ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର

The Sakala Picture
Published On

କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ ଉପଖଣ୍ଡର ଧବଳେଶ୍ୱର ପୀଠ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅର୍ଜନ କରିଛି। ଏହି ପୀଠରେ ବର୍ଷ ତମାମ୍ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ବିଶେଷକରି କାର୍ତ୍ତିକ ପଞ୍ଚୁକ ପାଞ୍ଚ ଦିନ ଓ ଜାଗର ଦିନ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆଶାତୀତ ଭାବେ ବୃଦ୍ଧି ପାଇଥାଏ। ପ୍ରବାଦ ଅଛି ଯେ, ବିପଦରେ ପଡ଼ିଥିବା ଜନୈକ ଗୋପାଳ ପ୍ରଭୁଙ୍କୁ ସୁମରଣା କରିବାରେ କଳାଗାଈକୁ ଧଳା କରିଦେବା ଫଳରେ ଗୋପାଳଟି ବିପଦମୁକ୍ତ ହୋଇଥିଲା। ଏମିତି ଅନେକ […]

କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ ଉପଖଣ୍ଡର ଧବଳେଶ୍ୱର ପୀଠ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅର୍ଜନ କରିଛି। ଏହି ପୀଠରେ ବର୍ଷ ତମାମ୍ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ବିଶେଷକରି କାର୍ତ୍ତିକ ପଞ୍ଚୁକ ପାଞ୍ଚ ଦିନ ଓ ଜାଗର ଦିନ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆଶାତୀତ ଭାବେ ବୃଦ୍ଧି ପାଇଥାଏ। ପ୍ରବାଦ ଅଛି ଯେ, ବିପଦରେ ପଡ଼ିଥିବା ଜନୈକ ଗୋପାଳ ପ୍ରଭୁଙ୍କୁ ସୁମରଣା କରିବାରେ କଳାଗାଈକୁ ଧଳା କରିଦେବା ଫଳରେ ଗୋପାଳଟି ବିପଦମୁକ୍ତ ହୋଇଥିଲା। ଏମିତି ଅନେକ ମହିମା ପ୍ରଭୁ ଧବଳେଶ୍ୱରଙ୍କ ରହିଛି। ଇତିହାସରୁ ଜଣାପଡ଼େ ଯେ, ରାଜ୍ୟର ଅନ୍ୟସ୍ଥାନରେ ଶୈବପୀଠମାନ କାଳକ୍ରମେ ବୈଷ୍ଣବ ପୀଠରୂପେ ପରିଣତ ହୋଇଥିବାବେଳେ, ଉକ୍ତ ପୀଠ “ଅନନ୍ତ ବାସୁଦେବ” ବା ବୈଷ୍ଣବ ପୀଠରୁ ଶୈବ ପୀଠ ରୂପେ ରୂପାନ୍ତରିତ ହୋଇଥିବାରୁ ଐତିହାସିକ ଦୃଷ୍ଟିକୋଣରୁ ଏହାର ତାତ୍ପର୍ଯ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ପଦ୍ମପୁରାଣରେ ଉଲ୍ଲେଖ ଅଛି ଯେ, ଦେବରାଜ ଇନ୍ଦ୍ରଙ୍କ ଦ୍ୱାରା ସ୍ଥାପିତ ଏହି ଐନ୍ଦ୍ରିଲିଙ୍ଗ ଜଣେ କିରାତ ଭକ୍ତଙ୍କ ଦ୍ୱାରା ପୂଜା ପାଉଥିଲେ। ଏ ପ୍ରସଙ୍ଗ ଏଠାରେ ଉପସ୍ଥାପିତ କରିବାର ଅର୍ଥ ହେଲା ଏହା ଯେ, ଦେବ-ମାନବ ଏବଂ ମଣିଷ-ମଣିଷ ଭିତରେ ଜାତି, ବର୍ଣ୍ଣ ଭେଦର ନିରାକରଣ ମହାପ୍ରଭୁ ଶ୍ରୀଶ୍ରୀ ଧବଳେଶ୍ୱରଙ୍କ ଦ୍ୱାରା ସମ୍ଭବ ହୋଇଥିବାରୁ ପୌରାଣିକ ଦୃଷ୍ଟିରୁ ଏ ପୀଠର ଭୂମିକା ଅତୀବ ମହତ୍ୱପୂର୍ଣ୍ଣ।

ଆହୁରି ପଢ଼ନ୍ତୁ: ଦୁର୍ବଳ ମାନସିକ ସ୍ୱାସ୍ଥ୍ୟ ପାଇଁ ସ୍କ୍ରିନ୍ ନିଶା ଦାୟୀ: ସର୍ବବୃହତ୍ ସମୀକ୍ଷାରୁ ଆସିଲା ଚିନ୍ତାଜନକ ରିପୋର୍ଟ

ନୈସର୍ଗିକ ସୁଷମା ବିମଣ୍ଡିତ ଏହି କୁଦଟି, ପୁଣ୍ୟତୋୟା ମହାନଦୀର ମଧ୍ୟ ଭାଗରେ ଅବସ୍ଥିତ ହୋଇଥିବାରୁ, ଭୌଗୋଳିକ ଦୃଷ୍ଟିରୁ ଏ ପୀଠର ଶୋଭାସମ୍ଭାର ଅତୀବ ମନୋମୁଗ୍ଧକର। ରାଜ୍ୟର ପ୍ରାୟ ଅନେକ ଶିବ ମନ୍ଦିରର ଦ୍ୱାର ପୂର୍ବଦିଗକୁ ମୁଖ କରିଥବାବେଳେ ଶ୍ରୀଶ୍ରୀ ଧବଳେଶ୍ୱର ମହାଦେବଙ୍କ ମନ୍ଦିରର ଦ୍ୱାର ପଶ୍ଚିମ ଦିଗକୁ ରହିଥିବାରୁ ତାତ୍ତ୍ୱିକ ଦୃଷ୍ଟିକୋଣରୁ ଏହାର ମହାନତା ବେଶ୍ ଗୁରୁତ୍ୱପୂର୍ଣ୍ଣ।

ଆହୁରି ପଢ଼ନ୍ତୁ: ୟୁପିଆଇ ଏମଡିଆର (UPI MDR) ଶୁଳ୍କ ଲାଗୁ ନେଇ ବଡ଼ ଖବର: ଅକ୍ଟୋବର ୧୫ ବଦଳରେ ଜାନୁଆରୀକୁ ଘୁଞ୍ଚିପାରେ ନିୟମ

ପଞ୍ଚୁକ ଯାତ୍ରା ଓ ବଡ଼ଓଷା ପ୍ରଭୁଙ୍କର ସର୍ବଶ୍ରେଷ୍ଠ ପର୍ବ। ରାଜରାଜୁଡ଼ା ଅମଳରୁ କୁଦକୁ ଯିବା ପାଇଁ ମଞ୍ଚେଶ୍ୱର ଓ ବିଡ଼ାନାସୀ ପଟୁ ଡଙ୍ଗା ଚାଲୁଥିଲା। ଅଥଳ ଜଳ ମଧ୍ୟଭାଗରେ ଥିବା କୁଦକୁ ଶ୍ରଦ୍ଧାଳୁମାନେ ଡଙ୍ଗାରେ ଯିବା ଆସିବା ସମୟରେ ଅତୀତରେ ଅନେକ ଦୁର୍ଘଟଣା ଘଟି ବହୁ ଶ୍ରଦ୍ଧାଳୁ ପ୍ରାଣ ହରାଇଥିବା ନଜିର ମଧ୍ୟ ରହିଛି। ଗମନାଗମନର ସୁବିଧା ପାଇଁ ସରକାରଙ୍କ ଦ୍ୱାରା ବିଶ୍ୱର ଦ୍ୱିତୀୟ ବୃହତ ଝୁଲାପୋଲ ଏଠାରେ ନିର୍ମାଣ କରାଯାଇଛି। ପୂର୍ବରୁ ଯେତିକି ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିଲା ଝୁଲାପୋଲ ପରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ମନ୍ଦିରରେ ନିୟୋଜିତ ପୂଜକ ଓ ସେବକ ପରିବାର ଠାକୁରଙ୍କ ସେବାକରି ତହିଁରୁ ଲବ୍ଧ ଅର୍ଥରେ ପରିବାର ପ୍ରତିପୋଷଣ କରିବା ପାଇଁ ସମର୍ଥ ହୋଇପାରିଛନ୍ତି। ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ମନ୍ଦିର ସମସ୍ତଙ୍କୁ ଆକର୍ଷିତ କରିପାରୁଛି। ରାଜରାଜୁଡ଼ା ଶାସନ ଲୋପ ପରେ ଦେବୋତ୍ତର ବିଭାଗ ଦ୍ୱାରା ଏହି ମନ୍ଦିର ପରିଚାଳିତ ହୋଇଆସୁଛି।

ଧବଳେଶ୍ୱର ପୀଠରେ ପ୍ରସିଦ୍ଧ “ବଡ଼ଓଷା” ପର୍ବ ପାଳନ ଅବସରରେ ‘ଗଜଭୋଗ’ ଶ୍ରୀଜୀଉଙ୍କୁ ଅର୍ପଣ କରାଯାଏ। ଆସ୍ତିକ ହେଉ କି ନାସ୍ତିକ ହେଉ, ଏ ପବିତ୍ର ତୀର୍ଥକୁ ଯାତ୍ରା କରିବା ଉଦ୍ଦେଶ୍ୟରେ ମହାନଦୀରେ ନୌକା ବିହାର କରି, କୁଦର ଶାନ୍ତକାନ୍ତ ପରିବେଶକୁ ଅନୁଧ୍ୟାନ ପୂର୍ବକ ହୃଦୟ ମଧ୍ୟରେ ପ୍ରାଞ୍ଜଳ ଶାନ୍ତି ନିଶ୍ଚୟ ଅନୁଭବ କରିପାରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

ଏହି ପବିତ୍ର ପୀଠଟିର ବହୁବିଧ ଉନ୍ନତି ପାଇଁ ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ତନ୍ମଧ୍ୟରୁ ପାନ୍ଥଶାଳା, ଝୁଲନ୍ତା ବ୍ରିଜ ନିର୍ମାଣ ଏବଂ କୁଦର ସାମୂହିକ ବିକାଶ ପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ଏହି ମାର୍ଗରେ ଉଲ୍ଲେଖଯୋଗ୍ୟ। କଟକ ଜିଲ୍ଲା ପ୍ରଶାସନ ତଥା ଆଠଗଡ଼ ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ ଏହି ମନ୍ଦିର ତଥା ପରିବେଶର ବହୁ ସମସ୍ୟା ମଧ୍ୟ ରହିଛି। ୨୦୧୪ ମସିହାରେ ଭକ୍ତମାନଙ୍କ ପାଇଁ ନିର୍ମିତ ହୋଇଥିବା ପଦ ପ୍ରକ୍ଷାଳନ ଉଦ୍ଘାଟନ ପରଠାରୁ ବନ୍ଦ ହୋଇପଡ଼ିଛି। ମନ୍ଦିରର ଶୋଭା ବର୍ଦ୍ଧନ କ୍ଷେତ୍ରରେ ଚତୁଃପାର୍ଶ୍ବ ଅବଦ୍ଧ ହୋଇଥିବାରୁ ମନ୍ଦିରର ଶୋଭା ଲୋକଲୋଚନକୁ ଆସିପାରୁନାହିଁ। ସ୍ୱଚ୍ଛତା କ୍ଷେତ୍ରରେ ଏଠାରେ ମହିଳା ପୁରୁଷ ଶ୍ରଦ୍ଧାଳୁଙ୍କ ପାଇଁ ଶୌଚାଳୟ ନାହିଁ। ଦୀର୍ଘଦିନରୁ ନିର୍ମିତ ଝୁଲାପୋଲ ଦିନକୁ ଦିନ ଦୁର୍ବଳ ହୋଇପଡ଼ୁଥିବା ବେଳେ ଏହାର ନିୟମିତ ମରାମତି ଗ୍ରାମ୍ୟ ଉନ୍ନୟନ ବିଭାଗ କରିବାରେ ଅବହେଳା ପ୍ରଦର୍ଶନ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। ମୁଖ୍ୟ ମନ୍ଦିରର ଚାରି ଦିଗରେ ନିର୍ମାଣ କାର୍ଯ୍ୟ ହେଉଥିବାରୁ ମନ୍ଦିର ମୁଖଶାଳାରେ ବର୍ଷା ହେବାରୁ ପାଣି ଗଳୁଛି। ମନ୍ଦିରର ଦକ୍ଷିଣ ପାର୍ଶ୍ବରେ ଥିବା ଧର୍ମଶାଳାଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏହି ପୀଠର ସର୍ବାଙ୍ଗୀନ ବିକାଶ େହଲେ ଏଠାକୁ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଆନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp