୟରେ ଅଧିକ ଆଲୋଚନା ପୂର୍ବରୁ ସୁଖବାଦ କ’ଣ ପ୍ରକୃତରେ ତାହା ବୁଝିବା ଆବଶ୍ୟକ। ସୁଖବାଦ ହେଉଛି ଏକ ନୈତିକ ସିଦ୍ଧାନ୍ତ, ଯାହାଦ୍ୱାରା ପ୍ରତିପାଦିତ କରାଯାଇଛି ଯେ କାମନାର ସନ୍ତୁଷ୍ଟିକରଣ ମାନବ ଜୀବନର ଉଚ୍ଚତମ ନିର୍ଯାସ ଏବଂ ପ୍ରକୃତ ଲକ୍ଷ୍ୟ। ପ୍ରାୟ ସମସ୍ତ ପ୍ରାଚୀନ ଭାରତୀୟ ଦର୍ଶନ ଈଶ୍ୱରଙ୍କ ବିଦ୍ୟମାନତା ଏବଂ ମଣିଷର ଆତ୍ମା ଉପରେ ବିଶ୍ୱାସ କରିଥା’ନ୍ତି କେବଳ ଏହି ଦାର୍ଶନିକ ତତ୍ତ୍ୱ ବ୍ୟତୀତ। ଏହି ତତ୍ତ୍ୱ କହିବାକୁ ଗଲେ ଏକ ନାସ୍ତିକ ବସ୍ତୁବାଦୀ ଜୀବନ ଦର୍ଶନ। ଏହାର ଅନୁଗାମୀମାନଙ୍କ ମତରେ କୌଣସି ବସ୍ତୁ ଯଦି ମଣିଷର ଭୌତିକ ଅନୁଭବରେ ନ ଆସିଛି, ତାହାର ସ୍ଥିତି ନାହିଁ। ତେଣୁ ଈଶ୍ୱର, ଆତ୍ମା ଓ ପୁନର୍ଜନ୍ମ – ଏହାସବୁ ଭ୍ରାନ୍ତଧାରଣା। ଏହି ଜୀବନ ଦର୍ଶନ ଚାର୍ବାକ୍‌‌ ନାମକ ଜଣେ ବୈଦିକ ଭାରତର ଋଷିଙ୍କ ଦ୍ୱାରା ରଚିତ ହୋଇଥିବାର ବିଶ୍ୱାସ କରାଯାଏ। ଅନ୍ୟ କେତେକ ଐତିହାସିକଙ୍କ ମତରେ ଋଷି ବୃହସ୍ପତି ହେଉଛନ୍ତି ଏହାର ପ୍ରାରମ୍ଭିକ ମତବାଦୀ ଏବଂ ଚାର୍ବାକ୍‌‌ ତାଙ୍କର ସବୁଠାରୁ ଜଣାଶୁଣା ଶିଷ୍ୟ।

ନୀତି ବା ମାନ ନିର୍ଦ୍ଧାରିତ ସୁଖବାଦ ଦାବି କରିଥାଏ ଯେ ଜୀବନରେ ସୁଖର ହିଁ ମୂଲ୍ୟ ଥାଏ, ଅସନ୍ତୋଷ ବା ଦୁଃଖ ମୂଲ୍ୟହୀନ। ଏ ସମ୍ବନ୍ଧରେ ବିଖ୍ୟାତ ବ୍ରିଟିଶ ଦାର୍ଶନିକ ଏବଂ ଆଇନ ସଂସ୍କାରକ ଜର୍ମି ବେଂଥାମ୍‌‌ଙ୍କ ମତ ପ୍ରଣିଧାନଯୋଗ୍ୟ। ସେ ନୈତିକ ଓ ମନସ୍ତାତ୍ତ୍ୱିକ ସୁଖବାଦକୁ ନେଇ କହନ୍ତି ଯେ ପ୍ରକୃତି ମାନବ ସମାଜକୁ ଦୁଇଟି ସାର୍ବଭୌମ ଶାସକ ଯଥା ଯନ୍ତ୍ରଣା ଓ ଆନନ୍ଦ ତତ୍ତ୍ୱାବଧାନରେ ନିୟନ୍ତ୍ରିତ ହେବାକୁ ବ୍ୟବସ୍ଥା କରିଛି। ସେମାନେ ହିଁ କେବଳ ସୂଚାଇବେ ଆମେ କ’ଣ କରିବା ଉଚିତ୍‌‌ ଏବଂ ସ୍ଥିର କରିବେ ଆମେ ପରବର୍ତ୍ତୀ ସମୟରେ କ’ଣ କରିବୁ। ସୁତରାଂ ଜୀବନ ନିର୍ବାହରେ ସୁଖବାଦ କେବଳ ଚାର୍ବାକ୍‌‌ ବିଚାରଧାରାର ନୀତି ନୁହେଁ, ବରଂ ଏ ବିଷୟରେ ବିଶ୍ୱର ଅନେକ ଦାର୍ଶନିକ ତାଙ୍କର ବିଚାର ବ୍ୟକ୍ତ କରିଥିବା ଦେଖାଯାଇଛି। ଚାର୍ବାକଙ୍କ ଭଳି ଗ୍ରୀକ୍‌‌ ଦାର୍ଶନିକ ଏପିକ୍ୟୁରସ୍‌‌ ମଧ୍ୟ ଶାନ୍ତି ସହ ମଧ୍ୟମ ଧରଣର ସୁଖ ବା ଆନନ୍ଦ ଆଧାରିତ ଜୀବନ ନିର୍ବାହ ଉପରେ ନିଜର ମତ ସ୍ପଷ୍ଟ କରିଛନ୍ତି।

ଜଣେ ଅନଭିଜ୍ଞ ମଣିଷ ପାଇଁ ହୁଏତ ଚାର୍ବାକ ବିଚାରଧାରାରେ କିଛିମାତ୍ରାରେ ଇନ୍ଦ୍ରିୟ ସମ୍ଭୋଗ ଅଭିଳାଷ, ଦୈହିକ, ଏପରିକି ପାଶବିକ ଲାଳସା ଅଧିକ ଗୁରୁତ୍ୱ ବହନ କରୁଥିବା ଜଣାପଡ଼ିପାରେ। କିନ୍ତୁ ଏହା ଚରମ ବାସ୍ତବ ଏକ ନିଗୂଢ଼ ଦର୍ଶନର ବୁଝାମଣା ଯେ ମଣିଷ ସେ ସବୁ ଆଶା ମନକୁ ଆଣିବା କଥା ନୁହେଁ, ଯାହା ତାଙ୍କ ପାଇଁ ସ୍ୱାଭାବିକ ଭାବେ ଦରକାରକୁ ଆସିବ ନାହିଁ। ଅଧିକାଂଶ ଲୋକ, ବିଶେଷକରି ବର୍ତ୍ତମାନର ପ୍ରତିଯୋଗିତାମୂଳକ ବସ୍ତୁବାଦୀ ବ୍ୟବସ୍ଥାରେ, ବହୁ ସାମଗ୍ରୀ ପାଇଁ ଇଚ୍ଛା କରନ୍ତି, ଯାହା ତାଙ୍କ ପାଇଁ ବାସ୍ତବପକ୍ଷେ ଆବଶ୍ୟକ ହୁଏ ନାହିଁ। ‘ଆକାଶ କଇଁଆ ଚିଲିକା ମାଛ’ ଭଳି ଆଶା ପଛରେ ଧାଇଁ ଧାଇଁ ବିଚରା ଆଧୁନିକ ମଣିଷ ସ୍ୱଚ୍ଛ ସରଳ ଆନନ୍ଦକୁ ହରାଇ ଦୁଃଖୀ ହେଉପଡୁଛି। ଏକ ଲୋକପ୍ରିୟ ଉର୍ଦ୍ଦୁ କବିତାରେ ଯେମିତି କୁହାଯାଇଛି ‘ନା ଖୁଦା ହିଁ ମିଲା, ନଁ ଭିଶାଲ୍‌‌ – ଏ- ସନମ୍‌‌, ନା ଇଧର୍‌‌ କେ ରହେ, ନା ଉଧର କେ ହମ୍‌‌(ନା ମୁଁ ଭଗବାନଙ୍କୁ ଜାଣିଲି, ନା ପାଇଲି ମୋ ପ୍ରେମିକାର ସଂସର୍ଗ। ମୁଁ ଦୁଇ ପଟରେ ବ୍ୟର୍ଥ, ଅସଫଳ)।

ଚରକ ପ୍ରଦତ୍ତ ସୁଖବାଦର ମାନବ ହିତୈଷୀ ବା ପ୍ରେରଣାଦାୟୀ ଝଲକ ମଧ୍ୟ ଲକ୍ଷ୍ୟ କରାଯାଇପାରେ।ଏହି ଜୀବନ ଦର୍ଶନ ବିଶ୍ୱାସ କରିଥାଏ ମଣିଷର ଏକ ଆନନ୍ଦମୟ ସ୍ଥିତି ବର୍ତ୍ତମାନର ପରିପ୍ରେକ୍ଷୀରେ, ଅଯଥା ଆଗାମୀ ପାଇଁ ନ ଭାବି। ବ୍ୟକ୍ତିଗତ ଆନନ୍ଦ ସାର୍ବଜନୀନ ଆନନ୍ଦକୁ ବାଟ ଫିଟାଇଥାଏ। ସମସ୍ୟାବହୁଳ ସଂସାରରେ କେହି ସଂପୂର୍ଣ୍ଣଭାବରେ ସୁଖୀ ନୁହନ୍ତି। ଅଧିକାଂଶ ନିରବଚ୍ଛିନ୍ନ ଭାବେ ଚାପରେ ରହିଥା’ନ୍ତି। କେତେବେଳେ କାହା ପାଇଁ ଆନନ୍ଦର ମୁହୂର୍ତ୍ତ ଆସି ନିରବରେ ଚାଲିଯାଏ, ଜଣାପଡ଼େ ନାହିଁ। ବିଶେଷକରି ଜୀବନର ଶେଷ ପର୍ଯ୍ୟାୟରେ ଏହା ହିଁ ସମସ୍ତଙ୍କ ପାଇଁ ସାର୍ବଜନୀନ ସତ୍ୟ। ଚାର୍ବାକ ପରାମର୍ଶ ଦିଅନ୍ତି- ସ୍ୱାଭାବିକ ଆନନ୍ଦ ବା ସୁଖର ଧାରାକୁ ପ୍ରତିରୋଧ ବା ପ୍ରତିବାଦ କରା ନ ଯାଉ। କାରଣ ଯନ୍ତ୍ରଣା ପରିପୂର୍ଣ୍ଣ ଜୀବନ ନାଟକରେ ଏହା ଯେମିତି କଦାଚିତ୍‌‌ ଆସୁଥିବା ଦୃଶ୍ୟ। ଅତଏବ ଜୀବନକୁ ସଂପୂର୍ଣ୍ଣ ଭାବେ ଉପଭୋଗ କରାଯାଉ ଏବଂ ସମସ୍ତ ଉତ୍ତମ ସାମଗ୍ରୀ ଓ ପରିସ୍ଥିତିକୁ ସ୍ୱାଗତ କରାଯାଉ। ସାକରାତ୍ମକ ମନୋଭାବର ଏହା ପରିପ୍ରକାଶ। ସବୁକଥାରେ ପ୍ରମାଣ ଖୋଜୁଥିବା ଏହି ଦର୍ଶନ କହିବାକୁ ଗଲେ ବିଜ୍ଞାନ ସମ୍ମତ ଏବଂ ହେତୁବାଦୀ।

ସାମାଜିକ ଜୀବନ ଏବେ ଜଟିଳତା ଓ ଦ୍ୱନ୍ଦ୍ୱ ମଧ୍ୟରେ ଦ୍ୱିଧାଗ୍ରସ୍ତ। ଏଠି ଆମେ ସବୁ ଆତ୍ମିକ ଚେତନାରେ ଅସନ୍ତୁଷ୍ଟ ଏବଂ ମୁଖମଣ୍ଡଳ ଆମର ସଦା ଅପ୍ରସନ୍ନ। କାରଣ ଆମେ ନୈତିକତାର ପ୍ରହେଳିକା ଯଥା ଭଲ, ମନ୍ଦ, ନୈତିକ ଓ ଅନୈତିକର ଦ୍ୱିବିଧା ମଧ୍ୟରେ ସଦା ପ୍ରପୀଡ଼ିତ। ସ୍ପଷ୍ଟ ଉତ୍‌‌ଫୁଲ୍ଲତା ବା ସତେଜତା ଆମ ଜୀବନରୁ ଏବେ ହଜିଯାଉଛି ଯେତେବେଳେ, ଆଶା କରାଯାଏ ଚାର୍ବାକଙ୍କ ସୁଖବାଦୀ ଜୀବନ ନିର୍ବାହର ନୀତି ଫେରାଇ ଆଣିପାରିବ ମଣିଷ ମନରୁ ଚାଲି ଯାଇଥିବା ପ୍ରଫୁଲ୍ଲତାର ମହକ। ମନେ ରଖିବା କଥା ଚାର୍ବାକଙ୍କ ସୁଖବାଦ ଇଚ୍ଛାନୁସାରେ ନୈତିକ ଧାର୍ମିକ ଓ ସାମାଜିକ ନିୟମ ସବୁକୁ ଅଣଦେଖା କରୁଥିବା ବୋହେମିଆନିଇଜିମ୍‌‌ ନୁହେଁ। ନୁହେଁ ମଧ୍ୟ ନାସ୍ତିବାଦୀ। ଏହା ସାର୍ବଜନୀନ ବା ସର୍ବବ୍ୟାପକ ସୁଖ ପାଇଁ ଅସ୍ତିତ୍ୱବାଦୀ ଔଷଧାମୃତ କହିଲେ ଅତ୍ୟୁକ୍ତି ହେବ ନାହିଁ।

ସରୋଜ କାନ୍ତ ଚୌଧୁରୀ
କଟକ, ମୋ:୯୪୩୭୩୬୦୯୮୧

28 May 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର