ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ
ବାସୁଦେବପୁର: ଗୁରୁ-ଶିଷ୍ୟ ସମ୍ପର୍କରେ ପୁଣି ଲାଗିଲା କଳଙ୍କ । ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଆସିଲା ଅସଦାଚରଣ ଅଭିଯୋଗ । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଛି । ଘଟଣା ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ସମ୍ପୃକ୍ତ ହିନ୍ଦୀ ଶିକ୍ଷକ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ କଶିଆ ସାମୁଦ୍ରିକ ଥାନା ଅଞ୍ଚଳର ଏକ ସ୍କୁଲରୁ ସାମ୍ନାକୁ ଆସିଛି ଏପରି ଅଭାବନୀୟ ଘଟଣା । ଅଭିଯୋଗ ପାଇବା ପରେ ହିନ୍ଦୀ ଶିକ୍ଷକଙ୍କୁ ବିଦ୍ୟାଳୟରୁ ଉଠାଇ ନେଇ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଛାତ୍ରୀ ଜଣକ ଭୟଭୀତ ଅବସ୍ଥାରେ ବିଦ୍ୟାଳୟରୁ ପଳାଇ ଆସି ନିକଟସ୍ଥ ଗାଁରେ ଆଶ୍ରୟ ନେଇଥିଲେ । ପରେ ଛାତ୍ରୀ ଜଣକ ଗାଁ ଲୋକଙ୍କୁ ଜଣାଇବା ପରେ ଗାଁ ଲୋକେ ନିକଟସ୍ଥ ପୋଲିସକୁ ଖବର ଦେଇଥିଲେ । ପୋଲିସ ଗାଁରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିଥିଲା । ଏହାସହ ବିଦ୍ୟାଳୟରୁ ସଂପୃକ୍ତ ହିନ୍ଦୀ ଶିକ୍ଷକଙ୍କୁ ଥାନାକୁ ଉଠାଇ ନେଇଥିଲା ।





