ମାନବସଭ୍ୟତା ଓ ସନ୍ତୁଳନବାଦ
ମଣିଷ ଏକ ସାମାଜିକ ପ୍ରାଣୀ ହୋଇଥିବାରୁ ସମାଜରେ ତିଷ୍ଠି ରହିବା ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସନ୍ତୁଳନ ଆବଶ୍ୟକ। ବର୍ତ୍ତମାନ ମନରେ ପ୍ରଶ୍ନ ଉଙ୍କି ମାରିବ ଆପଣ କେଉଁ କେଉଁ କ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବେ? ସହଜରେ ଏହାର ଉତ୍ତର ଦିଆଯାଇପାରେ ସାଧାରଣ ମଣିଷଟିଏ ସଳଖରେ ଠିଆ ହେବା ପାଇଁ ପ୍ରକୃତି ମନୁଷ୍ୟର ଶରୀର ଗଠନ କରି ପାଦଯୋଡ଼ିଏ ଦେଇଛି। ଯଦି ଏହି ପାଦଯୋଡ଼ିକ ନଥା’ନ୍ତା ତେବେ ମଣିଷ ସଳଖି ଠିଆ ହୋଇପାରନ୍ତା ନାହିଁ। ଜୀବନ ଧାରଣ ପାଇଁ […]
ମଣିଷ ଏକ ସାମାଜିକ ପ୍ରାଣୀ ହୋଇଥିବାରୁ ସମାଜରେ ତିଷ୍ଠି ରହିବା ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସନ୍ତୁଳନ ଆବଶ୍ୟକ। ବର୍ତ୍ତମାନ ମନରେ ପ୍ରଶ୍ନ ଉଙ୍କି ମାରିବ ଆପଣ କେଉଁ କେଉଁ କ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବେ? ସହଜରେ ଏହାର ଉତ୍ତର ଦିଆଯାଇପାରେ ସାଧାରଣ ମଣିଷଟିଏ ସଳଖରେ ଠିଆ ହେବା ପାଇଁ ପ୍ରକୃତି ମନୁଷ୍ୟର ଶରୀର ଗଠନ କରି ପାଦଯୋଡ଼ିଏ ଦେଇଛି। ଯଦି ଏହି ପାଦଯୋଡ଼ିକ ନଥା’ନ୍ତା ତେବେ ମଣିଷ ସଳଖି ଠିଆ ହୋଇପାରନ୍ତା ନାହିଁ। ଜୀବନ ଧାରଣ ପାଇଁ ମଣିଷର ପ୍ରଥମ ମୌଳିକ ଆବଶ୍ୟକତା ହେଉଛି ଖାଦ୍ୟ। ଏହି ଖାଦ୍ୟ ପଦାର୍ଥର ପ୍ରସ୍ତୁତି କ୍ଷେତ୍ରରେ ମଧ୍ୟ ସନ୍ତୁଳନ ଆବଶ୍ୟକ। ଯେଉଁ ତରକାରୀରେ ତେଲ, ଲୁଣ, ହଳଦୀ, ମସଲା ପ୍ରଭୃତିର ସଠିକ୍ ଭାଗମାପ ରହିଥାଏ ଅର୍ଥାତ ସନ୍ତୁଳନ ରକ୍ଷା କରାଯାଇଥାଏ, ତାହା ସେତେ ସ୍ୱାଦିଷ୍ଟ ହୋଇଥାଏ। ଖାଦ୍ୟ ଗ୍ରହଣରେ ମଧ୍ୟ ସନ୍ତୁଳନ ଆବଶ୍ୟକ। ଆହୁରି ମଧ୍ୟ ମନୁଷ୍ୟର ଶରୀର ଗଠନ ପ୍ରକ୍ରିୟାରେ ଅସନ୍ତୁଳନ ରହିଲେ ତାହା ଆମ ଆଖିକୁ ସହଜ ଅନୁଭୂତ ହୋଇନଥାଏ।
ମଣିଷ ଯେଉ ପରିବେଶରେ ଜୀବନଯାପନ କରୁଛି ତା’କୁ ମଧ୍ୟ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ସନ୍ତୁଳନ ଆବଶ୍ୟକ। ଏହି ପରିବେଶ ସନ୍ତୁଳନ ପାଇଁ ପ୍ରାଣିଜଗତ ଏବଂ ଉଦ୍ଭିଦଜଗତ ସୁରକ୍ଷିତ ରହିବା ଆବଶ୍ୟକ। ଖାଦ୍ୟଶୃଙ୍ଖଳର ନିୟମ କୁହେ, ପୃଥିବୀପୃଷ୍ଠର ସନ୍ତୁଳନ ପାଇଁ ପ୍ରତିଟି ଜୀବର ଗୁରୁତ୍ୱ ରହିଛି। ସେମାନେ ପରସ୍ପର ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜଡ଼ିତ।
ଆଦିମ ମଣିଷ ଜଙ୍ଗଲ ଛାଡ଼ି ସମାଜ ଗଢ଼ିଲା। ସମାଜର ପ୍ରମୁଖ ଅଂଶ ହେଲା ପରିବାର। ଏହି ପରିବାରରେ ମଧ୍ୟ ସନ୍ତୁଳନ ଆବଶ୍ୟକ। ସନ୍ତୁଳନବିହୀନ ପରିବାର ଅସନ୍ତୁଳିତ ସମାଜ ଗଠନରେ ଦାୟୀ ହୋଇଥାଏ। ପୂର୍ବ କାଳର ଯୌଥ ପରିବାର ଏବେ ଏକକ ପରିବାରରେ ପରିଣତ ହୋଇଛି। ଦୁଃଖର ବିଷୟ, ଏହି ଏକକ ପରିବାର ମଧ୍ୟ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ। ପୂର୍ବର ଜେଜେ-ଜେଜେମାଆ, ବଡ଼ବାପା-ବଡ଼ମାଆ, କାକା-ଖୁଡ଼ି, ବାପା-ମାଆ, ବ୍ୟକ୍ତି ସ୍ୱୟଂ ନିଜେ, ନିଜ ଭାଇ ଭଉଣୀ, ବଡ଼ବାପାଙ୍କ ପୁଅ ଝିଅ, କାକାଙ୍କ ପୁଅ ଝିଅ ସମସ୍ତଙ୍କୁ ନେଇ ଗଠିତ ଯୌଥ ପରିବାର ଏବେ ବିଲୁପ୍ତ। ବର୍ତ୍ତମାନର ପିଢ଼ି ପରିବାର କହିଲେ ବୁଝେ କେବଳ ନିଜର ପିତାମାତା ଏବଂ ସେ ନିଜେ। ନିଜର ମଧ୍ୟ କେହି ଭାଇଭଉଣୀ ନାହାନ୍ତି। କେତେକ କ୍ଷେତ୍ରରେ ବାପାମା’ ଯଦି କୌଣସି କାରଣ ପାଇଁ ଅଲଗା ରୁହନ୍ତି ଏବଂ ଆଇନତଃ ସନ୍ତାନ ମାଆଙ୍କ ସହ ରୁହେ ତେବେ ତା’ର ପରିଚୟ ସେ ଏକକ ମାତୃ ସନ୍ତାନ। ଏପରି କ୍ଷେତ୍ରରେ ବ୍ୟକ୍ତି କିପରି ଏକ ସାମାଜିକ ପ୍ରାଣୀ ଭାବେ ପରିଗଣିତ ହୋଇପାରିବ? ସାମାଜିକ ସ୍ତରରେ ଯଦି ବ୍ୟକ୍ତି ଭିନ୍ନ ପରିଚୟ ବହନ କରେ ତେବେ ମାନସିକ ସ୍ତରରେ ବିଶୃଙ୍ଖଳା ସୃଷ୍ଟି ହେବା ସ୍ୱାଭାବିକ। ଏହି ବିଶୃଙ୍ଖଳାର କାରଣ ପାରିବାରିକ ଅସନ୍ତୁଳନ। ତେଣୁ ସୁସ୍ଥ ସମାଜ ଗଠନ ନିମନ୍ତେ ପାରିବାରିକ ସନ୍ତୁଳନ ଏକାନ୍ତ ଆବଶ୍ୟକ।
ନିଦ୍ୱର୍ନ୍ଦ୍ୱରେ କୁହାଯାଇପାରେ ବର୍ତ୍ତମାନର ଆଧୁନିକ ମଣିଷ ଏକ ଅସନ୍ତୁଳିତ ଜୀବନ ବଞ୍ଚୁଛି। ଯେଉଁ ବଞ୍ଚିବା ଭିତରେ ସେ କେବଳମାତ୍ର ଅଣନିଃଶ୍ୱାସୀ ହୋଇ ଦୌଡୁଛି। ବ୍ୟକ୍ତିର ବେଗ ଏତେମାତ୍ରାରେ ବଢ଼଼ିଛି ଯେ ଆବେଗ କୁଆଡ଼େ ହଜିଯାଉଛି। ପ୍ରତିଯୋଗିତାରେ ପଛରେ ପଡ଼ିଯିବାର ଭୟ ତାଡ଼କୁ ଦିବାନିଶି ଆକ୍ରାନ୍ତ କରିରଖିଛି। ଯେତେବେଳେ ପ୍ରତିଯୋଗିତା ଜିତୁଛି ସେତେବେଳେ ପାଖରେ ଦେଖିଲା ବେଳକୁ ଆତ୍ମୀୟସ୍ୱଜନ କେହି ମଧ୍ୟ ନାହାନ୍ତି। ପିତା-ମାତା ଗ୍ରାମରେ ଏକାକୀ ଜୀବନ ବଞ୍ଚି ଅଫେରା ବାଟର ବାଟୋଇ ହୋଇସାରିଲେଣି। ପତ୍ନୀ ହେୟ ଜ୍ଞାନ ପାଇଁ ହେଉ ବା କୌଣସିପ୍ରକାର ଲୋଭର ବଶବର୍ତ୍ତୀ ହେଉ ଘରର ଏରୁଣ୍ଡିବନ୍ଧ ଡେଇଁ ସାରିଲାଣି। ପିଲାମାନେ ଭିନ୍ନ ଇଲାକାର ମଣିଷ ହେଲେଣି। ମଣିଷ ନିଜ ସଫଳତାର ଡିଣ୍ଡିମ ଏବେ ପିଟିବ କେଉଁମାନଙ୍କ ଆଗରେ? ଯେଉଁ ସଫଳତା ପାଇଁ ସେ ସାରା ଜୀବନ ବ୍ୟୟ କରିଦେଇଛି ଆଜି ଯେପରି ଅନୁଭୂତ ହେଉଛି ସେ ସଫଳତା ମଧ୍ୟ ଅର୍ଥହୀନ। ଏ ବ୍ୟର୍ଥ ଜୀବନର କାରଣ କେବଳ ମାତ୍ର ଜୀବନରେ ଅସନ୍ତୁଳନ।
ମନୁଷ୍ୟର ଜୀବନ ଈଶ୍ୱରଦତ୍ତ ଦୁର୍ଲଭ ଜୀବନ। ଅମୃତର ସନ୍ତାନ ହେଉଛି ମଣିଷ। ଜ୍ଞାନର ଗନ୍ତାଘର। ମାତ୍ର ଗୋଟିଏ ଛୋଟିଆ କଥାକୁ ବୁଝିବାରେ ଯେପରି ତା’ର ଭୁଲ୍ ରହିଯାଉଛି। ପଦାର୍ଥ ବିଜ୍ଞାନର ନିୟମ କୁହେ ଯେ ପୃଷ୍ଠତଳରେ କୌଣସି ସ୍ଥାନ ଖାଲି ରହିବ ନାହିଁ। ଆଖିକୁ ଦିଶୁଥିବା କଠିନ ବା ତରଳ ଅବସ୍ଥାରେ ପ୍ରତ୍ୟେକ ସ୍ଥାନରେ କିଛି ନା କିଛି ବସ୍ତୁ ଥିବ। ଯଦି କୌଣସି ସ୍ଥାନରେ କିଛି ବି ନାହିଁ ସେଠାରେ ଗ୍ୟାସୀୟ ଅବସ୍ଥାରେ ବାୟୁ ନିଶ୍ଚିତ ଥିବ। ଆମେ ପିଲାବେଳେ ପଢ଼଼ିଚେ ଖାଲି ବୋତଲକୁ ପାଣିରେ ବୁଡ଼େଇବା ଦ୍ୱାରା ବୁଦ୍ବୁଦ୍ ହୋଇ କିପରି ବାୟୁ ନିଷ୍କାସିତ ହୋଇ ସେହି ଖାଲି ଯାଗାକୁ ପାଣି ପୂର୍ଣ୍ଣ କରେ। ବିଜ୍ଞାନର ଉକ୍ତ ନିୟମ ଆଧାରରେ ବ୍ୟକ୍ତିର ଜୀବନ କୌଣସି ସମୟ ଶୂନ୍ୟ ହୋଇପାରିବ ନାହିଁ। କାରଣ ତା’ର ମନ ଘୋଡ଼ା କେବେ ସ୍ଥିର ନୁହେଁ। ସେ ଅନବରତ ଦୌଡୁଥାଏ। ଓଡ଼ିଶାର କେଉଁ ଏକ ଅନାମଧେୟ ପଲ୍ଲୀଅଞ୍ଚଳରେ ଥାଇ ମଧ୍ୟ ସେ ନିଜର ଚେତନ ଶକ୍ତି ମାଧ୍ୟମରେ ସୁଦୂର ଦିଲ୍ଲୀ ଆମେରିକା କିମ୍ୱା ମହାକାଶ କଥା ମଧ୍ୟ ଭାବିପାରେ। ବ୍ୟକ୍ତିର ଏହି ଶରୀର ଓ ମନ ମଧ୍ୟରେ ସନ୍ତୁଳନ ନିହାତି ଆବଶ୍ୟକ। ଯୋଗଶାସ୍ତ୍ର କୁହେ ବ୍ୟାୟାମ ଶରୀର ନିମନ୍ତେ ଏବଂ ଧ୍ୟାନ ଆତ୍ମା ନିମନ୍ତେ ଏକାନ୍ତ ଉପାଦେୟ। ଶରୀର ଯେତେ ଚଳପ୍ରଚଳ ହେବ ସେତେ ଦୀର୍ଘାୟୁ ହେବ ଏବଂ ମନ ଯେତେ ଶାନ୍ତ ରହିବ ସ୍ଥିର ରହିବ ସେତେମାତ୍ରାରେ କାର୍ଯ୍ୟକ୍ଷମ ହେବ। ମାତ୍ର ଆଧୁନିକ ମଣିଷ ନିକଟରେ ଏହାର ଠିକ୍ ଓଲଟା ହିଁ ଦେଖିବାକୁ ମିଳେ। ଅର୍ଥାତ୍ ବର୍ତ୍ତମାନ ସମୟରେ ଆମ ଶରୀର ଗୋଟିଏ ସ୍ଥାନରେ ସ୍ଥିର ଏବଂ ମନ ସାରା ବ୍ରହ୍ମାଣ୍ଡ ପରିଭ୍ରମଣ କରୁଛି। ଯେଉଁଥିପାଇଁ ବର୍ତ୍ତମାନ ଆଧୁନିକ ମଣିଷ ସମସ୍ତ ପ୍ରକାର ସୁବିଧା ସୁଯୋଗ ହାତ ପାଆନ୍ତରେ ଉପଲବ୍ଧ କରିଥିଲେ ମଧ୍ୟ ଜୀବନର ପ୍ରକୃତ ସୁଖକୁ ଉପଲବ୍ଧି କରିପାରୁ ନାହିଁ। ନିର୍ମଳ ଆନନ୍ଦ ଆଜି ତା’ ପାଇଁ ମରୀଚିକା ପାଲଟିଛି। ସବୁ ଥାଇ ମଧ୍ୟ ସେ କିଭଳି ଏକ ହାହାକାରମୟ ଜୀବନ ବଞ୍ଚୁଛି। ଅଣନିଃଶ୍ୱାସୀ ହୋଇ ଦୌଡୁଥିବା ଆଧୁନିକ ମଣିଷର ମାନବୀୟ ସ୍ୱଭାବ ଯଥା ସୁଖ-ଦୁଃଖ-କ୍ରୋଧ କ୍ଷେତ୍ରରେ ଆଦୌ ସନ୍ତୁଳନ ନାହିଁ।
କୌଣସି ବିଷୟରେ ଚଳେଇନେବା ବା ଆଡ୍ଜଷ୍ଟମେଣ୍ଟ ବ୍ୟକ୍ତିର ମହାନତା। ଏହା ସାମୟିକ। କିନ୍ତୁ କୌଣସି ବିଷୟରେ ସନ୍ତୁଳନ ରକ୍ଷା କରିବା ହେଉଛି ବ୍ୟକ୍ତିର ଅଭ୍ୟାସ, ଧୈର୍ଯ୍ୟ, ତ୍ୟାଗ ଓ ଦାୟିତ୍ୱବୋଧର ନିଦର୍ଶନ। ଏହା ବ୍ୟକ୍ତି ଆଜୀବନ ପ୍ରାୟୋଗିକ ଭିତ୍ତିରେ ଆଚରଣ କରିଥାଏ। ମେଳାର ବାଉଁଶରାଣୀର ସତର୍କତା ଆଧୁନିକ ମଣିଷ ପାଇଁ ନିଶ୍ଚିତ ଭାବରେ ପ୍ରେରଣାଦାୟୀ ଯେ କିପରି ସାଧାରଣ ମଣିଷଟିଏ ନିଜ ଜୀବନରେ ସନ୍ତୁଳନ ରକ୍ଷା କରି ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ସୁନ୍ଦର ପୃଥିବୀ ଉପହାର ଦେବ, ଯେପରି ଆମମାନଙ୍କ ପୂର୍ବଜଙ୍କ ଆଶୀର୍ବାଦରୁ ଆମେ ପ୍ରାପ୍ତ ହୋଇଥିଲେ।
ମଧୁସ୍ମିତା ମହାପାତ୍ର
(ଅଧ୍ୟାପିକା, ମଡେଲ୍ ଡିଗ୍ରୀ କଲେଜ)
ନୟାଗଡ଼଼, ମୋ: ୯୪୩୮୦୫୯୦୪୨






