ଯୁଦ୍ଧପ୍ରିୟ ବିଶ୍ୱ

The Sakala Picture
Published On

ଇତିହାସରେ ଏମିତି କେଉଁ ଶତାବ୍ଦୀ ନାହିଁ, ଯେଉଁଠି ଲୁହ ଓ ଲହୁର ଦରିଆ ବୋହିନାହି। ଏକଦା ଶାନ୍ତିମୈତ୍ରୀର ମନ୍ତ୍ର ଉଚ୍ଚାରଣ କରୁଥିବା ମଣିଷ ସ୍ୱପ୍ନ ଦେଖିଛି ଏକଛତ୍ରବାଦର। ସେ ପ୍ରେମ ସୌହାର୍ଦ୍ଦର ଗୀତ ଗାଇବା ପାଇଁ ଆହ୍ୱାନ କଲା ଭିତରେ ଉପତ୍ୟକା ସମୂହକୁ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ କରିଛି। ସବୁଠି ସେଇ ଲୋମହର୍ଷଣକାରୀ କୋଳାହଳ ପରିବେଶ। ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବାରୁଦ ଗନ୍ଧ ବିଶ୍ୱରେ ସୃଷ୍ଟି କରିଛି ଅଶାନ୍ତ ବାତାବରଣ। ଶାନ୍ତି-ମୈତ୍ରୀ-କରୁଣାର ବାର୍ତ୍ତା ବାଣ୍ଟୁଥିବା ମଣିଷ ପୁଣି ଏତେ […]

ଇତିହାସରେ ଏମିତି କେଉଁ ଶତାବ୍ଦୀ ନାହିଁ, ଯେଉଁଠି ଲୁହ ଓ ଲହୁର ଦରିଆ ବୋହିନାହି। ଏକଦା ଶାନ୍ତିମୈତ୍ରୀର ମନ୍ତ୍ର ଉଚ୍ଚାରଣ କରୁଥିବା ମଣିଷ ସ୍ୱପ୍ନ ଦେଖିଛି ଏକଛତ୍ରବାଦର। ସେ ପ୍ରେମ ସୌହାର୍ଦ୍ଦର ଗୀତ ଗାଇବା ପାଇଁ ଆହ୍ୱାନ କଲା ଭିତରେ ଉପତ୍ୟକା ସମୂହକୁ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ କରିଛି। ସବୁଠି ସେଇ ଲୋମହର୍ଷଣକାରୀ କୋଳାହଳ ପରିବେଶ। ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବାରୁଦ ଗନ୍ଧ ବିଶ୍ୱରେ ସୃଷ୍ଟି କରିଛି ଅଶାନ୍ତ ବାତାବରଣ। ଶାନ୍ତି-ମୈତ୍ରୀ-କରୁଣାର ବାର୍ତ୍ତା ବାଣ୍ଟୁଥିବା ମଣିଷ ପୁଣି ଏତେ ହିଂସ୍ର ହୁଏ କେମିତି? ଏକ ସୁନ୍ଦର ସବୁଜିମା ପୃଥିବୀର ପରିକଳ୍ପନା କରୁକରୁ ରକ୍ତର ହୋଲି ଖେଳିବାକୁ ଆଗେଇ ଆସେ କିପରି? ପ୍ରତ୍ୟେକ ମଣିଷ ଚାହେଁ ଟିକେ ସୁଖରେ ରହିବାକୁ, ଶାନ୍ତିରେ ନିଃଶ୍ୱାସ ମାରିବାକୁ, ଜୀବନକୁ ସରସ-ସୁନ୍ଦର-ମଧୁମୟ କରିବାକୁ। ଶାନ୍ତିର ଆବଶ୍ୟକତାକୁ ଅନୁଭବ କରି ମଧ୍ୟ କାହିଁକି ସେ ଯୁଦ୍ଧକୁ ଆହ୍ୱାନ କରେ?

