ମନୋରଞ୍ଜନ
ଓଡ଼ିଶା
ନୂଆଖାଇ ଭେଟଘାଟ ପରମ୍ପରା
ନୂଆଖାଇ ଏକ କୃଷି ସମ୍ୱନ୍ଧୀୟ ପ୍ରାକୃତିକ ପୂଜା ଆଧାରିତ ପର୍ବ। ନୂଆକରି କୌଣସି ବି କୃଷିଜାତ ପଦାର୍ଥକୁ ପ୍ରଥମ କରି ଖାଇବାକୁ ‘ନୂଆଖାଇ’ କୁହାଯାଇଥାଏ। କୃଷିଜାତ ପଦାର୍ଥକୁ ପ୍ରଥମ କରି ଖାଇବା ପୂର୍ବରୁ ପଶ୍ଚିମ ଓଡ଼ିଶାର ଅଧିବାସୀମାନେ ତାଙ୍କ ଡୁମା ଦେବତାମାନଙ୍କୁ ଅର୍ପଣ କରିବାର ବିଧିକୁ ‘ନୂଆଖାଇ ଯାତ୍ରା’ ବା ‘ପୂଜା’ କୁହାଯାଇଥାଏ। ନୂଆଖାଇ ବିଭିନ୍ନ ପ୍ରକାରର ରହଛି। ଯଥା- ଧାନ ନୂଆଖାଇ, ଗୁର୍ଜୀ ନୂଆଖାଇ, ଆମ୍ ନୂଆଖାଇ, ମାଖନ୍ ନୂଆଖାଇ ଇତ୍ୟାଦି। ସାମ୍ପ୍ରତିକ ସମୟରେ ଧାନକୁ […]
ନୂଆଖାଇ ଏକ କୃଷି ସମ୍ୱନ୍ଧୀୟ ପ୍ରାକୃତିକ ପୂଜା ଆଧାରିତ ପର୍ବ। ନୂଆକରି କୌଣସି ବି କୃଷିଜାତ ପଦାର୍ଥକୁ ପ୍ରଥମ କରି ଖାଇବାକୁ ‘ନୂଆଖାଇ’ କୁହାଯାଇଥାଏ। କୃଷିଜାତ ପଦାର୍ଥକୁ ପ୍ରଥମ କରି ଖାଇବା ପୂର୍ବରୁ ପଶ୍ଚିମ ଓଡ଼ିଶାର ଅଧିବାସୀମାନେ ତାଙ୍କ ଡୁମା ଦେବତାମାନଙ୍କୁ ଅର୍ପଣ କରିବାର ବିଧିକୁ ‘ନୂଆଖାଇ ଯାତ୍ରା’ ବା ‘ପୂଜା’ କୁହାଯାଇଥାଏ। ନୂଆଖାଇ ବିଭିନ୍ନ ପ୍ରକାରର ରହଛି। ଯଥା- ଧାନ ନୂଆଖାଇ, ଗୁର୍ଜୀ ନୂଆଖାଇ, ଆମ୍ ନୂଆଖାଇ, ମାଖନ୍ ନୂଆଖାଇ ଇତ୍ୟାଦି। ସାମ୍ପ୍ରତିକ ସମୟରେ ଧାନକୁ ମୁଖ୍ୟ ଖାଦ୍ୟ ରୂପେ ବ୍ୟବହାର କରାଯାଉଥିବାରୁ ‘ଧାନ-ନୂଆଖାଇ’ର ପ୍ରାଧାନ୍ୟ ବେଶୀ ରହିଛି। ପ୍ରାଚୀନ ଅଧିବାସୀଙ୍କ ବିଶ୍ୱାସ ଅନୁଯାୟୀ, ଅନ୍ୟାନ୍ୟ ପ୍ରାକୃତିକ ଫୁଲ, ଫଳ, ଡାଳ ଭଳି ପ୍ରତ୍ୟେକ ଜଙ୍ଗଲଜାତ ପଦାର୍ଥ ସମେତ ଧାନ ମଧ୍ୟ ପ୍ରକୃତିର ଦାନ, ଯାହାର ଆବିଷ୍କର୍ତ୍ତା ଥିଲେ ସେମାନଙ୍କ ପୂର୍ବଜ ବା ଡୁମା ଦେବାତାମାନେ। ତେଣୁ ତାଙ୍କ ଆବଷ୍କୃତ ପଦାର୍ଥକୁ ସେମାନଙ୍କୁ ସର୍ବପ୍ରଥମେ ଅର୍ପଣ କଲା ପରେ ନିଜେ ଖାଇବାର ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି। ଏହି ଅର୍ପଣ ପ୍ରକ୍ରିୟା ହିଁ ‘ନୂଆଖାଇ ପର୍ବ’ ଅଟେ।
ନୂଆଖାଇ ପର୍ବରେ ପରିବାରର ସବୁ ସଦସ୍ୟଙ୍କ ପାଇଁ ନୂଆ ପୋଷାକ ତିଆରି ହୁଏ। ନୂଆ ପୋଷାକ ସମ୍ଭବ ନେହେଲ ସବୁ ପୁରୁଣା ପୋଷାକକୁ ସଫା କରି ବ୍ୟବହାର କରାଯାଏ। ଘରର ପୁରୁଣା ବାସନ ସଫା ହେବା ସହିତ ଘରର କାନ୍ଥ, ଚଟାଣ ଇତ୍ୟାଦି ମାଟି ଲିପା ହେବା ସହ ନୁଢ଼ା ବା ସରକା ମାରି ସଫା କରାଯାଏ। ଏବେ ଘରସବୁକୁ ରଙ୍ଗ ଲଗାଯାଉଛି। ଏଇଦିନ ବିଶେଷକରି ନୂଆ ହାଣ୍ଡିରେ ଯୋଖା ବା ଖିରି, ପିଠା, ଇତ୍ୟାଦି ସୁସ୍ୱାଦୁ ଖାଦ୍ୟମାନ ପ୍ରସ୍ତୁତ କରାଯାଏ। ଭାଇ ବନ୍ଧୁ ଥିଲେ ଗୋଟିଏ ସ୍ଥାନରେ ରନ୍ଧା ଯାଇ ସାମୂହିକ ଭାବରେ ଖିଆଯାଏ। ଗୋଟିଏ ଇଲାକା ବା ପଁଚୁରାରେ ପ୍ରାୟ ଏକାଦିନରେ ନୂଆଖାଇ ପର୍ବ ପାଳନ ପାଇଁ ଦିନ ଧାର୍ଯ୍ୟ କରାଯାଏ। ସାଧାରଣତଃ ଉକ୍ତ ଅଞ୍ଚଳର ବା ଗାଁର ମୁଖିଆ, ଗାଁରେ ସଭା ଡକାଇ ଦିନ ସ୍ଥିର କରିଥା’ନ୍ତି। ରାଜାରାଜୁଡ଼ା ଶାସନ କାଳରେ ରାଜାଙ୍କ ନିଷ୍ପତ୍ତିରେ ଏହା ସ୍ଥିର ହେଉଥିଲା। ସାମନ୍ତମାନେ ମଧ୍ୟ ଦେବୀଙ୍କ ପୂଜାର୍ଚ୍ଚନାର ଶୁଭଦିନକୁ ନୂଆଖାଇ ଦିନ ହିସାବରେ ସ୍ଥିର କରୁଥିଲେ। ଉଲ୍ଲେଖନୀୟ ହେଉଛି କୌଣସି ଗାଁରେ ଯଦି ନୂଆଖିଆ ସରି ଯାଇଥାଏ ଏବଂ ନୂଆ ଖାଇ ନ ଥିବା ଲୋକେ ସେଇ ଗାଁକୁ ଯିବାକୁ ହୁଏ ତେବେ ନୂଆ ଖାଇ ନଥିବା ବ୍ୟକ୍ତି ନୂଆ ଖାଇଥିବା ବ୍ୟକ୍ତି ହାତରୁ ପାଣି ବା ହାତରନ୍ଧା ଖାଆନ୍ତି ନାହିଁ। ଏକ ନିର୍ଦ୍ଦିଷ୍ଟ ଗାଁରେ ନୂଆଖାଇ ପର୍ବ ଏକ ନିର୍ଦ୍ଦିଷ୍ଟ ଦିନ ପାଳିତ ହେଲେ ମଧ୍ୟ କୌଣସି ପରିବାର ଚାହିଁଲେ ନିଜ ସୁବିଧା ଅନୁସାରେ ଭିନ୍ନ ଦିନରେ ନୂଆଖାଇ ପାଳନ କରିପାରନ୍ତି। ଏହି ଧାରା ଓ ପରମ୍ପରା ଦୀର୍ଘବର୍ଷ ଧରି ଚାଲି ଆସୁଥିଲା। କିନ୍ତୁ ୧୯୯୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଲୋକଙ୍କ ସୁବିଧା ଦୃଷ୍ଟିରୁ ସରକାରୀ ଭାବେ ଘୋଷଣା କଲେ ଯେ ଗଣେଶ ପୂଜାର ପର ଦିନ ଅର୍ଥାତ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ଦିନ ସାରା ଅଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳିତ ହେବ। ସେଇ ଦିନରୁ ସମସ୍ତେ ଏଇଦିନରେ ନୂଆଖାଇ ପର୍ବ ପାଳନ କରି ଆସୁଛନ୍ତି।
ବର୍ଷର ସର୍ବପ୍ରଥମେ ପାକଳ ହେଉଥିବା ଧାନରେ ନୂଆ ଖିଆ ଯାଏ। ମୁଖ୍ୟତଃ ପାହାନ୍ତାରୁ ଲୋକେ ନୂଆଖାଇ ପାଇଁ ଧାନ କାଟି ଆଣିବାକୁ ଯାଇଥା’ନ୍ତି। ସମୟ ବଦଳି ଯାଇଛି। ଏବେ ଧାନ ଆଉ ସହଜରେ ଉପଲବ୍ଧ ହେଉ ନାହିଁ। ଲୋକେ ହାଟବଜାର ଯାଇ କିଣି କରି ଆଣୁଛନ୍ତି। ଏପରିକି କୁରେ ପତ୍ରକୁ ମଧ୍ୟ କିଣିବାକୁ ପଡୁଛି। ନୂଆଖାଇର ତିନିଦିନ ସମସ୍ତ କୃଷିକାମ ତଥା ଅନ୍ୟାନ୍ୟ ବୃତ୍ତିଗତ କାମ ମଧ୍ୟ ସ୍ଥଗିତ ରଖାଯାଏ। ଏପରିକି ଗାଈଗୋରୁ ଛେଳି, ମେଣ୍ଢା ଚରେଇବା କାମ ମଧ୍ୟ ମାଲିକମାନେ କରିଥା’ନ୍ତି। ସାହାଯ୍ୟକାରୀ, ହଳିଆ, କାମ କରୁଥିବା ବ୍ୟକ୍ତିମାନେ କାମକୁ ଆସନ୍ତି ନାହିଁ। ନୂଆଖାଇ ଦିନ କୌଣସି ବାସନ ବା ପାତ୍ର ବ୍ୟବହାର କରାଯାଏ ନାହିଁ। ଭାତ, କ୍ଷୀରି, ଯୋଖା ରାନ୍ଧିବା ପାଇଁ ନୂଆ ହାଣ୍ଡି ଏବଂ ଦେବୀଦେବତା, ଡୁମାଡେନ୍ଙ୍କୁ ପୂଜା ପାଇଁ କୁରେ ପତ୍ରରେ ପ୍ରସ୍ତୁତ ଚୋଖନୀ, ଖଲି ବ୍ୟବହାର କରାଯାଇଥାଏ। ଆଉ କିଛି ଲୋକ ଶାଳପତ୍ର, ସାରୁ ପତ୍ର, ଭେଲୁଆ ପତ୍ର, ମହୁଲ ପତ୍ର ମଧ୍ୟ ବ୍ୟବହାର କରିଥା’ନ୍ତି।
ନୂଆଖାଇ ପର୍ବ ପ୍ରାୟ ତିନିଦିନ ପାଳନ କରାଯାଏ। ପ୍ରଥମ ଦିନକୁ ‘ଉପାସ’, ଦ୍ୱିତୀୟ ଦିନକୁ ‘ନୂଆଖାଇ’ ଏବଂ ତୃତୀୟ ଦିନକୁ ‘ବାସୀଦିନ’ ବୋଲି କୁହାଯାଏ। ନୂଆଖାଇର ଉପାସ ଦିନ ସମ୍ପର୍କୀୟ, ଝିଅ, ଭଉଣୀ ତଥା ଚାଷ କାମରେ ସାହାଯ୍ୟ କରୁଥିବା ସହଯୋଗୀ, କମାର, ଗ୍ରାମରକ୍ଷୀ, ଝାଁକର ପାତର ଇତ୍ୟାଦିଙ୍କୁ ‘ଉପାସ ପଡ଼ି’ ଭାବରେ ଧାନ, ଚାଉଳ, ଟଙ୍କା, ପରିବା, ନୂଆ ଧୋତି ଇତ୍ୟାଦି ସାମର୍ଥ୍ୟ ଅନୁସାରେ ପ୍ରଦାନ କରାଯାଏ। ଏହିଦିନ ଘର ମୁଖିଆ ବା ଦିହାରୀ ସମ୍ପୂର୍ଣ୍ଣ ନିର୍ଜଳା ଉପବାସ ରହେ। ସଞ୍ଜବେଳେ ଗାଧୋଇ, କ୍ଷେତରୁ ନୂଆଧାନ ଖୁଟି ନେଇ କୁରେ ପତ୍ରର ଦନାରେ ଚାଉଳ/ ଅଖତ ଧରି ଗୁଡ଼ିକୁ ପ୍ରଥମେ ଯାଏ ଏବଂ ନୂଆ ବଇଠାରେ ବତୀ ଜାଳି, ଅରୁଆ ଚାଉଳକୁ ପୁଞ୍ଜି ପାରି ପୁଞ୍ଜି ଉପରେ ବତୀକୁ ରଖି ନିଅାଁ ଜଳାଏ। ନୂଆ ଧାନକୁ ଅର୍ପଣ କରି ଡୁମାଦେବତାମାନଙ୍କୁ ଆବାହନ କରିଥାଏ।
ଗାଁର ସୁରକ୍ଷା ପାଇଁ ଅନେକ ଦେବାଦେବୀଙ୍କୁ ସାମୂହିକ ଭାବରେ ଗାଁର ଲୋକ ପୂଜା କରିଥା’ନ୍ତି। ସେଇ ଗ୍ରାମ୍ୟଦେବୀଙ୍କୁ ପୂଜା କରି ସାରିଲା ପରେ ହିଁ ଦିହାରୀ ନିଜ ପିଦର ଓ ଗୁଡ଼ିକୁ ପୂଜା କରନ୍ତି। ଗାଁର ଦେବାଦେବୀଙ୍କୁ ନୂଆ ଧାନ ଅର୍ପଣ କଲା ପରେ ପ୍ରତିଘରକୁ ଯାଇ ଝାଙ୍କର ନୂଆ ଧାନ ଅର୍ପଣ କରେ ଓ ଘରୁ ଉପାସ ପଡ଼ି ନିଅନ୍ତି। ଏହିଦିନ ଝାଙ୍କର ମଧ୍ୟ ଉପବାସ ରୁହନ୍ତି। ନୂଆଧାନ କାଟି ଆଣି ଯତ୍ନରେ ରଖନ୍ତି। ନୂଆଲୁଗା ପିନ୍ଧି ସବୁ ଗ୍ରାମ୍ୟଦେବୀଙ୍କୁ ନୂଆ ଧାନ ଅର୍ପଣ କରି ସାରିବା ପରେ ଘର ଘରକୁ ଅର୍ପଣ କରନ୍ତି। ସେମାନଙ୍କୁ ଘରେ ଘରେ ପାଦ ଧୋଇ ବନ୍ଦାପନା କରାଯାଏ। ଏହି ପ୍ରଥାକୁ ‘ବେଲସରା’ କୁହାଯାଏ।
ଦ୍ୱିତୀୟ ଦିନ ବା ନୂଆଖାଇ ଦିନ ଭୁଆଶୁଣିମାନେ ସକାଳୁ ଉଠି ଘର ଦ୍ୱାର ନୁଢା, ଛେରା ଦେଇ ସାରି ଗୁଡ଼ି ଓ ପିଦରକୁ କଳା ନୁଢ଼ାରେ ସଫା କରନ୍ତି। ଘରର ପୁରୁଷ ପିଲାମାନେ ଖେତକୁ ସକାଳୁ ଯାଇ ପାଚିଲା ନୂଆଧାନ ଓ କୁରେପତ୍ର ଆଣନ୍ତି। ସ୍ତ୍ରୀ ଲୋକମାନେ ନୂଆ ହାଣ୍ଡି ଧରି ବନ୍ଧକୁ ଯାଆନ୍ତି ଏବଂ ଗାଧୋଇ ସାରିଲା ପରେ ନୂଆ ହାଣ୍ଡିରେ ପାଣି ଭର୍ତ୍ତି କରି ଏକମୁହାଁ ହୋଇ ଘରକୁ ଫେରନ୍ତି। ପଛକୁ ଚାହିଁଲେ ପୁଣିଥରେ ନୂଆ କରି ବନ୍ଧରୁ ପାଣି ଆଣିବାକୁ ହୁଏ। ଏହି ପାଣିରେ ସେଦିନ ରନ୍ଧା ଯାଏ। ନୂଆ ନ ଖାଇଲା ପର୍ଯ୍ୟନ୍ତ କେହି ଖାଆନ୍ତି ନାହିଁ। ଆରିଷା ପିଠା ନେଇ ଭୁଆଶୁଣୀମାନେ ପିଦରକୁ ଯାଆନ୍ତି ଏବଂ ସେମାନେ ଅରୁଆ ଚାଉଳରେ ପୁଞ୍ଜି ପାରି, ବତୀ ଜଳେଇ, ଯୋଖା/ କ୍ଷୀରି, ପିଠା ସହ ନୂଆ ଚୁଡ଼ା-କୋଣା ଅର୍ପଣ କରି କରନ୍ତି। ଏହାପରେ ଘରର ପୂଜାରୀଙ୍କ ସହ ଅନ୍ୟାନ୍ୟ ସଦସ୍ୟ, ପୂଜା ସ୍ଥାନ ବା ପିଦରକୁ ଯାଇ ପୂଜା କରିଥାଆନ୍ତି। ପିଦରରେ ଡୁମାପୂଜା ପରେ ନୂଆ ଧାନର ଚୁଡ଼ାକୁ ଏକ ସଫା ପାତ୍ରରେ ରଖି କ୍ଷୀର, ଘିଅ, ପାଣି, ଗଡ଼ୁ ଇତ୍ୟାଦି ଦେଇ ଚକଟି ଦିଅନ୍ତି। ଚକଟା ନୂଆ ଚୁଡ଼ାକୁ କୁରେପତ୍ରରେ ସମସ୍ତେ ବାଣ୍ଟି ଖାଇଥାଆନ୍ତି। ଖାଇବା ପୂର୍ବରୁ ‘କର୍ଲା ଖିଆ, ଉଚ୍କି ହୁଆ’ ପାଇଁ ଗୋଟିଏ ପତ୍ରରେ ନୂଆ ଚୁଡ଼ା ଦେଇ ଘରର କୌଣସି ଏକ ଛାଉଣୀ ସ୍ଥାନରେ ଖୁଞ୍ଚି ଦିଆଯାଏ। କୌଣସି ଯୁଗରେ ବା ସମୟରେ ସେ ବଂଶର ଯଦି କେହି ଆତ୍ମହତ୍ୟା କରିଥା’ନ୍ତି ତେବେ ସେମାନଙ୍କ ଉଦ୍ଦେଶ୍ୟରେ ଡୁମାକୁ ଏ ନୂଆ କୋଣା ସମର୍ପଣ କରାଯାଏ। ଏହାପରେ ଘରର ଅତି ଛୋଟ ପିଲାମାନଙ୍କୁ ନୂଆ ଡୁମାର ମାନ୍ୟତା ଦେଇ ଘର ମୁଖିଆ ଗୋରସେର ଘୋଡ଼ ବି ଧୋଇ ଦିଅନ୍ତି ଏବଂ ତାଙ୍କୁ ଅଭ୍ୟର୍ଥନା ଜଣାନ୍ତି। ଖିଆ ପିଆ ଶେଷ ହେଲା ପରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରନ୍ତି। ମୁଣ୍ଡିଆ ମାରିବାର ଅର୍ଥ ହେଲା ଦେବାଦେବୀଙ୍କ କୃପାରୁ ଆମେ ଗୋଟିଏ ବର୍ଷ ବଞ୍ଚିଲୁ ସରୁୁଖୁୁରୁରେ ଏବଂ ନୂଆଧାନର ଚୁଡ଼ା ଅର୍ଥାତ୍ ନୂଆ ଖାଇବାର ସୁଯୋଗ ପାଇଲୁ। ୟା’ ଭିତରେ କେତେଲୋକ ଅତୀତ ହୋଇଯାଇଛନ୍ତି, ସେଇ ତୁଳନାରେ ଆମେ ଭାଗ୍ୟବାନ। ଆମେ ଦେବତା ପାଖରେ, ପ୍ରକୃତି ପାଖରେ କୃତଜ୍ଞ। ଏହାପରେ ନୂଆଖିଆକୁ କୃତଜ୍ଞତା ଜଣାଇ ଜୁହାର ଭେଟ ହୁଅନ୍ତି। ଆଗାମୀ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ଆଶୀର୍ବାଦ ଲୋଡ଼ନ୍ତି। ନୂଆଖାଇ ଦିନର ଉପରବେଳା ବା ନୂଆଖାଇ ବାସି ଦିନ ବରଂ କର୍ତ୍ତବ୍ୟରୁ ବିରତି ପାଇ ବ୍ୟକ୍ତିମାନେ ଏକାଠି ହୋଇ ବିଭିନ୍ନ ଖେଳ କସରତ ଓ ମନୋରଞ୍ଜନରେ ଲିପ୍ତ ରହୁନ୍ତି। ଏହି ଅବସରରେ ସାହି ସାହି ମଧ୍ୟରେ ପ୍ରତିଯୋଗିତା ମଧ୍ୟ ହୁଏ।
ତୃତୀୟ ଦନି ବା ‘ଭେଟଘାଟ’ ଗୋଟାଏ ଆନନ୍ଦ ଉଲ୍ଲାସର ଦିନ। ଏ ଦିନ ଆମିଷ ଓ ପାନୀୟର ଆସର ଜମେ। ସମସ୍ତେ ଗାଁର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଜୁହାର ଭେଟ ହୁଅନ୍ତି। ସମ୍ପର୍କୀୟଙ୍କ ଘରକୁ ଯାଇ ଭେଟଘାଟ ଓ ପିଠାପଣା ଦିଆନିଆ ହୁଏ। ବିବାହଯୋଗ୍ୟ ପୁଅ ଥିଲେ ନୂଆଖାଇ ପରେ ପରେ ହିଁ ଝିଅ ଦେଖିବା ପାଇଁ ବିଭିନ୍ନ ଗାଁକୁ ଯାଆନ୍ତି ଏବଂ ବିବାହ ଲଗ୍ନ କଥା ଉଠେଇ ଥା’ନ୍ତି।
ବିଡ଼ମ୍ବନା ଯେ ପ୍ରାଚୀନ ସଂସ୍କୃତିର ଉଦ୍ଧାର ଆଳରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ତଥା କିଛି ରାଜନୈତିକ ବ୍ୟକ୍ତିବିଶେଷ ଏବେ ନିଜର ରାଜନୈନିକ ଫାଇଦା ପାଇଁ ‘ଭେଟଘାଟ’ ଆୟୋଜନ କରୁଛନ୍ତି। ଲକ୍ଷଲକ୍ଷ ଟଙ୍କା ଲୋକଙ୍କଠାରୁ ଆଦାୟକରି କେବଳ ନାଚଗୀତ ହିଁ ଆମ ସଂସ୍କୃତିର ବଳିଷ୍ଠ ପରିଚୟ ବୋଲି ସାଧାରଣ ଲୋକଙ୍କୁ ବାର୍ତ୍ତା ଦେଇ ଆସୁଛନ୍ତି। ଫଳରେ ନୂଆଖାଇର ମହାନ ଉଦ୍ଦେଶ୍ୟ ଏକ ସାମାନ୍ୟ ସ୍ୱାର୍ଥ ଭିତରେ ସୀମିତ ହୋଇ ରହିଯାଉଛି ଏବଂ ଏ ମହାନ ପର୍ବର ଗରିମା କ୍ଷୁଣ୍ଣ ହେଉଛି।
ନୂଆଖାଇ ଏକ କୃତଜ୍ଞତାର ପର୍ବ, ଯେଉଁଠି ନିଜର ପିତୃ ପୁରୁଷକୁ ବା ଡୁମା ଦେବତା ପ୍ରତି ଆନୁଗତ୍ୟ ଭାବ ଜଣା ଯାଇଥାଏ। ଆନୁଗତ୍ୟ ଭାବର ଅନ୍ୟ ନାମ ‘ନୂଆଖାଇ ଭେଟଘାଟ’ ଅଟେ। ଏହାକୁ ଯେଉଁଭଳି ଭାବରେ କେବଳ ନାଚଗୀତର ଆଢୁଆଳରେ ରଖିବାର ଉପକ୍ରମ କରାଯାଉଛି, ତାହା ବର୍ତ୍ତମାନର ସମୟରେ ଏକ ବୌଦ୍ଧିକ ଚର୍ଚ୍ଚାର ଆବଶ୍ୟକତା ଲୋଡୁଛି।
ବାସୁଦେବ ସୁନାନୀ
ମୋ: ୯୪୩୭୩୨୭୭୩୨





