ମନୋରଞ୍ଜନ
ଓଡ଼ିଶା
ହମାସ୍ ଆତଙ୍କବାଦୀ ସଇତାନ ସମାନ, ଆମେରିକା ଇସ୍ରାଏଲ ସହିତ ଅଛି : ଜୋ ବାଇଡେନ
ନୂଆଦିଲ୍ଲୀ : ହମାସ୍-ଇସ୍ରାଏଲ ଯୁଦ୍ଧ ଆହୁରି ଭୟଙ୍କର ସ୍ଥିତି ଧାରଣ କରିଛି। ବିଗତ ୭ ଦିନ ମଧ୍ୟରେ ଏହି ମହାସଂଘର୍ଷରେ ଉଭୟ ପକ୍ଷର ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହିତ ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ହମାସ୍ ଆକ୍ରମଣରେ ୧୩୦୦ରୁ ଅଧିକ ଇସ୍ରାଏଲୀଙ୍କ ମୃତ୍ୟୁ ହୋଇଥିବା ବେଳେ ଇସ୍ରାଏଲ ସେନା ଆକ୍ରମଣରେ ୩ ହଜାରରୁ ଅଧିକ ପାଲେଷ୍ଟନୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହି ଯୁଦ୍ଧରେ ଅଧିକାଂଶ ଭାବେ ସାଧାରଣ ଲୋକ ବଳି […]
ନୂଆଦିଲ୍ଲୀ : ହମାସ୍-ଇସ୍ରାଏଲ ଯୁଦ୍ଧ ଆହୁରି ଭୟଙ୍କର ସ୍ଥିତି ଧାରଣ କରିଛି। ବିଗତ ୭ ଦିନ ମଧ୍ୟରେ ଏହି ମହାସଂଘର୍ଷରେ ଉଭୟ ପକ୍ଷର ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହିତ ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ହମାସ୍ ଆକ୍ରମଣରେ ୧୩୦୦ରୁ ଅଧିକ ଇସ୍ରାଏଲୀଙ୍କ ମୃତ୍ୟୁ ହୋଇଥିବା ବେଳେ ଇସ୍ରାଏଲ ସେନା ଆକ୍ରମଣରେ ୩ ହଜାରରୁ ଅଧିକ ପାଲେଷ୍ଟନୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହି ଯୁଦ୍ଧରେ ଅଧିକାଂଶ ଭାବେ ସାଧାରଣ ଲୋକ ବଳି ପଡ଼ିବାରେ ଲାଗିଛନ୍ତି। ସେମାନଙ୍କ ମଧ୍ୟରେ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କ ଏବଂ ମହିଳା ମଧ୍ୟ ସାମିଲ ରହିଛନ୍ତି। କିନ୍ତୁ ଯୁଦ୍ଧ ବନ୍ଦ କରି ସ୍ଥିତାବସ୍ଥା ଫେରାଇ ଆଣିବା ଲାଗି କୌଣସି ସ୍ତରରେ ଆଲୋଚନା କରିବା ସମ୍ଭବ ହୋଇ ନାହିଁ। ବରଂ ହମାସକୁ ନିର୍ମୂଳ କରିବାର ସଂକଳ୍ପ ନେଇ ଇସ୍ରାଏଲ ଆହୁରି ଯୁଦ୍ଧମୁହାଁ ହୋଇଛି। ବର୍ତ୍ତମାନ ଇସ୍ରାଏଲ ପକ୍ଷରୁ ହମାସର ମୁଖ୍ୟ ଆଡ୍ଡାସ୍ଥଳ ଗାଜାପଟିକୁ ଟାର୍ଗେଟ କରାଯାଇଥିଲା ବେଳେ ଏହି ଅଞ୍ଚଳ ଘନ ଘନ ରକେଟ୍ ଏବଂ ବୋମା ମାଡରେ ଧ୍ବସ୍ତବିଧ୍ବସ୍ତ ହୋଇସାରିଛି। ଏପରିକି ଏହି ଅଞ୍ଚଳରେ ରହିଥିବା ପାଲେଷ୍ଟିନୀୟ ଶରଣାର୍ଥୀ ଶିବିର ମଧ୍ୟ ଇସ୍ରାଏଲୀ ସେନାର ଲକ୍ଷ୍ୟରୁ ବାଦ୍ ପଡ଼ି ନାହିଁ।
ସେପଟେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସକୁ ନେଇ କହିଛନ୍ତି, ସେମାନେ ସଇତାନ। ଆତଙ୍କବାଦୀ ସଂଗଠନ ଅଲ କାଏଦା ଠାରୁ ହମାସ୍ ଅତ୍ୟନ୍ତ ଖରାପ। ଇସ୍ରାଏଲ ଉପରେ ହମାସ୍ କରିଥିବା ଆକ୍ରମଣକୁ ଦେଖିଲେ ଏହା କେତେ ଭୟଙ୍କର ତାହା ଜଣାପଡୁଛି। ହମାସ ଆତଙ୍କବାଦୀ କରିଥିବା ଆକ୍ରମଣରେ ୨୭ ଆମେରିକୀୟଙ୍କ ସମେତ ୧୩୦୦ ଅଧିକ ଇସ୍ରାଏଲର ନିରୀହ ଲୋକ ନିହତ ହୋଇଛନ୍ତି। ଜୋ ବାଇଡେନ ଆହୁରି ମଧ୍ୟ କହିଛନ୍ତି ମୁଁ ଆରମ୍ଭରୁ କହିଛି ଯେ ଆମେରିକା ଇସ୍ରାଏଲ୍ ସହିତ ଅଛି। ସେ କହିଛନ୍ତି ଯେ ଗତକାଲି ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଇସ୍ରାଏଲରେ ଥିଲେ ଏବଂ ଆଜି ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ସେଠାରେ ଅଛନ୍ତି।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ‘ଆମେ ନିଶ୍ଚିତ କରୁଛୁ ଯେ ଇସ୍ରାଏଲର ନିଜକୁ ରକ୍ଷା କରିବା ତଥା ଆକ୍ରମଣର ଜବାବ ଦେବା ପାଇଁ ଆବଶ୍ୟକ କରୁଥିବା ସମସ୍ତ କାର୍ଯ୍ୟ କରୁ। ବିଡେନ କହିଛନ୍ତି ଯେ ତାଙ୍କ ନିର୍ଦ୍ଦେଶରେ ତାଙ୍କ ସରକାର ଇସ୍ରାଏଲକୁ ସାହାଯ୍ୟ କରିବା ପାଇଁ ଇଜିପ୍ଟ, ଜୋର୍ଡାନ ଏବଂ ଅନ୍ୟ ଆରବ ଦେଶ ତଥା ମିଳିତ ଜାତିସଂଘର ସରକାରଙ୍କ ସହ ସିଧାସଳଖ ଯୋଗାଯୋଗ କରୁଛନ୍ତି।
ଅନ୍ୟପଟେ କୁହାଯାଉଛି କି ଗତ ୭ ଦିନ ମଧ୍ୟରେ ଗାଜା ଉପରେ ୬ ହଜାରରୁ ଅଧିକ ଟନ୍ର ବୋମାମାଡ଼ କରାଯାଇଛି। କିନ୍ତୁ ସେତିକିରେ ବି କଥା ଶେଷ ହୋଇ ନାହିଁ। ଗାଜାପଟିର ବିଭିନ୍ନ ସ୍ଥାନରେ ହମାସ୍ ଆତଙ୍କବାଦୀମାନେ ବଙ୍କର କିମ୍ବା ଟନେଲ ମଧ୍ୟରେ ରହି ଆକ୍ରମଣ କରିଥିବାରୁ ଏଠାରେ ନିୟମିତ ଯୁୂଦ୍ଧ ଆରମ୍ଭ କରିବାକୁ ଇସ୍ରାଏଲ ସେନା ପ୍ରସ୍ତୁତ ହୋଇସାରିଛି। ଏଥିପାଇଁ ୩ ଲକ୍ଷ ସୈନ୍ୟଙ୍କ ସହ ୩୦୦ ଟ୍ୟାଙ୍କ ଏବଂ ୬୦୦ ଯୁଦ୍ଧ ଜାହାଜ ପ୍ରସ୍ତୁତ ହୋଇ ରହିଛି। ରକ୍ତମୁଖା ଇସ୍ରାଏଲ ସେନା ଗ୍ରାଉଣ୍ଡ ଅପରେସନରେ ବାହାରିବା ପୂର୍ବରୁ ଉତ୍ତର ଗାଜାରେ ବସବାସ କରୁଥିବା ପ୍ରାୟ ୧୧ ଲକ୍ଷ ପାଲେଷ୍ଟନୀୟ ନାଗରିକଙ୍କୁ ୨୪ ଘଣ୍ଟା ମଧ୍ୟରେ ଘର ଛାଡିବାକୁ ଶୁକ୍ରବାର ଇସ୍ରାଏଲ ସେନାମୁଖ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ରାଏଲ ସେନାର ଏଭଳି ଆଭିମୁଖ୍ୟକୁ ନେଇ ଆଗକୁ ଗାଜାପଟିରେ ସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା ବଢିଛି। ଗୋଟିଏ ପଟରେ ଗାଜାପଟିକୁ ଇସ୍ରାଏଲ ପାଣି ଠାରୁ ଆରମ୍ଭ କରି ବିଜୁଳି ,ଜାଲେଣି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରିଥିବାରୁ ସେଠଶରେ ଅନ୍ଧକାର ଅବସ୍ଥା ସହିତ ଲୋକଙ୍କ ଜୀବନ ନିର୍ବାହ ଦୁର୍ବିସହ ହୋଇପଡ଼ିଛି। ଏହାବ୍ୟତୀତ ଆକାଶ ମାର୍ଗରୁ ଘନ ଘନ ଆକ୍ରମଣକୁ ନେଇ ମଧ୍ୟ ସାଧାରଣ ଲୋକଙ୍କ ଜୀବନ ବିପନ୍ନାମୁଖୀ ହୋଇପଡ଼ିଛି।