ଯାଯାବର ହୋଇ ଏକୁଟିଆ କାଳତିପାତ କରୁଥିବା ଜୀବନ ବିପଦପୂର୍ଣ୍ଣ ଅନୁଭବ କଲା ପରେ ମଣିଷ ଚାହିଁଲା ସଂଘବଦ୍ଧ ଜୀବନ। ସାଥୀ ହୋଇ ସହାବସ୍ଥାନ ପରେ ସମୟକ୍ରମେ ସଂଘବଦ୍ଧ ଜୀବନ ମଧ୍ୟରେ ଆରମ୍ଭ ହେଲା ପ୍ରତିଦ୍ୱନ୍ଦ୍ୱିତା। ସେହି ପ୍ରତିଦ୍ୱଦ୍ୱିତା ଭିତରେ ସେ ଚାହିଁଲା ତା’ର ନିଜର ସ୍ୱତନ୍ତ୍ର ପରିଚୟ। ଧୀରେ ଧୀରେ ପୃଥିବୀକୁ ନିଜର କରିବାକୁ ସ୍ୱପ୍ନ ଦେଖିଲା। ନିଜ ମଧ୍ୟରେ ସ୍ୱେଚ୍ଛାଚାରୀ ଉଗ୍ରମାନସିକତାର ବୀଜ ଅଙ୍କୁରିତ ହେବାରେ ଲାଗିଲା। ନିଜକୁ ଅନ୍ୟମାନଙ୍କଠାରୁ ବୁଦ୍ଧିମାନ ଓ ଦକ୍ଷ ଭାବିଲା। ସମସ୍ତଙ୍କୁ ଏକତ୍ରିତ କରି ସେମାନଙ୍କର ମୁଖିଆ ହୋଇ ଧନଜୀବନର ଉତ୍ତରଦାୟିତ୍ୱ ନିଜ କାନ୍ଧକୁ ନେଇ ଅନ୍ୟମାନଙ୍କୁ ନିଜ ନିୟନ୍ତ୍ରଣକୁ ଆଣିଲା।

ନିଜ ପରିସୀମାକୁ ବିସ୍ତାର କରିବା ସହ ଅନ୍ୟକୁ ନିଜ ଅଧୀନରେ ରଖିବାର ମନୋଭାବ ତା’କୁ ଶିଖାଇଲା ଦ୍ୱନ୍ଦ୍ୱ। ବାହୁବଳ, ଅର୍ଥବଳ ଓ ବିଚକ୍ଷଣ ବୁଦ୍ଧି ସାହାଯ୍ୟରେ କିଛି ବିଶ୍ୱାସୀମାନଙ୍କୁ ଆତ୍ମୀୟତାର ମୋହରେ ବାନ୍ଧି ଅସ୍ତ୍ରଶସ୍ତ୍ରର ସାହାରା ନେଇ ଅନ୍ୟକୁ ଯୁଦ୍ଧର ଆହ୍ୱାନ ଦେଲା। ବିଜୟୀ ହେଲା ପରେ ସେ ଅନ୍ୟଠାରୁ ନିଜକୁ ଶକ୍ତିଶାଳୀ ଯୋଦ୍ଧା ଭାବେ ଆତ୍ମଘୋଷିତ କରାଇବା ସହ ଯୁଦ୍ଧବିଦ୍ୟା, ରଣକୌଶଳ ଏବଂ ସୈନ୍ୟଶିବିର ପ୍ରସ୍ତୁତିପୂର୍ବକ ବିଶାଳ ସାମ୍ରାଜ୍ୟ ଗଠନରେ ଲାଗିପଡ଼ିଲା। ଗୋଟେପରେ ଗୋଟେ ଅଞ୍ଚଳକୁ ଆକ୍ରମଣ କରି ବିଜୟର ସ୍ୱାଦ ତା’ର ପ୍ରଭୁତ୍ୱକୁ ବିଶ୍ୱ ଦରବାରରେ ଉପସ୍ଥାପନ କଲା। ନିଜ ସାମ୍ରାଜ୍ୟର ଭୌଗୋଳିକ ମାନଚିତ୍ରର ପରିସୀମା ବର୍ଦ୍ଧିନ, ଧନସମ୍ପଦ ଲୁଣ୍ଠନ ସହ ନିଜ ପରାକ୍ରମ ଧ୍ୱଜା ଉଡ଼େଇବା ଲକ୍ଷ୍ୟରେ ସେ ଯୁଦ୍ଧକୁ କଲା ଏକ ବୃହତ୍‌‌ ମାଧ୍ୟମ। ନିଜ ସାମ୍ରାଜ୍ୟର ବୈଭବ ତଥା ପ୍ରାଚୁର୍ଯ୍ୟ ଲକ୍ଷ୍ୟରେ ଅନ୍ୟ ସାମ୍ରାଜ୍ୟକୁ ଆକ୍ରମଣ କରି ଅମାପ ଧନସମ୍ପଦ ହାତେଇବାକୁ ଚାହିଁଲା। ଏହା ଥିଲା ସ୍ୱେଚ୍ଛାଚାରୀ ରାଜତନ୍ତ୍ରର ଯୁଦ୍ଧ ମାନସିକତା।

ବିଶ୍ୱ ଇତିହାସରେ ଅନେକଗୁଡ଼ିଏ ଛୋଟବଡ଼ ସାମ୍ରାଜ୍ୟ ମୁଣ୍ଡଟେକିଛି। ପୁଣି ସମୟଚକ୍ରରେ ପତନ ଘଟିଛି। ଜୟ-ପରାଜୟ ସହ କେତେ ରାଜ୍ୟ ଓ ରାଜବଂଶର ସୂର୍ଯ୍ୟୋଦୟ, ପୁଣି ସୂର୍ଯ୍ୟାସ୍ତ ହୋଇଛି। ତା’ପରେ ଆରମ୍ଭ ହୋଇଛି ଔପନିବେଶବାଦର ଯୁଗ। ଧୀରେ ଧୀରେ ଉପନିନେଶଗୁଡ଼ିକ ଗଣତାନ୍ତ୍ରିକ ରାଷ୍ଟ୍ରଭାବେ ବିଶ୍ୱ ମାନଚତ୍ରରେ ନିଜର ପ୍ରତିଷ୍ଠା ଅର୍ଜନ କରିଛନ୍ତି।। ଯଦିଓ ରାଜତନ୍ତ୍ରର ଅବସାନ ଘଟି ଗଣତନ୍ତ୍ର ପ୍ରତିଷ୍ଠା ହୋଇଛି; କିନ୍ତୁ ଯୁଦ୍ଧ ମନୋବୃତ୍ତି ବଦଳିନାହିଁ। କେବଳ ଯୁଦ୍ଧ ଓ ଆକ୍ରମଣର ପୃଷ୍ଠଭୂମି ବଦଳିଯାଇଛି। ରାଜତନ୍ତ୍ର ଶାସନ ସମୟର ଯୁଦ୍ଧକୁ ଗଣତନ୍ତ୍ରରେ ନୂତନ ରୂପେ ଉପସ୍ଥାପିତ କରାଯାଇଛି। ବାରୁଦ, ବନ୍ଧୁକ ଓ ଗୁଳିଶବ୍ଦ ଯୁଦ୍ଧ ଆକ୍ରମଣକୁ ଆହୁରି ମଜବୁତ୍‌‌ କରିଛି। ଅସ୍ଥିର ଗଣତନ୍ତ୍ର, ଅସନ୍ତୋଷ ପ୍ରଜା ଓ ଗୃହଯୁଦ୍ଧର ସୁଯୋଗ ନେଇ ବାହ୍ୟଶକ୍ତିର ପ୍ରବେଶ ସହ ସେମାନଙ୍କର ଆଧିପତ୍ୟ ବିସ୍ତାର ହୋଇଛି। ଗଣତନ୍ତ୍ର ପ୍ରତିଷ୍ଠା ଦ୍ୱାରା ରାଜତନ୍ତ୍ରର ଯୁଦ୍ଧ ଓ ଆକ୍ରମଣ ଭୟରୁ ମଣିଷକୁ ଦୂରେଇ ରଖିବା ପାଇଁ ପ୍ରତ୍ୟେକ ରାଷ୍ଟ୍ର ପ୍ରୟାସ କରିଛି।

ମିଳିତ ଜାତିସଂଘର ପ୍ରୟାସରେ ପ୍ରତ୍ୟେକ ରାଷ୍ଟ୍ର ମଧ୍ୟରେ କିପରି ସୁସମ୍ପର୍କ ଓ ଶାନ୍ତି ସ୍ଥାପନ ହେବ ସେଥିପାଇଁ ଚୁକ୍ତି ସ୍ୱାକ୍ଷରିତ ହେଲା। କିନ୍ତୁ ମଣିଷର ପ୍ରକୃତି ପରିବର୍ତ୍ତନ ହେଉଛି ବା କେଉଁଠୁ? ଦାମ୍ଭିକ ବ୍ୟକ୍ତିମାନେ ସମସ୍ତଙ୍କ ଭାଗ୍ୟଡୋରିକୁ ନିଜ ହସ୍ତରେ ରଖିବାକୁ ସଦାସର୍ବଦା ଚାହାନ୍ତି। ରାଜତନ୍ତ୍ର କିମ୍ୱା ଗଣତନ୍ତ୍ରରେ ସର୍ବୋଚ୍ଚ ଶାସନ ଓ ଆସନରେ ଅଧିଷ୍ଠିତ ବ୍ୟକ୍ତିବିଶେଷ ହିଁ ବିଶ୍ୱ ଅଶାନ୍ତ ପରିବେଶ ପାଇଁ ଦାୟୀ। ଯୁଦ୍ଧର ପ୍ରମୁଖ କାରଣ ହେଉଛି; ନିଜର ଅସ୍ତିତ୍ୱ ସହ ରାଷ୍ଟ୍ରର ସ୍ୱାଭିମାନ ସହ ସମ୍ମାନ। କେବେ ଧର୍ମ ଓ ପରମ୍ପରା ସଂସ୍ଥାପନ ପାଇଁ ତ ପୁଣି କେବେ ସାମୂହିକ ବିକାଶ ପାଇଁ। ନିଜ ମାଟିର ସ୍ୱାଭିମାନ ସହ ଅତୀତ ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ କେହିକେହି ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛନ୍ତି।

ଭାରତ ଇତିହାସରେ ଦୁଇ ପ୍ରମୁଖ ଓ ପୌରାଣିକ ମହାଯୁଦ୍ଧ ରାମାୟଣ ଓ ମହାଭାରତ। ଉଭୟ ରାବଣ ଓ ଦୁର୍ଯ୍ୟୋଧନର ଅହଙ୍କାର ଓ ଜିଦଖୋର ମନୋବୃତ୍ତିର ଆତ୍ମପ୍ରକାଶ। ମୌର୍ଯ୍ୟମାନଙ୍କର ବିଜୟଯାତ୍ରାକୁ ଅବ୍ୟାହତ ରଖିବା ଥିଲା କଳିଙ୍ଗ ଯୁଦ୍ଧର ମୁଖ୍ୟ ଲକ୍ଷ୍ୟ। କଳିଙ୍ଗ ରାଜ୍ୟ ଉପରେ ନିଜର ଆଧିପତ୍ୟ ବିସ୍ତାର ଥିଲା ମୌର୍ଯ୍ୟମାନଙ୍କର ବୃହତ୍‌‌ ସ୍ୱପ୍ନ। ଅଷ୍ଟାଦଶ ଶତାବ୍ଦୀର ନେପୋଲିୟନ ୱାରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଇଉରୋପୀୟ ରାଜତନ୍ତ୍ରର ସର୍ବୋଚ୍ଚ ଶାସନର ବିଲୋପ। ସବୁଠାରୁ ଭୟଙ୍କର ଯୁଦ୍ଧର ପ୍ରସ୍ତୁତି ଆରମ୍ଭ ହୋଇଥିଲା ଊନବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ। ୧୯୧୪ର ପ୍ରଥମ ବିଶ୍ୱଯୁଦ୍ଧର ସୂତ୍ରପାତ ମୂଳରେ ଉଗ୍ରଜାତୀୟତାବାଦ, ସାମରିକ ଶକ୍ତିର ପ୍ରତିଯୋଗିତା, ସାମ୍ରାଜ୍ୟବାଦ ନୀତି ଏବଂ କୂଟନୈତିକ ଚୁକ୍ତି। ପୁନଶ୍ଚ ୧୯୩୯ର ଦ୍ୱିତୀୟ ବିଶ୍ୱଯୁଦ୍ଧର ପ୍ରଚ୍ଛଦପଟ୍ଟରେ ଥିଲା ବିଶ୍ୱର ଅର୍ଥନୈତିକ ଅବସାଦ, ଭର୍ସେଲ ଚୁକ୍ତି, ଜାପାନ ଓ ଜର୍ମାନୀରେ ସାମରିକବାଦର ବୃଦ୍ଧି। ଉନବିଂଶ ଶତାବ୍ଦୀରୁ ଆରମ୍ଭ ହେଇଥିବା ଯୁଦ୍ଧଠାରୁ ବିଂଶ ଶତାବ୍ଦୀର ଯୁଦ୍ଧର ସାଜସଜ୍ଜା ଆହୁରି ଭୟଙ୍କର। ଏହା ତୃତୀୟ ବିଶ୍ୱଯୁଦ୍ଧ ପାଇଁ ପୂର୍ବପ୍ରସ୍ତୁତି। ଇରାକ ଓ ଆମେରିକାର, ୟୁକ୍ରେନ ଓ ରୁଷିଆର, ଇସ୍ରାଏଲ ଓ ଇସଲାମିକ ରାଷ୍ଟ୍ରସମୂହ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧର ପରିଣତି ଆଜି ଆମ ଆଖି ସାମନାରେ।

ଏବେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଶଦେଶ ମଧ୍ୟରେ। ସମସ୍ତଙ୍କର ଗୋଟିଏ ଚିନ୍ତା ନିଜ ଦେଶର ସୁରକ୍ଷା ଓ ବାହ୍ୟ ଆକ୍ରମଣରୁ ନିଜର ରକ୍ଷା। ସେଥିପାଇଁ ରାଷ୍ଟ୍ରସମୂହ ପ୍ରତିରକ୍ଷା ବିଭାଗ ଓ ସାମରିକ ଶକ୍ତି ଉପରେ ଧ୍ୟାନରତ। ନିଜକୁ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରରୂପେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଲାଗି ପଡ଼ିଛନ୍ତି। ଭାରତର ପଡ଼ୋଶୀରାଷ୍ଟ୍ର ପରମାଣୁ ଆକ୍ରମଣକୁ ଆଖିରେ ରଖି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ। ଅଧୁନା ପୃଥିବୀ ପରମାଣୁ ଯୁଦ୍ଧର ଡାକରା ଦେଉଛି। ଏଥିରେ ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ବ୍ରିଟେନ, ଫ୍ରାନ୍ସ, ଉତ୍ତର କୋରିଆ, ଇସ୍ରାଏଲ, ଚୀନ୍‌‌, ଭାରତ ଓ ପାକିସ୍ତାନ ସାମିଲ୍‌‌ ଅଛନ୍ତି। ଚୀନ୍‌‌, ଆମେରିକା ଓ ରୁଷିଆ ପରମାଣୁ ବୋମାର ସାହାରାରେ ବିଶ୍ୱକୁ ନିଜ ଅଧୀନକୁ ନେବାକୁ ପ୍ରୟାସ ଜାରି ରଖିଛନ୍ତି। ପରମାଣୁ ଶକ୍ତିସମ୍ପନ୍ନ ଚୀନ୍‌‌ ଏସିଆ ମହାଦେଶର ରାଷ୍ଟ୍ରସମୂହର ଭାଗ୍ୟଭବିଷ୍ୟତକୁ ତା’ ହାତମୁଠାରେ ରଖିବାକୁ ସଦାସର୍ବଦା ଚେଷ୍ଟିତ। ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଇଉରୋପୀୟ ଦେଶସହ ବିଶ୍ୱରେ ନିଜକୁ ବଡ଼ଭାଇ ଭାବେ ଉପସ୍ଥାପିତ କରିବାରେ ବ୍ୟଗ୍ର। ନିଜ ସାମରିକ ଅସ୍ତ୍ରଶସ୍ତ୍ର ବିକ୍ରି ପାଇଁ ସେ ଯୁଦ୍ଧକ୍ଷେତ୍ର ପ୍ରସ୍ତୁତିରେ ଲାଗିପଡ଼ିଛି। ଏବେ ଦେଶଦେଶ ମଧ୍ୟରେ ଜନସାଧାରଣ ଗୃହଯୁଦ୍ଧରେ ଲିପ୍ତ। ସେଥିମଧ୍ୟରୁ ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ନେପାଳ ଓ ସିରିଆ।

ଅନ୍ୟର ଅସ୍ତିତ୍ୱକୁ ବିଲୋପ କରି ନିଜର ବିଜୟଧ୍ୱଜା ଉଡ଼ାଇବା ସହ ଇତିହାସରେ ନିଜ ନାମ ଲିପିବଦ୍ଧ ହିଁ ଅଧିକାଂଶ ଯୁଦ୍ଧର ଉଦ୍ଦେଶ୍ୟ। କେତେବେଳେ ଧର୍ମକୁ ଆଧାର କରି ଧର୍ମଯୁଦ୍ଧ ତ କେତେବେଳେ ସାମରିକ ଶକ୍ତିର ପ୍ରୟୋଗ ପୂର୍ବକ ସାମ୍ରାଜ୍ୟର ବିସ୍ତାର ସହ ଅନ୍ୟର ସଭ୍ୟତାକୁ ଦମନ କରିବାର ମନୋବୃତ୍ତି। ନିଜ ଧର୍ମସଂସ୍କୃତିର ସ୍ଥାପନ ସହ ଅନ୍ୟ ଧର୍ମର ବିଲୋପ ଏବଂ ଅର୍ଥନୈତିକ ଅଭିବୃଦ୍ଧି ସହ ନିଜ ରାଷ୍ଟ୍ରର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ଏ ଯୁଦ୍ଧ। ସଭ୍ୟତାର ଧ୍ୱଂସ, ରକ୍ତପାତ, ମାନବଜାତିର ନରସଂହାର ହିଁ ତ ପ୍ରତ୍ୟେକ ଯୁଦ୍ଧର ମାନସିକତା। ଅନ୍ୟକୁ ବାସଚ୍ୟୁତ କରିବା, ରକ୍ତର ହୋଲି ଖେଳିବା ସହ ସୁନ୍ଦର ପୃଥିବୀକୁ କଦାକାର, ବୀଭତ୍ସ ଓ ସବୁଜିମାକୁ ଶ୍ରୀହିନ କରିବା ପାଇଁ ତ ଯୁଦ୍ଧ। ପୃଥିବୀପୃଷ୍ଠରୁ ଯୁଦ୍ଧ କେବେ ବି ଶେଷ ହେବନାହିଁ। ଯୁଦ୍ଧଠୁ ମଣିଷ ନା କେବେ ଦୂରେଇଛି ନା ଦୂରେଇ ପାରିବ। ଶାନ୍ତି ପ୍ରତିଷ୍ଠାର ଶତଚେଷ୍ଟା କରି ମଧ୍ୟ ସେ ଯୁଦ୍ଧରୁ ନିଜକୁ ନିବୃତ୍ତ ରଖିପାରିବ ନାହିଁ। ସେ ଶାରୀରିକ ଓ ମାନସିକ ସ୍ତରରେ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। କାରଣ ନିଜର ଆତ୍ମସୁରକ୍ଷା ପାଇଁ ଯୁଦ୍ଧ ହିଁ ଏକମାତ୍ର ବିକଳ୍ପ।

ମନୋଜ କୁମାର ମହାନ୍ତି
ଭଦ୍ରକ, ମୋ: ୮୮୯୫୩୪୧୦୩୩

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର