ମନରେଗାରେ ୨୫ କୋଟି କାର୍ଯ୍ୟଦିବସ ସହ ଓଡ଼ିଶାର ବକେୟା ଥିବା ୧୦୮୮.୭୨ କୋଟି ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

The Sakala Picture
Published On

ଭୁବନେଶ୍ବର : ମନରେଗା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନରେଗାରେ କାର୍ଯ୍ୟ ଦିବସ ବୃଦ୍ଧି କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୧-୨୨ ଆର୍ଥିକ ବର୍ଷରେ ୨୫ କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ। କରୋନା କାଳରେ ବହୁ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଆସିଛନ୍ତି। ଏହି ସମୟରେ ସେମାନଙ୍କୁ ରୋଜଗାର ଦେବା ପାଇଁ ରାଜ୍ୟ ସରକାର ମନରେଗା ଯୋଜନାକୁ ଗୁରୁତ୍ୱ ଦେଉଛନ୍ତି । […]

ଭୁବନେଶ୍ବର : ମନରେଗା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନରେଗାରେ କାର୍ଯ୍ୟ ଦିବସ ବୃଦ୍ଧି କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୧-୨୨ ଆର୍ଥିକ ବର୍ଷରେ ୨୫ କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ। କରୋନା କାଳରେ ବହୁ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଆସିଛନ୍ତି। ଏହି ସମୟରେ ସେମାନଙ୍କୁ ରୋଜଗାର ଦେବା ପାଇଁ ରାଜ୍ୟ ସରକାର ମନରେଗା ଯୋଜନାକୁ ଗୁରୁତ୍ୱ ଦେଉଛନ୍ତି । ସେଥିପାଇଁ ଅଧିକ ଶ୍ରମ ଦିବସ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏଥି ସହିତ ମନରେଗାରେ କେନ୍ଦ୍ର ଠାରୁ ଓଡ଼ିଶା ୧୦୮୮.୭୨ କୋଟି ଟଙ୍କା ପାଇବାର ଅଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ତାହା ପ୍ରଦାନ କରିନାହାନ୍ତି।  ବେକାରୀଙ୍କୁ ମନରେଗା ଯୋଜନା ଅଧୀନରେ ମଜୁରୀ ଦେବା ନିୟମ ରହିଛି ଏଣୁ ଠିକ୍‌ ସମୟରେ ବକେୟା ମନରେଗା ପାଣ୍ଠି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ ଯେ, ପ୍ରକୃତ ଭାରତ ଗାଁରେ ରହିଛି। ତେଣୁ ସମଗ୍ର ଦେଶରେ ସ୍ୱରାଜ୍ୟ ଆଣିବା ପାଇଁ ଗ୍ରାମ୍ୟ ସ୍ୱରାଜ ଆଣିବାକୁ ପଡ଼ିବ। ଗ୍ରାମାଞ୍ଚଳରେ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ ସମ୍ମାନର ସହ ରୋଜଗାର ଦେବା ପାଇଁ ଜାତୀୟ ସ୍ତରରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମଯୋଗାଣ ଯୋଜନା (ମନରେଗା) କାର୍ଯ୍ୟକାରୀ ହୋଇ ଆସୁଅଛି। ହେଲେ ବର୍ତ୍ତମାନ ମନରେଗା ରେ କେନ୍ଦ୍ର ସରକାରଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଛି। ୨୦୨୧-୨୨ ଆର୍ଥିକ ବର୍ଷ ସରିବାକୁ ପ୍ରାୟ ୫ ମାସ ବାକି ରହିଛି। ଯଦି ମନରେଗା କାର୍ଯ୍ୟ ବାଧାପ୍ରାପ୍ତ ହୁଏ, ତେବେ ଦେଶର ଗ୍ରାମାଞ୍ଚଳ ଭିତ୍ତିଭୂମି ନିର୍ମାଣ ପ୍ରଭାବିତ ହେବା ସହ ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ଜୀବିକା ମଧ୍ୟ ପ୍ରଭାବିତ ହେବ।

ମନରେଗା ସମ୍ପର୍କିତ ସରକାରୀ ୱେବ ସାଇଟ୍‍ ଏବଂ ବିଭିନ୍ନ ରିପୋର୍ଟକୁ ଅନୁଶୀଳନ କରିବା ପରେ ଜଣାପଡ଼ିଛି ଯେ, ଦେଶର ୩୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ୨୧ଟିରେ ଶତ ପ୍ରତିଶତ ଆବଣ୍ଟିତ ଶ୍ରମ ଦିବସ ନିଜର ଲକ୍ଷ୍ୟ ପୂରଣ କରିସାରିଲେଣି। ଆଉ ଦିନ କେଇଟା ପରେ ଓଡ଼ିଶା ଏହି ତାଲିକାରେ ସାମିଲ ହେବ। ସାମଗ୍ରିକ ଭାବେ ମନରେଗାର ନେଟ୍‍ ଅର୍ଥରାଶି ବିଯୁକ୍ତାତ୍ମକ ୮୬୮୬ କୋଟି ଟଙ୍କା ରହିଛି। ବହୁ ପୂର୍ବରୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ସାମଗ୍ରୀ ବାବଦ ଦେୟ ବକେୟା ରହିଛି। ବର୍ତ୍ତମାନ ସ୍ଥିତି ଯାହା ରହିଛି, ଏହି ଅର୍ଥ କେନ୍ଦ୍ର ରାଜ୍ୟଗୁଡିକୁ ପ୍ରଦାନ କରିବାରେ ଆହୁରି ବିଳମ୍ବିତ କରିପାରେ। କୋଭିଡ ପରିସ୍ଥିତିରେ ଲକ୍‍ ଡାଉନ ଯୋଗୁ ଅର୍ଥନୀତି ବହୁଳ ଭାବେ ପ୍ରଭାବିତ ହୋଇଥିଲା। ଏହା ପରେ ଗ୍ରାମୀଣ ଅର୍ଥନୀତି ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର ଉନ୍ନତି ପାଇଁ ମନରେଗା ଉପାଦେୟ ହୋଇଥିଲା। ମାତ୍ର ଏଥିପାଇଁ କେନ୍ଦ୍ର ଚଳିତ ଆର୍ଥିକ ବର୍ଷରେ ବଜେଟ ୭୩,୦୦୦ କୋଟି ଟଙ୍କା ଅର୍ଥ ବ୍ୟବସ୍ଥା କରିଥିଲା; ହେଲେ ଚଳିତ ଅକ୍ଟୋବର ୨୯ ତାରିଖ ସୁଦ୍ଧା ମନରେଗା ବାବଦ ବ୍ୟୟ ଓ ମଜୁରୀ ଖର୍ଚ୍ଚ ୭୯,୮୧୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି।

ଓଡ଼ିଶାରେ ସାମଗ୍ରୀ ଦେୟ ୭୫୨ କୋଟି ଟଙ୍କା ବକେୟା ରହିଛି। ହେଲେ ରାଜସ୍ଥାନୀ ସ୍ଥିତି ଆହୁରି ସଙ୍ଗୀନ ରହିଛି। ଦୀପାବଳିକୁ ୪ ଦିନ ସମୟ ରହିଥିବା ବେଳେ ରାଜସ୍ଥାନର ୬୪ ହଜାର ଶ୍ରମିକଙ୍କୁ ଦେବା ପାଇଁ ୧୦୬ କୋଟି ଟଙ୍କାର ବକେୟା ରହିଛି। ସେହିପରି ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁରେ ଯଥାକ୍ରମେ ୨୩୨୩ କୋଟି ଏବଂ ୧୯୯୯ କୋଟି ଟଙ୍କା ଅଧିକ ବ୍ୟୟ ହୋଇସାରିଲାଣି। ନିକଟରେ ଓଡ଼ିଶାକୁ ମାତ୍ର ୨ କୋଟି ୧୦ ଲକ୍ଷ ମନରେଗା ଶ୍ରମ ଦିବସ ମଞ୍ଜୁରୀ କରାଯାଇଛି, ଯାହା ଖୁବ୍‍ କମ୍‍ ଦିନରେ ସରିଯିବ। ତେଣୁ ଆଗାମୀ ଦିନରେ କେନ୍ଦ୍ର ମନରେଗା ମାଧ୍ୟମରେ କରାଯାଉଥିବା କାର୍ଯ୍ୟ ବନ୍ଦ ନିଷ୍ପତ୍ତି ନେଇପାରେ ବୋଲି ଅଧିକାରୀମାନେ ଆଶଙ୍କା କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୦୨୦-୨୧ରେ ରାଜ୍ୟରେ ୨୦ କୋଟି ୫୦ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇପାରିଥିଲା। ଏହା ରାଜ୍ୟର ଶ୍ରମ ଶକ୍ତିର ଆୟତନକୁ ଦେଖିଲେ ଏକ ଜାତୀୟ ରେକର୍ଡ। ମାତ୍ର ଏହାକୁ କେନ୍ଦ୍ର ପକ୍ଷରୁ ସମ୍ପୂର୍ଣ୍ଣ ଅଣଦେଖା କରି ମାତ୍ର ୧୪ କୋଟି ଶ୍ରମ ଦିବସ ମଞ୍ଜୁର କରାଯାଇଥିଲା। ଯାହା ପୂର୍ବ ବର୍ଷ ଉପଲବ୍ଧି ଠାରୁ ୬ କୋଟି ୫୦ ଲକ୍ଷ ଦିନ କମ୍‍। ଏନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯିବା ପରେ ମାତ୍ର ୨ କୋଟି ୧୦ ଲକ୍ଷ ଶ୍ରମ ଦିବସ ବୃଦ୍ଧି ପାଇଛି। ଏହା ସତ୍ତ୍ବେ ମଧ୍ୟ ଗତ ବର୍ଷ ହାସଲ ହୋଇଥିବା ଲକ୍ଷ୍ୟ ନିକଟତର ହୋଇପାରିନାହିଁ। ସାମଗ୍ରିକ ଭାବେ ରାଜ୍ୟର ଶ୍ରମ ଦିବସ ୧୬ କୋଟି ୧୦ ଲକ୍ଷ ଶ୍ରମ ଦିବସ ରହିଛି। କେନ୍ଦ୍ର ପକ୍ଷରୁ ମନରେଗା ୱେବସାଇଟ୍‍ରେ ପ୍ରତିଦିନ ପରିସଂଖ୍ୟନ ଅପ-ଟୁ-ଡେଟ୍‍ ହେଉଥିଲେ ମଧ୍ୟ ଏହା ପୂର୍ବପରି ୧୪ କୋଟି ଦେଖାଉଛି।

About The Author

ରାଶିଫଳ