ଆଧୁନିକତାର ପ୍ରଭାବରେ ବଦଳିଛି ପୋଷାକ ପରିଧାନର ଟ୍ରେଣ୍ଡ, ମଲ୍ ଓ ଦୋକାନକୁ ଭୁଲି ଯୁବପିଢ଼ି ଏବେ ‘ବୁଟିକ୍’ ମୁହାଁ

The Sakala Picture
Published On

ଭୁବନେଶ୍ୱର(ଲଭ୍‌ଲି, ଅନୁରାଧା): ପୋଷାକ କେବଳ ଲଜ୍ଜା ନିବାରଣ କରେନାହିଁ; ଏହା ମଣିଷର ବ୍ୟକ୍ତିତ୍ବକୁ ପରିସ୍ଫୁଟିକ କରିଥାଏ। ସାଧାରଣ ସାମାଜିକ ଚଳଣିରେ କିଛି ଲୋକ ନିଜର ବେଶ ପରିପାଟୀକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଆଧୁନିକତାର ପ୍ରଭାବରେ ଏବେ ନିତିଦିନିଆ ସାମାଜିକ ଜୀବନରେ ପୋଷାକ ପରିଧାନର ଟ୍ରେଣ୍ଡ ବଦଳିଛି। କର୍ମକ୍ଷେତ୍ର ଓ ପରିବେଶକୁ ଦୃଷ୍ଟିରେ ରଖି ଲୋକମାନେ ନିଜର ପୋଷାକ ପିନ୍ଧା ଶୈଳୀ ପ୍ରତି ଯତ୍ନବାନ ହେଉଛନ୍ତି। ବିଶେଷକରି ବିଭିନ୍ନ ଡିଜାଇନ୍‌ର ଡ୍ରେସ୍ ପ୍ରତି ଯୁବପିଢ଼ିଙ୍କ ଆକର୍ଷଣ ବଢୁଛି। ଏଥିରୁ […]

ଭୁବନେଶ୍ୱର(ଲଭ୍‌ଲି, ଅନୁରାଧା): ପୋଷାକ କେବଳ ଲଜ୍ଜା ନିବାରଣ କରେନାହିଁ; ଏହା ମଣିଷର ବ୍ୟକ୍ତିତ୍ବକୁ ପରିସ୍ଫୁଟିକ କରିଥାଏ। ସାଧାରଣ ସାମାଜିକ ଚଳଣିରେ କିଛି ଲୋକ ନିଜର ବେଶ ପରିପାଟୀକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଆଧୁନିକତାର ପ୍ରଭାବରେ ଏବେ ନିତିଦିନିଆ ସାମାଜିକ ଜୀବନରେ ପୋଷାକ ପରିଧାନର ଟ୍ରେଣ୍ଡ ବଦଳିଛି। କର୍ମକ୍ଷେତ୍ର ଓ ପରିବେଶକୁ ଦୃଷ୍ଟିରେ ରଖି ଲୋକମାନେ ନିଜର ପୋଷାକ ପିନ୍ଧା ଶୈଳୀ ପ୍ରତି ଯତ୍ନବାନ ହେଉଛନ୍ତି। ବିଶେଷକରି ବିଭିନ୍ନ ଡିଜାଇନ୍‌ର ଡ୍ରେସ୍ ପ୍ରତି ଯୁବପିଢ଼ିଙ୍କ ଆକର୍ଷଣ ବଢୁଛି। ଏଥିରୁ ଜନ୍ମନେଇଛି ନୂଆ ଟ୍ରେଣ୍ଡ ବୁଟିକ୍ କଲ୍‌ଚର୍। ସମକାଳୀନ ଓ କ୍ଲାସିକ୍ ଶୈଳୀର ଉତ୍କୃଷ୍ଟ ଡିଜାଇନ୍‌ର ଡ୍ରେସ୍ ଏହି ବୁଟିକ୍‌ରେ ହିଁ ମିଳୁଛି। ଫଳରେ ମଲ୍ ଓ ଦୋକାନକୁ ଭୁଲି ଯୁବପିଢ଼ି ଏବେ ବୁଟିକ୍ ମୁହାଁ। ପୋଷାକ ପରିପାଟୀର ଏହି ନୂଆ ଟ୍ରେଣ୍ଡ ବୁଟିକ୍ କଲ୍‌ଚର୍‌ ସମ୍ପର୍କରେ ଏହି ସ୍ବତନ୍ତ୍ର ଆଲେଖ୍ୟ।

ଆହୁରି ପଢ଼ନ୍ତୁ: ସାବଧାନ ! ବିବାହ ୱେବସାଇଟ୍‌ରେ ବି ଠକେଇ: ଡାକ୍ତର ପରିଚୟ ଦେଇ ଅସଲି ଡାକ୍ତରାଣୀଙ୍କୁ ଚୂନା ଲଗାଇଲେ

ବିବାହ ଋତୁରେ ଭିଡ଼
ବୁଟିକ୍‌ରେ ବାହାଘର ଏବଂ ପୂଜାପର୍ବାଣୀରେ ବେଶି ଭିଡ଼ ହୋଇଥାଏ। ବାହାଘରର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଯୁବକ ଯୁବତୀ ଲେହେଙ୍ଗା, ଗାଉନ୍‌, ସେରୱାନି, କୁର୍ତ୍ତା ଆଦି ଖୋଜୁଛନ୍ତି। ସେହିପରି ଗ୍ରାହକଙ୍କୁ ପର୍ବପର୍ବାଣୀରେ ପାରମ୍ପରିକ ପୋଷାକ ନୂଆ ଡିଜାଇନ୍‌ରେ ଯୋଗାଇ ଦିଆଯାଏ।

ସ୍ବତନ୍ତ୍ର ଷ୍ଟାଇଲକୁ ଗୁରୁତ୍ବ ଦିଏ ବୁଟିକ୍
ଦିଲ୍ଲୀର କିଛି ଜଣାଶୁଣା ବୁଟିକ୍ ସପ୍ ପୁନିତ୍ ଅରୋରା, ଅଙ୍କିତ ଭି କପୁର୍ ହେଉ କି ଭୁବନେଶ୍ବରର ପୋସ୍ ଆଫେୟାର୍ସ, ରିମଲିସ୍ କଲେକ୍ସନ, ଆଫ୍ରିନ୍, ସୋରେନା ଏବଂ ଛୋଟ ଛୋଟ ଅନେକ ବୁଟିକ୍ ପାଇଁ କାମ କରିଛନ୍ତି ଡା. ଶୁଭ କୁମାର ଦାସ। ସେ ବିଭିନ୍ନ ଫାଷ୍ଟ୍ ଫେଶନ ବ୍ରାଣ୍ଡର କଲେକସନ୍କୁ କୋଲାବରସନ କରିଥାନ୍ତି। ସେ କହନ୍ତି, ଏବେକା ଟ୍ରେଣ୍ଡ ହେଉଛି ବୁଟିକ୍ ଫେଶନ୍ର। ବୁଟିକ୍ରେ ଷ୍ଟାଇଲ୍କୁ ଗୁରୁତ୍ବ ଦିଆଯାଇ ଆଉଟ୍ଫିଟ୍ ତିଆରି କରାଯାଏ। ଯେଉଁମାନେ ନିଜ ବ୍ୟକ୍ତିତ୍ବ ପ୍ରତି ଅଧିକ ସଚେତନ, ସେମାନେ ବୁଟିକ୍‌କୁ ନିଜ ଷ୍ଟାଇଲର ଆଉଟ୍‌ଫିଟ୍ ପିନ୍ଧନ୍ତି। ପୁରୁଷଙ୍କ ପାଇଁ ଆଗରୁ ଯଦିଓ ଏତେ ସୁବିଧା ନ ଥିଲା, ଏବେ ସବୁ ଡିଜାଇନ ପୋଷାକ ମିଳିପାରୁଛି।

ସମ୍ବଲପୁରୀ ଓ ପଟ୍ଟଚିତ୍ରର ଲୋକପ୍ରିୟତା
ଏବେ ଓଡ଼ିଆମାନେ ପାରମ୍ପରିକ ଡ୍ରେସ୍‌ରେ ଆଧୁନିକ ଲୁକ୍‌ ଚାହୁଁଛନ୍ତି। ସେଥିପାଇଁ ସମ୍ବଲପୁରୀ କପଡ଼ାରେ କିଭଳି ଡିଜାଇନ୍‌ର ଡ୍ରେସ୍‌ ପିନ୍ଧିହେବ, ସେ ଦିଗରେ ପ୍ରତ୍ୟେକ ବୁଟିକ୍‌ ବେଶି ପ୍ରାଧାନ୍ୟ ଦେଉଛନ୍ତି। ସମ୍ବଲପୁରୀରେ ଅନାରକଲି, ଗାଉନ୍‌ ଆଦି ଡ୍ରେସ୍ ତିଆରି କରାଯାଉଥିବା ବେଳେ ପଟ୍ଟଚିତ୍ର ତଥା ଅନ୍ୟାନ୍ୟ ହାତତିଆରି କାମକୁ ମଧ୍ୟ ବୁଟିକ୍‌ରେ ଗୁରୁତ୍ବ ଦିଆଯାଉଛି। ବିଶେଷକରି ପଟ୍ଟଚିତ୍ର ଡିଜାଇନର ବ୍ଲାଉଜ୍‌କୁ ମହିଳାମାନେ ବେଶି ପସନ୍ଦ କରୁଛନ୍ତି। ଏ ପ୍ରକାର ବ୍ଲାଉଜ୍ ଅଢ଼େଇ ହଜାର ଟଙ୍କାରୁ ଆରମ୍ଭ।

ବଢୁଛି ଅନ୍‌ଲାଇନ୍ ବୁଟିକ୍‌ର ଚାହିଦା
ଦିନକୁ ଦିନ ଅନ୍ଲାଇନ୍‌ ବୁଟିକ୍‌ର ଚାହିଦା ବଢ଼ୁଛି। ସମସ୍ତେ ସବୁବେଳେ ବୁଟିକ୍‌ ଆସିପାରୁ ନ ଥିବା ବେଳେ ଅନ୍ଲାଇନ୍‌ ଲୋକଙ୍କୁ ଏହି ସୁବିଧା ପ୍ରଦାନ କରିଛି। ‘ଅମ୍ରୁ’ ବୁଟିକ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଲୋକଙ୍କ ସହ ସଫଳ ଭାବେ ଯୋଡ଼ି ହୋଇପାରିଛି। ଇନ୍‌ଷ୍ଟାରେ ପୂଜା ନିଜ ଭିଡଓ ସେୟାର୍‌ କରି ଡିଜାଇନର ଡ୍ରେସ୍‌ ପ୍ରଦର୍ଶନ କରିଥାନ୍ତି। ବିଭିନ୍ନ ପୂଜା ପର୍ବରେ ବୁଟିକ୍‌ରେ ତିଆରି ହେଉଥିବା ନୂଆ ନୂଆ ଡ୍ରେସ୍‌ର ପ୍ରଚାର କରନ୍ତି।

୬୦ ଦଶକରୁ ଲୋକପ୍ରିୟ
କୁହାଯାଏ, ୧୯୨୦ରେ ପ୍ୟାରିସ୍‌ରୁ ବୁଟିକ୍‌ ସଂସ୍କୃତି ଆରମ୍ଭ। ସେତେବେଳେ ଡିଜାଇନର୍‌ମାନେ ଘର ଭିତରେ ଦୋକାନ ଖୋଲି ଡ୍ରେସ୍‌ ପ୍ରଦର୍ଶନ କରୁଥିଲେ। ୧୯୬୦ ପରେ ବୁଟିକ୍‌ର ଲୋକପ୍ରିୟତା ବୃଦ୍ଧି ପାଇଥିଲା। ଡିଜାଇନର୍‌ ପୋଷାକ ଓ ଆସେସରିଜ୍ ଗୋଟିଏ ସ୍ଥାନରେ ମିଳିବାରୁ ଯୁବପିଢ଼ି ବୁଟିକ୍‌କୁ ପସନ୍ଦ କଲେ। ଗୌରବର କଥା ଯେ, ଭାରତୀୟଙ୍କୁ ବୁଟିକ୍ ସଂସ୍କୃତି ସହ ପରିଚିତ କରାଇଛନ୍ତି ରିତୁ କୁମାର। କୋଲକାତାରେ ସେ ୫୦ ହଜାର ଟଙ୍କାରେ ଦୁଇଟି ଟେବୁଲ ଓ ବ୍ଲକ୍‌ ପ୍ରିଣ୍ଟ ଟେକ୍‌ନିକ୍‌ରୁ ବ୍ୟବସାୟ ଆରମ୍ଭ କରିଥିଲେ। ୬୦-୭୦ ଦଶକରେ ରିତୁ ବ୍ରାଇଡାଲ ୱିୟର୍‌ ଓ ଇଭିନିଂ ଡ୍ରେସ୍‌କୁ ପରିଚିତ କରାଇଲେ। ଯାହାକି ସେ ସମୟରେ ଥିଲା ସମ୍ପୂର୍ଣ୍ଣ ନୂତନ ପରିକଳ୍ପନା। ଭାରତ ପରେ ସେ ନ୍ୟୁୟର୍କ, ଲଣ୍ଡନରେ ବୁଟିକ୍‌ର ଅନେକ ଶାଖା ଖୋଲି ଆଜି ସେ ସବୁଠୁ ପ୍ରସିଦ୍ଧ ବୁଟିକ୍‌ ଡିଜାଇନର ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ସେଲିବ୍ରିଟିଙ୍କ ପ୍ରଥମ ପସନ୍ଦ
ଅର୍ଚ୍ଚିତା, ସବ୍ୟସାଚୀ, ବର୍ଷା, ଅନୁଭବ, ଜ୍ୟୋତି, ଅରିନ୍ଦମ୍‌, ଭୂମିକା, ଶୀତଲଙ୍କ ଭଳି ଆହୁରି ଅନେକ ତାରକା ‘ରାମୁଲି’, ‘ଜିନ୍ନତ’ ଆଦି ବୁଟିକ୍‌ରେ ଡ୍ରେସ୍‌ ଡିଜାଇନ ଉପରେ ଗୁରୁତ୍ବ ଦିଅନ୍ତି। ତା’ସହ ଫିଲ୍ମ ତଥା ଧାରାବାହିକ କଳାକାରଙ୍କ ପାଇଁ ଡ୍ରେସ୍‌ ବୁଟିକ୍‌ରୁ ଯାଏ। ତେବେ ଅନ୍ୟ କେହି ପିନ୍ଧି ନ ଥିବା ନୂଆ ଷ୍ଟାଇଲ ଓ ଡିଜାଇନ୍‌ର ଡ୍ରେସ୍‌ ପିନ୍ଧିବାକୁ ତାରକାମାନେ ସବୁବେଳେ ଚାହାନ୍ତି। ସେଥିପାଇଁ ସେମାନେ ବୁଟିକ୍‌କୁ ପସନ୍ଦ କରନ୍ତି। କିଛି ଡିଜାଇନ୍‌ ସେମାନେ କହୁଥିବା ବେଳେ ଆଉ କିଛି ବୁଟିକ୍‌ର ଡିଜାଇନରମାନେ ସେମାନଙ୍କ ସହ ସେୟାର୍‌ କରିଥାନ୍ତି। ଏହିପରି ନୂଆ ଡିଜାଇନ ସୃଷ୍ଟି ହେଉଥିବା କହନ୍ତି, ହଂସପାଳ ସ୍ଥିତ ‘ଅମ୍ରୁ’ ବୁଟିକ୍‌ର ପ୍ରତିଷ୍ଠାତ୍ରୀ ପୂଜା ଅର୍ପିତା ସ୍ବାଇଁ। ତାଙ୍କ ଷ୍ଟୋର୍‌ ଲୋକଙ୍କୁ କମ୍ ଦାମ୍‌ରେ ଡିଜାଇନର ପୋଷାକ ଯୋଗାଇଥାଏ। ବୁଟିକ୍‌ରେ ଅଧିକ ଦାମ୍‌ର ପୋଷାକ ମିଳିବା କଥାକୁ ସେ ଖଣ୍ଡନ କରି କହିଛନ୍ତି, ସବୁ ବୁଟିକ୍‌ ସମାନ ନୁହେଁ। ଡିଜାଇନ୍‌ ଉପରେ ହିଁ ଡ୍ରେସ୍‌ର ଦାମ୍‌ ନିର୍ଭର କରିଥାଏ।

ବୁଟିକ୍‌ରୁ କାହିଁକି କିଣିବେ
ବୁଟିକ୍‌ରେ ଡିଜାଇନର ଡ୍ରେସ୍‌ଠୁ ଆରମ୍ଭ କରି ଗହଣା, ଜୋତା ଚପଲ, ଟୋପିର ପୂରା ମ୍ୟାଚିଂ ସେଟ୍ ମିଳିଥାଏ। ଏଠାରେ ସୀମିତ ସଂଖ୍ୟକ ଡିଜାଇନରଙ୍କ ଡ୍ରେସ୍‌ ମିଳିଥାଏ, ଯାହାକି ମଲ୍‌ ତଥା ଦୋକାନରେ ମିଳିବା ସହଜ ନୁହେଁ। ସେହିପରି ଗ୍ରାହକଙ୍କୁ ବୁଟିକ୍‌ରେ ସବୁପ୍ରକାର ସୁବିଧା ମିଳେ। ସେମାନେ ଉଚ୍ଚତା ଓ ଶରୀରର ଆକାର ଅନୁସାରେ ଠିକ୍‌ ମାପରେ ଡ୍ରେସ୍‌ ପାଇଥାନ୍ତି। ଗ୍ରାହକ ଯେଭଳି ଡିଜାଇନ୍‌ ଚାହାଁନ୍ତି, ସେହି ଅନୁସାରେ ସେମାନଙ୍କର ପସନ୍ଦର ଡ୍ରେସ୍ ମିଳିଯାଏ।

ହସ୍ତତନ୍ତ ବସ୍ତ୍ରକୁ କ୍ଲାସି ଲୁକ୍ ଦିଏ ‘ରାମୁଲି କ୍ରିଏସନ୍’
ଲକ୍ଷ୍ମୀସାଗର ସ୍ଥିତ ‘ରାମୁଲି କ୍ରିଏସନ୍’ ହେଉଛି ଏକ ଜଣାଶୁଣା ଫେଶନ୍ ବ୍ରାଣ୍ଡ। ଓଡ଼ିଶାରେ ହସ୍ତତନ୍ତ ବୁଣା କାମ ବିଶ୍ବ ଦରବାରରେ ପରିଚିତ। ଏହାର କାଳଜୟୀ ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ଫେଶନ୍ ଡିଜାଇନର ରାମୁଲି ପଟ୍ଟନାୟକ ଖୋଲିଛନ୍ତି ‘ରାମୁଲି କ୍ରିଏସନ୍।’ ୨୫ ବର୍ଷ ଧରି ସେ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଓଡ଼ିଶା ହସ୍ତତନ୍ତର ସମସାମୟିକ ସୂକ୍ଷ୍ମ ଡିଜାଇନ୍ ପ୍ରସ୍ତୁତ କରି ଆସୁଛନ୍ତି। ଇକତ୍, ସମ୍ବଲପୁରୀ, ଏମ୍ବ୍ରୋଡୋରୀ, ପଟ୍ଟଚିତ୍ର, ପେଣ୍ଟିଂ ଏବଂ ଅନ୍ୟ ଭାରତୀୟ ହସ୍ତତନ୍ତରୁ ବସ୍ତ୍ର ପ୍ରସ୍ତୁତ କରାଯାଇ ତାହାକୁ ଫ୍ୟୁଜନ୍ ଏବଂ କ୍ଲାସି ଲୁକ୍ ଦିଆଯାଏ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସମ୍ଭ୍ରାନ୍ତ ଶ୍ରେଣୀର ବ୍ୟକ୍ତିଙ୍କ ଚାହିଦା ଅନୁସାରେ ତାଙ୍କ ପାଖେ ଡିଜାଇନ୍‌ର ଆଉଟ୍‌ଫିଟ୍ ଉପଲବ୍ଧ। ସେହିପରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀ ରାମୁଲିଙ୍କ କଲେକ୍ସନର ଶାଢ଼ି ପିନ୍ଧିଥାନ୍ତି। କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରୁ ଦିଲ୍ଲୀ, ଗୁଜରାଟ, ବମ୍ବେ, କୋଲକାତା ଆଦି ସ୍ଥାନରୁ ଅର୍ଡର ଦେଇ ଲୋକେ ଆଉଟ୍‌ଫିଟ୍ ମଗାନ୍ତି। ଏହି ବୁଟିକ୍ ଗୁଣାତ୍ମକ ଆଉଟ୍‌ଫିଟ୍‌କୁ ଗୁରୁତ୍ବ ଦିଏ। ଭାରତ ସମେତ କାଲିଫର୍ଣ୍ଣିଆ, ଚିକାଗୋ, ଲଣ୍ଡନ, ଆବୁଧାବୀ ଆଦିରେ ସେ ନିଜର ସଂଗ୍ରହ ପ୍ରଦର୍ଶନ କରିଛନ୍ତି। ଭବିଷ୍ୟତରେ ଅଭିନବ ଡିଜାଇନ ଆଣିବାକୁ ଲକ୍ଷ୍ୟ ରଖିବା ସହ କନସେପ୍ଟ ସୁଟ୍‌ରେ ବିଶ୍ବାସ କରନ୍ତି ରାମୁଲି।

ପିଲା ଚାହୁଁଛନ୍ତି କଷ୍ଟ୍‌ମାଇଜ୍‌ ଡ୍ରେସ୍‌
ବୁଟିକ୍‌ରେ ଛୋଟ ପିଲାଙ୍କ ପାଇଁ ରହିଛି ଭଳିକି ଭଳି ଡିଜାଇନର ପୋଷାକ। ଏଠାରେ ୫-୬ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଡ୍ରେସ୍‌ ମିଳିଥାଏ। ଜନ୍ମଦିନ ଉତ୍ସବ ତଥା ଅନ୍ୟାନ୍ୟ ପର୍ବପର୍ବାଣି ପାଇଁ ପିଲାଙ୍କ ପାଇଁ ଡ୍ରେସ୍‌ ତିଆରି କରାଯାଏ। ଏପରିକି ବୁଟିକ୍‌ରେ ବାପା, ମାଆଙ୍କ ସହ ମ୍ୟାଚିଂ ଡିଜାଇନର ପୋଷାକ ସେମାନଙ୍କ ପାଇଁ ତିଆରି ହୁଏ।

ଡିଜାଇନର୍‌ଙ୍କ ପ୍ରାଧାନ୍ୟ ବେଶି
ଟେଲିଂର ଓ ବୁଟିକ୍ ଦୁଇଟି ଯାକ ସମ୍ପୂର୍ଣ୍ଣ ଭିନ୍ନ। ଏଥିପାଇଁ ପ୍ରଫେସନାଲ କୋର୍ସ ସହ ସୃଜନାତ୍ମକ ଜ୍ଞାନକୌଶଳ ଜରୁରୀ। ସେହିପରି ବୁଟିକ୍ କାମ ସାଧାରଣ ଦରଜିଙ୍କ ପକ୍ଷେ କରିବା ସମ୍ଭବ ନୁହେଁ। ଡେଲି ଵିୟର୍, ପ୍ରଫେସ୍ନାଲ ତଥା ୱେଡିଂ ୱିୟର୍ ପାଇଁ ଲୋକେ ବୁଟିକ୍‌କୁ ଆସନ୍ତି। ରାଜଧାନୀର ବିଭିନ୍ନ ସ୍ଥାନରେ ମାଳମାଳ ବୁଟିକ୍‌ ଥିବା ବେଳେ ମାର୍କେଟ ବିଲ୍ଡିଂ ବିଏମ୍‌ସି କେଶରୀ ମଲ୍‌ରେ ରହିଛି ୪-୫ଟି ବୁଟିକ୍।

ସବୁଠୁ ପୁରୁଣା ‘ବୁଟିକ୍ ଷ୍ଟୁଡିଓ’
ବାପୁଜୀ ନଗରରେ ତରିନା ସେନ୍‌ଙ୍କ ‘ତରିନା ବୁଟିକ୍ ଷ୍ଟୁଡ଼ିଓ’ କେବଳ ମହିଳାଙ୍କ ଆଉଟ୍‌ଫିଟ୍ ପାଇଁ ଉଦ୍ଦିଷ୍ଟ। ଏମ୍ବ୍ରୋଡୋରି ଏବଂ ହସ୍ତତନ୍ତ କାମ ଏଠାରେ ଅଧିକ କରାଯାଏ। ଏ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ପ୍ରାୟ ୨୭ ବର୍ଷରୁ ଊର୍ଦ୍ଧ୍ବ। ଆଜିର ଟେକ୍ନୋଲୋଜି ଯୁଗରେ ବି ସେ ଅନଲାଇନ୍ ବ୍ୟବସାୟ କରନ୍ତିନି। ସେ ଡିଜାଇନ୍ ବ୍ଲାଉଜ, ଶଲୱାର୍, ସୁଟ୍, ସ୍କଟ୍, ଦୁପଟ୍ଟା ତିଆରି କରିଥାନ୍ତି।

ବାଦ୍ ପଡ଼ିନାହାନ୍ତି ଇନ୍‌ଫ୍ଲ୍ୟୁଏନ୍‌ସର୍‌
ବୁଟିକ୍‌ରେ ଡିଜାଇନ୍‌ ଡ୍ରେସ୍‌ର ପ୍ରଚାର ପ୍ରସାର ସେଲିବ୍ରିଟି ଓ ମଡେଲ୍‌କୁ ସମେତ ଫେଶନ୍ ଇନ୍‌ଫ୍ଲ୍ୟୁଏନ୍ସରମାନେ ମଧ୍ୟ କରିଥାନ୍ତି। ଅନେକ ଇନ୍‌ଫ୍ଲ୍ୟୁଏନ୍ସର୍ ସ୍ବତଃପ୍ରବୃତ୍ତ ଭାବେ ବୁଟିକ୍ ଡ୍ରେସ୍‌ର ପ୍ରଚାର ପ୍ରସାର କରୁଥିବା ବେଳେ ସେମାନେ ଦିନ ହିସାବରେ ନଚେତ ଘଣ୍ଟା ପିଛା ପାରିଶ୍ରମିକ ନିଅନ୍ତି। ସେଲିବ୍ରିଟିଙ୍କୁ ନୂଆ ଡିଜାଇନ୍‌ର ଡ୍ରେସ୍ ଦେବା ପୂର୍ବରୁ ତାହାକୁ ପ୍ରଥମେ ମଡେଲମାନେ ହିଁ ପିନ୍ଧି ପ୍ରଦର୍ଶନ କରିଥାନ୍ତି ବୋଲି କହିଛନ୍ତି ମଧୁସ୍ମିତା। ମଡେଲିଂ ଡିଜାଇନ କ୍ଷେତ୍ରରେ ସେ ଏବେ ଜଣେ ଆଗଧାଡ଼ିର ମହିଳା ।

ଫେଶନର ଅନ୍ୟ ନାଁ ‘ଜିନ୍ନତ’
ଜାହିଦା ଅହମ୍ମଦ ମଞ୍ଚେଶ୍ବରରେ ୨୦୧୭ରୁ ଖୋଲିଛନ୍ତି ‘ଜିନ୍ନତ’। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ, ମହିଳା ଓ ପୁରୁଷଙ୍କ ପାଇଁ ସେ ଡିଜାଇନର ଆଉଟ୍ଫିଟ୍ ବନାନ୍ତି। ପୋଷାକକୁ ମ୍ୟାଚ୍ କରି ଜୋତା, ରିବନ୍, ହେୟାର କ୍ଲଚର୍, ପର୍ସ ଆହୁରି ଅନେକ ସାମଗ୍ରୀ ପ୍ରସ୍ତୁତ ହୁଏ। ଓଡ଼ିଶାରେ ଫେଶନ୍ ଡିଜାଇନିଂ କ୍ଷେତ୍ରରେ ନୂତନ ପରିବର୍ତ୍ତନ ଆଣିବାକୁ ଜାହିଦା ଉଲ୍ଲେଖନୀୟ ପ୍ରୟାସ କରିଛନ୍ତି। ଉଭୟ ମଡର୍ଣ୍ଣ ଏବଂ ପାରମ୍ପରିକ ଶୈଳୀକୁ ମିଶାଇ ସେ ଡିଜାଇନ କରନ୍ତି। ଏପରିକି କୋଲକାତା, ହାଇଦରାବାଦ୍, ମାଲେସିଆ, ଇରାକ୍ ସମେତ ଅନ୍ୟାନ୍ୟ ସ୍ଥାନର ଲୋକଙ୍କ ପାଇଁ ସେ ଆଉଟ୍ଫିଟ୍ ବନାନ୍ତି। ଓଡ଼ିଆ ଫିଲ୍ମ ତାରକା ଏବଂ ବି-ଟାଉନ୍ରେ ଜିନ୍ନତର ଲୋକପ୍ରିୟତା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp