ଭାରତ ବନାମ ଇଣ୍ଡିଆ ନାମ ପ୍ରସଙ୍ଗ: ଆମେ ଭାରତୀୟ, ଆମ ଦେଶ ‘ଭାରତ’

The Sakala Picture
Published On

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଚିଠି ଓ ଯୋଗାଯୋଗ ମାଧ୍ୟମରେ ଦେଶର ନାମକୁ ଇଂରାଜୀର ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ଉଲ୍ଲେଖ କରାଯିବା ପରେ ଦେଶର ନାମକୁ କେନ୍ଦ୍ର ସରକାର ବଦଳାଇବାକୁ ଉଦ୍ୟମ କରୁଥିବା ଗୁଞ୍ଜରଣ ଓ ଚର୍ଚ୍ଚା ରାଜନୈତିକ ବିରୋଧୀ ମହଲ ତଥା ଗଣମାଧ୍ୟମରେ ଜୋର୍‌‌ ଚାଲିଛି। ‘ସ୍ୱାଧୀନତାର ଅମୃତକାଳ’ରେ ହଠାତ୍‌‌ ଏଭଳି ଏକ ପ୍ରୟୋଗ ଦେଖାଦେଲେ ଚର୍ଚ୍ଚା ହେବା ସ୍ୱାଭାବିକ। ଆମ ସମ୍ବିଧାନରେ ଉଲ୍ଲେଖ ଅଛି ‘ଇଣ୍ଡିଆ ଦ୍ୟାଟ୍‌‌ ଇଜ୍‌‌ ଭାରତ’ ଅର୍ଥାତ୍‌‌ ‘ଇଣ୍ଡିଆ, ଯାହାର […]

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଚିଠି ଓ ଯୋଗାଯୋଗ ମାଧ୍ୟମରେ ଦେଶର ନାମକୁ ଇଂରାଜୀର ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ଉଲ୍ଲେଖ କରାଯିବା ପରେ ଦେଶର ନାମକୁ କେନ୍ଦ୍ର ସରକାର ବଦଳାଇବାକୁ ଉଦ୍ୟମ କରୁଥିବା ଗୁଞ୍ଜରଣ ଓ ଚର୍ଚ୍ଚା ରାଜନୈତିକ ବିରୋଧୀ ମହଲ ତଥା ଗଣମାଧ୍ୟମରେ ଜୋର୍‌‌ ଚାଲିଛି। ‘ସ୍ୱାଧୀନତାର ଅମୃତକାଳ’ରେ ହଠାତ୍‌‌ ଏଭଳି ଏକ ପ୍ରୟୋଗ ଦେଖାଦେଲେ ଚର୍ଚ୍ଚା ହେବା ସ୍ୱାଭାବିକ। ଆମ ସମ୍ବିଧାନରେ ଉଲ୍ଲେଖ ଅଛି ‘ଇଣ୍ଡିଆ ଦ୍ୟାଟ୍‌‌ ଇଜ୍‌‌ ଭାରତ’ ଅର୍ଥାତ୍‌‌ ‘ଇଣ୍ଡିଆ, ଯାହାର ଅନ୍ୟନାମ ଭାରତ’। ତେଣୁ ସମ୍ବିଧାନ ଅନୁସାରେ ଭାରତର ଦୁଇଟି ନାମ ‘ଇଣ୍ଡିଆ’ ଓ ‘ଭାରତ’। ଗୋଟିଏ ବିଦେଶୀଙ୍କ ଦ୍ୱାରା ଦିଆଯାଇଛି, ଯାହାକୁ ଆମେ ଇଂରାଜୀରେ କହୁଛୁ ‘ଇଣ୍ଡିଆ’। ଅନ୍ୟତଃ ହିନ୍ଦୀ ଓ ଅନ୍ୟ ପ୍ରାୟ ଅଧିକାଂଶ ଆଧୁନିକ ଭାରତୀୟ ଭାଷା, ଶାସ୍ତ୍ର, ପୁରାଣ ଓ ଦସ୍ତାବିଜ୍‌‌ରେ ଏହା ‘ଭାରତ’ ବୋଲି ବର୍ଣ୍ଣନା ହୋଇ ଆସିଛି। ହିନ୍ଦୀରେ ଆମର ଯେଉଁ ମୌଳିକ ସମ୍ବିଧାନ ରହିଛି, ତାହାର ନାମ ‘ଭାରତ କି ସମ୍ବିଧାନ’, ଯାହା ଇଂରାଜୀରେ ‘ଦି କନ୍‌‌ଷ୍ଟିଚ୍ୟୁସନ ଅଫ୍‌‌ ଇଣ୍ଡିଆ’। ଗୋଟିଏ ଦେଶର ଏଭଳି ଦୁଇଟି ନାମ (ଗୋଟେ ଦେଶୀ ଓ ଗୋଟେ ବିଦେଶୀ) କାହିଁକି ରଖାଗଲା, ତାହାର ଉତ୍ତର ସମ୍ବିଧାନ ପ୍ରଣେତା ଓ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟମାନଙ୍କୁ କେବଳ ଜଣା। ଏହାର ସ୍ପଷ୍ଟୀକରଣ ବା ଉଲ୍ଲେଖ ମଧ୍ୟ କୌଣସିଠାରେ ନିର୍ଦ୍ଦିଷ୍ଟ ଭାବେ କରାଯାଇନାହିଁ।

୨୦୧୬ରେ ଏହି ‘ଭାରତ’ ଓ ‘ଇଣ୍ଡିଆ’କୁ ନେଇ ବିବାଦ ଉଠିଥିଲା ଏବଂ ମହାରାଷ୍ଟ୍ରର ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରି ଦେଶର କେବଳ ଗୋଟିଏ ନାମ – ‘ଭାରତ’ ରଖିବାକୁ ନିବେଦନ କରିଥିଲେ। ସୁପ୍ରିମକୋର୍ଟର ବିଚାରପତି ଟି.ଏସ୍‌‌ ଠାକୁର ଓ ଜଷ୍ଟିସ୍‌‌ ୟୁ ୟୁ ଲଳିତ ଏହାକୁ ଖାରଜ କରିଦେବା ଅବସରରେ କହିଥିଲେ, ‘ଭାରତ ନା ଇଣ୍ଡିଆ? ତୁମେ ଯଦି ଏହାକୁ ‘ଭାରତ’ କହିବାକୁ ଚାହୁଁଛ କୁହ, କିଛି ଅସୁବିଧା ନାହିଁ। ଅନ୍ୟ ଯିଏ ଏହାକୁ ‘ଇଣ୍ଡିଆ’ କହିବାକୁ ଚାହୁଁଛି, ତା’କୁ କହିବାକୁ ଦିଅ।’ ଏଥିରୁ ସ୍ପଷ୍ଟ ଯେ ଦୁଇ ନାମକୁ ନେଇ ସାମ୍ବିଧାନିକ ଓ ଆଇନଗତ ଦ୍ୱନ୍ଦ୍ୱ ନାହିଁ ଏବଂ ଆପଣାର ସୁବିଧା ଅନୁସାରେ ଯିଏ ଯାହା କହିପାରିବ। ଆମ ବିଚାରରେ କଥା ଏତିକିରେ ସରିନାହିଁ ଏବଂ ନାମରେ ସମ୍ପୂର୍ଣ୍ଣ ରୂପେ କିଛି ଅସୁବିଧା ନାହିଁ ବୋଲି ବୋଧହୁଏ କହିବା ଠିକ୍‌‌ ହୋଇନପାରେ। ତାହା ହୋଇ ନ ଥିଲେ ସମ୍ବିଧାନ ପ୍ରଣୟନ ପରେ ଏକ ଛୋଟ ସଂଶୋଧନ କରି ‘ଇଣ୍ଡିଆ’ ସହିତ ‘ଭାରତ’ ଲେଖିବାକୁ ସର୍ବସମ୍ମତ ମତ ପ୍ରକାଶ ପାଇ ନଥା’ନ୍ତା।

ଏଠାରେ ସୂଚନାଯୋଗ୍ୟ ଯେ ସମ୍ବିଧାନର ପ୍ରଥମ ଚିଠା, ଯାହା ୧୯୪୮ରେ ପ୍ରସ୍ତୁତ ହୋଇଥିଲା, ସେଥିରେ ‘ଭାରତ’ ଶବ୍ଦ ନ ଥିଲା। ତେବେ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟମାନେ ଚାହିଁବାରୁ ଏହାକୁ ସଂଶୋଧନ କରି ବାବା ସାହେବ ଆମ୍ବେଦକର ଲେଖିଲେ ‘ଇଣ୍ଡିଆ ଦ୍ୟାଟ୍‌‌ ଇଜ୍‌‌ ଭାରତ’। ୧୯୪୯ ସେପ୍ଟେମ୍ବର ୧୮ରେ ଚିଠା ସମ୍ବିଧାନର ଧାରା-୧ରେ ‘ଇଣ୍ଡିଆ’ ସହିତ ‘ଭାରତ’ ନାମ ଯୋଡ଼ାଯାଇ ସଂଶୋଧନ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଏଥିରେ ସ୍ପଷ୍ଟ ଲେଖାଗଲା ‘ଇଣ୍ଡିଆ ଦ୍ୟାଟ୍‌‌ ଇଜ୍‌‌ ଭାରତ ଶାଲ୍‌‌ ବି ଏ ୟୁନିୟନ୍‌‌ ଅଫ୍‌‌ ଷ୍ଟେଟ୍‌‌ସ।’ ଭାରତ ପ୍ରେମୀ ଓ ସଂସ୍କୃତିପ୍ରେମୀଙ୍କ ପାଇଁ ଦେଶର ନାମରେ ଅନେକ କିଛି ମହତ୍ତ୍ୱ ରହିଛି। ଏହା ଆମର ସଭ୍ୟତା ବିକାଶର ଏକ ଅସ୍ମିତା ଓ ପରିଚୟ ବହନ କରେ। ଏଥିରେ ବିଦେଶୀ ବିଚାର ଓ ନାମକରଣ ଅପ୍ରାସଙ୍ଗିକ। ଆମେ ସମସ୍ତେ ଜାଣିଛୁ ଯେ ପୌରାଣିକ ବର୍ଣ୍ଣନା ଅନୁସାରେ ‘ଭାରତବର୍ଷ’ର ନାମ ମହାରାଜା ଭରତଙ୍କ ନାମ ଅନୁସାରେ କରାଯାଇଥିଲା ଏବଂ ଏହା ଏକ ବିଶାଳ ଏବଂ ବିସ୍ତୃତ ଭୂଖଣ୍ଡକୁ ବୁଝାଉଥିଲା। ଅବଶ୍ୟ ପ୍ରାଚୀନ କାଳରେ ଭାରତର କୌଣସି ଭୌଗୋଳିକ କିମ୍ବା ରାଜନୈତିକ ତଥା ରାଷ୍ଟ୍ରୀୟ ସୀମାରେଖା ଟଣା ଯାଇ ନଥିଲା। ଆମର ପ୍ରାଚୀନ ପୁରାଣ ‘ମହାଭାରତ’ ନାମରୁ ହିଁ ପ୍ରମାଣିତ ହୁଏ ଯେ ଭାରତୀୟ ଉପମହାଦେଶର ପ୍ରାୟ ଅଧିକାଂଶ ସ୍ୱାଧୀନ ରାଜ୍ୟର ରାଜାରାଜୁଡ଼ା ମହାଭାରତ ଯୁଦ୍ଧରେ ଯୋଗ ଦେଇଥିଲେ। ଆମର ସ୍ୱାଧୀନତା ଆନ୍ଦୋଳନ ମଧ୍ୟ ଭାରତୀୟ ସ୍ୱାଧୀନତା ସଂଗ୍ରାମ ରୂପେ ପରିଚିତ। ବିଭିନ୍ନ ଶାସ୍ତ୍ର, ପୁରାଣ ଓ ସାଧୁସନ୍ଥଙ୍କ ପବିତ୍ର ବାଣୀରେ ଭାରତୀୟ ସଭ୍ୟତା ଓ ସଂସ୍କୃତିର ପରିଚୟ ଅତି ସୁସ୍ପଷ୍ଟ। ତେଣୁ ‘ଭାରତ’ନାମରେ ଆମ ଦେଶକୁ ପରିଚିତ କରାଇବାରେ କୁଣ୍ଠାବୋଧ ବା ଅପମାନବୋଧ କାହିଁକି?

ଏ କଥା ମଧ୍ୟ ସତ ଯେ ବିଜେପି ଓ ସଂଘ ପରିବାର ସମେତ ଅନେକ ଅଣରାଜନୈତିକ ବ୍ୟକ୍ତି ମଧ୍ୟ ‘ଇଣ୍ଡିଆ’ ବଦଳରେ ‘ଭାରତ’କୁ ଅଧିକ ପସନ୍ଦ କରନ୍ତି। ଏବେ ମଧ୍ୟ ଲୋକଙ୍କ ଧାରଣା ଯେ ‘ଇଣ୍ଡିଆ’ କହିଲେ ସହରୀ, ଧନିକ ଏବଂ ସ୍ୱଚ୍ଛଳ ଉଚ୍ଚବର୍ଗର ଭାରତୀୟଙ୍କ ଦ୍ୟୋତକ ଏବଂ ଅନ୍ୟପକ୍ଷରେ ‘ଭାରତ’ ଗ୍ରାମୀଣ, ଅପେକ୍ଷାକୃତ ପଛୁଆ ଏବଂ ନିମ୍ନ ଆର୍ଥିକ ବର୍ଗ ଭାରତୀୟଙ୍କ ପାଇଁ ଉଦ୍ଦିଷ୍ଟ। ତେଣୁ ଉଭୟ ନାମ ସହିତ ପରୋକ୍ଷରେ ଦେଶର ଏକ ଶ୍ରେଣୀ ବିଭାଜନର ଅର୍ଥ ଆସେ।

ଆଇନ ବିଶାରଦଙ୍କ କହିବା ଅନୁସାରେ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ନାମ ସରକାରୀ ସ୍ତରରେ ବ୍ୟବହାର କରିବାରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ। ସରକାର ଚାହିଁଲେ ଏକ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆଣି ଦେଶର ନାମକୁ କେବଳ ଭାରତ ରଖିପାରିବେ। ତେବେ ଏହି ପ୍ରସ୍ତାବକୁ ସଂସଦର ଉଭୟ ଗୃହ ଦୁଇ-ତୃତୀୟାଂଶ ମତରେ ଅନୁମୋଦନ କରିବା ପରେ ସଂଘର ସବୁ ସଦସ୍ୟ ପ୍ରଦେଶଙ୍କ ମଧ୍ୟରୁ ଅତିକମ୍‌‌ରେ ଅଧେ ଏହାକୁ ଅନୁମୋଦନ କରିବା ଆବଶ୍ୟକ। ଆହୁରି ମଧ୍ୟ ଭାରତ ନାମକୁ ସରକାରୀ ଚିଠିପତ୍ର ଓ ଦସ୍ତାବିଜ୍‌‌ରେ ବ୍ୟବହାର କରିବା ନେଇ ଯେଉଁ ବିବାଦ ଉଠିଛି, ତାହା ଅନାବଶ୍ୟକ ଏବଂ ଅର୍ଥହୀନ।

ରାଷ୍ଟ୍ରପତିଙ୍କ ଦ୍ୱାରା ଜି-୨୦ର ଭୋଜି ସଭାଟିରେ ଯୋଗଦେବାକୁ କରାଯାଇଥିବା ନିମନ୍ତ୍ରଣପତ୍ରରେ ‘ପ୍ରେସିଡେଣ୍ଟ ଅଫ୍‌‌ ଭାରତ’ ଲେଖାଯାଇଥିବାରୁ ଏହାକୁ ବିରୋଧୀ ପକ୍ଷ ଏକ ରାଜନୈତିକ ପ୍ରସଙ୍ଗ କରିବା ଦୁର୍ଭାଗ୍ୟଜନକ। ସମ୍ବିଧାନର ଧାରା-୧ ଅନୁସାରେ ଉଭୟ ‘ଇଣ୍ଡିଆ’ ଓ ‘ଭାରତ’ ନାମ ସ୍ୱୀକୃତ ଏବଂ ଏହି ଦୁଇ ନାମକୁ ନେଇ କୌଣସି ଗୋଟିଏର ବ୍ୟବହାର ପାଇଁ ବିବାଦ ହେବା ଉଚିତ ନୁହେଁ। ତେବେ ସରକାରୀ ଚଳଣିରେ ଆମେ ଦୀର୍ଘ ବର୍ଷ ଧରି ‘ଭାରତ’ ପରିବର୍ତ୍ତେ ଇଂରାଜୀରେ ‘ଇଣ୍ଡିଆ’ ବ୍ୟବହାର କରି ଆସୁଛୁ। ଏହା ଗୋଟେ ଅଭ୍ୟାସରେ ପରିଣତ ହୋଇଥିଲେ ମଧ୍ୟ ‘ଭାରତ’ ଲେଖିବାକୁ ବା କହିବାକୁ ସମ୍ବିଧାନ କେଉଁଠି ବାରଣ କରିନାହିଁ। ତେଣୁ ଏକ ନିରର୍ଥକ ପ୍ରସଙ୍ଗରେ ବିବାଦ ସୃଷ୍ଟି କରିବାର କୌଣସି ଯଥାର୍ଥତା ନାହିଁ। ପୃଥିବୀରେ ୧୫ରୁ ଅଧିକ ଦେଶ ବିଭିନ୍ନ କାରଣରୁ ନିଜର ନାମ ପରିବର୍ତ୍ତନ କରିଛନ୍ତି। ଭାରତର ଅନେକ ସହର ଓ ରାଜ୍ୟର ନାମ ମଧ୍ୟ ଅତୀତରେ ବହୁସ୍ଥାନରେ ବଦଳିଛି। ଏବେ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ନାମ ରହିଲେ ଅସୁବିଧା ନାହିଁ। ଅବଶ୍ୟ ହିନ୍ଦୁତ୍ୱବାଦୀ ଏହାକୁ ସାଂସ୍କୃତିକ ଐତିହ୍ୟର ପୁନଃ ସ୍ଥାପନ ଏବଂ ଉପନିବେଶବାଦୀ ସନ୍ତକର ଅବସାନ ଭାବେ ଦେଖିପାରନ୍ତି। ଉଦାର, ଧର୍ମନିରପେକ୍ଷ, ସମ୍ଭ୍ରାନ୍ତବର୍ଗଙ୍କ ପାଇଁ ‘ଇଣ୍ଡିଆ’ର ଅର୍ଥ ଅତିରିକ୍ତ ସାଂସ୍କୃତିକ ବୋଝହୀନ ଏକ ସମାବେଶୀ ରାଷ୍ଟ୍ର।

ବିରୋଧୀଙ୍କର ସନ୍ଦେହ ଯେ ମୋଦୀଙ୍କ ରଣନୀତିରେ ସଂସଦର ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ‘ଇଣ୍ଡିଆ’ ନାମର ଅବସାନ ପାଇଁ ସଂକଳ୍ପ ଆସିବ ଏବଂ ଯେଉଁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ (ଆଇଏନ୍‌‌ଡିଆଇଏ) ଗଠିତ ହୋଇଛି, ତାହାକୁ ରାଜନୈତିକ ବାରୁଦ ଲଗାଇ ନିଷ୍ପ୍ରଭ କରିଦିଆଯିବ। ସେମାନଙ୍କର ଆହୁରି ଅଭିଯୋଗ ଯେ ଏହା ଦ୍ୱାରା ଭାରତର ସଂଘୀୟ ବ୍ୟବସ୍ଥା କ୍ଷୁଣ୍ଣ ହେବ ଏବଂ ଦେଶ ଖଣ୍ଡଖଣ୍ଡ ହୋଇଯିବ। ସେମାନଙ୍କର ପ୍ରଥମ ଦୁଇଟି ଆଶଙ୍କା ଠିକ୍‌‌ ହୋଇପାରେ; କିନ୍ତୁ ‘ଇଣ୍ଡିଆ’ ନାମକୁ ସମ୍ବିଧାନରୁ ବାଦ ଦେଲେ ଭାରତର ରାଷ୍ଟ୍ରୀୟ ଅଖଣ୍ଡତା ବିପନ୍ନ ହେବ – ଏହା ଏକ ଭ୍ରମାତ୍ମକ ପରିକଳ୍ପନା।

ଭାରତ ଏକବିଂଶ ଶତାବ୍ଦୀରେ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଲୋଡ଼େ। କେବଳ ନାମ ବଦଳାଇ ଦେଲେ ବା ସାଂସ୍କୃତିକ ଐତିହ୍ୟ ଦରାଣ୍ଡିଲେ ଏହି ପରିଚୟ ମିଳିବ ନାହିଁ। ଏଥିପାଇଁ ନୂଆ କାମ, ନୂତନ ସଫଳତା ଓ ଉପଲବ୍ଧି ଲୋଡ଼ା। ତାହା ହିଁ ଭାରତକୁ ନୂଆ ପରିଚୟ ଦେବ। ଶସ୍ତା ଅନାବଶ୍ୟକ ରାଜନୀତିରେ ତାହା ମିଳିବ ନାହିଁ। ଦେଶର ନାଁ ବଦଳିଲେ ସରକାରଙ୍କୁ ଲୋକେ ପୁନଃନିର୍ବାଚିତ କରିଦେବେ – ଏ ଧାରଣା ମଧ୍ୟ ଠିକ୍‌‌ ନୁହେଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର