ଏସିଆ କପ୍: ସୁପର-୪ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା
ଦୁବାଇ: ଚଳିତ ଏସିଆ କପ୍ ରେ ଭାରତ ଆଜି ସୁପର-୪ରେ ତା’ର ଦ୍ୱିତୀୟ ମ୍ୟାଚ୍ ରେ ଶ୍ରୀଲଙ୍କାକୁ ଭେଟିବ। ରବିବାର ଭାରତ ୫ ୱିକେଟରେ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା। ଫଳରେ ଭାରତ ପାଇଁ ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ରେ ‘କର ବା ମର’ ସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନଠାରୁ ହାରିବା ପରେ ଭାରତର ବୋଲିଂ ଓ ଫିଲ୍ଡିଂ ଦୁର୍ବଳତା ଓ ଦଳ ଚୟନ ନେଇ ଦ୍ୱନ୍ଦ୍ୱ ପଦାରେ ପଡ଼ିଛି। ଏହି […]
ଦୁବାଇ: ଚଳିତ ଏସିଆ କପ୍ ରେ ଭାରତ ଆଜି ସୁପର-୪ରେ ତା’ର ଦ୍ୱିତୀୟ ମ୍ୟାଚ୍ ରେ ଶ୍ରୀଲଙ୍କାକୁ ଭେଟିବ। ରବିବାର ଭାରତ ୫ ୱିକେଟରେ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା। ଫଳରେ ଭାରତ ପାଇଁ ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ରେ ‘କର ବା ମର’ ସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନଠାରୁ ହାରିବା ପରେ ଭାରତର ବୋଲିଂ ଓ ଫିଲ୍ଡିଂ ଦୁର୍ବଳତା ଓ ଦଳ ଚୟନ ନେଇ ଦ୍ୱନ୍ଦ୍ୱ ପଦାରେ ପଡ଼ିଛି। ଏହି ମ୍ୟାଚ୍ ରେ ଭାରତ ଓ ଶ୍ରୀଲଙ୍କା ପରସ୍ପରକୁ ୨୬ଥର ପାଇଁ ଭେଟିବେ। ଟି-୨୦ରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ଭଲ ରେକର୍ଡ ରହିଛି। ଗତ ୨୫ଟି ମୁକାବିଲାରେ ଭାରତ ୧୭ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାଜୟ ବରଣ କରିଛି। ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲା।
ଏହାପୂର୍ବରୁ ୨୦୧୬ ମାର୍ଚ୍ଚ ୧ରେ ଢାକାର ମୀରପୁରରେ ଦୁଇଦଳ ଟି-୨୦ ଏସିଆ କପ୍ରେ ପରସ୍ପରକୁ ଭେଟିଥିଲେ ଓ ଏଥିରେ ଭାରତ ୫ ୱିକେଟରେ ବିଜୟ ହାସଲ କରିଥିଲା। ଟି-୨୦ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଶ୍ରୀଲଙ୍କା ଦଳରେ ଏକାଧିକ ମ୍ୟାଚ୍ ୱିନର ରହିଛନ୍ତି। ଦଳରେ ପଥୁମ ନିଶାଙ୍କା, କୁସଲ ମେଣ୍ଡିସ୍, ଦନୁଷ୍କା ଗୁଣତିଲକା ଓ ଭାନୁକା ରାଜପକ୍ଷେଙ୍କ ଭଳି ବ୍ୟାଟର ରହିଛନ୍ତି। ଗତ ଆଫଗାନିସ୍ତାନ ବିପକ୍ଷରେ ଏମାନେ ଦମ୍ଦାର ପ୍ରଦର୍ଶନ କରିଛନ୍ତି। ସୁପରଷ୍ଟାର ବିରାଟ କୋହଲି ଓ ଲୋକେଶ ରାହୁଲ ଫର୍ମକୁ ଫେରିବ ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସି ଖବର ସାବ୍ୟସ୍ତ ହୋଇଛି। ଦୁବାଇର ଏହି ଷ୍ଟାଡିୟମରେ ଗତ ୫ଟି ଇନିଂସରେ ୧୮୦ରୁ ଊର୍ଦ୍ଧ୍ବ ସ୍କୋର ହୋଇଛି। ତେବେ ପିଚ୍ ଉପରେ ସବୁକିଛି ନିର୍ଭର କରେ। ଅପରପକ୍ଷରେ ଶ୍ରୀଲଙ୍କା ଏହି ମ୍ୟାଚ ଜିତି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚ୍ ରେ ଆଫଗାନିସ୍ତାକୁ ହରାଇଥିବାରୁ ଶ୍ରୀଲଙ୍କ ବିଜୟୀ ହେଲେ ଫାଇନାଲରେ ସ୍ଥାନ ପକ୍କା କରିବାର ନିକଟତର ହେବ। ଶ୍ରୀଲଙ୍କା ଦଳ ଅପରିବର୍ତ୍ତିତ ରହିବ ବୋଲି ଆଶା କରାଯାଉଛି। ଦ୍ରୁତ ବୋଲର ଆଭେସ ଖାନ୍ ଉପଲବ୍ଧ ହେଲେ ଭାରତ ୩ ଦ୍ରୁତ ବୋଲର, ଜଣେ ସ୍ପିନର ଓ ଦୁଇଜଣ ଅଲରାଉଣ୍ଡରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। ଫଳରେ ରବି ବିଷ୍ଣୋଇଙ୍କ ବଦଳରେ ଅକ୍ଷର ପଟେଲ ଦଳରେ ସ୍ଥାନ ପାଇବେ।






