ନିର୍ବାଚନ ଫଳାଫଳ ପୂର୍ବାନୁମାନ କୌଶଳ

The Sakala Picture
Published On

ଭାରତୀୟ ନିର୍ବାଚନ ଅନେକ ଆକର୍ଷଣୀୟ କାହାଣୀର ସମାହାର। ଏହି ପରିପ୍ରେକ୍ଷୀରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ସି ପି ଯୋଶୀଙ୍କ କଥା, ଯିଏ ଗୋଟିଏ ମାତ୍ର ଭୋଟ୍‌‌ରେ ହାରି ଯାଇଥିଲେ। ପରେ ଜଣାପଡ଼ିଥିଲା ଯେ ଶ୍ରୀଯୋଶୀଙ୍କ ପତ୍ନୀ ସେ ଦିନ ସ୍ୱାମୀଙ୍କ ମଙ୍ଗଳ କାମନା କରିବାକୁ ମନ୍ଦିରକୁ ଯାଇଥିବାରୁ ଭୋଟ ଦେଇପାରିନଥିଲେ ଏବଂ ସେହି ଗୋଟିଏ ଭୋଟରେ ହିଁ ଶ୍ରୀଯୋଶୀ ହାରି ଯାଇଥିଲେ। ଏହା ପଛରେ ଥିବା ସନ୍ଦେଶ ହେଉଛି ପ୍ରତ୍ୟେକ ଭୋଟ ମୂଲ୍ୟବାନ। ଏପରିକି […]

ଭାରତୀୟ ନିର୍ବାଚନ ଅନେକ ଆକର୍ଷଣୀୟ କାହାଣୀର ସମାହାର। ଏହି ପରିପ୍ରେକ୍ଷୀରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ସି ପି ଯୋଶୀଙ୍କ କଥା, ଯିଏ ଗୋଟିଏ ମାତ୍ର ଭୋଟ୍‌‌ରେ ହାରି ଯାଇଥିଲେ। ପରେ ଜଣାପଡ଼ିଥିଲା ଯେ ଶ୍ରୀଯୋଶୀଙ୍କ ପତ୍ନୀ ସେ ଦିନ ସ୍ୱାମୀଙ୍କ ମଙ୍ଗଳ କାମନା କରିବାକୁ ମନ୍ଦିରକୁ ଯାଇଥିବାରୁ ଭୋଟ ଦେଇପାରିନଥିଲେ ଏବଂ ସେହି ଗୋଟିଏ ଭୋଟରେ ହିଁ ଶ୍ରୀଯୋଶୀ ହାରି ଯାଇଥିଲେ। ଏହା ପଛରେ ଥିବା ସନ୍ଦେଶ ହେଉଛି ପ୍ରତ୍ୟେକ ଭୋଟ ମୂଲ୍ୟବାନ। ଏପରିକି ଗୋଟିଏ ଭୋଟ୍‌‌ ପାଇଁ ଗୁଜୁରାଟର ଗିର ଜଙ୍ଗଲରେ ଏବଂ ମାତ୍ର ଦୁଇଟି ଭୋଟ ପାଇଁ ଭାରତ-ଚୀନ୍‌‌ ସୀମା ଅରୁଣାଚଳ ପ୍ରଦେଶରେ ନିର୍ବାଚନ ଆୟୋଗ ମତଦାନ କେନ୍ଦ୍ର ସ୍ଥାପନା କରିଥିଲେ। ଭାରତୀୟ ଭୋଟରମାନେ ୬ଟି ଜାତୀୟ, ୫୦ ଆଞ୍ଚଳିକ ଓ ୨୦୦୦ଟି ଛୋଟ ଦଳର ପ୍ରାର୍ଥୀଙ୍କୁ ଭୋଟ ଜରିଆରେ ନିର୍ବାଚିତ କରନ୍ତି। ଆମେ ଭୋଟର ଭାବରେ ସର୍ବଦା ଜାଣିବାକୁ ଆଗ୍ରହୀ ଯେ ଲୋକମାନେ କିପରି ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ୍‌‌ ଦିଅନ୍ତି ଓ କାହିଁକି? ସରକାରୀ ବିରୋଧୀ ହାୱା କ’ଣ ଏବଂ ଏହା କିପରି କାମ କରେ?

ଭୋଟ୍‌‌ ଦେବାର ଢାଞ୍ଚା ଏବଂ ଭାରତୀୟମାନେ କିପରି ସେମାନଙ୍କର ନେତା ଚୟନ କରନ୍ତି ତାହା ବିଶ୍ଳେଷଣ କରିବା ପାଇଁ ଜଣାଶୁଣା ସେଫୋଲୋଜିଷ୍ଟ(ଜନମତ ସମୀକ୍ଷକ) ପ୍ରଦୀପ ଗୁପ୍ତା ତାଙ୍କର ନୂତନ ପ୍ରକାଶିତ ପୁସ୍ତକ ‘ହୁ ଗେଟ୍‌‌ସ ଇଲେକ୍ଟେଡ୍‌‌’ରେ ଉଲ୍ଲେଖ କରିଛନ୍ତି। ଆକ୍ସିସ୍‌‌ ମାଇ ଇଣ୍ଡିଆର ପ୍ରତିଷ୍ଠାତା ପ୍ରଦୀପ ଗୁପ୍ତା, ଉଭୟ ସଂସଦ ଏବଂ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ପୂର୍ବାନୁମାନ କରି ସୁନାମ ଅର୍ଜନ କରିଛନ୍ତି। ଭାରତର ବିବିଧତାକୁ ଦୃଷ୍ଟିରେ ରଖି ଲେଖକ ସ୍ୱୀକାର କରିଛନ୍ତି ଯେ ନିର୍ବାଚନ ଫଳାଫଳ ପୂର୍ବାନୁମାନ କରିବା କ୍ରିକେଟ ଖେଳ ସହ ସମାନ, ଯେଉଁଠାରେ ପ୍ରତ୍ୟେକ ବଲ୍‌‌ ନୂଆ ଅଭିଜ୍ଞତାକୁ ସାମ୍ନା କରିବାକୁ ଆହ୍ୱାନ ଦିଏ। ପ୍ରଦୀପ କହିଛନ୍ତି ଯେ ଭୋଟରମାନେ କାହାକୁ ଭୋଟ୍‌‌ ଦେବେ ତାହା ସେମାନେ ସେମାନଙ୍କର ‘ଆବଶ୍ୟକତା ଏବଂ ଆକାଂକ୍ଷା’କୁ ଆଧାର କରି ନିଷ୍ପତ୍ତି ନିଅନ୍ତି ଏବଂ ସେହି ଆବଶ୍ୟକତା ପୂରଣ କରିବା ପାଇଁ କିଏ ସର୍ବୋତ୍ତମ ତାହା ଚିନ୍ତା କରି ଭୋଟ ଦିଅନ୍ତି। ରାଜନେତାମାନେ ମଧ୍ୟ ସେହି ଢଙ୍ଗରେ କାର୍ଯ୍ୟ କରନ୍ତି ଯାହା ସେମାନଙ୍କୁ ସେମାନଙ୍କର ଆବଶ୍ୟକତା ଏବଂ ଇଚ୍ଛା ପୂରଣ କରିବାରେ ସାହାଯ୍ୟ କରେ।

ନିର୍ବାଚନ ଫଳାଫଳ ସହିତ ଅର୍ଥନୀତିର ମଧ୍ୟ ଏକ ସଂଯୋଗ ରହିଛି। ପ୍ରଦୀପ ଚନ୍ଦ୍ରବାବୁ ନାଇଡୁଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଆନ୍ଧ୍ରପ୍ରଦେଶ ଆଇଟି କ୍ଷେତ୍ରରେ ବିଶେଷ ବିକାଶ ଏବଂ ଶାସନରେ ପ୍ରମୁଖ ସଂସ୍କାର ଆଣିପାରିଥିଲା। ତଥାପି ତାଙ୍କ ଟିଡିପି ଦଳ ୨୦୦୪ ନିର୍ବାଚନରେ ୨୯୪ ଟି ଆସନ ମଧ୍ୟରୁ ମାତ୍ର ୪୭ଟି ସ୍ଥାନ ହାସଲ କରିଥିଲା। ଗ୍ରାମାଞ୍ଚଳକୁ ଅବହେଳା କରି ସହରଗୁଡ଼ିକର ବିକାଶ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବାକୁ ସେ ହାରି ଯାଇଥିବା ନିର୍ବାଚନ ବିଶାରଦମାନେ ମତ ଦେଇଥିଲେ। ଅପରପକ୍ଷେ, କେବଳ ଶିଳ୍ପ କ୍ଷେତ୍ରକୁ ଚରମ ଅବହେଲା କରି ମଧ୍ୟ ଗ୍ରାମୀଣ ଅର୍ଥନୀତିର ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିଥିବାରୁ ବାମପନ୍ଥୀ ଦଳ ପଶ୍ଚିମବଙ୍ଗରେ ଦୀର୍ଘ ୩୪ ବର୍ଷ ଧରି ଶାସନ କ୍ଷମତାରେ ରହିଥିଲା। ସେହିଭଳି, ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଖାଦ୍ୟ ନିରାପତ୍ତାର ଶୃଙ୍ଖଳା ଯୋଗୁଁ ନବୀନ ପଟ୍ଟନାୟକ ଭୋଟରଙ୍କ ପାଖରେ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ଭୋଟରଙ୍କ ପାଖରେ ଆକର୍ଷଣୀୟ ହୋଇ ରହିଛନ୍ତି। ତାମିଲନାଡୁକୁ ଲୁହା ମୁଷ୍ଟିରେ ଶାସନ କରୁଥିବା ସ୍ୱର୍ଗତ ଜୟଲଳିତା ଅର୍ଥନୀତିଜ୍ଞ ନଥିଲେ। କିନ୍ତୁ ତାଙ୍କ ଅଧୀନରେ ନିର୍ବାଚନ ପ୍ରଚାର ସମୟରେ ଭୋଟରଙ୍କୁ ଅନେକ ପ୍ରୋତ୍ସାହନ ଦିଆଯାଇଥିଲା। ଉଦାହରଣ ସ୍ୱରୂପ, ସେ ଲୋକପ୍ରିୟ ଯୋଜନା ‘ଆମ୍ମା କ୍ୟାଣ୍ଟିନସ୍‌‌’ ଅଧୀନରେ ଗରିବ ଲୋକଙ୍କୁ ରିହାତି ଦରରେ ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ।

ବୋଧହୁଏ, ଉପରୋକ୍ତ ଯୋଜନା ଅନୁସରଣରେ ୨୦୧୯ରେ ମୋଦୀ ସରକାର ପ୍ରଧାନମନ୍ତ୍ରୀ କିସାନ୍‌‌ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ, ଯେଉଁଥିରେ ଦୁଇ ଏକରରୁ କମ୍‌‌ ଜମି ଥିବା କ୍ଷୁଦ୍ର ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ପ୍ରତ୍ୟକ୍ଷ ସ୍ଥାନାନ୍ତର କରାଯାଉଛି। ଭୋଟରମାନେ ଭୋଟ ଅଧିକାର ସାବ୍ୟସ୍ତ କରିବା ସମୟରେ ବିଧାନସଭା ନିର୍ବାଚନ ଏବଂ ଜାତୀୟ ନିର୍ବାଚନରେ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗଗୁଡ଼ିକୁ ଅଲଗା ଅଲଗା ବିଚାର କରନ୍ତି କି ନାହିଁ ସେ ବିଷୟରେ ଲେଖକ ବିସ୍ତୃତ କିମ୍ବା ସ୍ପଷ୍ଟ ଉଲ୍ଲେଖ କରିନାହାନ୍ତି। ବିମୁଦ୍ରୀକରଣ ନିଷ୍ପତ୍ତି ସମ୍ପର୍କରେ ଲେଖକଙ୍କ ମତ ହେଲା କ୍ଷମତାକୁ ଆସିବା ପୂର୍ବରୁ କଳା ଟଙ୍କା ବିଦେଶରୁ ଆଣି ଦେଶବାସୀଙ୍କୁ ଫେରାଇବା ପାଇଁ ନରେନ୍ଦ୍ର ମୋଦୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ନ ହୋଇପାରିବା ଜନିତ ତାଙ୍କର ଯେଉଁ ଛବି ଲୋକଙ୍କ ଆଗରେ ସୃଷ୍ଟି ହୋଇଥିଲା, ତାହାର ସଂଶୋଧନ କରିବା ପାଇଁ ବିମୁଦ୍ରାକରଣ କେବଳ ଏକ ପ୍ରୟାସ ଥିଲା। ଏହା ମାଧ୍ୟମରେ ମୋଦୀ ଲୋକଙ୍କୁ ଜଣାଇବା ପାଇଁ ଚାହୁଁଥିଲେ ଯେ କଳା ଟଙ୍କା ବିରୋଧରେ ସେ ସର୍ବଦା ଗମ୍ଭୀର ଓ ତତ୍ପର। ତେଣୁ ତାଙ୍କର ସେହି ପଦକ୍ଷେପ ସମାଜର ଅଧିକାଂଶ ଲୋକ, ବିଶେଷକରି ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ଦ୍ୱାରା ଆଦୃତ ହେଲା।

ଲେଖକ ଏଭଳି ଏକ ବିଷୟରେ ଆଲୋକପାତ କରିଛନ୍ତି, ଯାହା ସମ୍ପର୍କରେ ଭୋଟର ଓ ବିଶେଷଜ୍ଞଙ୍କ ଭିନ୍ନ ଭିନ୍ନ ଦୃଷ୍ଟିକୋଣ ରହିଛି। ଉଦାହରଣସ୍ୱରୂପ ଅର୍ଥନୀତିକୁ ମୂଲ୍ୟାଙ୍କନ କରିବା ସମୟରେ ଅର୍ଥନୀତିଜ୍ଞମାନେ ଉଚ୍ଚ ଜିଡିପି ଅଭିବୃଦ୍ଧି, ସେନ୍ସେକ୍ସ ବୃଦ୍ଧି, ଏଫ୍‌‌ଡିଆଇ ପ୍ରବାହ ବୃଦ୍ଧି ଆଦିକୁ ମାନଦଣ୍ଡ ଭାବରେ ଗ୍ରହଣ କରୁଥିବା ବେଳେ ସାଧାରଣ ଭୋଟରଙ୍କ ପାଇଁ ତାହାର କିଛି ମାନେ ନଥାଏ। ଭୋଟରଙ୍କ ପାଇଁ, ଦେଶର ଅର୍ଥନୈତିକ ବିକାଶ କହିଲେ ସୁଗମ ରାସ୍ତାଘାଟ ଓ ଗମନାଗମନ ସୁବିଧା, ନିରବଚ୍ଛିନ୍ନ ବିଦ୍ୟୁତ୍‌‌ ଯୋଗାଣ, ଉନ୍ନତ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସୁବିଧା, ଚାକିରି ସୁଯୋଗ ଇତ୍ୟାଦିକୁ ବୁଝାଏ।

ଲେଖକ ରାଜବଂଶର ରାଜନେତାମାନଙ୍କ ବିଷୟରେ ଏକ ଆକର୍ଷଣୀୟ ସୂଚନା ପ୍ରଦାନ କରିଛନ୍ତି। ତାଙ୍କ ମତରେ ରାଜନୈତିକ ରାଜବଂଶ କ୍ଷମତାରେ ଥିବାବେଳେ ସେମାନଙ୍କ ଭୋଟରଙ୍କ ମନସ୍ତତ୍ତ୍ୱକୁ ଭଲ ଭାବରେ ଜାଣିପାରିଥା’ନ୍ତି। ସେମାନେ ଜାଣନ୍ତି ଯେ ରାଜବଂଶ ଭାବରେ ସେମାନଙ୍କର ପରିଚୟ ଅକ୍ଷୁଣ୍ଣ ରହିବ ଏବଂ ସେମାନେ ସୁଚାରୁ ରୂପେ କାର୍ଯ୍ୟ ନିର୍ବାହ କରିପାରି ନ ଥିଲେ ମଧ୍ୟ ଭୋଟରମାନଙ୍କ ହୃଦୟରେ ରହିଥିବେ। ଦୀର୍ଘ ଦଶନ୍ଧି ଧରି ଚାଲିଆସିଥିବା ଏହି ଧାରା କିନ୍ତୁ ଏବେ ଭାଙ୍ଗିବାକୁ ବସିଛି। ସାମ୍ପ୍ରତିକ ସମୟରେ ପାରିବାରିକ ଉତ୍ତରାଧିକାର ସୂତ୍ର ଆଉ ଭୋଟବ୍ୟାଙ୍କ ହୋଇ ରହିନାହିଁ।

ଏହି ପୁସ୍ତକରେ ନିର୍ବାଚନକୁ କିଭଳି ସହଜରେ ଜିତା ଯାଇପାରିବ ସେ ବିଷୟ ସହିତ ଜଡ଼ିତ ବିଭିନ୍ନ ବିଷୟ, ଅଭିଯାନ, ରଣନୀତି, ଭୋଟରଙ୍କ ଆଚରଣ ଏବଂ ନିର୍ବାଚନରେ ଗଣମାଧ୍ୟମ ଏବଂ ପ୍ରଯୁକ୍ତିବିଦ୍ୟାର ଭୂମିକା ଆଦି ଅନ୍ତର୍ଭୁକ୍ତ ହୋଇଛି। ନିର୍ବାଚନରେ ଜିତିବା ପରେ କ୍ଷମତା ବଜାୟ ରଖିବାର ଆହ୍ୱାନ ଏବଂ ପ୍ରଚାର ପ୍ରତିଶ୍ରୁତି ପ୍ରଦାନ କରିବାର ଗୁରୁତ୍ୱ ବିଷୟରେ ମଧ୍ୟ ଲେଖକ ଆଲୋକପାତ କରିଛନ୍ତି। ଏଠାରେ ଅବଶ୍ୟ ପ୍ରଶ୍ନ ଉଠିପାରେ ନିର୍ବାଚନ ପ୍ରଚାର ଏବଂ ଭୋଟ୍‌‌ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ‘ଧର୍ମ’ର ଭୂମିକା ଉପରେ ଲେଖକ କାହିଁକି ଉଲ୍ଲେଖ କରିନାହାନ୍ତି?

ନିର୍ବାଚନରେ ଭୋଟଦାନ ହାର ବିଷୟରେ ଲେଖକ ଉଲ୍ଲେଖ କରିଛନ୍ତି। ପୁସ୍ତକରେ ସେ ଦେଇଥିବା ତଥ୍ୟ ଅନୁସାରେ ଭୋଟଦାନ ହାର ୧୯୯୦ ଦଶକରେ ୫୭-୫୮ ପ୍ରତିଶତ ହୋଇଥିବେ ବେଳେ ୨୦୧୯ରେ ଏହା ୬୭.୪ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ନିର୍ବାଚନରେ ସାମାଜିକ ଗଣମାଧ୍ୟମ ଓ ସୂଚନା ପ୍ରଯୁକ୍ତି ବିଦ୍ୟାର ପ୍ରଭାବଶାଳୀ ଯୋଜନା ସମ୍ପର୍କରେ ମତ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ସହିତ ମୁଖ୍ୟତଃ ଯୁବବର୍ଗ ଜଡ଼ିତ।୨୦୦୧ରେ ଅଠରରୁ ଅଣତିରିଶ ବର୍ଷ ବୟସର ୨୧ କୋଟି ଯୋଗ୍ୟ ଭୋଟର ଥିବାବେଳେ ୨୦୧୯ ରେ ସେମାନଙ୍କ ସଂଖ୍ୟା ୩୦ କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ତେଣୁ ନିର୍ବାଚନରେ ଯୁବଭୋଟରଙ୍କ ସଂଖ୍ୟା ଓ ଭୂମିକାର ପ୍ରଭାବ ଅନୁମେୟ। ରାଜନୈତିକ ଦଳ ମଧ୍ୟରେ ସାଂଗଠନିକ ଦୁର୍ବଳତାର ପ୍ରଭାବ ଯେ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରେ ସେ ସମ୍ପର୍କରେ ମଧ୍ୟ ଲେଖକ ମତ ଦେଇଛନ୍ତି। ଏହାର ଉଦାହରଣ ଭାବେ ସେ ୨୦୧୭ ପଞ୍ଜାବ ନିର୍ବାଚନକୁ ନେଇଛନ୍ତି। ୧୧୭ ଟି ବିଧାନସଭା ଆସନରୁ ୧୦୦ ପାଇବ ବୋଲି ଅନୁମାନ କରାଯାଉଥିବା ଆପ୍‌‌ ଦଳକୁ ଦଳୀୟ କନ୍ଦଳ ଯୋଗୁଁ ମାତ୍ର ୨୦ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଅପରପକ୍ଷରେ ମାତ୍ର ଚାରି ମାସ ମଧ୍ୟରେ ନିଜକୁ ସଜାଡ଼ି ନେଇ କଂଗ୍ରେସ ଅପ୍ରତ୍ୟାଶିତ ଭାବେ ସେଠାରେ ସରକାର ଗଠନ କରିଥିଲା। ସେହିପରି ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟିରେ ହୋଇଥିବା ଆନ୍ତଃବିବାଦ ସେମାନଙ୍କ ପାଇଁ ମହଙ୍ଗା ପଡ଼ିଥିବା ବେଳେ ପ୍ରାକ୍‌‌ ନିର୍ବାଚନୀ ସର୍ବେକ୍ଷଣ ଫଳାଫଳରେ ଦ୍ୱିତୀୟ ସ୍ଥାନରେ ରହିଥିବା ବିଜେପି ଶେଷ ମୁହୂର୍ତ୍ତରେ ବିଧାନସଭାରେ ୮୦% ଆସନ ହାସଲ କରିଥିଲା।

ଜାତୀୟ କିମ୍ବା ରାଜ୍ୟ ନିର୍ବାଚନରେ ଗାଁ ପଞ୍ଚାୟତର ମଧ୍ୟ ଅନେକ ଗୁରୁତ୍ୱ ରହିଛି। ଉଦାହରଣ ସ୍ୱରୂପ, ହରିୟାଣାର ଖାପ୍ସ ପଞ୍ଚାୟତର ଏକ ବହୁତ ଶକ୍ତିଶାଳୀ ସଂଗଠନ ଓ ପ୍ରଭାବ ରହିଛି। କାହାକୁ ଭୋଟ ଦେବେ ସେ ବିଷୟରେ ସେମାନେ ନିଜ ମଧ୍ୟରେ ପରାମର୍ଶ କରନ୍ତି ଏବଂ ମତଦାନ ପୂର୍ବରୁ ଏକ ନିର୍ଦ୍ଦେଶନାମା ଜାରି କରନ୍ତି। ନିର୍ବାଚନରେ ଜାତିଆଣ, ସାମାଜିକ-ଅର୍ଥନୈତିକ ସ୍ଥିତି, ମହିଳାଙ୍କ ସମସ୍ୟା ଆଦି ଗୁରୁତ୍ୱ ରଖେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହିସବୁ ସମସ୍ୟାକୁ ନିର୍ବାଚନ ପ୍ରସଙ୍ଗ କରି ଉପକୃତ ହୋଇଥିବା ଲେଖକ ମତ ଦେଇଛନ୍ତି।

ଆଗାମୀ ବିଧାନ ସଭା ନିର୍ବାଚନ ବିଷୟରେ ଆଲୋଚନା କରି ପ୍ରଦୀପ ପୂର୍ବାନୁମାନ କରିଛନ୍ତି ଯେ ଶିବରାଜ ସିଂ ଚୌହାନ ଯିଏକି କଂଗ୍ରେସର କମଲ ନାଥଙ୍କ ୧୫ ମାସର କାର୍ଯ୍ୟକାଳ ବ୍ୟତୀତ ପ୍ରାୟ ୧୫ ବର୍ଷ ଧରି ସରକାର ଚଳାଉଥିଲେ ସେ ଏବେ ଭୋଟରଙ୍କ ପ୍ରଥମ ପସନ୍ଦ ଭାବରେ ଉଭା ହୋଇଛନ୍ତି। ରାଜସ୍ଥାନ ବିଧାନସଭା ବିଷୟରେ ସେ କହିଛନ୍ତି ଯେ ସେହି ରାଜ୍ୟରେ ପ୍ରାୟତଃ ପ୍ରତିଥର ଭୋଟ ବେଳେ ସରକାର ବଦଳେ। ସେଠାରେ ବିଜେପି ଏକ ବିଶ୍ୱସ୍ତ ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ଭୋଟରଙ୍କ ସାମ୍ନାକୁ ଆଣିନାହିଁ। ଅପରପକ୍ଷରେ ସେଠାରେ ଶାସକ କଂଗ୍ରେସ ଦଳର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌‌ ଏବଂ ଯୁବ ନେତା ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଅଛି। କିନ୍ତୁ ନିର୍ବାଚନରେ ଚେହେରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ପ୍ରକୃତରେ ଲୋକଙ୍କୁ ରାଜ୍ୟ ପାଇଁ କିଏ ଭଲ କାମ କରିବ ତାହା ଦେଖିବାର ସୁଯୋଗ ଦେଇଥାଏ।

ଲଗାତାର ଦୁଇ ଥର ଶାସନ କରୁଥିବା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ରାଜ୍ୟ ତେଲେଙ୍ଗାନାରେ ଆଗାମୀ ବିଧାନସଭା ନିର୍ବାଚନରେ କ’ଣ ଘଟିବାକୁ ଯାଉଛି ସେ ବିଷୟରେ ଲେଖକ କେତେକ ପୂର୍ବାନୁମାନ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ଯୋଗୁଁ କଂଗ୍ରେସ ଦକ୍ଷିଣ ଭାରତରେ ଏହାର ପ୍ରଭାବ ପକାଇଛି ବୋଲି ସେ ସ୍ୱୀକାର କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ବିଷୟରେ ସେ ଲେଖିଛନ୍ତି ଯେ ନିର୍ବାଚନରେ ଦୁଇଟି ପ୍ରସଙ୍ଗ ମୁଖ୍ୟ। ସେଗୁଡ଼ିକ ହେଲା ବ୍ୟକ୍ତିତ୍ୱ ଏବଂ ଏହାକୁ ଭୋଟରେ ପରିଣତ କରିବାର ଯୋଜନା। ବିରୋଧୀଦଳମାନେ ଏକ ବୃହତ ମିଳିତ ମଞ୍ଚ ଗଠନ କରିବା ସହିତ ଏକତା ପ୍ରଦର୍ଶନ କରିବାର ଚେଷ୍ଟା କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ହେଉଛି ଧାରଣାକୁ ଭୋଟରେ ପରିଣତ କରିବା ପାଇଁ କିଏ ଉତ୍ତମ ସ୍ଥିତିରେ ଅଛି ତାହା ଦେଖିବା କଥା। ଭୋଟରମାନଙ୍କୁ ଦେଖିବାକୁ ପଡ଼ିବ କିଏ ତୃଣମୂଳ ସ୍ତରରେ ଅଧିକ ଶକ୍ତିଶାଳୀ, କିଏ ଭୋଟ୍‌‌ ପାଇ ନିର୍ବାଚନ ଜିତିବ। ଲେଖକ କହିଛନ୍ତି ଯେ ମୁଁ ଏପରି କୌଣସି ରାଜ୍ୟ ଦେଖିପାରୁ ନାହିଁ ଯେଉଁଠାରେ ବିରୋଧୀ ଦଳମାନେ ବିନା ଏକତାରେ କୌଣସି ପରିବର୍ତ୍ତନ ଆଣିପାରିଛନ୍ତି। ଯେପର୍ଯ୍ୟନ୍ତ ବିରୋଧୀଦଳମାନେ ଏକ ସାଧାରଣ ସ୍ୱାର୍ଥ ସାଧନ ଲକ୍ଷ୍ୟରେ ଏକତ୍ରିତ ହୋଇ ନାହାନ୍ତି ବା ସମସ୍ତେ ସମସ୍ତଙ୍କୁ ବିଶ୍ୱାସକୁ ନ ନେଇଛନ୍ତି ସେ ପର୍ଯ୍ୟନ୍ତ ବିଜେପିକୁ କ୍ଷମତାକୁ ଆସିବାରୁ ରୋକିବା କଷ୍ଟକର ହେବ। ଲେଖକଙ୍କର ଧାରଣା ଯେ ମୋଦୀ ନିଜର ଜୀବନ କାହାଣୀକୁ ବିଜେପିର ଆଦର୍ଶ ଭାବେ ଲୋକଙ୍କ ଭିତରେ ପ୍ରଚାର କରିବାରେ ସଫଳ ହୋଇଛନ୍ତି। ତାଙ୍କର ଆବେଦନ ସହରୀ ଭୋଟରଙ୍କଠାରୁ ଆରମ୍ଭ କରି ଗ୍ରାମ୍ୟ ଭୋଟରଙ୍କୁ ମଧ୍ୟ ଆକୃଷ୍ଟ କରିଛି। ଏହାଛଡ଼ା ଏକଦା କଂଗ୍ରେସର ଭୋଟବ୍ୟାଙ୍କ ଥିବା ଏସ୍‌‌ଟି ବର୍ଗଙ୍କ ଭୋଟକୁ ମଧ୍ୟ ବିଜେପି ନିଜ ସପକ୍ଷରେ ଆଣିବାରେ ସଫଳ ହୋଇଛି।

ଅଶୋକ ଓଗ୍ରା
ନୂଆଦିଲ୍ଲୀ, ୯୮୧୦୫୦୨୬୭୪

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର