ମନୋରଞ୍ଜନ
ଓଡ଼ିଶା
ଆପାର୍ଟମେଣ୍ଟ ପାଇଁ ଅପେକ୍ଷିତ ନୂଆ ଆଇନ ଜାରି
ଦ୍ରୁତ ସହରାୟନ ଓ ଆଧୁନିକ ଜୀବନଚର୍ଯ୍ୟାରେ ଆବାସ ଓ ବ୍ୟବସାୟ ଉଭୟ କ୍ଷେତ୍ରରେ ସମ୍ପ୍ରତି ଆପାର୍ଟମେଣ୍ଟ କଲଚର ବା କୋଠରି ସଂସ୍କୃତି ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ସହର ସବୁ ଏବେ ଭୂସମାନ୍ତରାଳ ବା ଅନୁପ୍ରସ୍ତ (ହୋରାଇଜେଣ୍ଟାଲ) ଆକାରରେ ବଢ଼଼ିବା ସହିତ ଊର୍ଦ୍ଧ୍ବମୁଖୀ (ଭର୍ଟିକାଲ) ରୂପରେ ଆକାଶ ଛୁଇଁବାକୁ ମଧ୍ୟ ପ୍ରତିଯୋଗିତା କରୁଛି। ଅଳ୍ପ ଜାଗାରେ ଅଧିକ ଲୋକଙ୍କୁ ଆବାସିକ ସୁବିଧା ଓ ଜମିର ସର୍ବାଧିକ ଉପଯୋଗ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶାର ବିକାଶ ସହିତ […]
ଦ୍ରୁତ ସହରାୟନ ଓ ଆଧୁନିକ ଜୀବନଚର୍ଯ୍ୟାରେ ଆବାସ ଓ ବ୍ୟବସାୟ ଉଭୟ କ୍ଷେତ୍ରରେ ସମ୍ପ୍ରତି ଆପାର୍ଟମେଣ୍ଟ କଲଚର ବା କୋଠରି ସଂସ୍କୃତି ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ସହର ସବୁ ଏବେ ଭୂସମାନ୍ତରାଳ ବା ଅନୁପ୍ରସ୍ତ (ହୋରାଇଜେଣ୍ଟାଲ) ଆକାରରେ ବଢ଼଼ିବା ସହିତ ଊର୍ଦ୍ଧ୍ବମୁଖୀ (ଭର୍ଟିକାଲ) ରୂପରେ ଆକାଶ ଛୁଇଁବାକୁ ମଧ୍ୟ ପ୍ରତିଯୋଗିତା କରୁଛି। ଅଳ୍ପ ଜାଗାରେ ଅଧିକ ଲୋକଙ୍କୁ ଆବାସିକ ସୁବିଧା ଓ ଜମିର ସର୍ବାଧିକ ଉପଯୋଗ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶାର ବିକାଶ ସହିତ ଏଠାରେ ବହୁତଳ ଆପାର୍ଟମେଣ୍ଟ ସଂସ୍କୃତି ମଧ୍ୟ ତାଳ ମିଳାଇ ଚାଲିଛି। ବିଶେଷକରି ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ପ୍ରମୁଖ ନଗରୀରେ ଏହି ଆପାର୍ଟମେଣ୍ଟର ଚାହିଦା ବଢ଼଼ିଛି। ସହରରେ ଘର ଖଣ୍ଡିଏ ତୋଳିବା ବା କିଣିବା ପ୍ରତ୍ୟେକ ଲୋକର ଏକାନ୍ତ ଇଚ୍ଛା ଥାଏ। ତେବେ ଏହି ଆପାର୍ଟମେଣ୍ଟ ସଂସ୍କୃତିରେ ପ୍ରମୁଖ ଦୁଇପକ୍ଷ ବିକ୍ରେତା ଓ କ୍ରେତା ସମ୍ପୃକ୍ତ। ଗୋଟିଏ ସମୟ ଥିଲା ଯେ କିଛି ଅସାଧୁ ବିଲଡର ଓ ଭୂମି ମାଫିଆ ଏହି ଗୃହ କିଣିବାକୁ ଆତୁର ସରଳ କ୍ରେତାଙ୍କଠାରୁ ଆଗୁଆ ପଇସା ନେଇ ସେମାନଙ୍କୁ ନାନାଭାବେ ହଇରାଣ ହରକତ କରୁଥିଲେ। ଅନେକ ସମୟରେ ଟଙ୍କା ନେଇ ମଧ୍ୟ କ୍ରେତାଙ୍କୁ ଘର ମିଳୁନଥିଲା। ଏବେ ସେ ଅଧ୍ୟାୟର ଆପାତତଃ ଅବସାନ ଘଟିଛି। ଘରବାଡ଼ି ବ୍ୟବସାୟ ବା ରିୟଲ ଇଷ୍ଟେଟ୍କୁ ସରକାର ଏକ ଉଦ୍ୟୋଗର ମାନ୍ୟତା ଦେବା ସହିତ ଗ୍ରାହକ ସ୍ୱାର୍ଥ ସୁରକ୍ଷିତ କରିବାକୁ ନୂଆ ଆଇନ ପ୍ରଣୟନ କରିଛନ୍ତି। ତଦନୁସାରେ ରାଜ୍ୟ ସରକାରମାନେ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ରିୟଲ ଇଷ୍ଟେଟ୍କୁ ଶୃଙ୍ଖଳିତ କରିବା ସହିତ ଆପାର୍ଟମେଣ୍ଟ କ୍ରେତାଙ୍କୁ ଆଇନଗତ ଓ ଅନ୍ୟାନ୍ୟ ସୁରକ୍ଷା ଯୋଗାଇ ଦେଉଛନ୍ତି।
ଓଡ଼ିଶା ସରକାର ଏ କ୍ଷେତ୍ରରେ ଏକ ନୂଆ ଆଇନ୍କୁ ଇତିମଧ୍ୟରେ କାର୍ଯ୍ୟକାରୀ କରିଛନ୍ତି। ଏହି ଆଇନ ଅନୁସାରେ ଏକ ଅଟ୍ଟାଳିକାରେ ଆପାର୍ଟମେଣ୍ଟ ନେଇଥିବା ମାଲିକର କିଛି ଅଧିକାର ସୁରକ୍ଷିତ ରହିବ। ସର୍ବସାଧାରଣ ବ୍ୟବହାର ଇଲାକା (କମନ୍ ଏରିଆ) ଓ ସୁବିଧା ସୁଯୋଗକୁ ଏହି ବ୍ୟକ୍ତିଗତ ଆପାର୍ଟମେଣ୍ଟ ସୁରକ୍ଷିତ ରଖିବ ଏବଂ ଏହାକୁ ଭାଗ କରାଯାଇପାରିବ ନାହିଁ। ଏହି ମର୍ମରେ ରାଜ୍ୟପାଳ ଏକ ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।
ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ ୨୦୨୩ ଜାରି ହେବା ଫଳରେ ୧୯୮୨ର ଓଡ଼ିଶା ଆପାର୍ଟମେଣ୍ଟ ଆଇନର ଅବସାନ ଘଟିଛି। ଏହାଫଳରେ ଆପାର୍ଟମେଣ୍ଟ ସଂକ୍ରାନ୍ତ ଅନେକ ବିବାଦୀୟ ପ୍ରସଙ୍ଗର ଅବସାନ ଘଟିବ। ଏହି ନୂଆ ଅଧ୍ୟାଦେଶ ୨୦୧୬ ରିୟଲଇଷ୍ଟେଟ୍ (ବିକାଶ ଓ ନିୟନ୍ତ୍ରଣ) ଆଇନ ଅନୁସାରେ ଜାରି ହୋଇଛି, ଯାହା ଖୁବ୍ଶୀଘ୍ର ବିଧିବଦ୍ଧ ଆଇନର ରୂପ ଦେବ। ଏହାଫଳରେ ସ୍ଥାନୀୟ ଆବାସ (ହାଉସିଂ) ଆଇନରେ ଯେଉଁ ଅସୁବିଧା ଥିଲା ତାହା ଦୂର ହେବା ସହିତ ଆପାର୍ଟମେଣ୍ଟ ମାଲିକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ହୋଇପାରିବ।
ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ନିଶ୍ଚୟ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ନୂଆ ଆଇନ ସମଗ୍ର ରାଜ୍ୟ ପାଇଁ ଲାଗୁ ହେବ। ବଡ଼କଥା ହେଉଛି ଏହି ଆଇନ ସବୁ ଆପାର୍ଟମେଣ୍ଟ କିମ୍ବା ବଡ଼ବଡ଼ କୋଠାରୁ ଆପାର୍ଟମେଣ୍ଟକୁ ପରିବର୍ତ୍ତିତ ହୋଇଥିବା ସବୁ ଆବାସିକ ପ୍ରକଳ୍ପ ପାଇଁ ପ୍ରଯୁଜ୍ୟ। ତେବେ ୩୦ ବର୍ଷରୁ ଊର୍ଦ୍ଧ୍ବକାଳ ପାଇଁ ଯେଉଁ ଫ୍ରିହୋଲ ଓ ଲିଜ୍ହୋଲ୍ ଜମି ଉପରେ ଏହି ଆପାର୍ଟମେଣ୍ଟ ସବୁ ନିର୍ମିତ ହୋଇଥିବ ସେମାନେ ଏହାଦ୍ୱାରା ବିଶେଷ ଉପକୃତ ହେବେ। ଏହାଛଡ଼ା ଆବାସ, ଅଫିସ୍, କୌଣସି ପେସାଗତ ବ୍ୟବହାର, ବାଣିଜ୍ୟ ବ୍ୟବସାୟ ବା ଅନ୍ୟ ଯେ କୌଣସି ପ୍ରକାର କାର୍ଯ୍ୟ ପାଇଁ ସ୍ୱାଧୀନ ଭାବେ ଏ ସବୁ ଆପାର୍ଟମେଣ୍ଟକୁ ବ୍ୟବହାର କରିହେବ। ଏହି ଅଧ୍ୟାଦେଶ ଜାରି ହେବା ପରେ ବିକ୍ରି ହେବାକୁ ଥିବା ସବୁ ଆପାର୍ଟମେଣ୍ଟ ନୂଆ ଆଇନର ଅନ୍ତର୍ଭୁକ୍ତ ହେବ। ଏହାର ଖରିଦ, ବିକ୍ରି, ହସ୍ତାନ୍ତର, ବ୍ୟବହାର ଓ ମାଲିକାନା ଆଦି ସବୁ ନୂଆ ଆଇନ ଅନୁସାରେ କରାଯିବ। ପୂର୍ବରୁ ଯାହା କୁହାଯାଇଛି ଯେ ନୂଆ ଆଇନ ଅନୁସାରେ ଆପାର୍ଟମେଣ୍ଟର ସମସ୍ତ ଫ୍ଲାଟ୍ ମାଲିକ ସେହି ଆପାର୍ଟମେଣ୍ଟ ସୋସାଇଟିର ଆଇନଗତ ସଦସ୍ୟ ହେବେ ଏବଂ ନିଜ ଫ୍ଲାଟ୍ ଅଞ୍ଚଳ ଛଡ଼ା ସର୍ବସାଧାରଣ ବ୍ୟବହାର ଜାଗାଗୁଡ଼ିକ ମଧ୍ୟ ଉପଯୋଗ କରିପାରିବେ। ଏହି ‘କମନ୍ ଏରିଆ’ ବା ସର୍ବସାଧାରଣ ଅଞ୍ଚଳ ଆପାର୍ଟମେଣ୍ଟ ଫ୍ଲାଟ ମାଲିକଙ୍କ ଆସୋସିଏସନ୍ ନାମରେ ବାଧ୍ୟତାମୂଳକ ଭାବେ ରେଜିଷ୍ଟ୍ରିଭୁକ୍ତ କରାଯିବ। ଏହି ସର୍ବସାଧାରଣ ସ୍ଥଳକୁ ନୂଆ ନିୟମ ଅନୁସାରେ ଆବାସିକ ନିର୍ମାଣ, ଅନ୍ୟାନ୍ୟ ବ୍ୟକ୍ତିଗତ ବ୍ୟବହାର ପାଇଁ ପରିବର୍ତ୍ତନ ବା ଭାଗ ଭାଗ କରିହେବ ନାହିଁ।
ଏହି ଅଧ୍ୟାଦେଶ ଫଳରେ ରାଜ୍ୟରେ ଆପାର୍ଟମେଣ୍ଟ ଆଇନ ସରଳ, ବିବାଦମୁକ୍ତ ଏବଂ ସ୍ପଷ୍ଟ ହୋଇଛି। ଆହୁରି ମଧ୍ୟ ଓଡ଼ିଶା ସରକାର ପ୍ରଥମ ରାଜ୍ୟ ଭାବେ ଆପାର୍ଟମେଣ୍ଟ ପାଇଥିବା ବ୍ୟକ୍ତିମାନଙ୍କର ଆସୋସିଏସନ (ଆସୋସିଏସନ୍ ଅଫ୍ ଆଲଟିଜ୍) ଗଠନ ପାଇଁ ସୁବିଧା କରିଛନ୍ତି। ଏହି ଆସୋସିଏସନ୍ ଆପାର୍ଟମେଣ୍ଟର ସାଧାରଣ ସୁଖ ସୁବିଧା କଥା ବୁଝାସୁଝା କରିବ ଓ ଆପାର୍ଟମେଣ୍ଟ ନିର୍ମାଣ ସଂସ୍ଥାଙ୍କର ଦୌରାତ୍ମ୍ୟ ରହିବ ନାହିଁ। ଆପାର୍ଟମେଣ୍ଟର ୫୦% କିମ୍ବା ୭ଟି(ଯେଉଁଟି କମ୍ସଂଖ୍ୟକ ହୋଇଥିବ) ଘର ବିକ୍ରି ହେବା ପରେ ଏହି ଆସୋସିଏସନ୍ ଗଠିତ ହେବ। ମୋଟାମୋଟି ଭାବେ ଆପାର୍ଟମେଣ୍ଟରେ ଗୃହକ୍ରେତାଙ୍କ ସୁଖ ସୁବିଧା, ମାଲିକାନା, ସ୍ୱତ୍ତାଧିକାର, ମାଲିକାନାର ଭବିଷ୍ୟତ, ଗୃହର ବ୍ୟବହାରର କିସମ ଏବଂ ମାଲିକାନା ହସ୍ତାନ୍ତର କିମ୍ବା ବିକ୍ରି ଆଦି ଜଟିଳ ଦିଗକୁ ଏହି ଅଧ୍ୟାଦେଶ ସରଳ କରିଛି। ଏହାଫଳରେ ରାଜ୍ୟରେ ଆପାର୍ଟମେଣ୍ଟ ସଂସ୍କୃତି ଆହୁରି ଦୃଢ଼ ଏବଂ ସୁସଂହତ ହେବ। ଓଡ଼ିଶା ସରକାରଙ୍କର ଏହି ପଦକ୍ଷେପ ଦ୍ୱାରା ଜନସାଧାରଣ ଓ ରିୟଲ ଇଷ୍ଟେଟ୍ ଉଦ୍ୟୋଗ ଉପକୃତ ହେବା ସହିତ ସହରାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ରିୟଲ ଇଷ୍ଟେଟ୍ର କାରବାର ବଢ଼଼ିବା ଦ୍ୱାରା ରାଜ୍ୟରେ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ସୃଷ୍ଟି ହେବ। ଏହା ଏକ ସମୟୋଚିତ, ବାସ୍ତବ ଓ ଭବିଷ୍ୟବାଦୀ ପଦକ୍ଷେପ।






