ଓବିସି ପ୍ରସଙ୍ଗ ଓ ରୋହିଣୀ କମିଶନ ରିପୋର୍ଟ: ପଛୁଆ ଜାତି ସଂରକ୍ଷଣ ପୁନର୍ବିନ୍ୟାସ ସମ୍ଭାବନା

The Sakala Picture
Published On

ଅନ୍ୟାନ୍ୟ ଅନଗ୍ରସର ବର୍ଗ ବା ଜାତି (ଓବିସି)ଙ୍କ ଜନଗଣନା ନେଇ ଦେଶରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ସରକାରଙ୍କ ଅନୁମତି ବିନା କୌଣସି ରାଜ୍ୟ ଓବିସି ଜନଗଣନା କରି ପାରିବେ ନାହିଁ ବୋଲି କେନ୍ଦ୍ରର ଏନ୍‌‌ଡିଏ ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ବିହାର ସରକାର ଏହାକୁ ଖାତିର ନ କରି ନିଜ ରାଜ୍ୟରେ ଓବିସି ଜନଗଣନା କରାଇଛନ୍ତି। ଏହି ଗଣନାକୁ ମଧ୍ୟ ପାଟନା ହାଇକୋର୍ଟ ଓ ସୁପ୍ରିମକୋର୍ଟରୁ ସବୁଜ ସଂକେତ ମିଳିଥିବାବେଳେ କେନ୍ଦ୍ର […]

ଅନ୍ୟାନ୍ୟ ଅନଗ୍ରସର ବର୍ଗ ବା ଜାତି (ଓବିସି)ଙ୍କ ଜନଗଣନା ନେଇ ଦେଶରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ସରକାରଙ୍କ ଅନୁମତି ବିନା କୌଣସି ରାଜ୍ୟ ଓବିସି ଜନଗଣନା କରି ପାରିବେ ନାହିଁ ବୋଲି କେନ୍ଦ୍ରର ଏନ୍‌‌ଡିଏ ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ବିହାର ସରକାର ଏହାକୁ ଖାତିର ନ କରି ନିଜ ରାଜ୍ୟରେ ଓବିସି ଜନଗଣନା କରାଇଛନ୍ତି। ଏହି ଗଣନାକୁ ମଧ୍ୟ ପାଟନା ହାଇକୋର୍ଟ ଓ ସୁପ୍ରିମକୋର୍ଟରୁ ସବୁଜ ସଂକେତ ମିଳିଥିବାବେଳେ କେନ୍ଦ୍ର ସରକାର ଏହା ବିରୋଧରେ ସର୍ବୋଚ୍ଚ ଅଦାଲତରେ ମାମଲା ଦାଏର କରିଛନ୍ତି। ଆଗକୁ ଲୋକସଭା ଓ ଏକାଧିକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଭୋଟର ଏବଂ ଲୋକସଂଖ୍ୟାର ଏକ ବଡ଼ଭାଗ ଓବିସିଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେଇ ତୋଷ କରିବାକୁ ରାଜନୈତିକ ଦଳମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଅଧିକାଂଶ ଦଳର ଦାବି ଯେ ଭାରତରେ ଓବିସିଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୪୦ ଶତାଂଶ। ଏହାସତ୍ତ୍ବେ ସେମାନଙ୍କୁ ୨୭% ସଂରକ୍ଷଣ ସୁବିଧା ମିଳୁଛି। ତେଣୁ ରାଜ୍ୟ ସରକାରମାନେ ଓବିସିଙ୍କ ଜନଗଣନା କରି ସେମାନଙ୍କ ମଧ୍ୟରେ ଥିବା ବିଭିନ୍ନ ଉପବର୍ଗଙ୍କୁ ଅଧିକ ସଂରକ୍ଷଣ ସୁବିଧା ଦେବାକୁ ମସୁଧା କରୁଛନ୍ତି। ତେବେ ବିହାରର ଜାତିଗତ ଜନଗଣନାର ଫଳାଫଳ ଏ ଯାଏଁ ପ୍ରକାଶିତ ହୋଇନାହିଁ। ଓଡ଼ିଶା ଭଳି ରାଜ୍ୟ, ଯେଉଁଠି ଓବିସିଙ୍କ ଆନୁପାତିକ ସଂଖ୍ୟା ଅଧିକ, ସେଠାରେ ଏହି ଜାତିର ଜନଗଣନା ପାଇଁ ରାଜନୈତିକ ମହଲରେ ଦାବି ଉଠିବା ସ୍ୱାଭାବିକ।

ରାଜନୀତି ସମ୍ଭାବନାର ଖେଳ ଏବଂ ପରସ୍ପରକୁ ପଛରେ ପକାଇ ଆଗକୁ ଯିବାର କଳା। ଏବେ ଓବିସି ପ୍ରସଙ୍ଗରେ କେନ୍ଦ୍ରର ଏନ୍‌‌ଡିଏ ସରକାର ଏକ ଚତୁର ଚାଲ ଖେଳି ଜଷ୍ଟିସ୍‌‌ ରୋହିଣୀ କମିଶନଙ୍କ ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ରିପୋର୍ଟକୁ କମିଶନ୍‌‌ ଗତ ଜୁଲାଇ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖରେ ଦାଖଲ କରିଥିଲେ। ଯାହା ଜଣାପଡ଼ିଛି କେନ୍ଦ୍ର ସରକାର ଯଦି ଏହି ରିପୋର୍ଟର ସୁପାରିସ୍‌‌କୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଅନ୍ତି, ତାହା ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଓ ଏହାର ମିଶ୍ରଦଳଙ୍କୁ ଫାଇଦା ଦେଇପାରେ। ସୂଚନାଯୋଗ୍ୟ ଯେ ଓବିସି ଅନ୍ତର୍ଗତ ବିଭିନ୍ନ ଉପବର୍ଗଙ୍କ ବର୍ଗୀକରଣ ଓ ସେମାନଙ୍କୁ ଚିହ୍ନଟ କରିବାକୁ ୨୦୧୭ରେ ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍‌‌ ଜି ରୋହିଣୀଙ୍କ ଅଧ୍ୟକ୍ଷତାରେ ଏହି କମିଶନ ଗଠନ କରାଯାଇଥିଲା। କମିଶନଙ୍କ ସୁପାରିସ ସହିତ ଦେଶର ମୋଟ ଭୋଟରଙ୍କ ମଧ୍ୟରୁ ୪୦%ଙ୍କ ଭବିଷ୍ୟତ ସମ୍ପୃକ୍ତ; କାରଣ ସେମାନେ ଓବିସି ବର୍ଗର। ତେଣୁ ରାଜନୈତିକ ଦୃଷ୍ଟିରୁ ଏହା ବିଶେଷ ଚର୍ଚ୍ଚିତ ତଥା ଗୁରୁତ୍ୱପୂର୍ଣ୍ଣ ହେବା ଆଶଙ୍କା କରାଯାଉଛି। ରୋହିଣୀ ରିପୋର୍ଟରେ ସବୁ ଓବିସିବର୍ଗଙ୍କ ଚିହ୍ନଟ ଓ ସେମାନଙ୍କ ବର୍ଗ-ଉପବର୍ଗ ନିର୍ଦ୍ଧାରିତ ହୋଇଛି।

ତଥ୍ୟ ଅନୁସାରେ ଏହି ରିପୋର୍ଟର ସୁପାରିସ ସବୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ। ପ୍ରଥମ ଭାଗରେ ଓବିସି ବର୍ଗଙ୍କ ସଂରକ୍ଷଣ କୋଟାର ସମାବେଶୀ ଓ ଉପଯୁକ୍ତ ବଣ୍ଟନକୁ ଗୁରୁତ୍ୱ ଦିଆଯାଇଛି। ସରଳ ଅର୍ଥରେ ଓବିସି ବର୍ଗରେ ଥିବା ସବୁ ଉପବର୍ଗ ନିଜର ସଂଖ୍ୟା ଅନୁପାତରେ ମୋଟ ସଂରକ୍ଷଣ କୋଟା ମଧ୍ୟରେ ଭାଗ ପାଇବେ। ସେହିଭଳି ଦ୍ୱିତୀୟ ଭାଗ ସୁପାରିସରେ ଦେଶର ସମ୍ପ୍ରତି ୨୬୩୩ ଚିହ୍ନଟ ହୋଇଥିବା ଓବିସି ବର୍ଗଙ୍କ ତଥ୍ୟ ରହିଛି। ଏଥିରେ ଏହି ଓବିସି ବର୍ଗର ଉପବର୍ଗମାନଙ୍କର ସଂଖ୍ୟା ଦେଶର ଲୋକସଂଖ୍ୟା ଅନୁପାତରେ କେତେ ତାହା ନିର୍ଣ୍ଣିତ ହୋଇ ସେମାନଙ୍କୁ ନିଜର ସଂଖ୍ୟା ଆଧାରରେ ସଂରକ୍ଷଣର ସୁବିଧା ମିଳିବ। ଏହାର ବଡ଼ ଲାଭଟି ହେଲା ମୋଟ ଓବିସି କୋଟାରେ ଜନସଂଖ୍ୟା ଆଧାରରେ ବିଭିନ୍ନ ବର୍ଗର ଓବିସି ସଂରକ୍ଷଣର ସୁବିଧା ପାଇବେ ଏବଂ ବର୍ତ୍ତମାନର ପ୍ରଭାବଶାଳୀ ଓବିସି ବର୍ଗ ଆଗ ଭଳି ସବୁ ସୁବିଧା ହାତେଇ ପାରିବେ ନାହିଁ।

ସ୍ଥାନ ସଂରକ୍ଷଣର ଉଦ୍ଦେଶ୍ୟ ହେଲା ଉନ୍ନତ ଓ ଆଗୁଆ ବର୍ଗଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବାଛବିଚାର କରି ଅନଗ୍ରସର, ଦଳିତ, ଗରିବ, ଆଦିବାସୀ ଆଦିଙ୍କୁ ଉପରକୁ ଉଠିବାକୁ ଦେବା। ଏହା ସୋସିଆଲ୍‌‌ ଇଂଜିନିୟରିଂ(ସୁଷମ ସମାଜ ପରିଚାଳନା)ର ଏକ ସୂତ୍ର। ତେବେ ଦେଖାଯାଉଛି ଯେ କେବଳ ବର୍ଗ ବିଶେଷରେ ସଂରକ୍ଷଣ ସୁବିଧା ଦେଲେ ସେହି ବର୍ଗର ଉପବର୍ଗମାନେ ଆନୁପାତିକ ଭାବେ ଉପକୃତ ହେଉ ନାହାନ୍ତି ଏବଂ ସେମାନଙ୍କ ଲାଭ ଆଗୁଆ ଓବିସି ବର୍ଗମାନେ ଛଡ଼ାଇ ନେଉଛନ୍ତି। ଏବେ ଉପବର୍ଗ ଭିତ୍ତିରେ ସଂରକ୍ଷଣ ହେଲେ କୋଟା ମଧ୍ୟରେ କୋଟା ରହିବ ଏବଂ ଜନସଂଖ୍ୟା ଅନୁପାତରେ ସମସ୍ତଙ୍କୁ ଜନସଂଖ୍ୟା ଆଧାରରେ ଆନୁପାତିକ ସଂରକ୍ଷଣର ସୁବିଧା ମିଳିବ। ଏହାଫଳରେ ସମସ୍ତଙ୍କ ପାଇଁ ସରକାର ସମାନ ସୁବିଧା ସୁଯୋଗ ଏହି ଆଇନଗତ ସଂରକ୍ଷଣ ଆଧାରରେ ଦେଇପାରିବେ।

ସତକଥା ହେଲା, କେବଳ ଓବିସି ନୁହେଁ, ବାକି ସମସ୍ତ ସଂରକ୍ଷଣ ସୁବିଧା ପାଉଥିବା ଜାତିମାନଙ୍କ ମଧ୍ୟରେ ଥିବା ଅନେକ ଉପବର୍ଗ ଉଭୟ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅଧିକ ଦୁର୍ବଳ। ସେମାନଙ୍କୁ ମଧ୍ୟ ସଂରକ୍ଷଣର ସୁବିଧା ଦେଇ ଆଗକୁ ଉଠାଇବାକୁ ପଡ଼ିବ। ମନେ ହେଉଛି ଯେଉଁ ରାଜନୈତିକ ଦଳମାନେ ଜାତିଆଣ ରାଜନୀତିକୁ ଅଗ୍ରାଧିକାର ଦେଉଥିଲେ ଏବେ ଓବିସି ବର୍ଗରେ ଉପବର୍ଗ ଚିହ୍ନଟ ପରେ ସେମାନେ ଅଡୁଆରେ ପଡ଼ିପାରନ୍ତି। ସରକାର ଚିହ୍ନଟ ଉପବର୍ଗଙ୍କୁ ଅଲଗା ଅଲଗା ସଂରକ୍ଷଣ ସୁବିଧା ଦେଲେ କୌଣସି ଏକ ପ୍ରଭାବୀ ଓବିସି ଗୋଷ୍ଠୀକୁ ନେଇ ରାଜନୀତି କରୁଥିବା ଦଳମାନଙ୍କ ଆଧିପତ୍ୟ କମ୍‌‌ ହେବ। ବୋଧହୁଏ କେନ୍ଦ୍ର ଏନ୍‌‌ଡିଏ ସରକାର ସାଧାରଣ ନିର୍ବାଚନ ପୂର୍ବରୁ ହିସାବ ନିକାଶ କରି ବେଶ୍‌‌ ଚତୁରତାର ସହିତ ରୋହିଣୀ କମିଶନ ରିପୋର୍ଟର ସୁପାରିସକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହାଦ୍ୱାରା ଦଳକୁ ଆଗାମୀ ନିର୍ବାଚନରେ ରାଜନୈତିକ ଫାଇଦା ମିଳିପାରେ। ସମୀକ୍ଷକଙ୍କ ମତ ଯେ ସଂସଦର ଆସନ୍ତା ବିଶେଷ ଅଧିବେଶନରେ ଏହି ଓବିସି ସଂରକ୍ଷଣର ସୁଷମ ବଣ୍ଟନ ପ୍ରସ୍ତାବ ଆଲୋଚନାକୁ ଆସିପାରେ ଏବଂ ନୂତନ ଆଇନ ପ୍ରଣୟନର ଚେଷ୍ଟା କରାଯାଇପାରେ। କେନ୍ଦ୍ର ସରକାରଙ୍କ ଦ୍ୱାରା ଅକସ୍ମାତ ଓ ଅପ୍ରତ୍ୟାଶିତ ଭାବେ ସଂସଦର ବିଶେଷ ଅଧିବେଶନ ଡାକରା ପଛରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ଏବଂ ରୋହିଣୀ କମିଶନ୍‌‌ ରିପୋର୍ଟର ତୁରନ୍ତ କାର୍ଯ୍ୟାନ୍ୱୟନ ଭଳି କେତେକ ସଂକଳ୍ପ ରହିଛି ବୋଲି ବିଶ୍ୱାସ ଆସୁଛି। ସଂସଦର ଏହି ସ୍ୱତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ ଯେହେତୁ ପ୍ରକାଶିତ ହୋଇନାହିଁ, ତେଣୁ ବିଭିନ୍ନ ମହଲରୁ କଳ୍ପନା ଜଳ୍ପନା ତଥା ‘ରାଜନୈତିକ ଗୁଡ଼ି ଉଡ଼ାଣ’ କରାଯିବା ସ୍ୱାଭାବିକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର