ଓଡ଼ିଶା ଦିବସର ଅନୁଚିନ୍ତା: ଅଖଣ୍ଡତା ଓ ସାଂସ୍କୃତିକ ଏକତାର ପରିଚାୟକ

The Sakala Picture
Published On

ସ୍ୱତନ୍ତ୍ର ଓଡ଼ିଶା ଗଠନ ହେବାର ୯୦ତମ ଉତ୍ସବ ଏକ ବିଚିତ୍ର ପରିସ୍ଥିତିରେ ପାଳନ ହେଉଛି। ୧୯୩୬, ଏପ୍ରିଲ ୧ ତାରିଖରେ ଯେତେବେଳେ ଓଡ଼ିଶା ଇଂରେଜ ଶାସନକାଳରେ ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ଭାବେ ଜନ୍ମ ଲାଭ କରିଥିଲା, ଏହାର ଏକତା, ଅଖଣ୍ଡତା ବିଷୟରେ କେହି କେବେ, ବିଶେଷ ଭାବେ ନିର୍ବାଚିତ ପ୍ରତିନିଧିଗଣ, ପ୍ରଶ୍ନବାଚୀ ସୃଷ୍ଟି କରିନାହାନ୍ତି। କିନ୍ତୁ ବର୍ତ୍ତମାନ ବୋଧହୁଏ ପ୍ରଥମ ଥର ପାଇଁ ଶାସକ ଦଳର ଜଣେ ନିର୍ବାଚିତ ପ୍ରତିନିଧି ଓଡ଼ିଶାର ଏକତା ଓ ଅଖଣ୍ଡତାକୁ […]

ସ୍ୱତନ୍ତ୍ର ଓଡ଼ିଶା ଗଠନ ହେବାର ୯୦ତମ ଉତ୍ସବ ଏକ ବିଚିତ୍ର ପରିସ୍ଥିତିରେ ପାଳନ ହେଉଛି। ୧୯୩୬, ଏପ୍ରିଲ ୧ ତାରିଖରେ ଯେତେବେଳେ ଓଡ଼ିଶା ଇଂରେଜ ଶାସନକାଳରେ ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ଭାବେ ଜନ୍ମ ଲାଭ କରିଥିଲା, ଏହାର ଏକତା, ଅଖଣ୍ଡତା ବିଷୟରେ କେହି କେବେ, ବିଶେଷ ଭାବେ ନିର୍ବାଚିତ ପ୍ରତିନିଧିଗଣ, ପ୍ରଶ୍ନବାଚୀ ସୃଷ୍ଟି କରିନାହାନ୍ତି। କିନ୍ତୁ ବର୍ତ୍ତମାନ ବୋଧହୁଏ ପ୍ରଥମ ଥର ପାଇଁ ଶାସକ ଦଳର ଜଣେ ନିର୍ବାଚିତ ପ୍ରତିନିଧି ଓଡ଼ିଶାର ଏକତା ଓ ଅଖଣ୍ଡତାକୁ ନେଇ ସଂଶୟ ସୃଷ୍ଟି କରୁଛନ୍ତି।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଆନ୍ଦୋଳନର ଭିତ୍ତିଭୂମି ସମ୍ୱଲପୁରରେ ରଖାଯାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏକଦା ଶକ୍ତିଶାଳୀ ଥିବା ଉତ୍କଳ ପ୍ରଦେଶ ମୁକୁନ୍ଦଦେବଙ୍କ ପରେ କ୍ରମାଗତ ଭାବେ ଅବକ୍ଷୟ ହେବାରେ ଲାଗିଥିଲା। ପରେ ପରେ ଏହାର ବିଭିନ୍ନ ଅଞ୍ଚଳ ଭାଗ ଭାଗ ହୋଇ ଅଲଗା ଅଲଗା ସାମ୍ରାଜ୍ୟରେ ବିଲୀନ ହୋଇଯାଇଥିଲା। ଏପରିକି ୧୮୦୩ ମସିହାରେ ଯେତେବେଳେ ବ୍ରିଟିଶ ଶାସକମାନେ ଓଡ଼ିଶାକୁ ନିଜ ଅକ୍ତିଆରକୁ ନେଲେ ଏହା ତିନିଭାଗରେ ବିଭକ୍ତ ହୋଇଥିଲା। ଗଞ୍ଜାମ ଓ ଘୁମୁସର ମାଡ୍ରାସ ପ୍ରେସିଡେନ୍ସିରେ, ସମ୍ୱଲପୁର ଅଞ୍ଚଳ କେନ୍ଦ୍ରୀୟ ପ୍ରୋଭିନ୍ସରେ ଏବଂ ତଟବର୍ତ୍ତୀ ଓଡ଼ିଶା ବେଙ୍ଗଲ ପ୍ରେସିଡେନ୍ସିରେ ସମ୍ମିଳିତ ହୋଇଥିଲା। ଏହାଫଳରେ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତି ଲୁପ୍ତପ୍ରାୟ ହେବାର ଆଶଙ୍କା ଦେଖାଯାଇଥିଲା। କାରଣ ଓଡ଼ିଆ ବଦଳରେ ସେଠାରେ ବଙ୍ଗାଳୀ, ତେଲୁଗୁ ଓ ହିନ୍ଦୀ ପ୍ରଚଳନ କରିବା ପାଇଁ ଏହି ସବୁ ପ୍ରୋଭିନ୍ସରୁ ଦାବି ଉଠୁଥିଲା।

ଓଡ଼ିଆ ଭାଷା ତଥା ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନରେ ୧୫ ଜାନୁୟାରୀ ୧୮୯୫ ଦିନଟି ଏକ ମହତ୍ତ୍ୱପୂର୍ଣ୍ଣ ଦିନ ଭାବେ ଗଣାହୁଏ। କାରଣ ଏହିଦିନ ବ୍ରିଟିଶ ସରକାର ଘୋଷଣା କରିଥିଲେ ଯେ ସମ୍ୱଲପୁର ଅଞ୍ଚଳ, ଯାହାକି କେନ୍ଦ୍ରୀୟ ପ୍ରୋଭିନ୍ସ ଅଧୀନରେ ଥିଲା, ସେଠାରେ ସ୍କୁଲ, ଅଦାଲତ ଓ ସରକାରୀ ଅଫିସରେ ଓଡ଼ିଆ ବଦଳରେ ହିନ୍ଦୀ ବ୍ୟବହାର କରାଯିବ। ଏହି ନିଷ୍ପତ୍ତି ବିରୁଦ୍ଧରେ ସମ୍ୱଲପୁର ଅଞ୍ଚଳରେ ଆନ୍ଦୋଳନର ନିଅାଁ ବ୍ୟାପୀ ଯାଇଥିଲା। ମଧୁବାବୁଙ୍କ ନେତୃତ୍ୱରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଏହା ଏକ ଜନଆନ୍ଦୋଳନରେ ପରିଣତ ହୋଇଥିଲା। ବ୍ରିଟିଶ ସାଂସଦ ପର୍ଯ୍ୟନ୍ତ ଏହି କଥା ଗଲା। ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ସହିତ ସମ୍ୱଲପୁର ଅଞ୍ଚଳକୁ ଓଡ଼ିଶା ସହିତ ମିଶ୍ରଣ କରିବାକୁ ଆନ୍ଦୋଳନକାରୀମାନେ ଦାବି ରଖିଥିଲେ। ଦଶବର୍ଷର ନିରବଚ୍ଛିନ୍ନ ଆନ୍ଦୋଳନ ଫଳରେ ବ୍ରିଟିଶ ସରକାର ଏହି ଦୁଇଦାବିକୁ ମାନି ନେଇଥିଲେ। ଯେଉଁ ସମ୍ୱଲପୁର ଅଞ୍ଚଳ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଏପରି ଭୂମିକା ତୁଲାଇଥିଲା, ସେଇ ମିଶ୍ରଣକୁ ‘ଐତିହାସିକ ଭୁଲ’ କହିବା ଆନ୍ଦୋଳନକାରୀଙ୍କୁ ଅପମାନ ସଦୃଶ।

୨୨ ମାର୍ଚ୍ଚ ୧୯୧୨ ମସିହାରେ ଯେତେବେଳେ ବିହାର-ଓଡ଼ିଶା ପ୍ରୋଭିନ୍ସ ଗଠନ ହେଲା, ତାହା ଆଉ ଏକ ସମସ୍ୟା ସୃଷ୍ଟି କଲା। ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର ନ କରି ଓଡ଼ିଶା ଦୁଇଭାଗରେ ବିଭକ୍ତ ହୋଇଗଲା। ସମ୍ୱଲପୁର ଓ ତଟବର୍ତ୍ତୀ ଓଡ଼ିଶା ବିହାର-ଓଡ଼ିଶା ପ୍ରୋଭିନ୍ସରେ ଥିବା ବେଳେ ଗଞ୍ଜାମ ଓ ଦକ୍ଷିଣ ଓଡ଼ିଶା ମାଡ୍ରାସ ପ୍ରୋଭିନ୍ସରେ ସମ୍ମିଳିତ ହୋଇଥିଲା। ଫଳରେ ସେହିସବୁ ଅଞ୍ଚଳରେ ହିନ୍ଦୀ ଓ ତେଲୁଗୁ ଭାଷା ଏବଂ ସଂସ୍କୃତିର ଆଧିପତ୍ୟ ବଢ଼଼ିବା ଆଶଙ୍କା ସୃଷ୍ଟି ହୋଇଥିଲା।

ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ଏକ ସ୍ୱତନ୍ତ୍ର ଓଡ଼ିଶା ଗଠନ କରିବା ଲକ୍ଷ୍ୟରେ ୧୯୦୩ ମସିହାରେ ସୃଷ୍ଟି ହୋଇଥିବା ‘ଉତ୍କଳ ସମ୍ମିଳନୀ’ ଏହି ନିଷ୍ପତ୍ତି ବିରୁଦ୍ଧରେ ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଜନମତ ସୃଷ୍ଟି କରିଥିଲା। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଏହି ଆନ୍ଦୋଳନକୁ ପାରଳା ରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ, କର୍ମବୀର ଗୌରୀଶଙ୍କର ରାୟ, ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରମୁଖ ଘରେ ଘରେ ପହଞ୍ଚାଇଥିଲେ।

ଓଡ଼ିଶା ପ୍ରଦେଶ ଗଠନ ସହିତ ଓଡ଼ିଆ ଭାଷା ଆନ୍ଦୋଳନ ମଧ୍ୟ ଏହାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଓଡ଼ିଆ ଭାଷା, ସାହିତ୍ୟ ଓ ଓଡ଼ିଆ ସଂସ୍କୃତିକୁ ପୁନଃଜାଗ୍ରତ କରିବା ପାଇଁ ଉଦ୍ୟମ ହୋଇଥିଲା। ଏହି ଦିଗରେ କବିବର ରାଧାନାଥ ରାୟ, ସ୍ୱଭାବକବି ଗଙ୍ଗାଧର ମେହେର, ବ୍ୟାସକବି ଫକିର ମୋହନ ସେନାପତି, ଏପରିକି ମଧୁବାବୁ ଓ ଗୋପବନ୍ଧୁ ଦାସ ନିଜ ରଚନା ମାଧ୍ୟମରେ ଓଡ଼ିଆ ଭାଷା ସାହିତ୍ୟକୁ ଲୋକଙ୍କ ପାଖରେ ଆଦୃତ କରାଉଥିଲେ। ସେମାନଙ୍କ ରଚିତ କାଳଜୟୀ କୃତି ଉତ୍କଳ ସମ୍ମିଳନୀର ଏକ ଅଂଶବିଶେଷ ହୋଇଯାଇଥିଲା।

ତିନି ଦଶନ୍ଧିରୁ ଅଧିକ ସମୟ ସଂଗ୍ରାମ ପରେ ଶେଷରେ ୧୯୩୫ ମସିହାରେ ଭାରତ ସରକାରଙ୍କ ବିଧେୟକ ଦ୍ୱାରା ଦୁଇଗୋଟି ଭାଷାଭିତ୍ତିକ ରାଜ୍ୟ ଗଠନ ହେଲା। ୧ ଏପ୍ରିଲ ୧୯୩୬ ମସିହାରେ ବହୁଦିନର ସ୍ୱପ୍ନ ସାର୍ଥକ ହୋଇଥିଲା ଏବଂ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ସରକାରୀ ମାନ୍ୟତା ପାଇଥିଲା। ଅନ୍ୟ ରାଜ୍ୟଟି ହେଲା ସିନ୍ଧ ପ୍ରଦେଶ, ଯାହା ସ୍ୱାଧୀନତା ପରେ ପାକିସ୍ତାନରେ ଅଛି।

ଓଡ଼ିଶା ପ୍ରଦେଶ ଗଠନ ପରେ ପରବର୍ତ୍ତୀ ଆହ୍ୱାନ ଥିଲା ରାଜ୍ୟର ବିକାଶ କରିବା। ଯେହେତୁ, ଓଡ଼ିଶା ସ୍ୱାଧୀନତା ପୂର୍ବରୁ ବ୍ରିଟିଶ ଶାସକଙ୍କ ଅଧୀନରେ ଥିଲା, ସେ ସମୟରେ ଓଡ଼ିଶାର ନେତୃମଣ୍ଡଳୀଙ୍କ ବିଶେଷକିଛି କରିବାର ସୁଯୋଗ ନ ଥିଲା। କିନ୍ତୁ ପରିତାପର ବିଷୟ ଯେ ସ୍ୱାଧୀନତା ପରେ ମଧ୍ୟ ଓଡ଼ିଶା ଗରିବ ଓ ଅବହେଳିତ ହୋଇ ରହିଗଲା। ଏପରିକି ଓଡ଼ିଶା ୨୦୦୦ ମସିହା ପର୍ଯ୍ୟନ୍ତ ଦେଶର ସବୁଠାରୁ ଗରିବ ରାଜ୍ୟ ଭାବେ ପରିଗଣିତ ହେଉଥିଲା। ଏଥିପାଇଁ ସେ ସମୟର ସରକାର ନିଶ୍ଚିତ ଭାବେ ଦାୟୀ। ସମାନ କାଳଖଣ୍ଡରେ ଅନ୍ୟ ରାଜ୍ୟମାନେ ଓଡ଼ିଶା ଅପେକ୍ଷା ନିଶ୍ଚିତ ଭାବେ ଅଧିକ ବିକାଶ କରିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନଜୀବିକା, ପାରିବାରିକ ଆୟ, ଭିତ୍ତିଭୂମି, ଶିଳ୍ପାୟନ, ନାଗରିକଙ୍କୁ ମୌଳିକ ସୁବିଧା ପ୍ରଦାନ କରିବା ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ସେହି ସମୟରେ ଓଡ଼ିଶା ଦେଶର ସବୁଠାରୁ ପଛରେ ଥିଲା। ଏପରିକି, ରାଜ୍ୟର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିଲା। କିନ୍ତୁ ୨୦୦୦ ମସିହା ପରଠାରୁ ‘ନୂତନ ଓଡ଼ିଶାର ନିର୍ମାଣ’ ଆକ୍ଷରିକ ଭାବେ ଆରମ୍ଭ ହୋଇଥିଲା। ପ୍ରାୟ ୨୪ ବର୍ଷର ଉତ୍ତମ ଶାସନ ଫଳରେ ଆଜି ଓଡ଼ିଶା ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚି ପାରିଛି। ବିଭିନ୍ନ ମାନଦଣ୍ଡରେ ଓଡ଼ିଶା ଆଜି ଅନ୍ୟ ବିକଶିତ ରାଜ୍ୟ ସହିତ ତୁଳନୀୟ।

ଏ କଥା ମଧ୍ୟ ସତ୍ୟ ଯେ ପ୍ରଥମ ପଚାଶ ବର୍ଷରେ ଓଡ଼ିଶାର ସାମଗ୍ରିକ ବିକାଶ ହୋଇପାରିନାହିଁ। ରାଜ୍ୟର ଅନେକ ଅଞ୍ଚଳ ବିଶେଷଭାବେ ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶା ଅନ୍ୟ ଅଞ୍ଚଳ, ବିଶେଷଭାବେ ଉପକୂଳ ଓଡ଼ିଶାଠାରୁ ଅଧିକ ଅବହେଳିତ। ଏହି ଆଞ୍ଚଳିକ ବୈଷମ୍ୟ ବିଭିନ୍ନ ସମୟରେ ସେହିସବୁ ଅଞ୍ଚଳରେ ଜନଅସନ୍ତୋଷର କାରଣ ହୋଇଛି, ଯାହା ସ୍ୱାଭାବିକ। ପୂର୍ବବର୍ତ୍ତୀ ସରକାର ତରବରିଆ ଭାବେ ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରିଦେଲେ। କିନ୍ତୁ ଏହା ଥିଲା ଏକ ଦାନ୍ତବିହୀନ ବାଘ। କାରଣ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ନା ଥିଲା ଅର୍ଥ, ନା ଥିଲା ସ୍ୱାଧୀନତା। ୨୦୦୦ ମସିହା ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଅଧିକ କ୍ଷମତା ଏବଂ ଅଧିକ ଅର୍ଥ ପ୍ରାବଧାନ କରାଗଲା। ଯାହାଫଳରେ ସମଗ୍ର ପଶ୍ଚିମ ଓଡ଼ିଶାରେ ବିକାଶ ତ୍ୱରାନ୍ୱିତ ହୋଇଛି।

ଆଞ୍ଚଳିକ ବୈଷମ୍ୟକୁ ପ୍ରସଙ୍ଗ କରି ନିଛକ ରାଜନୀତି ପାଇଁ ବିଚ୍ଛିନ୍ନତାବାଦୀ ମାନସିକତା କେତେଦୂର ଗ୍ରହଣୀୟ? ଏଇଟା କି ପ୍ରକାର ଓଡ଼ିଆ ଅସ୍ମିତା? ଓଡ଼ିଶା ଏପରି ଏକ ରାଜ୍ୟ, ଯେଉଁଠି ପ୍ରତି ୫୦ କିଲୋମିଟର ଦୂରତାରେ ଭାଷା, ଖାଦ୍ୟପେୟ, ରୀତିନୀତି ତଥା ସାମାଜିକ ଚଳଣି ବଦଳି ଯାଇଥାଏ। ତଥାପି ଏହି ବିବିଧତା ସାରା ଓଡ଼ିଶାକୁ ଏକତା ସୂତ୍ରରେ ବାନ୍ଧି ରଖିଛି। କାରଣ ବିବିଧତା ଭିତରେ ଏକତା ହେଉଛି ଓଡ଼ିଆ ଅସ୍ମିତାର ପରିଚାୟକ। ବିଚ୍ଛିନ୍ନତାବାଦୀ ଶକ୍ତିମାନେ ଓଡ଼ିଶାର ଇତିହାସକୁ ପଢ଼଼ିବା ଆବଶ୍ୟକ – କିପରି ଓ କେଉଁଭଳି ଭାବେ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତି ସମଗ୍ର ଓଡ଼ିଆଜାତିକୁ ଏକତାର ସୂତ୍ରରେ ଆବାହମାନ କାଳରୁ ବାନ୍ଧି ରଖିଛି।

‘ଓଡ଼ିଶା ଦିବସ’ ଉତ୍ସବ ଏକତାର ଉତ୍ସବ ହେଉ, ସୌହାର୍ଦ୍ଦର ପର୍ବ ହେଉ ଏବଂ ଓଡ଼ିଶାକୁ ଏକ ସଶକ୍ତ ରାଜ୍ୟ ଗଠନ କରିବାରେ ସମସ୍ତେ ବ୍ରତୀ ହେବା ଆବଶ୍ୟକ। ଏହାହିଁ ହେଉଛି ଆଜିର ଏହି ପବିତ୍ର ଦିନର ଅନୁଚିନ୍ତା।

ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ବିଧାୟକ, ଆଠଗଡ଼଼

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ

ସମ୍ବନ୍ଧିତ ଖବର