ଭାରତକୁ ପୁଣି ବଡ଼ ଝଟ୍‌କା ଦେବେ ଟ୍ରମ୍ପ, ଆମେରିକାରୁ ଟଙ୍କା ପଠାଇବା ମହଙ୍ଗା ହେବ

The Sakala Picture
Published On

ୱାଶିଂଟନ: ବନ୍ଧୁ କହୁଛନ୍ତି, କିନ୍ତୁ ବଇରୀ ପରି ବ୍ୟବହାର କରୁଛନ୍ତି। ଗୋଟିଏ ପରେ ଗୋଟିଏ କଟକଣା ଲଗାଉଛନ୍ତି। କେତେବେଳେ ଶୁଳ୍କକୁ ନେଇ ଧମକ ଦେଉଛନ୍ତି ତ ଆଉ କେତେବେଳେ ଭାରତରେ ଉତ୍ପାଦନ ୟୁନିଟ ପ୍ରତିଷ୍ଠା ନ କରିବା ପାଇଁ କମ୍ପାନୀଙ୍କୁ ଧମକ ଦେଉଛନ୍ତି। ଏଥିପାଇଁ ବନ୍ଧୁକୁ ବହୁମୂଲ୍ୟ ଦେବାକୁ ପଡୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହ ଏପରି କରୁଛନ୍ତି। ଏବେ ସେ ପୁଣି ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଭାରତୀୟଙ୍କ ପାଇଁ ଘରକୁ ଟଙ୍କା […]

ୱାଶିଂଟନ: ବନ୍ଧୁ କହୁଛନ୍ତି, କିନ୍ତୁ ବଇରୀ ପରି ବ୍ୟବହାର କରୁଛନ୍ତି। ଗୋଟିଏ ପରେ ଗୋଟିଏ କଟକଣା ଲଗାଉଛନ୍ତି। କେତେବେଳେ ଶୁଳ୍କକୁ ନେଇ ଧମକ ଦେଉଛନ୍ତି ତ ଆଉ କେତେବେଳେ ଭାରତରେ ଉତ୍ପାଦନ ୟୁନିଟ ପ୍ରତିଷ୍ଠା ନ କରିବା ପାଇଁ କମ୍ପାନୀଙ୍କୁ ଧମକ ଦେଉଛନ୍ତି। ଏଥିପାଇଁ ବନ୍ଧୁକୁ ବହୁମୂଲ୍ୟ ଦେବାକୁ ପଡୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହ ଏପରି କରୁଛନ୍ତି। ଏବେ ସେ ପୁଣି ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଭାରତୀୟଙ୍କ ପାଇଁ ଘରକୁ ଟଙ୍କା ପଠାଇବାକୁ ସେ ମହଙ୍ଗା କରିବାକୁ ଯାଉଛନ୍ତି। ଆଉଟୱାର୍ଡ ରେମିଟାନ୍ସ ଅର୍ଥାତ୍‌ ଆମେରିକାରୁ ଅନ୍ୟ ଦେଶକୁ ଟଙ୍କା ପଠାଇବା ଉପରେ ୫ ପ୍ରତିଶତ ଟିକସ ଲଗାଇବାକୁ ଟ୍ରମ୍ପ ପ୍ରଶାସନ ଯୋଜନା କରୁଛନ୍ତି। ଆମେରିକାରେ ରହୁଥିବା ଭାରତୀୟ ଦେଶକୁ ୩୨ ବିଲିୟନ ଡଲାରରୁ ଅଧିକ ଅର୍ଥ ପଠାଉଛନ୍ତି। ଯଦି ଏଥିରେ ୫ ପ୍ରତିଶତ ଟିକସ ଦେବାକୁ ପଡେ ତେବେ ପ୍ରତି ବର୍ଷ ଭାରତକୁ ଆସୁଥିବା ଟଙ୍କା ଉପରେ ଅତିରିକ୍ତ ୧.୭ ବିଲିୟନ ଡଲାର ଦେବାକୁ ପଡିବ। ଏହା ଦ୍ବାରା ଭାରତୀୟଙ୍କ ପ୍ରାୟ ୧୪.୫ ହଜାର କୋଟି ଟଙ୍କା କ୍ଷତି ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ପ୍ରସ୍ତାବିତ ‘ଦ ୱାନ ବିଗ୍‌ ବ୍ୟୁଟିଫୁଲ ବିଲ୍‌’ରେ ଏହି ବ୍ୟବସ୍ଥା ରହିଛି। ଏଥିରେ ଆମେରିକାରେ ରହୁଥିବା ଏଚ୍‌-୧ ଭିସା ଏବଂ ଗ୍ରୀନ କାର୍ଡ ଧାରକଙ୍କ ଉପରେ ୫ ପ୍ରତିଶତ ଟିକସ ଲଗାଇବାର ପ୍ରସ୍ତାବ ରହିଛି। ୪ କୋଟିରୁ ଅଧିକ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ତେବେ ସର୍ବାଧିକ ଭାରତୀୟ ଏହା ଦ୍ବାରା ପ୍ରଭାବିତ ହେବେ। ଭାରତୀୟଙ୍କୁ ପ୍ରତି ଲକ୍ଷେ ଟଙ୍କାରେ ଅତିରିକ୍ତ ୫ ହଜାର ଟଙ୍କା ଟିକସ ଦେବାକୁ ପଡିବ। ଏହା ଦ୍ବାରା ଆମେରିକାରୁ ଆସୁଥିବା ଅର୍ଥ ମଧ୍ୟ ହ୍ରାସ ପାଇପାରେ। ବିଦେଶୀ ମୁଦ୍ରା ଭଣ୍ଡାର ଏବଂ ଘରୋଇ ଚାହିଦା ଉପରେ ପ୍ରଭାବ ପଡ଼ିପାରେ। ରିୟଲ ଇଷ୍ଟେଟ, ଶିକ୍ଷା ଏବଂ ପାରିବାରିକ ଖର୍ଚ୍ଚ ମଧ୍ୟ ପ୍ରଭାବିତ ହୋଇପାରେ। ବିଦେଶ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଏବେ ଆମେରିକାରେ ୪୫ ଲକ୍ଷ ଭାରତୀୟ ରହୁଛନ୍ତି। ଏଥିରୁ ୩୨ ଲକ୍ଷ ଭାରତୀୟ ବଂଶୋଦ୍ଭବ। ଏମାନେ ନିଜ ଘର ଲୋକଙ୍କୁ କିମ୍ବା ବନ୍ଧୁବାନ୍ଧବଙ୍କ ପାଖକୁ ବର୍ଷକୁ ବିପୁଳ ଟଙ୍କା ପଠାଉଛନ୍ତି। ଏଭଳି ସ୍ଥିତିରେ ଆମେରିକା ପ୍ରସ୍ତାବ ଦ୍ବାରା ଏହି ଲୋକଙ୍କ ସମସ୍ୟା ବୃଦ୍ଧି ପାଇପାରେ।

ଆହୁରି ପଢ଼ନ୍ତୁ: ପୁଣି ମହଙ୍ଗାମାଡ: କ୍ଷୀର ମୂଲ୍ୟରେ ବୃଦ୍ଧି, ଲିଟର ପିଛା ବଢିପାରେ ୪ ଟଙ୍କା

ସୂଚନା ଅନୁଯାୟୀ ଗତ ଦଶନ୍ଧିରେ ବିଦେଶରୁ ଭାରତକୁ ଆସୁଥିବା ଅର୍ଥ ଦୁଇ ଗୁଣିତ ହୋଇଯାଇଛି। ୨୦୨୫ ମାର୍ଚ୍ଚରେ ଆସିଥିବା ଆରବିଆଇ ରିପୋର୍ଟ ଅନୁଯାୟୀ ୨୦୧୦-୧୧ରେ ପ୍ରବାସୀ ଭାରତୀୟ ୫୫.୬ ବିଲିୟନ ଡଲାର ଭାରତକୁ ପଠାଇ ଥିଲେ। ୨୦୨୩-୨୪ରେ ଏହା ୧୧୮.୭ ବିଲିୟନ ଡଲାରରେ ପହଞ୍ଚି ଯାଇଛି। ଆମେରିକା, ବ୍ରିଟେନ, ସିଙ୍ଗାପୁର, କାନାଡ଼ା ଏବଂ ଅଷ୍ଟ୍ରେଲିଆ ଭଳି ଦେଶରୁ ସର୍ବାଧିକ ଅର୍ଥ ଭାରତକୁ ଆସୁଛି। ଭାରତକୁ ଆସୁଥିବା ମୋଟ ଅର୍ଥରେ ଏହି ଦେଶଗୁଡିକର ଅଂଶ ଅଧାରୁ ଅଧିକ ରହିଛି। ଉପସାଗରୀୟ ଦେଶ ତୁଳନାରେ ଏହି ଦେଶଗୁଡିକର ଅଂଶରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। ଆମେରିକାରେ ରହୁଥିବା ପ୍ରବାସୀ ଭାରତକୁ ସର୍ବାଧିକ ଟଙ୍କା ପଠାଉଛନ୍ତି। ୨୦୨୦-୨୧ରେ ଭାରତକୁ ଆସିଥିବା ଅର୍ଥରେ ଆମେରିକାର ଯୋଗଦାନ ୨୩.୪ ପ୍ରତିଶତ ଥିଲା। ୨୦୨୩-୨୪ରେ ଏହା ୨୭.୭ ପ୍ରତିଶତରେ ପହଞ୍ଚି ଯାଇଛି। ଆମେରିକାରୁ ପ୍ରବାସୀ ଭାରତୀୟ ପ୍ରାୟ ୩୨.୯ ବିଲିୟନ ଡଲାର ପଠାଇ ଥିଲେ। ସୂଚନାଯୋଗ୍ୟ ଯେ ଭାରତ ବିଶ୍ବର ସର୍ବାଧିକ ରେମିଟାନ୍ସ ପାଉଥିବା ଦେଶ। ବିଶ୍ବ ବ୍ୟାଙ୍କ ତଥ୍ୟ ଅନୁଯାୟୀ ୨୦୦୮ରୁ ଭାରତ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଆସିଛି। ୨୦୦୧ରେ ବିଶ୍ବ ରେମିଟାନ୍ସରେ ଭାରତର ଅଂଶ ୧୧ ପ୍ରତିଶତ ଥିଲା। ଏହା ୨୦୨୪ରେ ୧୪ ପ୍ରତିଶତକୁ ପହଞ୍ଚି ଯାଇଛି। ଏହି ବର୍ଷ ପ୍ରମୁଖ ୫ ଦେଶରୁ ଭାରତକୁ ୧୨୯ ବିଲିୟନ ଡଲାର ଆସିଥିଲା। ଏହା ପରେ ମେକ୍ସିକୋ (୬୮ ବିଲିୟନ ଡଲାର), ଚୀନ୍‌ (୪୮ ବିଲିୟନ ଡଲାର), ଫିଲିପିନ୍ସ (୪୦ ବିଲିୟନ ଡଲାର) ଏବଂ ପାକିସ୍ତାନ (୩୩ ବିଲିୟନ ଡଲାର) ରହିଥିଲା।

ଆହୁରି ପଢ଼ନ୍ତୁ: ଦେଶର ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ବେକାରି ହାର କମିଛି, କାର୍ଯ୍ୟ ସ୍ଥଳରେ ମହିଳାଙ୍କ ଅଂଶଗ୍ରହଣୀୟତା ହାରରେ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp