ସହରାଞ୍ଚଳରେ ବଢ଼଼ୁଛି ଜଳବୁଡ଼ି ସମସ୍ୟା

The Sakala Picture
Published On

ମୌସୁମୀ ପ୍ରବାହ କାଳରେ ଅତିବୃଷ୍ଟି ଯୋଗୁଁ ଭାରତର ପ୍ରମୁଖ ନଗରୀଗୁଡ଼ିକ ଜଳାର୍ଣ୍ଣବ ହେବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ଖୋଦ୍‌‌ ଦେଶର ରାଜଧାନୀ ନୂଆଦିଲ୍ଲୀ ବର୍ଷା ଓ ବନ୍ୟା ପାଣିରେ ଉବୁଟୁବୁ ହେଉଥିବାବେଳେ ଦେଶର ଅର୍ଦ୍ଧାଧିକ ରାଜଧାନୀ ମୁମ୍ବଇ, ମହାନଗରୀ କଲିକତା ଓ ଚେନ୍ନାଇ କଥା କହିଲେ ନ ସରେ। ଏଭଳି ସ୍ଥିତିରେ ଆମ କଟକ ଓ ଭୁବନେଶ୍ୱରରେ ସହରୀ ବନ୍ୟା ସାମଗ୍ରିକ ଜଳାର୍ଣ୍ଣବ କାହାଣୀର ଏକ ପାଦଟୀକା ସଦୃଶ। ସମସ୍ୟା ଏପରି ହୋଇଛି ଯେ […]

ମୌସୁମୀ ପ୍ରବାହ କାଳରେ ଅତିବୃଷ୍ଟି ଯୋଗୁଁ ଭାରତର ପ୍ରମୁଖ ନଗରୀଗୁଡ଼ିକ ଜଳାର୍ଣ୍ଣବ ହେବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ଖୋଦ୍‌‌ ଦେଶର ରାଜଧାନୀ ନୂଆଦିଲ୍ଲୀ ବର୍ଷା ଓ ବନ୍ୟା ପାଣିରେ ଉବୁଟୁବୁ ହେଉଥିବାବେଳେ ଦେଶର ଅର୍ଦ୍ଧାଧିକ ରାଜଧାନୀ ମୁମ୍ବଇ, ମହାନଗରୀ କଲିକତା ଓ ଚେନ୍ନାଇ କଥା କହିଲେ ନ ସରେ। ଏଭଳି ସ୍ଥିତିରେ ଆମ କଟକ ଓ ଭୁବନେଶ୍ୱରରେ ସହରୀ ବନ୍ୟା ସାମଗ୍ରିକ ଜଳାର୍ଣ୍ଣବ କାହାଣୀର ଏକ ପାଦଟୀକା ସଦୃଶ। ସମସ୍ୟା ଏପରି ହୋଇଛି ଯେ ଏହି ସହରୀ ବନ୍ୟା ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଛି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଦେଶର ଗୋଟିକ ପରେ ଗୋଟିଏ ସହରର ଅବସ୍ଥା ଦିନକୁ ଦିନ ଖରାପ ହେଉଛି। ଏଥିରୁ ଆମ ସହରଗୁଡ଼ିକର ଦୁଃସ୍ଥିତିର ପରିଚୟ ମିଳୁଛି। ଏହାର ପ୍ରତିକାର ପାଇଁ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ସର୍ବୋଚ୍ଚ ଅଦାଲତ କହିବା ସହିତ ଆଉ ଅଧିକ କ’ଣ ବା କହିପାରିବେ। ସମଗ୍ର ଦେଶର ସ୍ଥିତି ଏହି ପ୍ରସଙ୍ଗରେ ଗୁରୁତର। ସହରର ସଂଖ୍ୟା ଓ ଆୟତନ ଯେତେ ବଢ଼଼ୁଛି, ଏହାର ଦୁର୍ଦ୍ଦଶା ସେତେ ବଢ଼଼ିବାରେ ଲାଗିଛି।

ସହରାଞ୍ଚଳ ପ୍ଳାବନର ସ୍ଥାୟୀ ସମାଧାନ ପାଇଁ ଉପଯୁକ୍ତ ଯୋଜନା, ସମତୁଲ ବିକାଶ, ପରିବେଶ ଓ ପରିତନ୍ତ୍ରର ସୁରକ୍ଷା ଏବଂ ଲୋକଙ୍କୁ ମୌଳିକ ସେବା ତଥା ସୁଯୋଗ ଯୋଗାଇ ଦେବା ପ୍ରଥମ ଆବଶ୍ୟକତା। ଏଥିପାଇଁ କେନ୍ଦ୍ରରେ ସହରାଞ୍ଚଳ ବିକାଶ ଓ ଆବାସ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି ଏବଂ ବିଭିନ୍ନ ରାଜ୍ୟରେ ଏହାର ବିଭାଗ ଅଛି। କେନ୍ଦ୍ରର ସହରାଞ୍ଚଳ ବିକାଶ ବଜେଟ୍‌‌ ବେଶ୍‌‌ ଆଖିଦୃଶିଆ। ଏହାସତ୍ତ୍ବେ ଆମ ସହରନଗର ସବୁ ବର୍ଷା କାଳରେ ନର୍କପୁରୀରେ ପରିଣତ ହେଉଛି। ଏହା ଅବଶ୍ୟ ସତ୍ୟ ଯେ ଦେଶର ଅଧିକାଂଶ ନଗରୀ ବିନା ଯୋଜନାରେ ଗଢ଼ି ଉଠିଛି ଏବଂ ସେଗୁଡ଼ିକ ବହୁତ ପୁରୁଣା। ଆମ ରାଜ୍ୟର ଅନ୍ୟତମ ପୁରାତନ ନଗରୀ ଓ ପୂର୍ବତନ ରାଜଧାନୀ କଟକ ସହର କଥା ନିଆଯାଉ। ‘ବାଉନ ବଜାର ତେପନ ଗଳି’ ବିଶିଷ୍ଟ କଟକ ସହରରେ ବର୍ଷା ଦିନ ତକ ଗଳି ରାସ୍ତା ଓ ଡ୍ରେନ୍‌‌ ଭିତରେ ଫରକ ଜାଣିବା ସମ୍ଭବ ହୁଏ ନାହିଁ। ସହଜେ ତ କଟକ ସହର ପତ୍ତନଠାରୁ ଏହା ଚାରିପଟେ ଥିବା ନଦୀ ଜଳସ୍ତର ଉପରେ। ତେଣୁ କଥାରେ ଅଛି ‘ଏଠାରେ ବେଙ୍ଗ ମୁତିଲେ ପାଣି।’ ତେବେ କଟକ ସହରର କେତେକ ମୁଖ୍ୟ ନାଳ ଓ ନର୍ଦ୍ଦମାରେ ଗତ କେଇ ଦଶନ୍ଧି ଧରି ମରାମତି ଚାଲିଛି। ବଡ଼ ବଡ଼ ଅନ୍ତଃରାଷ୍ଟ୍ରୀୟ ସଂସ୍ଥାମାନେ ଯୋଡ଼ି ହୋଇଛନ୍ତି। ଏବେ ବି କଟକର ବର୍ଷାକାଳୀନ ଅବସ୍ଥା ଯେମିତି ଥିଲା ସେମିତି ଅଛି। ଏପଟେ ରାଜଧାନୀ ଭୁବନେଶ୍ୱର କଥା ମଧ୍ୟ ସେହିଭଳି ହେବାକୁ ବସିଛି। ନାଳନର୍ଦ୍ଦମାରେ ବନ୍ୟା ଆସି ଘର ବୁଡ଼ି ପାଣି ଆଣ୍ଠୁଏ। ଏଥର ତ ଲିଙ୍ଗରାଜ ମନ୍ଦିରରେ ପାଣି। ନର୍ଦ୍ଦମା ପାଣିରେ ପିଲା ଭାସି ଯାଇ ମୃତ୍ୟୁବରଣ କରୁଛନ୍ତି। ରାଜଧାନୀର ଅନେକ ରାଜରାସ୍ତା ମଧ୍ୟ ବର୍ଷାକାଳେ ସୁନାବ୍ୟା!

ସହରକୁ ଗ୍ରାମାଞ୍ଚଳରୁ ବହୁସଂଖ୍ୟକ ଲୋକ ଆସି ବସବାସ କରିବାରୁ ଏହା ବର୍ଦ୍ଧିତ ଜନସଂଖ୍ୟାର ଚାପର ସମ୍ମୁଖୀନ ହେଉଛି। ଜଳ ନିଷ୍କାସନ, ଜଳଯୋଗାଣ, ପରିବହନ ଓ ରାସ୍ତାଘାଟ ସୁବିଧା ତଥା ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ବିଜୁଳି ଆଦି ସେଥିମଧ୍ୟରୁ ଅନ୍ୟତମ। ଅନେକ ବର୍ଷ ହେବ ଭାରତରେ ସମ୍ପୂର୍ଣ୍ଣ ନୂଆ ସହର ତିଆରି ହୋଇନାହିଁ କହିଲେ ଚଳେ। ଯେଉଁ କିଛି ଶିଳ୍ପ ସହର ଗଢ଼ି ଉଠିଛି, ସେଠାରେ ଯୋଜନା ଅନୁସାରେ ତିଆରି ହୋଇଥିବା ମୌଳିକ ସୁବିଧା ସୁଯୋଗ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଭାର ସମ୍ଭାଳିପାରୁ ନାହିଁ। ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଅତିବୃଷ୍ଟି ଓ ବନ୍ୟା ବିତ୍ପାତ ବଢ଼଼ିଛି ଏବଂ ସହର ସବୁର ନାଳନର୍ଦ୍ଦମା ଏବଂ ପ୍ରାକୃତିକ ଜଳ ନିଷ୍କାସନ ପଥ କୋଠାବାଡ଼ି ଦ୍ୱାରା ଅବରୁଦ୍ଧ ହେଉଛି। ତେଣୁ ସହରବୁଡ଼ି ଏକ ପ୍ରତ୍ୟାଶିତ ବାସ୍ତବତା ହୋଇଛି।

ପରିତାପର ବିଷୟ ହେଉଛି ଭୋଟ ରାଜନୀତି ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ବେଆଇନ ନିର୍ମାଣ, ଜବରଦଖଲ ଆଦିର ନିୟମିତ ଉଚ୍ଛେଦ ହେଉ ନାହିଁ। ନଦୀ, ନାଳ ଓ ପୋଖରୀ ଆଦିକୁ ପୋତି ନୂଆ ଆବାସିକ ଅଞ୍ଚଳ ତିଆରି ହେଉଛି। ତେଣୁ ଏଭଳି ବିପର୍ଯ୍ୟୟ ଘଟୁଛି। ଦେଶର ଅର୍ଥନୈତିକ ବିକାଶରେ ସହର ସମୂହର ଭୂମିକା ଅନସ୍ୱୀକାର୍ଯ୍ୟ। ଏହା ବିନା ଭାରତ ସଂକଟର ସମ୍ମୁଖୀନ ହେବ। ଏବେ ଦେଶରେ ଯେଉଁ ପ୍ରାୟ ୮୦୦୦ ମାନ୍ୟତାପ୍ରାପ୍ତ ସହର ରହିଛି, ସେଥିରୁ ଅଧାରୁ ଅଧିକର ପରିଚାଳନା ଓ ଶାସନ ବ୍ୟବସ୍ଥା ଗ୍ରାମାଞ୍ଚଳ ବ୍ୟାପାର ବିଭାଗ ଉପରେ। ସେଥିରେ ଅନେକ ସେନ୍‌‌ସେସ୍‌‌ ସହର ମଧ୍ୟ ଅନ୍ତର୍ଭୁକ୍ତ। ଏହାସତ୍ତ୍ବେ ଆମ ସହରାଞ୍ଚଳ ଶାସନ ଓ ପରିଚାଳନା ବିଭ୍ରାନ୍ତ, ବିଶୃଙ୍ଖଳିତ ଓ ଅଧାପନ୍ତରିଆ। ଏହା ଓଡ଼ିଶା କି ବିହାରର କଥା ନୁହେଁ; ସମଗ୍ର ଦେଶର ଅବସ୍ଥା ଊଣାଅଧିକେ ସମାନ। ମହାନଗରଠାରୁ ପୌରପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଯାଏଁ ଏହି ସମସ୍ୟା ଲମ୍ବିଛି। ବିଡ଼ମ୍ବନା ହେଉଛି ଆମେ ସହରର ସୁଶାସନ ଓ ସୁବ୍ୟବସ୍ଥା ପାଇଁ ଆଇନ୍‌‌କାନୁନ କରୁ ଏବଂ ତା’କୁ ପାଳନ କରିବାକୁ ଭୁଲିଯାଉ। ଏବେ ଯେଉଁ ସ୍ମାର୍ଟସିଟି ଦେଶରେ ନିର୍ମିତ ହେଉଛି, ତାହା ମଧ୍ୟରୁ ଅର୍ଦ୍ଧେକ ବର୍ଷା ଓ ବନ୍ୟା ପାଣିରେ ଉବୁଟୁବୁ ହେଉଛି। ରାଜଧାନୀ ଦିଲ୍ଲୀ ଓ ତାହାର ଉପକଣ୍ଠ ଉପନଗରୀଗୁଡ଼ିକ ଏହାର ଜ୍ୱଳନ୍ତ ଉଦାହରଣ।

୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହେବ ବୋଲି କୁହାଯାଉଛି। ସରକାରଙ୍କ ଏହି ଆଶା ଓ ବିଶ୍ୱାସକୁ ଅଙ୍ଗୁଳି ନିର୍ଦ୍ଦେଶ କରିହେବ ନାହିଁ। ବାସ୍ତବତା କିନ୍ତୁ ଭିନ୍ନ। ସତରେ କ’ଣ ଆମେ ଏଭଳି ପ୍ଳାବିତ ଓ ଅବହେଳିତ ସହରକୁ ନେଇ ବିକଶିତ ହୋଇପାରିବା? ଏଥିପାଇଁ ପ୍ରତିକାର ଲୋଡ଼ା ଏବଂ ମାଧ୍ୟମ ମଧ୍ୟ ଅତ୍ୟନ୍ତ କଠୋର ହେବା ଆବଶ୍ୟକ। ସେଥିପାଇଁ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ବା ପୌରାନୁଷ୍ଠାନଗୁଡ଼ିକୁ ସଶକ୍ତ ତଥା ଅଧିକ ଉତ୍ତରଦାୟୀ କରିବାକୁ ହେବ। ‘ଟାଉନ ପ୍ଲାନିଂ’ ଓ ନଗର ବିକାଶରେ ବିଶେଷଜ୍ଞମାନଙ୍କୁ ଅଧିକରୁ ଅଧିକ ନିୟୋଜିତ କରି ଏଥିରେ ରାଜନୈତିକ ହସ୍ତକ୍ଷେପକୁ ହ୍ରାସ କରିବାକୁ ପଡ଼ିବ। କହିବା ବାହୁଲ୍ୟ ଯେ ଉପଯୁକ୍ତ ଡ୍ରେନେଜ୍‌‌ ଓ ଜଳ ନିଷ୍କାସନ ଅଭାବରୁ ଏକଦା ସିନ୍ଧୁ ସଭ୍ୟତା ଧ୍ୱଂସ ପାଇଥିଲା। ଆମେ ଅମୃତକାଳରେ ବିଶ୍ୱର ବିକଶିତ ରାଷ୍ଟ୍ର ହେବାକୁ ଧାଉଁଥିବାବେଳେ ଆମ ସହର, ଯାହା ଆମ ଅଭିବୃଦ୍ଧି ଓ ବିକାଶର ପ୍ରାଣକେନ୍ଦ୍ର, ତାହା ଜଳାର୍ଣ୍ଣବ ବା ଶ୍ୱାସରୁଦ୍ଧ। ଆମ ସହରାଞ୍ଚଳଗୁଡ଼ିକର ଅକାଳମୃତ୍ୟୁ ନ ହେଉ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର