ମନେ ପଡ଼େ ସେ କାଳର ଗାଁ
ଗାଁର ଗୌରବ ବର୍ଣ୍ଣନା କରିବାକୁ ଯାଇ ପଲ୍ଲୀକବି ସଚ୍ଚି ରାଉତରାୟ ସେଦିନ ଗାଇଥିଲେ ‘ଛୋଟ ମୋର ଗାଁଟି, ଭୂଗୋଳ ପୋଥି ପଛରେ ପଛେ ନଥାଉ ତା’ର ନା’ଟି, ଛୋଟ ମୋର ଗାଁଟି?’ ଗାଁ ପାଇଁ କେତେ ଆତ୍ମୀୟତା ଭରି ରହିଛି ଏହି କ୍ଷୁଦ୍ର କବିତା ପଂକ୍ତିଟିରେ! ପୋଖରୀ, ଗଡ଼ିଆ, ନଈ, ନାଳ, ବିଲ, ବତାରେ ପରିବ୍ୟାପ୍ତ ଗାଁ। ପଙ୍କ, କାଦୁଅ, କର୍ଦ୍ଦମରେ ପରିପୂର୍ଣ୍ଣ ଏହି ଗାଁର ରାସ୍ତା। ତଥାପି ତା’ର ଶ୍ୟାମଳ ଶସ୍ୟ, କେଦାର, ଆମ୍ବ, ନଡ଼ିଆ, […]
ଗାଁର ଗୌରବ ବର୍ଣ୍ଣନା କରିବାକୁ ଯାଇ ପଲ୍ଲୀକବି ସଚ୍ଚି ରାଉତରାୟ ସେଦିନ ଗାଇଥିଲେ ‘ଛୋଟ ମୋର ଗାଁଟି, ଭୂଗୋଳ ପୋଥି ପଛରେ ପଛେ ନଥାଉ ତା’ର ନା’ଟି, ଛୋଟ ମୋର ଗାଁଟି?’ ଗାଁ ପାଇଁ କେତେ ଆତ୍ମୀୟତା ଭରି ରହିଛି ଏହି କ୍ଷୁଦ୍ର କବିତା ପଂକ୍ତିଟିରେ! ପୋଖରୀ, ଗଡ଼ିଆ, ନଈ, ନାଳ, ବିଲ, ବତାରେ ପରିବ୍ୟାପ୍ତ ଗାଁ। ପଙ୍କ, କାଦୁଅ, କର୍ଦ୍ଦମରେ ପରିପୂର୍ଣ୍ଣ ଏହି ଗାଁର ରାସ୍ତା। ତଥାପି ତା’ର ଶ୍ୟାମଳ ଶସ୍ୟ, କେଦାର, ଆମ୍ବ, ନଡ଼ିଆ, ପଣସ, ବେଲ ପ୍ରଭୃତି ବୃକ୍ଷରେ ପରିବେଷ୍ଠିତ ତାର ନୈସର୍ଗିକ ପରିବେଶ। ଗ୍ରାମ୍ୟ ଜୀବନରେ ବେଶ୍ ଆନନ୍ଦ ଭରିଦିଏ ଏହି ସବୁଜିମା ଭରା ମଧୁମୟ ପରିବେଶ। ଗାଁର ସବୁଜ ଛନ ଛନ ଘାସ ପଡ଼ିଆରେ ନାଲି ଟୁକୁ ଟୁକୁ ସାଧବ ବୋହୂ ତା’ର ଥୁଲୁ ଥୁଲୁ ଦେହ ଧରି ମନ୍ଥର ଗତିରେ ଚାଲୁଥିବା ବେଳେ ଗ୍ରାମ୍ୟ ଶିଶୁମାନଙ୍କ ଆନନ୍ଦ-ଉତ୍ସାହ କେଡ଼େ ମନୋହର! ଆଉ ଏବେ ସାଧବ ବୋହୂଟିଏ ଦେଖିବାକୁ ସାତ ସପନ।
କାଉ କା’ କହିଲା ବେଳକୁ ଭୋରୁ ଭୋରୁ ଗ୍ରାମ୍ୟ ବଧୂମାନେ ଅଳସ ଅଙ୍ଗରେ କଳସ କାଖେଇ ତର ତର ହୋଇ ଅବଗୁଣ୍ଠନ ଟାଣି ପୋଖରୀ ତୁଠକୁ ଯିବାର ଦୃଶ୍ୟ ଆଉ କ’ଣ ଦେଖିବାକୁ ମିଳୁଛି? ହଳଦୀ ପ୍ରଭୃତି ଅଙ୍ଗରାଗ ବିଲେପିତ ଅଙ୍ଗଗନ୍ଧ ପୋଖରୀ ତୁଠକୁ ସିଗ୍ଧ ମଧୁର କରିଦିଏ। ଓଢ଼ଣା ଟାଣି କବାଟ ଫାଙ୍କରେ ଭିଭା ହରିଣୀର ଚାହାଣୀ ଆଉ କେଉଁଠି ଅଛି? ହାତେଲମ୍ବର ଓଢ଼ଣା ଟାଣି ନବ ବିବାହିତା ବଧୂଟିଏ କୁଜା ପରି ନଇଁ ନଇଁ ଗୋଡ଼ ଚିପି ଚିପି ଯିବାର ମନୋରମ ଦୃଶ୍ୟ ଏବେ କ’ଣ ଆଉ ଅଛି? ଏହା କେବଳ ସ୍ୱାଧୀନତାର ପୂର୍ବବର୍ତ୍ତୀ ଗ୍ରାମ୍ୟ ଜୀବନରେ ସମ୍ଭବ ଥିଲା। ଏବେ ସେ ଲଜା, ସଂକୋଚ, ସମ୍ଭ୍ରମ ଗ୍ରାମ ବଧୂ ନିକଟରେ ନାହିଁ। ଆଧୁନିକତାର ସ୍ପର୍ଶରେ ସବୁ ରୂପ ରଙ୍ଗ ବଦଳି ଯାଇଛି। ନୂଆ ବୋହୂଟିଏ ଉଚ୍ଚକଣ୍ଠରେ କାହାକୁ ଡାକିଲେ ଶାଶୂ ଘରେ ବାରିବେ। ତେଣୁ ସେ ଚୁଃ ଚୁଃ କରିଦେଲେ ଦିଅର, ପୁତୁରା, ଝିଆରୀ ଚାହିଁବେ। ତା’ପରେ ସେ ହାତରେ ଠାରିଦେବ, ଆସ, ଶୁଣିଯାଅ। ଏବେ ସେ ସବୁ ଇତିହାସ।
ସିନ୍ଦୂରା ଫାଟିଲା ବେଳକୁ ଚଷା ଭାଇ ତା’ର ହଳଧରି ବିଲକୁ ଚାଲିଯାଏ। ଚଳଚଞ୍ଚଳ ହୋଇ ଉଠେ ପଲ୍ଲୀ ଗାଁଟି। ଏବେ ଯାନ୍ତ୍ରିକ ଯୁଗର ହଳ, ଶଗଡ଼ ଆଉ ପ୍ରାୟ ନାହିଁ। ସବୁ ଟ୍ରାକ୍ଟରରେ ହେଉଛି। ଯାନ୍ତ୍ରିକ ସଭ୍ୟତା ସବୁସ୍ଥାନକୁ ଅକ୍ତିଆର କରିନେଇଛି। ଗାଁ ମୁଣ୍ଡ ବରଗଛରେ ପିଲାମାନଙ୍କର ଡାଳି ମାଙ୍କୁଡ଼ି ଖେଳ, ଗାଁ ମୁଣ୍ଡ ଦଣ୍ଡାରେ ଡୁଡୁ, ବୋହୂଚୋରୀ ଖେଳ ଏବେ ବିଲୁପ୍ତପ୍ରାୟ। ସେ ସ୍ଥାନରେ ଏବେ ଚାଲିଛି କ୍ରିକେଟ୍, କବାଡ଼ି ଖେଳ।
ତତ୍କାଳୀନ ଗ୍ରାମ୍ୟ ଜୀବନରେ ଯୌଥ ପରିବାରର ଆଦର୍ଶ ଥିଲା ଅତ୍ୟନ୍ତ ଉଲ୍ଲେଖଯୋଗ୍ୟ। ପରିବାରର ଏକତାକୁ ଏହା ବେଶ୍ ସୂଚିତ କରୁଥିଲା। ଭାଇ ପାଇଁ ଭାଇର ଚରମ ସ୍ୱାର୍ଥ ତ୍ୟାଗ ତଥା ନିବିଡ଼ କର୍ତ୍ତବ୍ୟବୋଧର ବାର୍ତ୍ତା ପ୍ରଚାରିତ ହେଉଥିଲା। ପରସ୍ପର ମଧ୍ୟରେ ସ୍ନେହ, ପ୍ରେମ, ଆତ୍ମୀୟତା ଓ ଆନ୍ତରିକତା ପୂରି ରହିଥିଲା। ଏବେ କିନ୍ତୁ ତା’ ଦୁଷ୍ପ୍ରାପ୍ୟ। ଯେତେ ଭାଇ ସେତେ ଘର। ବିବାହ ପର୍ଯ୍ୟନ୍ତ ଏକାଠି। ବାହା ସରିଗଲେ ନିଜ ସ୍ତ୍ରୀକୁ ନେଇ ଯେଯୁଆଡ଼େ। ଗାଁରେ ସମସ୍ତେ ଗୋଟିଏ ପରିବାର ବୋଲି ବିଚାର କରୁଥିଲେ। କାହାର କିଛି ଅସୁବିଧା ହେଲେ ସମସ୍ତେ ଅଣ୍ଟାଭିଡ଼ି ବାହାରି ପଡୁଥିଲେ। ଗାଁରେ ଭିନ୍ନ ଭିନ୍ନ ଜାତିର ଲୋକେ ବାସ କରୁଥିଲେ ମଧ୍ୟ ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟ ରହିଥିଲା।
ସଂଧ୍ୟାବେଳେ ଭାଗବତ ଟୁଙ୍ଗିରେ ବସି ଭାଗବତ ପାଠ କରାଯାଉଥିଲା। ଗ୍ରାମବାସୀମାନେ ପ୍ରାୟ ବସି ଭାଗବତ ଶୁଣୁଥିଲେ। ଗାଁରେ ନାମ ସଂକୀର୍ତ୍ତନ ବୁଲୁଥିଲା। ମୃଦଙ୍ଗ, ଝାଞ୍ଜ ବଜାଇ ଗାଁର କିଛି ବ୍ୟକ୍ତି ସଂକୀର୍ତ୍ତନ କରି ଭାଗବତ ଘରେ ପହଞ୍ଚୁଥିଲେ। ଶେଷର ସମସ୍ତେ ଭୋଗ ପ୍ରସାଦ ପାଇ ସ୍ୱ ସ୍ୱ ଘରକୁ ଫେରୁଥିଲେ। ଗାଁର ଯେକୌଣସି କଳି ତକରାଳ, ମନୋମାଳିନ୍ୟ ସେହିଠାରେ ସମାଧାନ ହେଉଥିଲା। ସେଥିପାଇଁ ଥାନା, କଚେରୀ ଯିବାକୁ ପଡୁନଥିଲା। ଏବେ ସେ ସବୁ ନାହିଁ। କଥା କଥାକେ ଥାନା, କଚେରୀ। ଯାହା କି ଗ୍ରାମ୍ୟ ଜୀବନର ସାରଲ୍ୟକୁ ନଷ୍ଟ କରି ଦେଇଛି। ଗାଁର ଏକତା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଗାଁ ଗାଁ ମଧ୍ୟରେ ଯେଉଁ ଭାଇଚାରା ଥିଲା, ତାହା ମଧ୍ୟ ଆଉ ଦେଖିବାକୁ ମିଳୁନାହିଁ। ରାଜନୀତିର ପ୍ରଭାବରେ ଗାଁ ସବୁ ଭାଗ ଭାଗ ହୋଇଯାଇଛି।
ଗାଁରେ ଆଉ ଆଟୁ ଘର ବା ଦୋଚାଳି ଘର ନାହିଁ। ସେ ଘର ଥିଲା ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ଶୀତତାପ ନିୟନ୍ତ୍ରିତ ଘର। ଖରାଦିନେ ଥଣ୍ଡା ଆଉ ଶୀତ ଦିନେ ଗରମ। ତାହା ଥିଲା ସମ୍ପୂର୍ଣ୍ଣ ଅଗ୍ନି ନିର୍ବାପକ। ନିଆଁ ଲାଗିଲେ ଉପର ଚାଳଟି ଯାହା ନଷ୍ଟ ହୋଇଯିବ। ଆଟୁର ବିଶେଷ କିଛି କ୍ଷତି ହେବ ନାହିଁ। ଘରେ ଥିବା ସବୁ ଜିନିଷ ସୁରକ୍ଷିତ ରହିବ। ସେତେବେଳେ ଧନୀ-ଜମିଦାର ଲୋକମାନେ ଆଟୁଘର କରୁଥିଲେ। ଏହା ଥିଲା ଆଭିଜାତ୍ୟର ପ୍ରତୀକ। ଏବେ ପ୍ରାୟ ଗାଁର ଧନୀ, ଦରିଦ୍ର ସମସ୍ତଙ୍କର ଛାତ ଘର। ବିଭିନ୍ନ ଆବାସ ଯୋଜନାରେ ଅନୁଦାନପ୍ରାପ୍ତ ହୋଇ ସମସ୍ତେ ଛାତ ଘର କରି ଦେଇଛନ୍ତି। ସେ ଘର ଗରମ ଦିନେ ଗରମ, ଶୀତ ଦିନେ ଥଣ୍ଡା, ଯାହା ସ୍ୱାସ୍ଥ୍ୟ ପାଇଁ ଅନୁକୂଳ ନୁହେଁ। ଚାଳଘରେ ଘର ଚଟିଆମାନେ ବସା କରୁଥିଲେ। ଏବେ ତାଙ୍କର କିଚିରି ମିଚିରି ଶବ୍ଦ ଶୁଣିବାକୁ ମିଳୁନାହିଁ।
ସେ ସମୟରେ ଗାଁରେ ଝିଅଟିଏ ବିବାହ ଉପଯୋଗୀ ହେଲେ, ପିତାମାତା, ଆତ୍ମୀୟ ସ୍ୱଜନମାନେ ଘର-ବର ଦେଖି କନ୍ୟାର ବିବାହ ସ୍ଥିର କରୁଥିଲେ। ବର କନ୍ୟା ଘରକୁ ଯାଇ କନ୍ୟାକୁ ଦେଖିବାର ପରମ୍ପରା ନଥିଲା। ପିତୃଦତ୍ତ କନ୍ୟା ବୋଲି ଝିଅ ବିଚାରୁ ଥିଲା। ତା’ର ପ୍ରଥମ ସାକ୍ଷାତ ହେଉଥିଲା ବାସର ଗୃହରେ। ବର ସେହିଠାରେ ତା’ର ଧର୍ମପତ୍ନୀକୁ ଦେଖୁଥିଲା। ସେ କାଳୀ ହେଉ ବା ଅସୁନ୍ଦରୀ ହେଉ, ସ୍ୱାମୀ ବିନାଦ୍ୱିଧାରେ ଗ୍ରହଣ କରି ନେଉଥିଲା। ଆଉ ସେ ଗଣ୍ଠି ଫିଟୁ ନଥିଲା। ଆଠ କଳସ ମାଡ଼ି ଅଗ୍ନିକୁ ସାକ୍ଷୀ ଦେଇ ଜନ୍ମ ଜନ୍ମାନ୍ତର ପାଇଁ ସେ ବନ୍ଧ ଆତୁଟ ରହୁଥିଲା। ଏବେ ବହୁତ ଦେଖାଚାହାଁ କରି ମଧ୍ୟ ମାସେ ଦୁଇମାସରେ ଛାଡ଼ପତ୍ର। ତେଣୁ ସେତେବେଳେ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ଶୃଙ୍ଖଳିତ ଥିଲା।
ଗାଁରେ ଆଉ ଅବଧାନଙ୍କ ଚାଟଶାଳୀ ନାହିଁ। କଡ଼ାଗଣ୍ଡା, ପାହି ପଣକିଆ, ଲୀଳାବତୀ ସୂତ୍ର ଆଉ ପିଲାମାନେ ପଢ଼଼ୁନାହାନ୍ତି। କୋଇଲି ଗୋପୀ ଭାଷା, ଛାନ୍ଦ ପ୍ରବନ୍ଧର ଉଚ୍ଚ କଣ୍ଠରେ ଗାନ କରିବାର ଅପୂର୍ବ ସ୍ୱର ଝଙ୍କାର ଆଉ କାନକୁ ଶୁଭୁନାହିଁ। ପ୍ରାଚୀନ ଛାନ୍ଦ ପ୍ରବନ୍ଧ ପ୍ରତି ଥିବା ଆଗ୍ରହ ଆଉ ଶିଶୁଙ୍କ ମନରେ ସୃଷ୍ଟି ହେଉନି। ଅବଧାନଙ୍କ ବେତ୍ରାଘାତ ଆଉ ପିଠିରେ ବସୁନି। ଏବେ ସରକାରୀ ବିଦ୍ୟାଳୟରେ ଆଧୁନିକ ଶିକ୍ଷା ପିଲାମାନେ ଲାଭ କରୁଛନ୍ତି। ସରକାରୀ ବିଦ୍ୟାଳୟ ଦଣ୍ଡମୁକ୍ତ ଅଞ୍ଚଳ। ସେଠାରେ ଅବଧାନଙ୍କ ବେତ୍ରାଘାତ ବା ଏକ ଗୋଡ଼କିଆ ଠିଆ ହେବାର ନାହିଁ। ଘରେ ବିବାହ, ବ୍ରତାଦି କୌଣସି ଉତ୍ସବାନୁଷ୍ଠାନ ହେଲେ ଦୁଆରେ ଝୋଟି ପକାଯାଏ। ଏବେ ଆଉ ସେ ସବୁ ଦୃଶ୍ୟ ନିଶ୍ଚିତ ବିରଳ। ସେ କାଳରେ ଝିଅଟିଏ ବିଭାହେଲେ ଯଥେଷ୍ଟ ପୂର୍ବରୁ ଝିଅ ବାହୁନା କାନ୍ଦଣା କାନ୍ଦେ। ଗାଁର ସ୍ତ୍ରୀଲୋକମାନେ ଏ ସବୁ ଝିଅକୁ ଶିଖାଇ ଦିଅନ୍ତି। ଏକ ଲୋକପ୍ରିୟ ପୁସ୍ତକ ‘କାନ୍ଦଣା ଲହରୀ’ ଗାଁ ଗହଳିରେ ବହୁଳ ଆଦୃତ ହୁଏ। ସେଥିରେ ସବୁ କାନ୍ଦଣା ଥାଏ। ସେହି ପୁସ୍ତକରୁ ଝିଅମାନେ ସବୁ ଶିଖନ୍ତି। ବର ବେଦୀରେ ବସିଥିବା ବେଳେ ବରକୁ ଶୁଣେଇ ଶୁଣେଇ ଝିଅଟି କାନ୍ଦେ। ବର ଘରକୁ ଛୋଟ କରି ନିଜ ବାପ ଘରକୁ ବଡ଼ କରିଦିଏ। ଗୋଟିଏ ଉଦାହରଣ ଦେଉଛି- ‘ଯାର ଘରେ ନାହିଁ ଖଣ୍ଡିଆ କୋଡ଼ି, ବାପା ତା’ର ହସ୍ତେ ଦେଲ ସୁବର୍ଣ୍ଣ ଚୂଡ଼ି- ବାପା…, ଇତ୍ୟାଦି। କିନ୍ତୁ ବାସ୍ତବରେ ଝିଅର ବିଦାୟ ବେଳେ ସମସ୍ତଙ୍କ ଆଖିରୁ ସ୍ୱତଃ ଲୋତକ ଝରି ପଡ଼େ। ସାଙ୍ଗସାଥୀ, ବାପାମା, ଆତ୍ମୀୟ ସ୍ୱବନ୍ଧୁଙକ୍ୁ ଝିଅଟି ଚାଲିଯିବ ବହୁଦୂରକୁ, ଏକ ଅଜଣା ରାଇଜକୁ। ସେହି ସମୟରେ ଝିଅଟିର କାନ୍ଦଣା ଯେ ଶୁଣିବ ଅବଶ୍ୟ ତା’ ହୃଦୟକୁ ସ୍ପର୍ଶ କରିବ। ଶକୁନ୍ତଳାଙ୍କର ପତି ଗୃହକୁ ଯାତ୍ରା କରିବା ସମୟ କଣ୍ୱମୁନି ମଧ୍ୟ ଲୋତକାପ୍ଳୁତ ନୟନରେ କହୁଥିଲେ ‘ବନବାସୀ ତପସ୍ୱୀ ମୁଁ ମାୟା ମୋ ଏସନ, କନ୍ୟା ତେଜି ନୋହୁଥିବେ କିସ ଗୃହୀଜନ’। ଏବେ କିନ୍ତୁ ସେ ସବୁ ଦୁର୍ଲ୍ଲଭ। କଲ୍ୟାଣ ମଣ୍ଡପରେ ବାହାଘର। ‘ହାଲୋ ହାଏ’ କରି ଝିଅଟି ହସି ଗାଡ଼ିରେ ବସି ହାତ ହଲେଇ ଚାଲି ଯାଉଛି।
ଆଧୁନିକତାର ସ୍ପର୍ଶରେ ଏବେ ଗାଁର ସେ ଦୃଶ୍ୟପଟ ବଦଳିଯାଇଛି। ଶିକ୍ଷିତ ବ୍ୟକ୍ତିମାନେ ଗାଁ ଛାଡ଼ି ସହରକୁ ଚାଲି ଯାଉଛନ୍ତି। ତାଙ୍କ ପିଲାମାନେ ସେଠାରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼଼ୁଛନ୍ତି। ତାଙ୍କର ଭଙ୍ଗାଘର ଏଠାରେ ପଡ଼ିଛି। ଆଜି ଆମ ଦେଶରେ ସହରାଭିମୁଖୀ ମନୋଭାବ ସର୍ବତ୍ର ପରିଦୃଷ୍ଟ। ଗାଁ ଆଜି ଶ୍ରୀହୀନ। ଏକଥା ଇଂଲଣ୍ଡରେ ବହୁ ବର୍ଷ ଆଗରୁ ଘଟିଥିବା ବିଖ୍ୟାତ ଲେଖକ ଅଲିଭର ଗୋଲ୍ଡସ୍ମିଥ୍ ତାଙ୍କର ‘ଡେଜରଟେଡ୍ ଭିଲେଜ୍’ ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ଆଜି ଆମ ଦେଶରେ ସେହି ଅବସ୍ଥା ହୋଇଛି। ଗାଁର ପୂର୍ବ ଗୌରବ ଆଉ ନାହିଁ।
ଡକ୍ଟର ଅଭିମନ୍ୟୁ ବରାଳ
ସାକ୍ଷୀଗୋପାଳ, ମୋ: ୯୯୩୭୮୩୫୨୩୦





