ଜ୍ୟୋତିଷଶାସ୍ତ୍ର ଓ ଗାନ୍ଧୀଙ୍କ ଜାତକ
‘ଆଜିର ରାଶିଫଳ’, ‘ଆଖପାଖରେ ଥିବା ଭଲ ଜ୍ୟୋତିଷ’, ‘ହିନ୍ଦୁ ଜ୍ୟୋତିଷଶାସ୍ତ୍ର’ ଓ ‘ଜନ୍ମକୁଣ୍ଡଳୀ’ ହେଉଛି ଇଣ୍ଟରନେଟରେ ଭାରତୀୟଙ୍କ ଦ୍ୱାରା ୫୦ ଲକ୍ଷ ଥର ଯାଏଁ ଖୋଜା ଯାଉଥିବା କିଛି ଲୋକପ୍ରିୟ ଶବ୍ଦ। ଦିନକୁଦିନ ଆମମାନଙ୍କ ମଧ୍ୟରେ ଜ୍ୟୋତିଷଶାସ୍ତ୍ର ପ୍ରତି ବଢ଼଼ିଚାଲିଥିବା ଆକର୍ଷଣ ଓ ବିଶ୍ୱାସର ଏହା ପ୍ରତିଫଳନ। କିଛିଦିନ ତଳେ ପ୍ରାୟ ସମସ୍ତ ଗଣମାଧ୍ୟମ ସଂସ୍ଥାମାନଙ୍କରେ ଶନି ଚଳନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ୬୦%ରୁ ଅଧିକ ଭାରତୀୟ ଜ୍ୟୋତିଷଶାସ୍ତ୍ରରେ ବିଶ୍ୱାସ କରନ୍ତି ଏବଂ ଭବିଷ୍ୟତ ଜୀବନ […]
‘ଆଜିର ରାଶିଫଳ’, ‘ଆଖପାଖରେ ଥିବା ଭଲ ଜ୍ୟୋତିଷ’, ‘ହିନ୍ଦୁ ଜ୍ୟୋତିଷଶାସ୍ତ୍ର’ ଓ ‘ଜନ୍ମକୁଣ୍ଡଳୀ’ ହେଉଛି ଇଣ୍ଟରନେଟରେ ଭାରତୀୟଙ୍କ ଦ୍ୱାରା ୫୦ ଲକ୍ଷ ଥର ଯାଏଁ ଖୋଜା ଯାଉଥିବା କିଛି ଲୋକପ୍ରିୟ ଶବ୍ଦ। ଦିନକୁଦିନ ଆମମାନଙ୍କ ମଧ୍ୟରେ ଜ୍ୟୋତିଷଶାସ୍ତ୍ର ପ୍ରତି ବଢ଼଼ିଚାଲିଥିବା ଆକର୍ଷଣ ଓ ବିଶ୍ୱାସର ଏହା ପ୍ରତିଫଳନ। କିଛିଦିନ ତଳେ ପ୍ରାୟ ସମସ୍ତ ଗଣମାଧ୍ୟମ ସଂସ୍ଥାମାନଙ୍କରେ ଶନି ଚଳନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ୬୦%ରୁ ଅଧିକ ଭାରତୀୟ ଜ୍ୟୋତିଷଶାସ୍ତ୍ରରେ ବିଶ୍ୱାସ କରନ୍ତି ଏବଂ ଭବିଷ୍ୟତ ଜୀବନ ବିଷୟରେ ଜ୍ୟୋତିଷଶାସ୍ତ୍ର ହିଁ ସଠିକ୍ ସୂଚନା ଦେଇଥାଏ ବୋଲି ଦୃଢ଼ ମତ ମଧ୍ୟ ପୋଷଣ କରନ୍ତି। ଏପରି ଅଗଣିତ ଉଦାହରଣ ଅଛି, ଯେଉଁଠି ବ୍ୟକ୍ତିବିଶେଷ ଦୈନନ୍ଦିନ କାର୍ଯ୍ୟକଳାପକୁ ଏହାଦ୍ୱାରା ପରିଚାଳିତ କରୁଛନ୍ତି।
ବିଜ୍ଞାନ ଦ୍ୱାରା ‘ଛଦ୍ମବିଜ୍ଞାନ’ର ଆଖ୍ୟା ପାଇଥିଲେ ମଧ୍ୟ ଜ୍ୟୋତିଷଶାସ୍ତ୍ର ଦୈନନ୍ଦିନ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଜ୍ୟୋତିଷଶାସ୍ତ୍ର, ବିଜ୍ଞାନ ଓ ସଂସ୍କୃତିକୁ ନେଇ ଏକ ପୁସ୍ତକରେ ଦର୍ଶାଯାଇଛି ଯେ ଜ୍ୟୋତିଷଶାସ୍ତ୍ର କେବଳ ଅତୀତର ଅବଶେଷ ନୁହେଁ, ବରଂ ଏହା ବିରୋଧୀଙ୍କ ବୈଜ୍ଞାନିକ ମତକୁ ସମ୍ମୁଖୀନ କରୁଥିବା ଏକ ଦିବ୍ୟ ଅଭ୍ୟାସ। ଜ୍ୟୋତିଷଶାସ୍ତ୍ରର ଐତିହାସିକ ମୂଳ ନିଓଲିଥିକ୍ ସଂସ୍କୃତିରୁ ଆରମ୍ଭ। ନକ୍ଷତ୍ର ଓ ମନୁଷ୍ୟ ମଧ୍ୟରେ ଥିବା ଏହା ଏକ ଦୀର୍ଘକାଳୀନ ମାନବିକ ସମ୍ପର୍କ। ଜ୍ୟୋତିଷ ଶାସ୍ତ୍ରର ସବୁଠାରୁ ଲୋକପ୍ରିୟ ରୂପ ହେଉଛି ରାଶିଫଳ ଓ ଜନ୍ମକୁଣ୍ଡଳୀ। ଅଧିକାଂଶ ଭାରତୀୟ ଯୁବବର୍ଗ ଓ ମହିଳାମାନେ ଜ୍ୟୋତିଷ ସମ୍ୱନ୍ଧୀୟ ଆଲୋଚନାରେ ବିଶ୍ୱାସ କରନ୍ତି। ଅନ୍ୟପକ୍ଷେ, ଭାରତୀୟ ସଂସ୍କୃତି ଓ ବିବାଦୀୟ ସାମାଜିକ ଧାରଣା ମଧ୍ୟ ଜ୍ୟୋତିଷଶାସ୍ତ୍ର ସହ ଜଡ଼ିତ। ଏକ ସର୍ବେକ୍ଷଣ ପ୍ରକାଶ କରିଛି ଯେ ଭାରତରେ ୩୦ ପ୍ରତିଶତରୁ ଅଧିକ ଲୋକ ଜ୍ୟୋତିଷଶାସ୍ତ୍ରକୁ ବିଶ୍ୱାସ କରୁ ନ ଥିଲେ ମଧ୍ୟ ସମୟ ମିଳିଲେ ରାଶିଫଳ କିମ୍ୱା ଗ୍ରହଚଳନର ପ୍ରଭାବକୁ ଖବରକାଗଜରେ ପଢ଼଼ନ୍ତି କିମ୍ୱା ଟେଲିଭିଜନରେ ଦେଖନ୍ତି।
ଡବ୍ଲୁ. ଇଭାନ୍ସଙ୍କ ‘ଡିଭାଇନିଙ୍ଗ୍ ଦି ସୋସିଆଲ ଅର୍ଡର’ ଶୀର୍ଷକ ଏକ ଆଲେଖ୍ୟରୁ ଜଣାପଡ଼ିଛି ଯେ ପ୍ରକାଶ ପାଉଥିବା ରାଶିଫଳ ଅନେକ ସମୟରେ ସେମାନଙ୍କ ଉଦ୍ଦିଷ୍ଟ ପାଠକ ବା ଦର୍ଶକଙ୍କ ସାମାଜିକ ଶ୍ରେଣୀ ଆଧାରରେ ନିର୍ଣ୍ଣୟ ହୁଏ। ଉଦାହରଣ ସ୍ୱରୂପ, ମଧ୍ୟବିତ୍ତ ପାଠକଙ୍କ ପାଇଁ ଉଦ୍ଦିଷ୍ଟ ରାଶିଫଳ ତୁଳନାରେ ଶ୍ରମଜୀବୀ ଶ୍ରେଣୀର ରାଶିଫଳରେ ଖର୍ଚ୍ଚ କିମ୍ୱା କ୍ୟାରିୟର ଉନ୍ନତିକୁ କମ୍ ଗୁରୁତ୍ୱ ଦିଆଯାଏ। ଇଭାନ୍ସଙ୍କ ଗବେଷଣାର ସାରମର୍ମ ଅନୁଯାୟୀ ଜ୍ୟୋତିଷ ପରାମର୍ଶ ସାମାଜିକ ଶ୍ରେଣୀରେ ଥିବା ଭେଦଭାବ ଓ ଅସମାନତାକୁ ପ୍ରତିଫଳିତ କରିପାରେ। ଅନ୍ୟ ଏକ ଦିଗରେ ଗଣମାଧ୍ୟମରେ ବଢ଼ୁଥିବା ଲୋକପ୍ରିୟତା ଏବଂ ସାମାଜିକ ସଂଯୋଜନା ଜ୍ୟୋତିଷଶାସ୍ତ୍ରର ଆଧୁନିକ ପ୍ରାସଙ୍ଗିକତାକୁ ଦର୍ଶାଏ। ଏକ ସକାରାତ୍ମକ ଦୃଷ୍ଟିରେ ଦେଖିବାକୁ ଗଲେ ଗଣମାଧ୍ୟମରେ ହେଉଥିବା ଜ୍ୟୋତିଷଶାସ୍ତ୍ର ଆଲୋଚନା ସୂଚନାପୂର୍ଣ୍ଣ, ଆକର୍ଷଣୀୟ, ପ୍ରେରଣାଦାୟକ ଏବଂ ଭାବପ୍ରବଣ ଉପସ୍ଥାପନା ସହିତ ବ୍ୟକ୍ତିର ସାମାଜିକ ମହତ୍ତ୍ୱ ଉପରେ ଆଲୋକପାତ କରିଥାଏ। ସେହିପରି ଜନ୍ମକୁଣ୍ଡଳୀ ପର୍ଯ୍ୟବସିତ ଉପଦେଶକୁ ବ୍ୟକ୍ତିର ଆଚରଣ, ଧୈର୍ଯ୍ୟ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବାର ଏକ ବିକଳ୍ପ ଉପକରଣ ଭାବେ ଗ୍ରହଣ କରିବା ଉଚିତ। ଲିଙ୍ଗଗତ ଭୂମିକା ଓ ପାରସ୍ପରିକ ସମ୍ପର୍କକୁ ମୂଳଦୁଆ କରି କିପରି ସାମାଜିକ ଆକାଂକ୍ଷାକୁ ପୂରଣ କରିହେବ ତାହା ହିଁ ଏସବୁ ଆଲୋଚନା ମାଧ୍ୟମରେ ପ୍ରତିଫଳିତ କରାଯାଏ। ଏହି ଗତିଶୀଳତା କେବଳ ଗୋଟିଏ କଥା ଦର୍ଶାଏ ଯେ ରାଶିଫଳ ଓ ଜ୍ୟୋତିଷଶାସ୍ତ୍ର ଆମର ସାମାଜିକ ସମ୍ପର୍କ, ବ୍ୟବହାର ଓ ବ୍ୟକ୍ତିଗତ ପରିଚୟକୁ ପ୍ରଭାବିତ କରିବାରେ ଅନେକାଂଶରେ ସକ୍ଷମ।
ମନୋବିଜ୍ଞାନୀ ଓ ହେତୁବାଦୀ ମହଲ ପାଇଁ ଜ୍ୟୋତିଷଶାସ୍ତ୍ର ଓ ଭବିଷ୍ୟତ ଗଣନା ହେଉଛି ‘ବାର୍ନମ୍’ ପ୍ରଭାବ, ଯାହାକୁ ‘ଫୋରର ଇଫେକ୍ଟ’ ମଧ୍ୟ କୁହାଯାଏ। ଚୁମ୍ୱକରେ କହିବାକୁ ଗଲେ ଏହା ମୂଳତଃ ଏକ ଜ୍ଞାନାତ୍ମକ ପକ୍ଷପାତକୁ ପ୍ରତିଫଳିତ କରେ, ଯେଉଁଠାରେ ଲୋକମାନେ ଯେକୌଣସି ସାଧାରଣ ବର୍ଣ୍ଣନାକୁ ସହଜରେ ବିଶ୍ୱାସ କରନ୍ତି ଏବଂ ସେହି ସୂଚନାକୁ ନିଜ ପାଇଁ ବିଶେଷ ଭାବରେ ପ୍ରଯୁଜ୍ୟ ବୋଲି ଧରି ନିଅନ୍ତି। ବିବାହ, ସମ୍ପର୍କ ଓ କୁଣ୍ଡଳୀକୁ ନେଇ ସମାଜବିଜ୍ଞାନର ଏକ ଅଧ୍ୟୟନରେ ପ୍ରକାଶ ପାଇଛି ଯେ ସମ୍ପର୍କରେ ଗମ୍ଭୀରତା ଓ ସ୍ଥାୟିତ୍ୱ ସହ ରାଶି କିମ୍ୱା କୁଣ୍ଡଳୀର କୌଣସି ସମ୍ପର୍କ ନାହିଁ। ସତ କଥା ହେଉଛି, ବିବାହ, ନାମକରଣ, ରୀତିନୀତି, ବ୍ୟବସାୟ ଭଳି ଜୀବନର ପ୍ରମୁଖ ନିଷ୍ପତ୍ତି ଏପରିକି ଆମର କ୍ରୟ ଆଚରଣ ମଧ୍ୟ ଜ୍ୟୋତିଷଶାସ୍ତ୍ର ଦ୍ୱାରା ପରିଚାଳିତ ଓ ପ୍ରଭାବିତ। ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଉପଭୋକ୍ତାଙ୍କ ଆଚରଣ ଓ କ୍ରୟ ନିଷ୍ପତ୍ତି ମୁଖ୍ୟତଃ ଯାନବାହାନ, ଷ୍ଟକ୍, ନିବେଶ ଓ ଘର ଇତ୍ୟାଦି ଜ୍ୟୋତିଷଶାସ୍ତ୍ର ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଏହାକୁ ଆଧାର କରି ‘ଆଷ୍ଟ୍ରୋ ଅର୍ଥନୀତି’ ନାମକ ଏକ ବିଶାଳ ଉଦ୍ୟୋଗ ଗଢ଼ି ଉଠିଛି। ବାର୍ଷିକ ପଚାଶ ପ୍ରତିଶତ ଯୌଗିକ ହାରରେ ବଢ଼ୁଥିବା ଭାରତୀୟ ଜ୍ୟୋତିଷଶାସ୍ତ୍ର ପାଇଁ ବଜାର ଅତ୍ୟନ୍ତ ଅନୁକୂଳ। ଆଗାମୀ ପାଞ୍ଚ ବର୍ଷରେ ଏହି ଅର୍ଥନୀତି ୫ ହଜାର କୋଟି ଟଙ୍କାରେ ପହଞ୍ଚିଯିବ ବୋଲି ଆକଳନ କରାଯାଇଛି।
ଏ ସବୁ ବ୍ୟତୀତ, ବିଶ୍ୱନେତାଙ୍କ ଜାତକ ପ୍ରତି ଜ୍ୟୋତିଷମାନଙ୍କ ଆକର୍ଷଣ ଅନେକ ଦିନରୁ ଅଛି। ରୁଷର ରାଷ୍ଟ୍ରପତି ପୁଟିନଙ୍କ ଜାତକ ବିଶ୍ଳେଷଣ କରି ୟୁକ୍ରେନ ଯୁଦ୍ଧ ରଣନୀତି ପାଇଁ ନିଷ୍ପତ୍ତି ନିଆଯାଉଛି ବୋଲି ରୁଷିଆର ଅନେକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ରାଜନେତାଙ୍କ ଜନ୍ମକୁଣ୍ଡଳୀକୁ ଅଧ୍ୟୟନ କରି ରାଜନୈତିକ ଧାରା, ନେତୃତ୍ୱ ନିଷ୍ପତ୍ତି, ସ୍ୱାସ୍ଥ୍ୟ ସମସ୍ୟା କିମ୍ୱା ଏପରିକି ବଡ଼ ସଙ୍କଟର ପୂର୍ବାନୁମାନ କରିବାକୁ ଜ୍ୟୋତିଷମାନେ ଚେଷ୍ଟା କରନ୍ତି। ଗାନ୍ଧୀ ସାହିତ୍ୟର ବରିଷ୍ଠ ଗବେଷକ ଗୌରାଙ୍ଗ ଚରଣ ପରିଡ଼ାଙ୍କ ଲିଖିତ ‘ଚର୍ଚ୍ଚାରେ ଗାନ୍ଧିଜୀଙ୍କ ଜାତକ’ ଆଲେଖ୍ୟରେ ପ୍ରକାଶ କରାଯାଇଛି ଯେ ଭାରତରେ ଗାନ୍ଧିଜୀଙ୍କ ଦ୍ୱାରା ହେଉଥିବା ଆନ୍ଦୋଳନର ଭବିଷ୍ୟତ ଏବଂ ଗାନ୍ଧୀଙ୍କ ଆୟୁଷ ଜାଣିବାକୁ ଭାଇସରୟ ଇରୱିନ ମଧ୍ୟ ଭାରତୀୟ ଜ୍ୟୋତିଷଙ୍କ ପରାମର୍ଶ ନେଇଥିଲେ। ଏପରି ସୂଚନା ଇରୱିନ ନିଜ ଆତ୍ମଜୀବନୀରେ ମଧ୍ୟ ଉଲ୍ଲେଖ କରିଛନ୍ତି। ୧୯୩୦ ମସିହା ଏପ୍ରିଲ ୭ ତାରିଖରେ ସଚିବ ବ୍ରିକ୍ରେନହେଡଙ୍କୁ ଦେଇଥିବା ଚିଠିରେ ଇରୱିନ ଲେଖିଥିଲେ ‘ଗାନ୍ଧୀ ଜଣେ ଉଚ୍ଚରକ୍ତଚାପ ରୋଗୀ। କିଛିଦିନ ତଳେ ଜଣେ ଭାରତୀୟ ଜ୍ୟୋତିଷ କହିଲେ ଗାନ୍ଧୀଙ୍କ ଜାତକ ଅନୁଯାୟୀ ଏ ବର୍ଷ ତାଙ୍କ ପାଇଁ ଭଲ ନାହିଁ, ତାଙ୍କର ମୃତ୍ୟୁଯୋଗ ଅଛି। ଗାନ୍ଧୀଙ୍କ ରାଶି ଥିଲା ତୁଳା। ସେହି ରାଶି ପାଇଁ ମଧ୍ୟ ଭଲ ବେଳା ଚାଲିନାହିଁ। ତେଣୁ ଗାନ୍ଧିଜୀଙ୍କ ଦାଣ୍ଡିଯାତ୍ରା ସଫଳ ହେବନି। ଯଦି ଏହା ସତ ହୁଏ, ଆମ(ବ୍ରିଟିଶ)ଙ୍କ ପାଇଁ ଏକ ଭଲ ସମାଧାନ ହେବ।’
ଗାନ୍ଧୀଙ୍କ ଜାତକକୁ ନେଇ ଚର୍ଚ୍ଚା ଦାଣ୍ଡିଯାତ୍ରାର ସଫଳତା ପରେ ଜୋର ଧରିଥିଲା। ଏହି ଜାତକ କୁଆଡ଼େ ପାଶ୍ଚାତ୍ୟ ଜ୍ୟୋତିଷମାନେ ପ୍ରସ୍ତୁତ କରି ଗୋଲଟେବଲ ବୈଠକ ସମୟରେ ପ୍ରଚାର କରିଥିଲେ। ଏହି ବିଷୟରେ ଏକ ବିସ୍ତୃତ ଲେଖା ମାଲେସିଆର ଲୋକପ୍ରିୟ ଲେଖକ ଏସ. ଦୁରାଇ ରାଜା ସିଙ୍ଗମଙ୍କ ୧୯୫୭ରେ ପ୍ରକାଶିତ ପୁସ୍ତକ ‘ଗାନ୍ଧିଜୀ: ଦି ଏଭର ସ୍ମାଇଲିଙ୍ଗ ମହାତ୍ମା’ରେ ଉଲ୍ଲେଖ ଅଛି। ପ୍ରଖ୍ୟାତ ଜ୍ୟୋତିଷ ଆଲେନ ଷ୍ଟୁଆର୍ଟଙ୍କ ‘ଷ୍ଟାରଲୋର’ ପତ୍ରିକାର ୧୯୩୦ ମସିହା ଏପ୍ରିଲ ସଂସ୍କରଣରେ ଗାନ୍ଧିଜୀଙ୍କ ଜାତକର ବର୍ଣ୍ଣନା ଥିଲା ଠିକ୍ ଏମିତି – ‘ଗାନ୍ଧୀଙ୍କ ଜନ୍ମ ୧୮୬୯ ମସିହା, ଅକ୍ଟୋବର ୨ ତାରିଖ, ସମୟ- ସକାଳ ୭.୪୫। ସ୍ଥାନ: ପୋରବନ୍ଦର, ଗୁଜୁରାଟ, ଭାରତ। ୩୨ ଡିଗ୍ରୀ ଅକ୍ଷାଂଶ (ଉତ୍ତର), ୭୪ ଡିଗ୍ରୀ ଦ୍ରାଘିମା (ପୂର୍ବ)। ମଙ୍ଗଳ ଓ ବୁଧ ଉଚ୍ଚରେ ଅବସ୍ଥିତ ହେତୁ ନେତୃତ୍ୱ ଓ ସଂଗଠନ ଦକ୍ଷତା, ଦୃଢ଼ ସଂକଳ୍ପ, ନୂତନ ଜ୍ଞାନ ଗ୍ରହଣ, ସମ୍ୱେଦନଶୀଳ, ପ୍ରତିବନ୍ଧକକୁ ଅତିକ୍ରମ କରିବାକୁ ଉତ୍ସାହ ଭଳି ଗୁଣର ଅଧିକାରୀ ହେବେ ଗାନ୍ଧିଜୀ। ଜାତକରେ ଏସବୁ ଗ୍ରହର ସ୍ଥିତି ଗାନ୍ଧୀଙ୍କୁ ପ୍ରତିଷ୍ଠା ଦେଉଛି ଏବଂ ଆଗକୁ ଆହୁରି ଦେବ ବୋଲି ଷ୍ଟୁଆର୍ଟଙ୍କ ବିଶ୍ଳେଷଣ ଥିଲା।
ଉଲ୍ଲେଖ ଅଛି ଯେ ଲବଣ ସତ୍ୟାଗ୍ରହ ସମୟରେ ୟେରୱାଡ଼ା ଜେଲରେ ଥିଲା ବେଳେ ଶଙ୍କର ବାଲକ୍ରିଷ୍ଣ ଦୀକ୍ଷିତଙ୍କ ‘ଭାରତୀୟ ଜ୍ୟୋତିଷଶାସ୍ତ୍ର’ ପୁସ୍ତକ ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ ମହାତ୍ମା ଗାନ୍ଧୀ। ଜ୍ୟୋତିଷଶାସ୍ତ୍ର ଦ୍ୱାରା ଅନୁପ୍ରାଣିତ ହୋଇ ଗାନ୍ଧିଜୀ ଜ୍ୟୋତିର୍ବିଜ୍ଞାନ ପଢ଼଼ିବା ଆରମ୍ଭ କରିଥିଲେ। ଭାରତୀୟ ଜ୍ୟୋତିଷଶାସ୍ତ୍ର ପୁସ୍ତକ ବ୍ୟତୀତ ଜେମ୍ସ ଜିନ୍ସଙ୍କ ‘ଦି ଷ୍ଟାରସ ଇନ ଦେୟାର କୋର୍ସସେ’ ଓ ‘ଦି ୟୁନିଭର୍ସ ଆରାଉଣ୍ଡ’ ଭଳି ପୁସ୍ତକ ପଢ଼଼ି ୧୯୩୨ ମସିହା ଜୁଲାଇ ୨୩ ତାରିଖରେ କାକା କାଲେଲକରଙ୍କୁ ଏକ ଚିଠିରେ ଗାନ୍ଧୀ ଲେଖିଥିଲେ ‘ଆକାଶକୁ ଦେଖିଲେ ସେଥିରୁ ପବିତ୍ରତା, ଅସୀମତା, ଶୃଙ୍ଖଳା ଓ ସୌନ୍ଦର୍ଯ୍ୟର ଏକ ବାର୍ତ୍ତା ଆସୁଛି, ଯାହା ଏକ ଆଧ୍ୟାତ୍ମିକ ଅନୁଭୂତି। ବାହାର ନକ୍ଷତ୍ର ସହ ଥରେ ଯୋଡ଼ି ହୋଇଗଲେ, ସୁଦୂର ଗ୍ରହ ଓ ଆମ ଭିତରେ କିଛି ପ୍ରଭେଦ ରହୁନାହିଁ। ଏହାହିଁ ଈଶ୍ୱରଙ୍କ ସୃଷ୍ଟି, ବ୍ରହ୍ମାଣ୍ଡର ଏହି ରହସ୍ୟ ସୃଷ୍ଟିକର୍ତ୍ତାଙ୍କୁ ଆହୁରି ରହସ୍ୟମୟ କରିଦେଇଛି।’
ପରିଶେଷରେ, ଜ୍ୟୋତିଷଶାସ୍ତ୍ରର ଗୁରୁତ୍ୱ ଏହାର ପୂର୍ବାନୁମାନ କିମ୍ୱା ସଠିକତା ଉପରେ ନୁହେଁ, ବରଂ ଅର୍ଥପୂର୍ଣ୍ଣ ଉପାୟରେ ମାନବ ସମ୍ପର୍କ ଏବଂ ଗୋଷ୍ଠୀ ଜୀବନକୁ ପ୍ରଭାବିତ କରିବାର କ୍ଷମତା ପରିପ୍ରେକ୍ଷୀରେ ଦେଖାଯିବା ଉଚିତ। ସାଂସ୍କୃତିକ ସଂରକ୍ଷଣରେ ଜ୍ୟୋତିଷଶାସ୍ତ୍ରର ଭୂମିକା ଏହାକୁ ଏକ ସାମାଜିକ ପ୍ରାସଙ୍ଗିକ ଅଭ୍ୟାସରେ ପରିଣତ କରିସାରିଛି। ତେଣୁ ଏହି ପ୍ରାଚୀନ ଶାସ୍ତ୍ରକୁ ଅନ୍ଧବିଶ୍ୱାସ, ଶଠତା ଓ ଠକାମୀ ପାଇଁ ବ୍ୟବହାର କରିବା ଅନୁଚିତ।
ଡକ୍ଟର ଅବଶ ପରିଡ଼ା
ଭୁବନେଶ୍ୱର, ମୋ: ୮୪୫୬୮୭୯୫୨୨






