ମନୋରଞ୍ଜନ
ଓଡ଼ିଶା
ହିମାଳୟର ସମସ୍ୟାକୁ ଅଗ୍ରାଧିକାର ଦିଆଯାଉ
ହିମାଳୟ ବା ହିମାଦ୍ରୀ କେବଳ ଭାରତର ଉତ୍ତର ସୀମାନ୍ତକୁ ପ୍ରାକୃତିକ ସୁରକ୍ଷା ଯୋଗାଇ ନାହିଁ, ଏହା ଉତ୍ତର-ପଶ୍ଚିମରେ ହିନ୍ଦୁକୁଶଠାରୁ ଆରମ୍ଭ କରି ଉତ୍ତର-ପୂର୍ବାଞ୍ଚଳରେ ଅରୁଣାଚଳ ପ୍ରଦେଶ ଯାଏଁ ଲମ୍ବି ଆମ ଦେଶକୁ କାହିଁ କେଉଁ କାଳରୁ ଅଶେଷ ଉପକାର ବିଭିନ୍ନ ଆକାରରେ ଦେଉଛି। ହିମାଳୟ କୋଳରେ ଦେଶର ୧୩ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ସମେତ ଅନେକ ଶୈଳନିବାସ ଓ ସହର ରହିଛି, ଯାହା ପର୍ଯ୍ୟଟନ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାଛଡ଼ା ହିମାଳୟରୁ ପ୍ରବାହିତ […]
ହିମାଳୟ ବା ହିମାଦ୍ରୀ କେବଳ ଭାରତର ଉତ୍ତର ସୀମାନ୍ତକୁ ପ୍ରାକୃତିକ ସୁରକ୍ଷା ଯୋଗାଇ ନାହିଁ, ଏହା ଉତ୍ତର-ପଶ୍ଚିମରେ ହିନ୍ଦୁକୁଶଠାରୁ ଆରମ୍ଭ କରି ଉତ୍ତର-ପୂର୍ବାଞ୍ଚଳରେ ଅରୁଣାଚଳ ପ୍ରଦେଶ ଯାଏଁ ଲମ୍ବି ଆମ ଦେଶକୁ କାହିଁ କେଉଁ କାଳରୁ ଅଶେଷ ଉପକାର ବିଭିନ୍ନ ଆକାରରେ ଦେଉଛି। ହିମାଳୟ କୋଳରେ ଦେଶର ୧୩ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ସମେତ ଅନେକ ଶୈଳନିବାସ ଓ ସହର ରହିଛି, ଯାହା ପର୍ଯ୍ୟଟନ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାଛଡ଼ା ହିମାଳୟରୁ ପ୍ରବାହିତ ଗଙ୍ଗା, ଯମୁନା, ସିନ୍ଧୁ ସମେତ ପ୍ରମୁଖ ନଦୀ ଉପରେ ଜଳ ବିଦ୍ୟୁତ୍ ଯୋଜନାମାନ କରାଯାଇ ଅନେକ ଜଳଭଣ୍ଡାର ସୃଷ୍ଟି କରାଯାଇଛି।
ହିମାଳୟ ଆମର ଅଶେଷ ସମ୍ପଦର ଗନ୍ଥାଘର ହୋଇଥିଲେ ମଧ୍ୟ ପରିବେଶ ଦୃଷ୍ଟିରୁ ଅତ୍ୟନ୍ତ ସ୍ପର୍ଶକାତର ଏବଂ କ୍ଷଣଭଙ୍ଗୁର। ଏହା ବିଶ୍ୱର ଅନ୍ୟତମ ଯୁବ ପର୍ବତମାଳା ଯାହାର ଶିଳାସ୍ତର ଏ ଯାଏଁ ଅସ୍ଥିର ରୂପରେ ରହିଛି ଏବଂ ନିତ୍ୟ, ପ୍ରତ୍ୟହ ସ୍ଥାନ ବଦଳାଇ ସ୍ଥିର ହେବାକୁ ଚେଷ୍ଟା କରୁଛି। ଏହା ଏକ ଭୂତାତ୍ତ୍ୱିକ ପ୍ରକ୍ରିୟା ଏବଂ ଏଭଳି ଅସ୍ଥିର ଅଞ୍ଚଳରେ ଜନବସତି ସ୍ଥାପନ ତଥା ଅଧିକ ଲୋକ ବସବାସ କରିବା ଅତ୍ୟନ୍ତ ବିପଦସଂକୁଳ। ଭୌଗୋଳିକ ସ୍ଥିତି ଯୋଗୁଁ ହିମାଳୟ ପର୍ବତମାଳାରେ ପ୍ରଚୁର ବୃଷ୍ଟିପାତ ହୁଏ ଓ ଉଚ୍ଚଭାଗରେ ବରଫ ପଡ଼େ। ଏହାଫଳରେ ଭୂସ୍ଖଳନ ଘଟି ବ୍ୟାପକ ଧନଜୀବନ ହାନି ଘଟିଥାଏ। ଆମେ ଉତ୍ତରାଖଣ୍ଡର ପାହାଡ଼ି ସୁନାମିର ବିପର୍ଯ୍ୟୟ କଥା ଭୁଲିନାହୁଁ। ଏହି ପାର୍ବତ୍ୟାଞ୍ଚଳରେ ମଧ୍ୟ ଭୂମିକମ୍ପ ନିୟମିତ ଭାବେ ବିତ୍ପାତ ଘଟାଇଥାଏ। ଏଇ ନିକଟରେ ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଯୋଗୁଁ ନାହିଁ ନଥିବା କ୍ଷୟକ୍ଷତି ଘଟିଛି। ଏହା ପୂର୍ବରୁ ସେହି ଦୁଇ ରାଜ୍ୟରେ ମାଟି ଦବି ଏକାଧିକ ସହର ପ୍ରତି ବିପଦ ଦେଖାଦେଇଛି।
କହିବାର କଥା ହେଲା ପ୍ରକୃତିର ଏକ ସହିବାର ସୀମା ଅଛି। ସେ ସୀମାତିକ୍ରମଣ ହେଲେ ମଣିଷ ବିପଦ ମୁହଁକୁ ଠେଲି ହେବା ସ୍ୱାଭାବିକ। ହିମାଳୟର ବହନକ୍ଷମତା ଯାହା ତାହାକୁ ଆମ ମଣିଷ ଓ ଆଧୁନିକ ସଭ୍ୟତା ଅତ୍ୟଧିକ ବଢ଼଼ାଇ ଦେଉଛି। ସେଠି ପାହାଡ଼ ଜଙ୍ଗଲ କାଟି ରାସ୍ତା ତିଆରି ହେଉଛି। ନୂଆ ସହର, ଡ୍ୟାମ୍, ଶିଳ୍ପ ସଂସ୍ଥାମାନ ଗଢ଼ି ଉଠୁଛି। ପର୍ଯ୍ୟଟନ ପାଇଁ ଆମେ ଏହି ପରିବେଶ ଦୃଷ୍ଟିରୁ ସଂବେଦନଶୀଳ ଅଞ୍ଚଳକୁ ଏତେ ମୁକ୍ତ କରିଦେଇଛୁ ଯେ ସେଠାରେ ମୌଳିକ ସୁବିଧା ସୁଯୋଗ ନିର୍ମାଣର ବୋଝ ହିମାଳୟ ପାଇଁ ଅସହ୍ୟ ହୋଇଛି।
ଏବେ ହିମାଳୟର ବହନ କ୍ଷମତା ଏକ ଜନସ୍ୱାର୍ଥ ମାମଲା ହୋଇ ସର୍ବୋଚ୍ଚ ଅଦାଲତରେ ବିଚାର ପାଇର୍ ପହଞ୍ଚିଛି। କେନ୍ଦ୍ର ସରକାର ମଧ୍ୟ ଏହି ପ୍ରସଙ୍ଗକୁ ସମର୍ଥନ କରି ହିମାଳୟ ରାଜ୍ୟଗୁଡ଼ିକର ବହନ କ୍ଷମତା (କ୍ୟାରିଙ୍ଗ କାପାସିଟି) କେତେ ହେବା ଉଚିତ, ତାହା ନିର୍ଦ୍ଧାରଣ କରିବାକୁ ସୁପ୍ରିମକୋର୍ଟଙ୍କ ମତ ଚାହୁଁଛନ୍ତି। ଏଥିପାଇଁ ଏକ ୧୪ ଜଣିଆ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ କରିବାକୁ ମଧ୍ୟ କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତକୁ ପ୍ରସ୍ତାବ ଦେଇଛନ୍ତି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହି ମାମଲାରେ ପକ୍ଷ ହୋଇଛି।
ଉତ୍ତରାଖଣ୍ଡରେ ଅଳ୍ପଦିନ ତଳେ ଯୋଶୀମଠ ସମେତ ବିଭିନ୍ନ ସହରରେ ଯେଉଁ ବିରାଟ ଫାଟମାନ ସୃଷ୍ଟି ହୋଇଥିଲା, ତାହାର କାରଣ ଅନୁଧ୍ୟାନ କରି ଭୂତାତ୍ତ୍ୱିକ ସର୍ଭେ ସଂସ୍ଥା ଯେଉଁ ରିପୋର୍ଟ ଦେଇଛି ତାହା ବେଶ୍ ଚିନ୍ତାଜନକ। ଅତ୍ୟଧିକ ବାହ୍ୟ ଚାପଯୋଗୁଁ ହିମାଳୟର ଅସ୍ଥିର ଶିଳାସ୍ତର ଦବି ଏଭଳି ଅବସ୍ଥା ସୃଷ୍ଟି ହେଉଥିବା ଏହି ରିପୋର୍ଟରେ କୁହାଯାଇଛି। ବିଶେଷଜ୍ଞମାନେ କହୁଛନ୍ତି ଯେ ହିମାଳୟର ବୋଝ ହ୍ରାସ କରିବାର ସମୟ ଉପଗତ। ଏହାର ବିଭିନ୍ନ ଅଞ୍ଚଳରେ ଯେଉଁସବୁ ସହର ଓ ଆବାସିକ ଅଞ୍ଚଳ ବିପଦାପନ୍ନ ସ୍ଥିତିରେ ଅଛି, ସେଠାରୁ ଲୋକଙ୍କୁ ନିରାପଦ ସ୍ଥାନକୁ ତୁରନ୍ତ ସ୍ଥାନାନ୍ତର କରିବା ଆବଶ୍ୟକ। ତା’ନହେଲେ ଯେ କୌଣସି ସମୟରେ ମାଟି ଅତଡ଼ା ଖସି ବା ପାହାଡ଼ ଦବି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବ ଓ ଅନେକ ଧନଜୀବନ ହାନି ଘଟିବ।
ଜଳବାୟୁ ପରିବର୍ତ୍ତନର ପ୍ରଭାବ ହିମାଳୟ ଓ ଏହାର ଜୈବମଣ୍ଡଳ ଉପରେ ସ୍ପଷ୍ଟ ଭାବେ ଅନୁଭୂତ ହେଉଛି। ଅନାବୃଷ୍ଟି, ଅତିବୃଷ୍ଟି, ଭୂସ୍ଖଳନ, ତୁଷାରସ୍ରୋତର ପରିବର୍ତ୍ତନ, ଉତ୍ତାପବୃଦ୍ଧି, ପୂର୍ବାପେକ୍ଷା ଅଧିକ ଦେଖାଯାଉଛି। ହିମାଳୟ ଜୈବମଣ୍ଡଳ ପ୍ରତି ମଧ୍ୟ ବିପଦ ବଢ଼଼ିଛି। ଅତଏବ ଏବେ ସେଠାରେ ମାନବିକ ହସ୍ତକ୍ଷେପକୁ ରୋକିବାର ସମୟ ଆସିଛି। ଲୋକଙ୍କୁ ବେଳ ହୁଁ ନିରାପଦ ସ୍ଥାନକୁ ହଟାଇବାକୁ ଜରୁରୀ ଆବଶ୍ୟକତା ପହଞ୍ଚିଛି। ଏହା ଏକ ଛୋଟିଆ କାମ ନୁହେଁ। ଜନାକୀର୍ଣ୍ଣ ପାହାଡ଼ରୁ ଲୋକଙ୍କୁ ଏହାର ପାଦ ଦେଶ ବା ସମତଳ ଅଞ୍ଚଳକୁ ଆଣି ନୂଆ ଆବାସିକ ଅଞ୍ଚଳ ଗଢ଼ିବା ଏକ ବ୍ୟୟବହୁଳ ତଥା କଷ୍ଟସାଧ୍ୟ ବ୍ୟାପାର। ସେଥିପାଇଁ ପୂର୍ଣ୍ଣାଙ୍ଗ ଯୋଜନାର ଆବଶ୍ୟକତା ରହିଛି। ଏବେ ପାହାଡ଼ର ଡାକ ଓ ତା’ର ପ୍ରାକୃତିକ ଶୋଭାରାଜିରେ ବିମୁଗ୍ଧ ହୋଇ ତା’ ଉପରେ ସ୍ଥାୟୀ ଭାବେ ବସବାସ କରିବାର ଅବକାଶ ଆଉ ପ୍ରାୟ ନାହିଁ। ଏବେ ପଳାୟନ ଓ ସଂରକ୍ଷଣ ହିମାଳୟ ପାଇଁ ମଣିଷର ଏକମାତ୍ର ବିକଳ୍ପ। କହିବା ବାହୁଲ୍ୟ ଯେ ହିମାଳୟ ଆମ ସଭ୍ୟତା ଓ ବିକାଶର ଏକ ଜୀବନ ନାଟିକା। ତାକୁ ବିପନ୍ନ କରି ଆମେ ଆଗକୁ ବଢ଼଼ିପାରିବା ନାହିଁ।





