ବେଲଗାମ୍ ଡିଜିଟାଲ୍ ଗଣମାଧ୍ୟମକୁ ଉଚ୍ଚତମ ଅଦାଲତର ଝଟ୍କା, ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ
ସାମାଜିକ ଗଣମାଧ୍ୟମ ବା ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ତଥା ଲୋକପ୍ରିୟତା ସହିତ ଏହାର ଉପଯୋଗ ଉପରେ ଦେଶର ସର୍ବୋଚ୍ଚ ଅଦାଲତ ପ୍ରଥମଥର ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ବିଚାରପତି ବି. ଆର୍ ଗଭାଇ ଓ ବିଚାରପତି ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ପୀଠ ସୋସିଆଲ୍ ମିଡିଆର ଦୁରୁପଯୋଗ ପାଇଁ ତାମିଲନାଡୁର ଜଣେ ୭୩ ବର୍ଷ ବୟସ୍କ ଅଭିନେତାଙ୍କୁ ଦଣ୍ଡର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଇ ତାଙ୍କର ଯାଚିକାକୁ ଖାରଜ କରି ଦେଇଛନ୍ତି। ବିଚାରପତି […]
ସାମାଜିକ ଗଣମାଧ୍ୟମ ବା ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ତଥା ଲୋକପ୍ରିୟତା ସହିତ ଏହାର ଉପଯୋଗ ଉପରେ ଦେଶର ସର୍ବୋଚ୍ଚ ଅଦାଲତ ପ୍ରଥମଥର ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ବିଚାରପତି ବି. ଆର୍ ଗଭାଇ ଓ ବିଚାରପତି ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ପୀଠ ସୋସିଆଲ୍ ମିଡିଆର ଦୁରୁପଯୋଗ ପାଇଁ ତାମିଲନାଡୁର ଜଣେ ୭୩ ବର୍ଷ ବୟସ୍କ ଅଭିନେତାଙ୍କୁ ଦଣ୍ଡର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଇ ତାଙ୍କର ଯାଚିକାକୁ ଖାରଜ କରି ଦେଇଛନ୍ତି।
ବିଚାରପତି ଦ୍ୱୟ ତାଙ୍କ ରାୟରେ କହିଛନ୍ତି ଯେ ଭର୍ତ୍ସନାମୂଳକ ବା ଆପତ୍ତିଜନକ ବାର୍ତ୍ତା କାହା ପାଖକୁ ପଠାଇଲେ ସେଥିପାଇଁ ପ୍ରେରକଙ୍କୁ ପରିଣାମ ଭୋଗିବାକୁ ପଡ଼ିବ। ଏଭଳି କର୍ମରେ ଲିପ୍ତ ବ୍ୟକ୍ତି ନିଜ ବାର୍ତ୍ତାକୁ ଲିଭାଇ ଦେଲେ କିମ୍ବା ନିଜର କାର୍ଯ୍ୟ ପାଇଁ କ୍ଷମା ଭିକ୍ଷା କଲେ ମଧ୍ୟ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ଚାଲିବ। ସୁପ୍ରିମକୋର୍ଟଙ୍କ ଏହି ପୀଠ ଆହୁରି କହିଛନ୍ତି ଯେ ଏକେ ତ ସୋସିଆଲ୍ ମିଡିଆର ବ୍ୟବହାର ନିହାତି ଅତ୍ୟାବଶ୍ୟକ ନୁହେଁ; ତଥାପି ଯଦି କେହି ଏହାକୁ ବ୍ୟବହାର କରୁଥା’ନ୍ତି, ତେବେ ତାଙ୍କୁ ଅତ୍ୟନ୍ତ ସତର୍କ, ସାବଧାନ ଓ ଅଧ୍ୟବସାୟୀ ହେବାକୁ ପଡ଼ିବ। ତେଣୁ ଯିଏ ଏହାକୁ ବ୍ୟବହାର କରୁଛନ୍ତି, ତାହାର ଦୁରୁପଯୋଗର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ।
ଘଟଣାଟିର ପୃଷ୍ଠଭୂମି ଅନେକ ବର୍ଷ ତଳର। ତାମିଲନାଡୁର ଜଣେ ଅଭିନେତା ଓ ପୂର୍ବତନ ବିଧାୟକ ଏସ୍ଭି ଶେଖର ଜଣେ ମହିଳା ସାମ୍ବାଦିକଙ୍କ ପାଖକୁ ଏକ ଅଶୋଭନୀୟ ସନ୍ଦେଶ ପଠାଇଥିଲେ। ଅବଶ୍ୟ ପରେ ସେ ଏହି ସନ୍ଦେଶକୁ ଲିଭାଇ ଦେବା ସହ କ୍ଷମା ମଧ୍ୟ ମାଗିଥିଲେ। ଏହାସତ୍ତ୍ବେ ସେହି ମହିଳା ସାମ୍ବାଦିକ ଜଣକ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ଦାଏର କରିବାରୁ ୭୩ ବର୍ଷୀୟ ଅଭିନେତାଙ୍କ ବିରୋଧରେ ଅଦାଲତ କାର୍ଯ୍ୟାନୁଷ୍ଠାନ ତଳ କୋର୍ଟରେ ଆରମ୍ଭ ହୋଇଥିଲା। ମାମଲାରେ ଫସିବା ପରେ ସେ ସର୍ବୋଚ୍ଚ ଅଦାଲତର ଆଶ୍ରୟ ନେଇ ଏଥିରୁ ମୁକ୍ତ ହେବାକୁ ନିବେଦନ କରିଥିଲେ ଏବଂ ନିଜ ଓକିଲଙ୍କ ଜରିଆରେ ଜଣାଇଥିଲେ ଯେ ଆଖିରେ ଔଷଧ ପକାଇବା ଯୋଗୁଁ ସେ ସେହି ସନ୍ଦେଶଟିକୁ ପଢ଼଼ି ନ ପାରି ଅନ୍ୟ ଜଣଙ୍କ ଦ୍ୱାରା ଏହାକୁ ସମ୍ପୃକ୍ତ ମହିଳା ସାମ୍ବାଦିକଙ୍କ ପାଖକୁ ଭୁଲ୍ରେ ପଠାଇ ଦେଇଥିଲେ। ପରେ ଏହାର ବିଷୟବସ୍ତୁ ଜାଣିବା ପରେ ତାହାକୁ ଲିଭାଇ ଦେବା ସହିତ ଏହି ବାର୍ତ୍ତା ପଠାଇଥିବା ଯୋଗୁଁ ସେ ସମ୍ପୃକ୍ତ ସାମ୍ବାଦିକାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ।
ସର୍ବୋଚ୍ଚ ଅଦାଲତ କିନ୍ତୁ ତାଙ୍କ ଆବେଦନକୁ ନାମଞ୍ଜୁର କରି ଫୌଜଦାରୀ ମାମଲାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଏବଂ ସମସ୍ତ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ଏହାର ଦୁରୁପଯୋଗ ନ କରିବାକୁ ସତର୍କ କରାଇଦେଇଛନ୍ତି। ସାମାଜିକ ଗଣମାଧ୍ୟମ ଆଜିର ନ୍ୟୁମିଡିଆ ଯୁଗରେ ନିଶ୍ଚିତ ଭାବେ ଆବଶ୍ୟକ ହୋଇପଡ଼ିଛି। କିନ୍ତୁ ଏହି ମାଧ୍ୟମର ଦୁରୁପଯୋଗ ଗ୍ରହଣୀୟ ନୁହେଁ। ଏହା ଅନାବଶ୍ୟକ ବା ଅତ୍ୟାବଶ୍ୟକ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ ଯାହା କହିଛନ୍ତି ତାହା ଏହାର ନିର୍ଭୁଲ୍ ବର୍ଣ୍ଣନା ନୁହେଁ। ଏହାସତ୍ତ୍ବେ ଆମେ ରାୟର ବାର୍ତ୍ତାକୁ ସ୍ୱାଗତ କରୁଛୁ; କାରଣ ସୋସିଆଲ୍ ମିଡିଆର ଦୁରୁପଯୋଗ ଏବେ ଯେପରି ହେଉଛି ତାହାକୁ ରୋକିବାରେ ଏହି ନିର୍ଦ୍ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବ୍ୟବହାରକାରୀ ସତର୍କ ହେବା ସହ ଅନ୍ୟକୁ ଅସମ୍ମାନିତ, ଚରିତ୍ର ସଂହାର ଓ ଅନ୍ୟାନ୍ୟ ଆପତ୍ତିଜନକ କାର୍ଯ୍ୟକଳାପରୁ ବିରତ ରହିବାକୁ ବାଧ୍ୟ ହେବେ।
ଏବେ ଏହି ସୋସିଆଲ୍ ମିଡିଆ ମଞ୍ଚ ଅଶ୍ଳୀଳ ବାର୍ତ୍ତା, ଫଟୋ, ଆକ୍ଷେପ, ଅଶୋଭନୀୟ ତଥା ଆପତ୍ତିଜନକ ଲେଖା ପ୍ରକାଶର ଏକ ଲଗାମଛଡ଼ା ମାଧ୍ୟମ ପାଲଟିଛି। ଯିଏ ଯାହା ପାଇଲା, ନିଜ ମନକୁ ଯାହା ଆସିଲା, ସେ ତାହାର ବାର୍ତ୍ତା ସର୍ବସାଧାରଣରେ ପ୍ରକାଶିତ କରିଦେଉଛି। ବିଶେଷକରି ମହିଳା ବା ଯୁବତୀମାନଙ୍କ ବିରୋଧରେ ଏହାକୁ ଅନେକ ଉଚ୍ଛୃଙ୍ଖଳ ବ୍ୟବହାରକାରୀ ରୀତିମତ ଦୁରୁପଯୋଗ କରୁଛନ୍ତି। କେତେକ କ୍ଷେତ୍ରରେ କିଛି ଯୁବତୀ ମଧ୍ୟ ଏହାକୁ ଏକ ଅଶୋଭନୀୟ ମଞ୍ଚରେ ପରିଣତ କରିବାକୁ ସହଯୋଗ ଯୋଗାଉଛନ୍ତି ନିଜ ବାର୍ତ୍ତା, ବିବୃତ୍ତି, ଲେଖା, ଫଟୋ ଓ ମେସେଜ୍ ଜରିଆରେ। ସାମାଜିକ ଗଣମାଧ୍ୟମ, ଯାହା ଭଦ୍ରଲୋକଙ୍କ ମାଧ୍ୟମ ହେବା କଥା, ତାହା ଏବେ କେତେକାଂଶରେ ଅଶ୍ଳୀଳ, ଅଣାୟତ୍ତ ଓ ଅପବାଦକାରୀ ମଞ୍ଚ ଏବଂ ମାଧ୍ୟମ ପାଲଟିଛି। ତେଣୁ ଭୁଲ୍ କରି କ୍ଷମା ମାଗିବା ବା ବାର୍ତ୍ତା ପ୍ରତ୍ୟାହାର କରି ଦେବା ଅର୍ଥ ଗୋଇଠା ମାରି ବିଷ୍ଣୁ କହିବା ସହ ସମାନ। ତେଣୁ ଦୋଷାଦୋଷରୁ ମୁକୁଳିବାର ବାଟ ବନ୍ଦ ହେଲେ ଅପବ୍ୟବହାରକାରୀଙ୍କର ଦଣ୍ଡ ବିଧାନ, ମାମଲାର ସମ୍ମୁଖୀନ ହେବାର ଭୟ ରହିବ। ସମ୍ଭ୍ରମ, ଆତ୍ମନିୟନ୍ତ୍ରଣ ଓ ଅନ୍ୟ ପ୍ରତି ସମ୍ମାନବୋଧ ରଖିବାର ଯେଉଁ ମୌଳିକ ଆବଶ୍ୟକତା ଏବେ ସୋସିଆଲ୍ ମିଡିଆରେ ବିଶେଷ ଅନୁଭୂତ ହେଉଛି, ଏଭଳି ରାୟ ସେଥିପାଇଁ ଅବଶ୍ୟ ଯୁଗାନ୍ତକାରୀ ହେବ।
ସୋସିଆଲ୍ ମିଡିଆକୁ ତା’ର ନିୟନ୍ତ୍ରଣରେ ରଖିବା, ବିଶେଷକରି ଏହାର ଦୁରୁପଯୋଗ ବନ୍ଦ କରିବାକୁ ଭାରତୀୟ ସୂଚନା ପ୍ରଯୁକ୍ତି ଆଇନର ଧାରା ୭୯ ଉଦ୍ଦିଷ୍ଟ। ଏହାର ସଂଶୋଧିତ ନିୟମ ଅନୁସାରେ ଅଭିଯୋଗ ପାଇବାର ୨୪ ଘଣ୍ଟା ମଧ୍ୟରେ ବେଆଇନ ବିଷୟବସ୍ତୁ ଓ ବାର୍ତ୍ତାକୁ ପ୍ରତ୍ୟାହାର୍ କରିବାର ଅଧିକାର ମିଡିଆ ପ୍ଲାଟ୍ଫର୍ମର ରହିଛି। ଏହା ମିଛ ଖବର, ଘୃଣା ସୃଷ୍ଟିକାରୀ ଓ ଆପତ୍ତିଜନକ ଖବର ସୋସିଆଲ୍ ମିଡିଆରେ ରୋକିବାକୁ ଉଦ୍ଦିଷ୍ଟ। ସେହିଭଳି ୨୦୨୧ର ଡିଜିଟାଲ୍ ମିଡିଆ ନୀତି ମାର୍ଗଦର୍ଶିକା(କୋଡ୍ ଅଫ୍ ଏଥିକ୍ସ)ରେ ବିଭିନ୍ନ ପ୍ରତିକାର ଓ କଟକଣା ବ୍ୟବସ୍ଥା ରହିଛି। ହେଲେ ଥରେ କିଛି ଆପତ୍ତିଜନକ ବାର୍ତ୍ତା ଲେଖିଦେଇ ବା ପ୍ରେରଣ କରି ଦେଇ ତା’ପରେ ତାକୁ ପ୍ରତ୍ୟାହାର କରିବା ଏବଂ ସେଥିପାଇଁ କ୍ଷମା ମାଗିଦେଲେ ମାମଲାରୁ ମୁକ୍ତି ମିଳିବାର ବିଧାନ ଏ ଯାଏଁ ଦେଶରେ ଥିଲା।
ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ ଏହାକୁ ସ୍ପଷ୍ଟ କରି ଏହି ନିୟନ୍ତ୍ରଣ ଓ ନିୟାମକ ବ୍ୟବସ୍ଥାରେ ଏକ ଉଲ୍ଲେଖନୀୟ ନୂତନ ଧାରା ଯୋଡ଼ିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଭଳି ମାମଲାର ବିଚାରରେ ଦୋଷୀଙ୍କ ପ୍ରତି ଦଣ୍ଡବିଧାନର ସମ୍ଭାବନା ଅଧିକ। ତେଣୁ ଏହାର ପ୍ରଭାବ ଅବଶ୍ୟ ସୋସିଆଲ୍ ମିଡିଆର ଦୁରୁପଯୋଗ ରୋକିବ। ଶସ୍ତା ସ୍ମାର୍ଟ ଫୋନ୍ ଓ ସୁଲଭ ଦାମ୍ରେ ଇଣ୍ଟରନେଟ୍ ଡାଟାର ବହୁଳ ପ୍ରଚଳନ, କଟକଣା ବିହୀନ ବାକ୍ ସ୍ୱାଧୀନତାର ଦୁରୁପଯୋଗ ତଥା ବ୍ୟକ୍ତିଗତ ଗୋପନୀୟତା ଆଇନର ଖୋଲାଖୋଲି ଉଲ୍ଲଙ୍ଘନର ସୁବିଧା ଡିଜିଟାଲ୍ ସୋସିଆଲ୍ ଗଣମାଧ୍ୟମକୁ ଏକ ଉଚ୍ଛୃଙ୍ଖଳତାର ବେଲଗାମ ଉପତ୍ୟକା ଭାବେ ପରିଚୟ କରି ଠିଆ କରାଇଛି। କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏଭଳି ବହୁରାଷ୍ଟ୍ରୀୟ ଡିଜିଟାଲ୍ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କର ପ୍ରତାପ ଆଗରେ ଅସହାୟ ବୋଲି ଜଣାପଡ଼ୁଛନ୍ତି। ଏଇମାତ୍ର ନିକଟରେ କେନ୍ଦ୍ର ସରକାର ଡିଜିଟାଲ୍ ଡାଟା ସୁରକ୍ଷା ଆଇନ ପ୍ରବର୍ତ୍ତନ କରାଇଛନ୍ତି। ଏହାର ସୁଦୃଢ଼ କାର୍ଯ୍ୟାନ୍ୱୟନ ପାଇଁ କେତେ ସମୟ ଲାଗିବ ତାହା ସରକାର ହିଁ ଜାଣନ୍ତି। ତେଣୁ ଏହି ପୃଷ୍ଠଭୂମିରେ ସୁପ୍ରିମକୋର୍ଟଙ୍କର ଏହି ଚର୍ଚ୍ଚିତ ରାୟ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।





