ମହାତ୍ମାଙ୍କ ମାହାତ୍ମ୍ୟ
୧୯୪୭ ମସିହାରେ ଭାରତର ସ୍ୱାଧୀନତା ଦିବସର କିଛି ସପ୍ତାହ ପୂର୍ବରୁ ପଣ୍ଡିତ ନେହେରୁ ଏବଂ ସର୍ଦ୍ଦାର ପଟେଲଙ୍କ ଏକ ପତ୍ରବାହକ ଭାବରେ ଜଣେ ବରିଷ୍ଟ କଂଗ୍ରେସ ସଭ୍ୟ କଲିକତାରେ ରହୁଥିବା ଗାନ୍ଧୀଙ୍କ ପାଖକୁ ଯାଇଥିଲେ। ଅଶାନ୍ତ ବଙ୍ଗଳାରେ ଗାନ୍ଧିଜୀ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଶାନ୍ତି ଓ ସୌହାର୍ଦ୍ଦ ପାଇଁ ସେଠାରେ ରହି କାର୍ଯ୍ୟ କରୁଥା’ନ୍ତି। ଗାନ୍ଧିଜୀଙ୍କୁ ପ୍ରଗାଢ଼ ଭଲପାଉଥିବା ସେହି ଅନୁଗାମୀ ଜଣକ ମଧ୍ୟରାତ୍ରିରେ ପହଞ୍ଚି ପଣ୍ଡିତ ନେହେରୁ ଏବଂ ସର୍ଦ୍ଦାର ପଟେଲଙ୍କଠାରୁ ଏକ ଗୁରୁତ୍ୱପୂର୍ଣ୍ଣ […]
୧୯୪୭ ମସିହାରେ ଭାରତର ସ୍ୱାଧୀନତା ଦିବସର କିଛି ସପ୍ତାହ ପୂର୍ବରୁ ପଣ୍ଡିତ ନେହେରୁ ଏବଂ ସର୍ଦ୍ଦାର ପଟେଲଙ୍କ ଏକ ପତ୍ରବାହକ ଭାବରେ ଜଣେ ବରିଷ୍ଟ କଂଗ୍ରେସ ସଭ୍ୟ କଲିକତାରେ ରହୁଥିବା ଗାନ୍ଧୀଙ୍କ ପାଖକୁ ଯାଇଥିଲେ। ଅଶାନ୍ତ ବଙ୍ଗଳାରେ ଗାନ୍ଧିଜୀ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଶାନ୍ତି ଓ ସୌହାର୍ଦ୍ଦ ପାଇଁ ସେଠାରେ ରହି କାର୍ଯ୍ୟ କରୁଥା’ନ୍ତି। ଗାନ୍ଧିଜୀଙ୍କୁ ପ୍ରଗାଢ଼ ଭଲପାଉଥିବା ସେହି ଅନୁଗାମୀ ଜଣକ ମଧ୍ୟରାତ୍ରିରେ ପହଞ୍ଚି ପଣ୍ଡିତ ନେହେରୁ ଏବଂ ସର୍ଦ୍ଦାର ପଟେଲଙ୍କଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ୱାଦ ଆଣିଛନ୍ତି ବୋଲି ଗାନ୍ଧିଜୀଙ୍କୁ କହିଥିଲେ। ପ୍ରଥମେ ଗାନ୍ଧିଜୀ ତାଙ୍କୁ ନିଜ ହାତରେ ଖାଦ୍ୟ ପରିବେଷଣ କରିଥିଲେ। ପରେ ନେହେରୁ ଓ ପଟେଲଙ୍କ ଚିଠି ଖୋଲିଥିଲେ। ସେଥିରେ ଲେଖାଥିଲା- ‘ବାପୁ ତୁମେ ଜାତିର ପିତା। ୧୫ ଅଗଷ୍ଟ ୧୯୪୭, ପ୍ରଥମ ସ୍ୱାଧୀନତା ଦିବସ ହେବ ଏବଂ ଆମେ ଚାହୁଁଛୁ ଯେ ଆପଣ ଆଶୀର୍ବାଦ ଦେବା ପାଇଁ ଦିଲ୍ଲୀ ଆସନ୍ତୁ।’ ଗାନ୍ଧୀ ଚିଠି ପଢ଼଼ିବା ମାତ୍ରେ ତାଙ୍କ ମୁଖରୁ ସ୍ୱତଃପ୍ରବୃତ ଭାବରେ କିଛି ଶବ୍ଦ ବାହାରି ଆସିଥିଲା। ତାହା ଥିଲା- ‘କେତେ ମୂର୍ଖ! ଯେତେବେଳେ ବଙ୍ଗଳା ଜଳୁଛି, ହିନ୍ଦୁ ଏବଂ ମୁସଲମାନମାନେ ପରସ୍ପରକୁ ହତ୍ୟା କରୁଛନ୍ତି ଏବଂ ମୁଁ କଲିକତାର ଅନ୍ଧକାରରେ ସେମାନଙ୍କର କ୍ରନ୍ଦନ ଶୁଣୁଛି, ମୁଁ କିପରି ଆଲୋକିତ ଦିଲ୍ଲୀ ଯାଇପାରିବି?’ ବଙ୍ଗଳାରେ ଶାନ୍ତି ପ୍ରତିଷ୍ଠା ପାଇଁ ମୋତେ ଏଠାରେ ରହିବାକୁ ପଡ଼ିବ ଏବଂ ଯଦି ଆବଶ୍ୟକ ହୁଏ ତେବେ ସୌହାର୍ଦ୍ଦ ଏବଂ ଶାନ୍ତି ପାଇଁ ମୋର ଜୀବନ ତ୍ୟାଗ କରିବାକୁ ପଡ଼ିବ। ଏହି ଶବ୍ଦଗୁଡ଼ିକ ଗାନ୍ଧୀଙ୍କ ହୃଦୟରୁ ସ୍ୱତସ୍ପୃତ ଭାବରେ ବାହାରି ଆସିଥିଲା।
ସକାଳେ ତାଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରା ପାଇଁ ପତ୍ରବାହକ ଜଣକ ପ୍ରସ୍ତୁତ ହେଉଥିଲେ। ମନରେ ଜିଜ୍ଞାସା ମହାତ୍ମାଙ୍କ ଉତ୍ତର କ’ଣ ହେବ? ଅତି ସନ୍ତର୍ପଣରେ ସେ ଗାନ୍ଧିଜୀ ରହୁଥିବା ସ୍ଥାନର ଅଗଣାରେ ଥିବା ଏକ ଗଛ ତଳେ ଅପେକ୍ଷା କରିଥା’ନ୍ତି ତାଙ୍କ ଉତ୍ତର ପାଇଁ। ଅତ୍ୟନ୍ତ ଭାବ ବିହ୍ୱଳିତ ପ୍ରଶ୍ନ – ‘ବାପୁ ମୁଁ କ’ଣ ଉତ୍ତର ଦେବି ପଣ୍ଡିତଜୀ ଓ ପଟେଲଜୀଙ୍କୁ?’ ଗାନ୍ଧିଜୀ ଥିଲେ ନିରବ ଓ ନିର୍ବିକାର। ଏହି ସମୟରେ ସେହି ଗଛରୁ ଏକ ଶୁଖିଲା ପତ୍ର ଖସି ପଡ଼ିଲା ଭୂମି ଉପରେ। ଗାନ୍ଧୀ ଏହାକୁ ଉଠାଇ ନିଜ ପାପୁଲିରେ ରଖି କହିଲେ- ‘ମୋର ବନ୍ଧୁ, ତୁମେ ଦିଲ୍ଲୀ ଫେରି ଯାଉଛ। ଗାନ୍ଧୀ ଜଣେ ଶକ୍ତିହୀନ ଏବଂ ଧନହୀନ ବ୍ୟକ୍ତି। ପଣ୍ଡିତ ନେହେରୁ ଏବଂ ସର୍ଦ୍ଦାର ପଟେଲଙ୍କୁ ସେ କ’ଣ ବା ଉପହାର ଦେଇପାରିବ? ଏହି ଶୁଖିଲା ପତ୍ରକୁ ମୋର ପ୍ରଥମ ସ୍ୱାଧୀନତା ଦିବସ ଉପହାର ଭାବରେ ନେହେରୁ ଏବଂ ପଟେଲଙ୍କୁ ଦେଇଦେବ।’ ଏହି ଶବ୍ଦ ଶୁଣୁଶୁଣୁ ପତ୍ରବାହକଙ୍କ ଆଖିରୁ ଦୁଇଧାର ଲୁହ ଆସିଗଲା ଓ ସେହି ଲୁହ ଧାରରେ ଶୁଖିଲା ପତ୍ରଟି ଓଦା ହୋଇଗଲା। ଏହା ଦେଖି ଗାନ୍ଧିଜୀ ପରିସ୍ଥିତିକୁ ସହଜ କରିବା ପାଇଁ ହାସ୍ୟରସ ସହିତ କହିଲେ ‘ଭଗବାନ କେତେ ମହାନ! ସେ ଚାହୁଁ ନଥିଲେ ଯେ ଗାନ୍ଧୀ ସେହି ଶୁଖିଲା ପତ୍ର ପଠାନ୍ତୁ। ସେ ଏହାକୁ ଓଦା କରିଦେଲେ। ଏହି ପତ୍ରକୁ ତୁମର ଲୁହରେ ପରିପୂର୍ଣ୍ଣ ଉପହାର ଭାବରେ ବହନ କର।’
ଯେଉଁ ମହାତ୍ମାଙ୍କ ପାଇଁ ଖଣ୍ଡବିଖଣ୍ଡିତ ଭାରତ ଗୋଟିଏ ମହାଭାରତୀୟ ସ୍ରୋତରେ ବାନ୍ଧି ହୋଇଗଲା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଇଂରେଜ ଜାତି ଅହିଂସା ଅସ୍ତ୍ର ଆଗରେ ଆତ୍ମସମର୍ପଣ କଲା, ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନାୟକ, ଯିଏ ସାରା ବିଶ୍ୱ ପାଇଁ ଶ୍ରେଷ୍ଠ ରାଜନୈତିକ ବ୍ୟକ୍ତିତ୍ୱ ଭାବରେ ଆତ୍ମପ୍ରକାଶ କରିଥିଲେ, ସେ ନିଜେ ନିଜକୁ ତାଙ୍କ ଜୀବନବ୍ୟାପୀ ତ୍ୟାଗର ପ୍ରତିଫଳନ ପ୍ରଥମ ସ୍ୱାଧୀନତା ସମାରୋହଠାରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେବା ଏକ ସହଜ ଘଟଣା ଆଦୌ ନୁହେଁ। ଉପରୋକ୍ତ ଘଟଣାକୁ ଯଦି ସାମାନ୍ୟ ତର୍ଜମା କରାଯାଏ, ତେବେ ଏଥିରୁ ସ୍ପଷ୍ଟ ଅନୁମେୟ ଯେ ନିଜ ଘରେ ଗାନ୍ଧିଜୀ କିପରି ଅଣଦେଖା ହେଉଥିଲେ। ଗାନ୍ଧୀ ନୀତି ଆଦର୍ଶକୁ ସ୍ୱାଧୀନତା ପ୍ରାପ୍ତି ସମୟରେ କେତେ ଗୁରୁତ୍ୱ ଦିଆଯାଇଥିଲା ଏଥିରୁ ସ୍ପଷ୍ଟ ଅନୁମେୟ!
ମହାତ୍ମା ଗାନ୍ଧୀଙ୍କ ନୀତି, ଆଦର୍ଶ ସର୍ବକାଳୀନ। ଏହା ସେ ସମୟରେ ଯେତିକି ପ୍ରଭାବୀ ଥିଲା, ଆଜି ବି ସେତିକି ପ୍ରଭାବଶାଳୀ ଅଟେ। ପରାଧୀନ ଭାରତରେ ଗାନ୍ଧିଜୀଙ୍କ ନୀତିକୁ ଉଚିତ ଭାବରେ ଯୁବ ସମାଜ ସମ୍ମୁଖରେ ଗାନ୍ଧୀ ଅନୁଗାମୀମାନେ ଉପସ୍ଥାପିତ କରୁଥିଲେ ଏବଂ ତାହାକୁ ନିଜ ଜୀବନରେ ପ୍ରତିଫଳିତ କରିବା ପାଇଁ ବ୍ୟକ୍ତିଗତ ସ୍ତରରେ ଆନ୍ତରିକ ପ୍ରୟାସ ହେଉଥିଲା। ଏହାଫଳରେ ପରାଧୀନତାର ଶୃଙ୍ଖଳ ମଧ୍ୟରେ ସତ୍ତା ହରାଇଥିବା ଭାରତୀୟତା ଗାନ୍ଧୀଙ୍କ ଜାତୀୟତା ମନ୍ତ୍ରରେ ପୁନଃଜୀବିତ ହୋଇ ସମଗ୍ର ଭାରତକୁ ଏକତାର ସୂତ୍ରରେ ବାନ୍ଧିବାରେ ସମର୍ଥ ହୋଇଥିଲା। ସ୍ୱାଧୀନତା ପ୍ରାପ୍ତି ସମୟରେ ଗାନ୍ଧିଜୀ ପଦପଦବୀ ରାଜନୀତିଠାରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ଫଳରେ ଗାନ୍ଧୀବାଦକୁ ସରକାରୀ ବ୍ୟବସ୍ଥାରେ ପ୍ରାଥମିକତା ଦିଆଯାଇନଥିଲା। ରାଜନୀତିଠାରୁ ଦୂରେଇ ରହିଥିଲେ ମଧ୍ୟ ସାଧାରଣ ଜୀବନରେ ସର୍ବସାଧାରଣଙ୍କ ଆଦର୍ଶ ଭାବରେ ସେ ରହିଥିଲେ। ସେ ସମୟରେ ସାଧାରଣ ମଣିଷଟି ଗାନ୍ଧୀବାଦକୁ ନିଜ ଜୀବନର ମାନଦଣ୍ଡ ଭାବରେ ସ୍ୱତଃ ଗ୍ରହଣ କରୁଥିବା ବେଳେ ବର୍ତ୍ତମାନ ଗାନ୍ଧୀ ନୀତି ପ୍ରଚାରଧର୍ମୀ ହୋଇଯାଇଛି। ସ୍ୱାଧୀନତାର ୭୬ ବର୍ଷ ଅତିକ୍ରାନ୍ତ ହେବା ପରେ ମଧ୍ୟ ବ୍ୟବସ୍ଥାଗତ ଭାବେ ଆମେ ଗାନ୍ଧୀ ନୀତିକୁ ଆମର ଅର୍ଥନୀତି, ରାଜନୀତି ତଥା ସାମାଜିକ ନୀତି ଭାବରେ ଗ୍ରହଣ କରି ପାରିନେ।
ସମସ୍ତ ଆର୍ଥିକ ସମସ୍ୟାର ସମାଧାନର ସୂତ୍ର ଗାନ୍ଧୀ ଅର୍ଥନୀତିରେ ନିହିତ ଅଛି ବୋଲି ବିଶ୍ୱର ଅନେକ ବିଶିଷ୍ଟ ଅର୍ଥନୀତିଜ୍ଞ ସର୍ବଦା ମତ ରଖି ଆସୁଥିବା ବେଳେ ଆମେ ଆମର ପ୍ରଥମ ଯୋଜନାରୁ ଏହି ସତ୍ୟକୁ ଅଣଦେଖା କରି ଚାଲିଛେ। ଆମର ଏହି ଅବଜ୍ଞା ଭାବ ଆମକୁ ପ୍ରଗତିର ଲକ୍ଷ୍ୟଠାରୁ ଦୂରେଇ ନେଇଛି। ଗ୍ରାମାଞ୍ଚଳର ସମସ୍ୟାକୁ ସମାଧାନ କରିବା ପାଇଁ ଗାନ୍ଧୀନୀତି ଯେ ଏକ ଅମୋଘ ଅସ୍ତ୍ର- ଏଥିରେ କେହିବି ଦ୍ୱିମତ ହେବେ ନାହିଁ, କିନ୍ତୁ ଏହାକୁ କାହିଁକି କାର୍ଯ୍ୟକାରୀ କରାଯାଉନାହିଁ, ତାହା ଏକ ଅସମାହିତ ପ୍ରଶ୍ନ। ଖଦି, ଟୋପି, ଚରଖାକୁ ଗାନ୍ଧିଜୀ କ’ଣ ପାଇଁ ଗ୍ରହଣ କରିଥିଲେ ତାହା ଆଜିର ଯୁବ ସମାଜ ଆଗରେ ଉପସ୍ଥାପନ କରିବା ବଦଳରେ ବର୍ତ୍ତମାନ ଗାନ୍ଧୀ ଅନୁଗାମୀଙ୍କ ପାଇଁ ଏ ସବୁ ଆବଶ୍ୟକୀୟ ମାନଦଣ୍ଡ ବୋଲି ଯୁବମାନସରେ ଭ୍ରମ ସୃଷ୍ଟି କରାଯାଉଛି। ଗାନ୍ଧୀଙ୍କ ଅସ୍ପୃଶ୍ୟତା କଥା କହୁଥିବା ଗାନ୍ଧୀବାଦୀମାନେ ବିଭିନ୍ନ ସାମାଜିକ, ରାଜନୈତିକ ତଥା ଧାର୍ମିକ ଅସ୍ପୃଶ୍ୟତାର ଶିକାର ହୋଇ ନିଜର ବ୍ୟବହାର ପ୍ରଦର୍ଶନ କରୁଛନ୍ତି।
ଗାନ୍ଧୀ ନିଜେ କହିଛନ୍ତି ତାଙ୍କ ନୀତି ସ୍ଥିର ବା ନିର୍ଦ୍ଦିଷ୍ଟ ନୁହେଁ। ତାଙ୍କର କଥା, କର୍ମ ଓ ଆଦର୍ଶ ସମାଜର ସର୍ବନିମ୍ନ ପାହାଚରେ ଦଣ୍ଡାୟମାନ ହୋଇଥିବା ବ୍ୟକ୍ତିର ଉତ୍ଥାନ ପାଇଁ ଉଦ୍ଦିଷ୍ଟ। କିଛି ପୁସ୍ତକର ବାକ୍ୟକୁ ବାରମ୍ୱାର ଉଚ୍ଚାରଣ କରି ସାମାଜିକ ବିଭେଦ ସୃଷ୍ଟି ପାଇଁ ମଧ୍ୟ ଆଜିର ଆତ୍ମଘୋଷିତ ଗାନ୍ଧୀ ଅନୁଗାମୀମାନେ ପ୍ରୟାସ କରୁଛନ୍ତି। ଏହାଦ୍ୱାରା ତାଙ୍କର ହୁଏତ ସାମାଜିକ ଅଭ୍ୟୁଦୟ ହେଉଛି, କିନ୍ତୁ ଗାନ୍ଧିଜୀ ବର୍ତ୍ତମାନ ଯୁବ ସମାଜଠାରୁ ଦୂରେଇ ଯାଉଛନ୍ତି। କଥା ଅପେକ୍ଷା କର୍ମକୁ ଅଧିକ ବିଶ୍ୱାସ କରୁଥିବା ଗାନ୍ଧିଜୀଙ୍କୁ ଆମେ ଆଜି କେବଳ କଥାରେ ସୀମିତ କରିବାକୁ ପ୍ରୟାସ କରୁଛୁ। ଯେଉଁଥିପାଇଁ ସାମ୍ପ୍ରତିକ ବ୍ୟବହାରିତା ଉପରେ ପ୍ରଶ୍ନ ଉଠାଇ ଯୁବପିଢ଼ି ଗାନ୍ଧୀ ନୀତିକୁ ଅଦରକାରୀ ବୋଲି ମନେ କରୁଛି। ଏକ ଅପରିବର୍ତ୍ତିତ ମାନସିକତାକୁ ପାଥେୟ କରି ଗାନ୍ଧୀବାଦର ପ୍ରସାର ପାଇଁ ଆମେସବୁ ପ୍ରୟାସ କରୁଛେ। କିଛି ବ୍ୟକ୍ତି ସହଜରେ ନିଜକୁ ଲୋକଲୋଚନକୁ ଆଣିବା ପାଇଁ ଗାନ୍ଧିଜୀ ବା ଗାନ୍ଧୀବାଦକୁ ବିକୃତି କରି ସାମାଜିକ ଗଣମାଧ୍ୟମରେ ବର୍ଣ୍ଣନା କରି ସେହି ମହାନ ପୁରୁଷଙ୍କ ଖ୍ୟାତିରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିବାର ବ୍ୟର୍ଥ ପ୍ରୟାସ କରୁଛନ୍ତି।
ସାମ୍ପ୍ରତିକ ବିଶ୍ୱ ଆତଙ୍କବାଦ ତଥା ଅନ୍ୟାନ୍ୟ ହିଂସାର ସମ୍ମୁଖୀନ ହେଉଥିବାରୁ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ଅତ୍ୟନ୍ତ ପ୍ରାସଙ୍ଗିକ ଅଟେ। ଅହିଂସା ତଥା ଦୟା ଧାରଣା ଉପରେ ଆଧାର କରି ମହାତ୍ମା ଗାନ୍ଧୀଙ୍କ ନୀତି ପ୍ରତିଷ୍ଠିତ ଥିଲା। ତାଙ୍କ ମତରେ, ଏକ ଶାନ୍ତ ଅହିଂସା ପ୍ରତିକ୍ରିୟା ଆକ୍ରମଣକାରୀଙ୍କ କ୍ରୋଧ ଏବଂ ନିରାଶାକୁ ହ୍ରାସ କରିଥାଏ ଏବଂ ହିଂସା ଅପେକ୍ଷା ଅଧିକ ଶକ୍ତିଶାଳୀ ଅସ୍ତ୍ର ଅଟେ। ଉପନିବେଶ ହିଂସା ବିରୋଧରେ ସେ ଯେପରି ଅଭିନବ ଭାବରେ ଅହିଂସା ପ୍ରତିକ୍ରିୟା ରଖିଥିଲେ, ତାହା ବିଶ୍ୱାସ କରିବାକୁ ସେ ସମୟରେ ବିଶ୍ୱ ପ୍ରସ୍ତୁତ ନଥିଲା। ତେଣୁ ବିଶ୍ୱପ୍ରସିଦ୍ଧ ବୈଜ୍ଞାନିକ ଆଇନଷ୍ଟାଇନ କହିଥିଲେ – ସମୟ ଆସିବ, ହାଡ଼ ମାଂସ ଧାରୀ ଗାନ୍ଧିଜୀ ଏହି ପୃଥିବୀରେ ଜନ୍ମ ଗ୍ରହଣ କରିଥିଲେ ବୋଲି ଆଗାମୀ ପିଢ଼ି ବିଶ୍ୱାସ କରିବା ସହଜ ହେବ ନାହିଁ।’ ବର୍ତ୍ତମାନ ସମୟରେ, ମାନବିକ ଅଧିକାର, ସ୍ଥାୟୀ ବିକାଶ, ଜଳବାୟୁ ପରିବର୍ତ୍ତନ, ସାମାଜିକ-ରାଜନୈତିକ ଅସ୍ଥିରତା, ଯୁଦ୍ଧ ଓ ଶାନ୍ତି, ଆତଙ୍କବାଦ ଏବଂ ରାଜନୈତିକ-ପ୍ରଶାସନିକ ଦୁର୍ନୀତି ସହ ଜଡ଼ିତ ଅନେକ ସମସାମୟିକ ଆହ୍ୱାନ ଗାନ୍ଧୀ ଦର୍ଶନ ବ୍ୟବହାର କରି ସଂଶୋଧିତ ହୋଇପାରିବ। ସତ୍ୟାଗ୍ରହର ଗୁରୁତ୍ୱପୂର୍ଣ୍ଣ ଦିଗ ଅହିଂସା ଉପାୟ ବ୍ୟବହାର କରି ସତ୍ୟ ପାଇଁ ଛିଡ଼ା ହେବା ଏବଂ ଏହି ଆଦର୍ଶକୁ ସମାଜର ସମସ୍ତ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ।
ଦେବେନ୍ଦ୍ର ନାଥ ରାଉତ
ନୂଆଦିଲ୍ଲୀ, ମୋ: ୯୩୫୦୧୨୭୩୭୦





