ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳତାକୁ ନେଇ ସୁପ୍ରିମକୋର୍ଟ ଚିନ୍ତିତ; ୪ ସପ୍ତାହ ମଧ୍ୟରେ କଠୋର ନିୟମ ଆଣିବାକୁ ନିର୍ଦ୍ଦେଶ

Madhusudan Das Picture
Published On

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ବିଷୟବସ୍ତ (କଣ୍ଟେଣ୍ଟ୍‌)କୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଏ ସମ୍ବନ୍ଧିତ ଦୁଇଟି ମାମଲାର ଶୁଣାଣି କରି ଗୁରୁବାର ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଉଥିବା ଫଟୋ, ଭିଡିଓ ଏବଂ ଅନ୍ୟ ସବୁ ବିଷୟବସ୍ତୁ ପାଇଁ କାହାକୁ ନା କାହାକୁ ଉତ୍ତରଦାୟୀ କରିବାକୁ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏ ସମ୍ବନ୍ଧରେ ୪ ସପ୍ତାହ ମଧ୍ୟରେ ନୂଆ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଏସ୍‌ସି/ଏସ୍‌ଟି ଆଇନ ଭଳି କଠୋର କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। ସେହିପରି ଦିବ୍ୟାଙ୍ଗଙ୍କୁ ଅପମାନତି କରିବା ମାମଲାରେ ‘ଇଣ୍ଡିଆଜ ଗଟ୍‌ ଲାଟେଣ୍ଟ’ର ଉପସ୍ଥାପକ ତଥା ୟୁଟ୍ୟୁବର ସମୟ ରୈନାଙ୍କୁ ନିଜ ଦାୟିତ୍ବ ପ୍ରତି ସଚେତନ କରାଇଛନ୍ତି। ନିଜ ଶୋ’ରେ ଦିବ୍ୟାଙ୍ଗ ଲୋକଙ୍କ ସଫଳତାର କାହାଣୀ ଦେଖାଇବାକୁ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରୈନାଙ୍କୁ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ କହିଥିଲେ ଯେ ଆଗାମୀ ଶୁଣାଣି ପୂର୍ବରୁ କିଛି ଭଲ କାର୍ଯ୍ୟ କରି ଏଠାକୁ ଆସିବେ ବୋଲି ଆଶା। ପାଣ୍ଠି ସଂଗ୍ରହର ଦାୟିତ୍ବ କୋର୍ଟ ହାସ୍ୟ ଅଭିନେତାଙ୍କୁ ଦେଉଛନ୍ତି। ଏହା କୌଣସି ଦଣ୍ଡ ନୁହେଁ, ବରଂ ଏକ ସାମାଜିକ ଦାୟିତ୍ବ। 

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ସମୟ ରୈନାଙ୍କ ଶୋ’ରେ ଅଶ୍ଳୀଳ ବିଷୟବସ୍ତୁକୁ ପ୍ରୋତ୍ସାହନ ଦିଆଯାଉଛି। ଗତ ଫେବୃଆରୀରେ ମୁକ୍ତିଲାଭ କରିଥିବା ଏହାର ଦୁଇଟି ଶୋ’କୁ ନେଇ ବିବାଦ ହୋଇଥିଲା। ମହିଳା ଏବଂ ଦିବ୍ୟାଙ୍ଗଙ୍କୁ ନେଇ ଏଭଳି ଅଭଦ୍ର ଟିପ୍ପଣୀ ଦିଆଯାଇଥିଲା ଯାହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ନେଇ ସମୟ ରୈନା, ରଣବୀର ଆହ୍ଲାବାଦିଆ ଓ ଅନ୍ୟମାନଙ୍କ ବିରୋଧରେ ଅନେକ ରାଜ୍ୟରେ ଏତଲା ରୁଜୁ କରାଯାଇଥିଲା। ଏହି ସବୁ ଏତଲା ରଦ୍ଦ କରିବାକୁ ରଣବୀର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ କୋର୍ଟ ଏହା ଉପରେ କୌଣସି ଆଶ୍ବସ୍ତି ଦେଇ ନାହାନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କୁ କଠୋର ନିୟମ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ଜଷ୍ଟିସ ଜୟମାଲ୍ୟ ବାଗଚୀ କହିଥିଲେ ଯେ ଅଶ୍ଳୀଳ ବିଷୟବସ୍ତୁକୁ ବନ୍ଦ କରିବା ପୂର୍ବରୁ ଏହା ଭାଇରାଲ ହୋଇ ଲକ୍ଷ ଲକ୍ଷ ଲୋକ ଦେଖି ସାରୁଛନ୍ତି। ତେଣୁ ଏହାର ସମାଧାନ କରିବା ପାଇଁ ସୁପ୍ରିମକୋର୍ଟ ବିଚାରବିମର୍ଶ  କରିଛନ୍ତି। 

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ଶୁଣାଣି ସମୟରେ ସଲିସିଟର ଜେନେରାଲ (ଏସଜି) ତୁଷାର ମେହେଟା କହିଥିଲେ ଯେ ଏହି ମାମଲା କେବଳ ଅଶ୍ଳୀଳତା ନୁହେଁ, ବରଂ ଅପବ୍ୟବହାର ସମ୍ବନ୍ଧିତ ମଧ୍ୟ। ବ୍ୟବହାରକାରୀଙ୍କ ପାଇଁ ଉଦ୍ଧିଷ୍ଟ ବିଷୟବସ୍ତୁରେ ଏହି ସବୁ ସମସ୍ୟା ରହିଛି। ମତ ପ୍ରକାଶ ହେଉଛି ଏକ ଅମୂଲ୍ୟ ଅଧିକାର, କିନ୍ତୁ ଖରାପ କାମ ପାଇଁ ଏହାକୁ ବ୍ୟବହାର କରାଯାଇପାରିବ ନାହିଁ। ଉତ୍ତରରେ ସିଜେଆଇ କହିଥିଲେ ଯେ ଏହା ହିଁ ସମସ୍ୟା। ଯଦି ମୁଁ ନିଜର ଚ୍ୟାନେଲ ଖୋଲୁଛି ତେବେ ବି କାହା ପାଇଁ ଉତ୍ତରଦାୟୀ ନୁହେଁ। କେହି ତ ଜଣେ ଉତ୍ତରଦାୟୀ ହେବା ଦରକାର। 

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଏହି ମାମଲାକୁ ଦେଶ ବିରୋଧୀ ଭାବେ ମଧ୍ୟ ଦେଖାଯାଉଛି। ଏହାକୁ ନେଇ ଜଷ୍ଟିସ ବାଗଚୀ କହିଥିଲେ ଯେ ବିଷୟବସ୍ତୁ ଦେଶବିରୋଧୀ ହୋଇଥିଲେ ଏହାକୁ ପ୍ରସ୍ତୁତ କରିଥିବା ବ୍ୟକ୍ତି ଦାୟୀ ହେବେ କି? ଅଶ୍ଳୀଳ ବିଷୟବସ୍ତୁକୁ କେମିତି ରୋକିବେ ବୋଲି ସେ ଏସ୍‌ଜିଙ୍କୁ ପଚାରି ଥିଲେ। ଏହା ଉପରେ ରୋକ୍‌ ଲଗାଇବା ପାଇଁ ସ୍ବୟଂଶାସିତ ସଂଗଠନ ଗଠନ କରିବାକୁ ସିଜେଆଇ ପ୍ରସ୍ତାବ ଦେଇଥିଲେ। ଏହି ସମାଜରେ ଶିଶୁଙ୍କର ବି ମୌଳିକ ଅଧିକାର ରହିଛି ବୋଲି କହିଥିଲେ। ସଲିସିଟର ଜେନେରାଲଙ୍କୁ ସିଜେଆଇ ପଚାରି ଥିଲେ ଯେ ଯଦି ସବୁ କିଛି ପ୍ରସାରଣ କରିବାକୁ ଦିଆଯିବ ତେବେ ସରକାର କ’ଣ କରିବେ। ନିରୀହ ଲୋକେ ନିଜେ ନିଜକୁ ସୁରକ୍ଷା ଯୋଗାନ୍ତୁ ବୋଲି ଆପଣ ଚାହୁଁଛନ୍ତି କି? ସମସ୍ତଙ୍କୁ କୋର୍ଟ ଆସିବାକୁ ସୁଯୋଗ ମିଳିବ ନାହିଁ। ତେଣୁ ଏହାର ସମାଧାନ ଲାଗି କୋର୍ଟ ନୂଆ ବ୍ୟବସ୍ଥା ଆଣିବାକୁ କେନ୍ଦ୍ରକୁ କହିଥିଲେ। ଏଥିପାଇଁ ଚାରି ସପ୍ତାହ  ସମୟ ଦେଇଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର