୧୧ ମାସରେ ଭାରତୀୟ ନେଲେଣି ୧୫ ଲକ୍ଷ କୋଟି ଋଣ, ସବୁଠୁ ଅଧିକ ପର୍ସନାଲ ଲୋନ୍
ନୂଆଦିଲ୍ଲୀ : ଭାରତୀୟଙ୍କ ଉପରେ ଋଣଭାର ବଢ଼ିବାରେ ଲାଗିଛି। ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଲୋକେ ଋଣ କରି ଚାଲିଥିବାରୁ ଏପରି ହେଉଛି। ଋଣ ନେବାରୁ ପୂର୍ବ ବର୍ଷର ରେକର୍ଡକୁ ଲୋକେ ଭାଙ୍ଗି ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ପ୍ରଥମ ୧୧ ମାସରେ ବ୍ୟାଙ୍କଗୁଡିକ ୧୫.୩୩ ଲକ୍ଷ କୋଟି ଟଙ୍କାର ନୂଆ ଋଣ ଦେଇଛନ୍ତି। ଏହା ସହିତ ବ୍ୟାଙ୍କଗୁଡିକର ମୋଟ ଋଣ ୧୭୫. ୫୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ଯାଇଛି। ଏହା ପୂର୍ବ […]
ନୂଆଦିଲ୍ଲୀ : ଭାରତୀୟଙ୍କ ଉପରେ ଋଣଭାର ବଢ଼ିବାରେ ଲାଗିଛି। ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଲୋକେ ଋଣ କରି ଚାଲିଥିବାରୁ ଏପରି ହେଉଛି। ଋଣ ନେବାରୁ ପୂର୍ବ ବର୍ଷର ରେକର୍ଡକୁ ଲୋକେ ଭାଙ୍ଗି ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ପ୍ରଥମ ୧୧ ମାସରେ ବ୍ୟାଙ୍କଗୁଡିକ ୧୫.୩୩ ଲକ୍ଷ କୋଟି ଟଙ୍କାର ନୂଆ ଋଣ ଦେଇଛନ୍ତି। ଏହା ସହିତ ବ୍ୟାଙ୍କଗୁଡିକର ମୋଟ ଋଣ ୧୭୫. ୫୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ଯାଇଛି। ଏହା ପୂର୍ବ ବର୍ଷ ତୁଳନାରେ ୯.୩ ପ୍ରତିଶତ ଅଧିକ। ଲୋକେ ସବୁଠୁ ଅଧିକ ବ୍ୟକ୍ତିଗତ ଋଣ ନେଇଛନ୍ତି। ମୋଟ ନୂଆ ଋଣରେ ବ୍ୟକ୍ତିଗତ ଋଣ ପରିମାଣ ସର୍ବାଧିକ ରହିଛି। ତେବେ ଉଦ୍ୟୋଗ କ୍ଷେତ୍ରକୁ ଦିଆଯାଉଥିବା ଋଣ ହ୍ରାସ ପାଇଛି। ଏହା କେବଳ ୧୪.୫ ପ୍ରତିଶତ ରହିଛି। ସେହିପରି ଉଦ୍ୟୋଗ କ୍ଷେତ୍ରକୁ ଦିଆଯାଇଥିବା ଋଣଠାରୁ ଗୃହଋଣ ଅଧିକ ରହିଛି। ଏହା ପ୍ରାୟ ୧୭ ପ୍ରତିଶତ ରହିଛି।
ରିପୋର୍ଟ ଅନୁଯାୟୀ ୧୫.୩୩ ଲକ୍ଷ କୋଟିର ‘ନନ୍ ଫୁଡ୍ ଲୋନ୍’ରେ ବ୍ୟକ୍ତିଗତ ଋଣ ସର୍ବାଧିକ ରହିଛି। ଏହା ୫.୪୭ ଲକ୍ଷ କୋଟିରେ ପହଞ୍ଚି ଯାଇଛି। ଏହି ରାଶି ମୋଟ ଋଣର ୩୫.୭୧ ପ୍ରତିଶତ। ଏହା ପଛରେ ସେବା କ୍ଷେତ୍ର ରହିଛି। ଏହି କ୍ଷେତ୍ରକୁ ୪.୬୪ ଲକ୍ଷ କୋଟିର ଋଣ ଦିଆଯାଇଛି। ଏହା ମୋଟ ଋଣର ୩୦.୩ ପ୍ରତିଶତ। ସେହିପରି ବ୍ୟକ୍ତିଗତ ଋଣରେ ଗୃହଋଣର ଚାହିଦା ସର୍ବାଗ୍ରେ ରହିଛି। ଏହା ୨.୬ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି। ଏହା ମୋଟ ଋଣର ୧୬.୯୫ ପ୍ରତିଶତ। ଏବେ ବ୍ୟକ୍ତିଗତ ଋଣ ନେବା ବହୁତ ସହଜ ହୋଇଯାଇଛି। ଏଭଳି ଅନେକ ଏନ୍ବିଏଫ୍ସି କମ୍ପାନୀ ଅଛନ୍ତି ଯେଉଁମାନେ ବହୁତ କମ୍ କାଗଜପତ୍ରରେ ସହଜରେ ଋଣ ପ୍ରଦାନ କରୁଛନ୍ତି। ଏହି ଋଣ ପାଇଁ ବ୍ୟାଙ୍କ ଯିବାକୁ ପଡୁନାହିଁ। ଅନ୍ଲାଇନରେ ସବୁ କାମ ହେଇଯାଉଛି। ବୃତ୍ତିଗତଙ୍କୁ ଆହୁରି ଶୀଘ୍ର ଏବଂ ସୁବିଧାରେ ଋଣ ମିଳିପାରୁଛି। ଏଥିଯୋଗୁଁ ବ୍ୟକ୍ତିଗତ ଋଣ ଚାହିଦା ବଢ଼ିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ଶିଳ୍ପ କ୍ଷେତ୍ରକୁ କେବଳ ୨.୨୨ ଲକ୍ଷ କୋଟି ଟଙ୍କାର ଋଣ ଦିଆଯାଇଛି। ଏହା ମୋଟ ଋଣର ୧୪.୫୧ ପ୍ରତିଶତ ରହିଛି।
କୃଷି ଋଣରେ ମଧ୍ୟ ଦ୍ରୁତ ବୃଦ୍ଧି ଦେଖା ଦେଇଛି। ଏହା ୧.୯୩ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି। ଏହା ମୋଟ ଋଣର ୧୨.୫୯ ପ୍ରତିଶତ ରହିଛି। ବଡ଼ ଶିଳ୍ପକୁ ଋଣ ପ୍ରଦାନ ହାର ସାମାନ୍ୟ ମନ୍ଥର ରହିଛି। ଏହି କମ୍ପାନୀଗୁଡିକୁ କେବଳ ୧.୧୫ ଲକ୍ଷ କୋଟିର ଋଣ ମିଳିଛି। ସେବା କ୍ଷେତ୍ରରେ ବ୍ୟବସାୟ ଏବଂ ରିୟଲ ଇଷ୍ଟେଟରେ ସର୍ବାଧିକ ଋଣ ନିଆଯାଇଛି। ଏଭଳି କିଛି କ୍ଷେତ୍ର ଅଛନ୍ତି ଯାହାର ଋଣ ହାର ହ୍ରାସ ପାଇଛି। ହାଉସିଂ ଫାଇନାନ୍ସ କମ୍ପାନୀ ଗୁଡିକର ୧୦୫୧ କୋଟି ଟଙ୍କା କ୍ଷତି ହୋଇଛି। ପବ୍ଲିକ ଫାଇନାନ୍ସ ଇନଷ୍ଟିଚ୍ୟୁସନ୍ସ ଗୁଡିକର ୯୩୬୯ କୋଟି ଟଙ୍କା କ୍ଷତି ହୋଇଛି। ତେବେ ସୁନା ଋଣ ବୃଦ୍ଧି ପାଇଛି। ଏହି ଋଣ ୮୮, ୬୩୬ କୋଟି ଟଙ୍କା (୫.୭୮%) ବୃଦ୍ଧି ପାଇଛି। ଅର୍ଥାତ୍ ଲୋକେ ସୁନା ବନ୍ଧା ରଖି ଋଣ ନେଉଛନ୍ତି। ସେହିପରି ଗାଡ଼ି ଋଣ ୪୬, ୩୮୪ କୋଟି ଟଙ୍କା (୩.୦୨%) ବଢ଼ିଛି। କ୍ରେଡିଟ କାର୍ଡରେ ବ୍ୟୟ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। କ୍ରେଡିଟ କାର୍ଡ ବକେୟା ବିଲ୍ ୩୦, ୦୩୧ କୋଟି ଟଙ୍କା (୧.୦୫%) ବୃଦ୍ଧି ପାଇଛି।






