ନବ ଓଡ଼ିଶାର ‘ନବୀନ’ ରୂପକାର, ରୂପାନ୍ତରଣର ବାର୍ତ୍ତାବହ
ନବୀନ ପଟ୍ଟନାୟକ। ରାଜ୍ୟବ୍ୟାପୀ ଅଗଣିତ ଜନସାଧାରଣଙ୍କ ପାଇଁ ଶ୍ରଦ୍ଧାର ସହ ଉଚ୍ଚାରିତ ହେଉଥିବା ଏକ ନାମ। ଦେଶବ୍ୟାପୀ ରାଜନୀତି ପଣ୍ଡିତଙ୍କ ପାଇଁ ନବୀନଙ୍କ ବ୍ୟକ୍ତିତ୍ୱ, କାର୍ଯ୍ୟପ୍ରଣାଳୀ, ନୀତି ନିର୍ଦ୍ଧାରଣ ଯେତିକି ଆକର୍ଷକ; ବିରୋଧୀଙ୍କ ପାଇଁ ସେ ସେତିକି ଅବୋଧ୍ୟ। ଦୀର୍ଘ ୨୩ ବର୍ଷ ଧରି ତାଙ୍କର କ୍ରମାଗତ ଅପରାଜେୟ ସଫଳତା, ଶାସନ ଧାରା, ଜନମଙ୍ଗଳକାରୀ ଯୋଜନା, ଦୁର୍ନୀତି ବିରୋଧୀ ଶୂନ୍ୟ ସହନଶୀଳତା, ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତିକରଣର ସୂତ୍ର ବିରୋଧୀ ରାଜନୈତିକ ଦଳ ପାଇଁ ବର୍ମୁଡ଼ା ତ୍ରିଭୂଜର […]
ନବୀନ ପଟ୍ଟନାୟକ। ରାଜ୍ୟବ୍ୟାପୀ ଅଗଣିତ ଜନସାଧାରଣଙ୍କ ପାଇଁ ଶ୍ରଦ୍ଧାର ସହ ଉଚ୍ଚାରିତ ହେଉଥିବା ଏକ ନାମ। ଦେଶବ୍ୟାପୀ ରାଜନୀତି ପଣ୍ଡିତଙ୍କ ପାଇଁ ନବୀନଙ୍କ ବ୍ୟକ୍ତିତ୍ୱ, କାର୍ଯ୍ୟପ୍ରଣାଳୀ, ନୀତି ନିର୍ଦ୍ଧାରଣ ଯେତିକି ଆକର୍ଷକ; ବିରୋଧୀଙ୍କ ପାଇଁ ସେ ସେତିକି ଅବୋଧ୍ୟ। ଦୀର୍ଘ ୨୩ ବର୍ଷ ଧରି ତାଙ୍କର କ୍ରମାଗତ ଅପରାଜେୟ ସଫଳତା, ଶାସନ ଧାରା, ଜନମଙ୍ଗଳକାରୀ ଯୋଜନା, ଦୁର୍ନୀତି ବିରୋଧୀ ଶୂନ୍ୟ ସହନଶୀଳତା, ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତିକରଣର ସୂତ୍ର ବିରୋଧୀ ରାଜନୈତିକ ଦଳ ପାଇଁ ବର୍ମୁଡ଼ା ତ୍ରିଭୂଜର ରହସ୍ୟ ପରି ଅବୁଝା ହୋଇ ରହିଛି। ଦୂରଦୃଷ୍ଟିସମ୍ପନ୍ନ ଏବଂ କର୍ମଯୋଗୀ ନବୀନ ପଟ୍ଟନାୟକଙ୍କ ୨୩ବର୍ଷ ନିରନ୍ତର ସେବାର ମୂଳମନ୍ତ୍ର ହେଉଛି ଏକ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ନୂତନ ଓଡ଼ିଶା ଗଠନ। ଯାହାପାଇଁ ସେ ଅସମାନତା, ଦୁର୍ନୀତି ଏବଂ ସାମ୍ପ୍ରଦାୟିକତା ବିରୁଦ୍ଧରେ ପଦକ୍ଷେପ ନେଇ ସଶକ୍ତୀକରଣ ଓ ବିକାଶକୁ ହିଁ ପ୍ରାଥମିକତା ଦେଇ ଆସିଛନ୍ତି। ଯାହାକୁ ନେଇ ଦେଶଠାରୁ ଆରମ୍ଭ କରି ବିଶ୍ୱସ୍ତରରେ ଲଗାତାର ଭାବେ ତାଙ୍କୁ ପ୍ରଶଂସା ମିଳିଛି, ସମ୍ମାନର ସୁଅ ଛୁଟିଛି। ପ୍ରଶଂସକମାନଙ୍କ ପାଇଁ ନବୀନ ଏକ ବିସ୍ମୟ ବ୍ୟକ୍ତିତ୍ୱ, ବିରୋଧୀ ଓ ସମାଲୋଚକମାନଙ୍କ ପାଇଁ ସେ ଚିର ଅବୋଧ୍ୟ। ନବ ଓଡ଼ିଶାର ଏହି ‘ନବୀନ’ ରୂପକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସରେ ‘ସକାଳ’ ଅର୍ପଣ କରୁଛି ଏହି ଶ୍ରଦ୍ଧା ଫର୍ଦ୍ଦ।
ଶିଳ୍ପ ବିପ୍ଳବର ସୂତ୍ରଧର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ବଳରେ ଓଡ଼ିଶାରେ ଶିଳ୍ପାୟନ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି। କେବଳ ଶିଳ୍ପ ନୁହେଁ; ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ବେଶ୍ ଉତ୍କର୍ଷ ସାଧନ କରିବାରେ ସକ୍ଷମ ହୋଇଛି। ନିବେଶ ନିମନ୍ତେ ଓଡ଼ିଶା ଦେଶ ବିଦେଶର ଶିଳ୍ପପତିମାନଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି। ଇଜ୍ ଅଫ୍ ଡ଼ୁଇଙ୍ଗ ବିଜିନେସରେ ଓଡ଼ିଶା ସାରା ଦେଶରେ ଅନ୍ୟତମ ଶୀର୍ଷ ସ୍ଥାନରେ ପହଞ୍ଚିଛି। ପରିଣତି ସ୍ୱରୂପ ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ଓଡ଼ିଶା ହୋଇଛି ଶିଳ୍ପ ସମୃଦ୍ଧ। ସବୁ ଦିଗ ଓ ସବୁ ଆବଶ୍ୟକତା ପୂରଣ ନିମନ୍ତେ ବିଭିନ୍ନ ପ୍ରକାର ଶିଳ୍ପଗୋଷ୍ଠୀକୁ ଓଡ଼ିଶାକୁ ନିମନ୍ତ୍ରଣ କରାଯାଉଛି। ଦେଶର ପ୍ରମୁଖ ସହର ସହ ଦୁବାଇରୁ ଜାପାନ ପର୍ଯ୍ୟନ୍ତ ଆୟୋଜିତ ହୋଇଛି ନିବେଶକ ସମ୍ମେଳନ। ‘ମେକ ଇନ୍ ଓଡ଼ିଶା’ କନ୍କ୍ଲେଭ ପାଇଛି ବିପୁଳ ସଫଳତା। ରତନ ଟାଟାଙ୍କଠାରୁ ଆରମ୍ଭ କରି ଗୌତମ ଆଦାନୀ, ମୁକେଶ ଅମ୍ବାନୀ, ଏପରିକି ବିର୍ଲା ଶିଳ୍ପ ଗୋଷ୍ଠୀ ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା, ସଜ୍ଜନ ଓ ନବୀନ ଜିନ୍ଦଲ ବିଭିନ୍ନ ସମୟରେ ଏଥିପାଇଁ ନବୀନଙ୍କ ଦୂରଦର୍ଶିତାକୁ ପ୍ରଶଂସା କରିଛନ୍ତି। ନବୀନ ପଟ୍ଟନାୟକଙ୍କ ଦିଗ୍ ଦର୍ଶନ ଯୋଗୁଁ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଉତ୍ସାହଜନକ ପ୍ରଦର୍ଶନ କରିଛି।

ଆତ୍ମବିଶ୍ୱାସପୂର୍ଣ୍ଣ ପ୍ରତିବଦ୍ଧତା
ନବୀନ ହେଉଛନ୍ତି ଜଣେ ଭିନ୍ନ ଧରଣର ରାଜନେତା। ସମାଜର ତଳବର୍ଗର ସାଧାରଣ ଲୋକଟି ହେଉଛି ତାଙ୍କର ନୀତି ପ୍ରଣୟନର ମାର୍ଗଦର୍ଶକ। ଜନକଲ୍ୟାଣକାରୀ ନୀତିର ପ୍ରଥମ ଉପଭୋକ୍ତା। ଗରିବ ଲୋକମାନଙ୍କ ବିକାଶ ତାଙ୍କର ଆଭିମୁଖ୍ୟ ଓ ସଂସ୍କୃତି, ଐତିହ୍ୟ, ପରମ୍ପରାର ସୁରକ୍ଷା ତାଙ୍କର ପ୍ରାଥମିକତା। ସେଥିପାଇଁ ଅନୁସୂଚୀତ ଜାତି, ଜନଜାତି, ମହିଳା, ଶିଶୁ, ଦିବ୍ୟାଙ୍ଗ ହିଁ ପାଇଛନ୍ତି ନବୀନ ସରକାରରେ ପ୍ରାଥମିକତା। ତାଙ୍କର ଆଭିମୁଖ୍ୟ ଏବଂ ସାଂସ୍କୃତିକ ପରମ୍ପରା ପ୍ରତି ତାଙ୍କର ସମ୍ମାନ ସର୍ବଦା ପ୍ରଶଂସିତ ହୋଇଆସିଛି। ରାଜନୀତିରେ ପ୍ରବେଶ କାଳରେ ତାଙ୍କର ପରିଚୟ ଥିଲା ବିଜୁବାବୁଙ୍କ ପୁଅ। ମାତ୍ର ବିଜୁବାବୁଙ୍କ ସବୁ ଦାୟିତ୍ୱକୁ କାନ୍ଧରେ ନେଇ ଓଡ଼ିଶାକୁ ଶୀର୍ଷ ସମୃଦ୍ଧ କରିବାକୁ ନବୀନଙ୍କ ପ୍ରତିବଦ୍ଧତା ସମ୍ଭବତଃ ସୃଷ୍ଟି କରିଛି ଅନନ୍ୟ ଉଦାହରଣ। ସାଧାରଣତଃ ଲୋକେ ସମୟ ଓ କ୍ଷମତା ସହ ବଦଳି ଯାଆନ୍ତି। ମାତ୍ର ନବୀନ ବଦଳିନାହାନ୍ତି। ୨୦୦୦ ରୁ ୨୦୨୩ ମଧ୍ୟରେ ନବୀନଙ୍କ ନୀତି ଓ ଆଦର୍ଶରେ କିଛି ଫରକ ଦେଖାଯାଇ ନାହିଁ। ରାଜ୍ୟ ଏବଂ ଦେଶ ପ୍ରତି ସେ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ସେହିପରି କ୍ରୀଡ଼ା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅଭିବୃଦ୍ଧି ହାରକୁ ମଧ୍ୟ ବଜାୟ ରଖିପାରିଛି। ଇତିହାସ ତାଙ୍କୁ ଜଣେ ଭଦ୍ର, ଆତ୍ମବିଶ୍ୱାସରେ ପୂର୍ଣ୍ଣ ଏବଂ ପ୍ରତିବଦ୍ଧତା ଓ ଆଦର୍ଶଯୁକ୍ତ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାବେ ମନେ ରଖିବ।

ସମ୍ମାନର ପାହାଡ଼ ଶୀର୍ଷରେ ନବୀନ
ଦାୟିତ୍ୱର ଅଙ୍ଗୀକାରବଦ୍ଧତା ଓ ଏହାର କାର୍ଯ୍ୟାନ୍ୱୟନରେ ସଫଳତା ନବୀନଙ୍କ ପାଇଁ ଆଣିଛ ଅସୀମ ପ୍ରଶଂସା। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସେ ପାଇଛନ୍ତି ଅନେକ ସମ୍ମାନ। ଜାତିସଂଘ, ବିଶ୍ୱ ଖାଦ୍ୟ ପ୍ରତିଷ୍ଠାନ ପରି ଅନ୍ତର୍ଜାତୀୟ ସଂସ୍ଥା ବି ନବୀନଙ୍କ କାର୍ଯ୍ୟକୁ ସମ୍ମାନ ଜଣାଇଛନ୍ତି, ସ୍ୱୀକୃତି ଦେଇଛନ୍ତି।
ବିପର୍ଯ୍ୟୟ ପରିଚାଳନା ପାଇଁ ୨୦୧୩ ମସିହାରେ ଜାତିସଂଘ ନବୀନଙ୍କୁ ପୁରସ୍କାର ପ୍ରଦାନ କରିଛି। ୨୦୧୭ ମସିହାରେ ଦେଶର ଶ୍ରେଷ୍ଠ ପ୍ରଶାସକ ଭାବରେ ନବୀନଙ୍କୁ ସମ୍ମାନିତ କରିଛି ‘ଆଉଟଲୁକ୍’। ୨୦୧୮ରେ ତାଙ୍କୁ ଦେଶର ସବୁଠୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ୨୦୧୮ରେ ଓଡ଼ିଶା ହକି ବିଶ୍ୱକପ୍ ଆୟୋଜନର ସଫଳତା ନିମନ୍ତେ ଅନ୍ତର୍ଜାତୀୟ ହକି ମହାସଂଘ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତାପୂର୍ଣ୍ଣ ସମ୍ମାନ ପ୍ରଦାନ କରିଛି। ୨୦୨୦ରେ ଭାରତୀୟ କମ୍ପ୍ୟୁଟର ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି ସିଏସ୍ଆଇ ଇ-ରତ୍ନ ପୁରସ୍କାର। ମହାମାରୀ କାଳରେ ବୁଲା ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରି ମାନବୀୟତାର ପରିଚୟ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ‘ପେଟା’ ପକ୍ଷରୁ ‘ହିରୋ ଟୁ ଆନିମଲ୍ ଆୱାର୍ଡ’ ପ୍ରଦାନ କରାଯାଇଛି। ୨୦୨୨ରେ ଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ୍ ଜାତୀୟ ପୁରସ୍କାର ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି। ଏହାବ୍ୟତୀତ ବିଭିନ୍ନ ସମୟରେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ, ନିଜ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସୂଚୀ ଆଦିରେ ମୁଖ୍ୟମନ୍ତ୍ରୀ ଅନେକ ବାର ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି।
ରୂପାନ୍ତରଣର ବାର୍ତ୍ତାବହ
ଓଡ଼ିଶାର ରୂପାନ୍ତରଣ କେବଳ ଗୋଟିଏ କ୍ଷେତ୍ରରେ ସୀମିତ ନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ପ୍ରତିଦିନ ଲେଖୁଛି ନୂଆ ନୂଆ ଇତିହାସ। ଦୁଇ ଦଶନ୍ଧି ତଳେ ଦେଶର ପ୍ରାୟ ସବୁଠୁ ଗରିବ କୁହାଯାଉଥିବା, ଭୋକ ଓ କ୍ଷୁଧାର ପର୍ଯ୍ୟଟନ କ୍ଷେତ୍ର ପାଲଟିଥିବା ଓଡ଼ିଶା ଆଜି ଦେଶର ଅନ୍ୟତମ ଖାଦ୍ୟଭଣ୍ଡାରରେ ପରିଣତ ହୋଇଛି। ଚାଉଳ ଉତ୍ପାଦନରେ ଓଡ଼ିଶା ଦେଶର ଶୀର୍ଷ ୪ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ଓଡ଼ିଶା ଏବେ ପୂର୍ବ ଭାରତର ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ଅନ୍ୟତମ କେନ୍ଦ୍ର ପାଲଟିଛି। ପର୍ଯ୍ୟଟନ କ୍ଷେତ୍ରରେ ଆସିଛି ବିପୁଳ ପରିବର୍ତ୍ତନ। ଏ ସବୁ ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନୀତି ଯୋଗୁଁ। ଯାହାକୁ ଦେଶ ପ୍ରଶଂସା କରିଛି, ବିଦେଶରେ ମିଳିଛି ସ୍ୱୀକୃତି।
ପ୍ରତ୍ୟେକ ଜୀବନ ମୂଲ୍ୟବାନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ସାଧାରଣ ଦୁର୍ଘଟଣା। ରୋଗ ହେଉ ବା ମହାମାରୀ। ପ୍ରତ୍ୟେକ ସମୟରେ ସାଧାରଣ ଜୀବନର ମୂଲ୍ୟ ତାଙ୍କ ପାଇଁ ଅମୂଲ୍ୟ। ମଣିଷ ସହ ସାଧାରଣ ପଶୁପକ୍ଷୀଙ୍କ ଜୀବନ ବି ତାଙ୍କ ପାଇଁ ସମାନ ଗୁରୁତ୍ୱ ବହନ କରିଥାଏ। ବିଭିନ୍ନ ସମୟରେ ତାଙ୍କ କାର୍ଯ୍ୟଧାରାକୁ ଅନୁଧ୍ୟାନ କଲେ ଏହା ଅତ୍ୟନ୍ତ ସ୍ପଷ୍ଟ। ନିଃଶୁଳ୍ପ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ହିଁ ଆମ ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଆଭିମୁଖ୍ୟର ମୂଳ ଆଧାର। ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଧନୀ ହେଉ ଅବା ଗରିବ, ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ବିନା କାହାରି ପ୍ରାଣ ଯିବ ନାହିଁ। ଟଙ୍କା ଅଭାବରୁ କେହି ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେବେ ନାହିଁ। ଏହି ଉଦ୍ଦେଶ୍ୟ ସାଧନ ପାଇଁ ରାଜ୍ୟ ସରକାର ସବୁମତେ ଉଦ୍ୟମ କରୁଛନ୍ତି। ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାର ଶୁଭାରମ୍ଭ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗୁରୁତ୍ୱପୂର୍ଣ୍ଣ ଦୁଇ ପଦ କହିବାକୁ କଦାପି ଭୁଲି ନଥାନ୍ତି। ଏହା କେବଳ କହି ନାହାନ୍ତି ବରଂ କାମରେ ବି କରି ଦେଖାଇଛନ୍ତି। ବିଏସ୍କେୱାଇ, ନିଃଶୁଳ୍କ ନିଦାନ, ଜିଲ୍ଲା ସ୍ତରରେ କେମୋ ଥେରାପି ହେଉ ଅବା ଜନନୀ ସୁରକ୍ଷା, ଆମ୍ବୁଲାନ୍ସ ସେବା ଅବା ବିନା ମୂଲ୍ୟରେ ଟ୍ରମା କେୟାର ସୁବିଧା ସୁବିଠି ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରତିବଦ୍ଧତା ସ୍ପଷ୍ଟ ବାରି ହୋଇ ପଡ଼ିଛି। ଅନୁରୂପ ଭାବରେ ମହାମାରୀ କାଳରେ ପଶୁପକ୍ଷୀମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରି ସେ ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ।

ବିପର୍ଯ୍ୟୟ ମୁକାବିଲା: ଅନତିକ୍ରମଣୀୟ ସଫଳତା
୧୯୯୯ ମସିହା ମହାବାତ୍ୟାରେ ରାଜ୍ୟରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ। ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେବା ପରେ ବାତ୍ୟା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସୃଷ୍ଟି କରିଛି ଅନତିକ୍ରମଣୀୟ ସଫଳତା। ଫାଇଲିନ୍ ଓ ଫନି ସମୟରେ ରେକର୍ଡ଼ ଅବଧିରେ ରେକର୍ଡ଼ ସଂଖ୍ୟକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସୃଷ୍ଟି କରିଛି ନୂଆ ଇତିହାସ। ୧୯୯୯ ମସିହା ମହାବାତ୍ୟାରେ ମାତ୍ର ୨୩ଟି ବାତ୍ୟା ଆଶ୍ରୟସ୍ଥଳୀ ଥିବାବେଳେ ରାଜ୍ୟ ସରକାର ଇତି ମଧ୍ୟରେ ପାଖାପାଖି ୯୦୦ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରି ସାରିଛନ୍ତି। ଯାହାକି ରାଜ୍ୟ ସରକାରଙ୍କ ବଡ଼ ଉପଲବ୍ଧିକୁ ଦର୍ଶାଉଛି। ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ସମ୍ପନ୍ନତା ଓ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’କୁ ଆଧାର କରି ଓଡ଼ିଶା ପ୍ରଶାସନ ଏହି ସଫଳତା ପାଇଛି। ଯେଉଁଥିପାଇଁ ଜାତିସଂଘ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛି।

ସଶକ୍ତ ଓ ସ୍ୱାବଲମ୍ବୀ ଓଡ଼ିଶାର ସାରଥୀ ‘ମିଶନ ଶକ୍ତି’
“ମା’ମାନେ ବହୁତ ଭଲ କାମ କରୁଛନ୍ତି। ମୋର ପୁରା ବିଶ୍ୱାସ ମା’ମାନେ ଏବେ ଆହୁରି ଭଲ କାମ କରିବେ। ୭୦ ଲକ୍ଷ ମା’ମାନଙ୍କ ନିଜର ଅନୁଷ୍ଠାନ ମିଶନ ଶକ୍ତି ଆହୁରି ମଜବୁତ ହେବ। ମା’ମାନଙ୍କ ଗତିଶୀଳତା ଓଡ଼ିଶାର ପ୍ରଗତିକୁ ନୂଆ ବେଗ ଦେବ।’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଅତୁଟ ବିଶ୍ୱାସ ଓଡ଼ିଶାକୁ କରିଛି ଅଧିକ ସଶକ୍ତ ଓ ସ୍ୱାବଲମ୍ବୀ। ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ସୁଧମୁକ୍ତ ଋଣ ପ୍ରଦାନ, ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ପାଇଁ ବ୍ୟାପକ ସରକାରୀ ପ୍ରୋତ୍ସାହନ ସର୍ବୋପରି ବିଭିନ୍ନ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ କାର୍ଯ୍ୟନ୍ୱୟନରେ ମହିଳାଙ୍କୁ ଦାୟିତ୍ୱ ପ୍ରଦାନ କରି ନବୀନ ସାରାଦେଶରେ ଏକ୍ଷେତ୍ରରେ ଉଦାହରଣ ସୃଷ୍ଟି କରିପାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତ୍ତି ଫଳରେ ଆଜି ଓଡ଼ିଶାର ମହିଳା ସାମାଜିକ ଜୀବନରେ ଅଭିବୃଦ୍ଧି, ପ୍ରଗତିର ନୂଆ ନୂଆ କାହାଣୀ ଲେଖୁଥିବା ବେଳେଏହା ଏବେ ସାରା ଦେଶରେ ପରିବର୍ତ୍ତନର ବାର୍ତ୍ତାବହ ସାଜିଛି।

ବିଏସ୍କେୱାଇ : ଗରିବଙ୍କ ‘ନବୀନ’ ସଞ୍ଜୀବନୀ
ଏକ ସମୟରେ ନିଜର ବା ପରିବାର ସଦସ୍ୟଙ୍କ ଚିକିତ୍ସା ଲାଗି କିଏ ଜମି ବନ୍ଧା ପକାଉଥିଲା ତ ଆଉ କିଏ ଗହଣା ବିକ୍ରି କରିବାକୁ ବାଧ୍ୟ ହେଉଥିଲା। ଚିକିତ୍ସା ପାଇଁ ପିଲାଙ୍କ ପାଠ ପଢ଼଼ା ବନ୍ଦ କରିବାକୁ ପଡୁଥିଲା। ମାତ୍ର ଗରିବଙ୍କ ଏହି ଦୁଃଖ ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ମାନସ ପ୍ରସ୍ତୁତ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ରାଜ୍ୟବାସୀଙ୍କ ପାଇଁ ପାଲଟିଛି ‘ସଞ୍ଜୀବନୀ’। ବିଏସ୍କେୱାଇ ଅଧୀନରେ ରାଜ୍ୟର ୯୬.୫ ଲକ୍ଷ ପରିବାରର ୩.୩ କୋଟିରୁ ଅଧିକ ଲୋକଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ୭୦୦ରୁ ଅଧିକ ପ୍ରମୁଖ ଘରୋଇ ଡାକ୍ତରଖାନାକୁ ସାମିଲ କରାଯାଇଛି। ୨୦୨୩ ଜାନୁଆରୀରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ଉଭୟ ରାଜ୍ୟ ଓ ରାଜ୍ୟ ବାହାରେ ସମୁଦାୟ ୭୯୩୩୬୫ ଜଣ ରୋଗୀଙ୍କୁ ବିଏସ୍କେୱାଇ ଅଧୀନରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ଏଥିପାଇଁ ୧୭୩୬ କୋଟିରୁ ଅଧିକ ବ୍ୟୟ କରାଯାଇଛି। ତେବେ ଏହି ସମୟ ଭିତରେ ରାଜ୍ୟ ବାହାରେ ଥିବା ଘରୋଇ ଡାକ୍ତରଖାନାରେ ୬୬, ୯୧୧ ଜଣ ହିତାଧିକାରୀଙ୍କ ଉନ୍ନତ ଚିକିତ୍ସା ବାବଦରେ ୧୯୪.୫୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ହେଲା ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ପରିବାରର ୫ରୁ ୧୮ ବର୍ଷ ବୟସର ପିଲା ଯୋଜନାରେ ସାମିଲ ହୋଇନଥିଲେ ସୁଦ୍ଧା ବିନା ଦ୍ୱିଧାରେ ସେମାନଙ୍କ ପାଇଁ ନିଃଶୁଳ୍କ ଚିକିତ୍ସା ସୁନିଶ୍ଚିତ କରାଯାଇଛି। ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ବ୍ୟବସ୍ଥା ହୋଇଛି। ଏଥିପାଇଁ ବର୍ଷକୁ ରାଜ୍ୟ ସରକାର ପ୍ରାୟ ୩ ହଜାର କୋଟି ଟଙ୍କା ବ୍ୟୟ କରୁଛନ୍ତି।

ନବୀନଙ୍କ ‘୫-ଟି’ ଓ ‘ମୋ ସରକାର’
ଉତ୍ତରଦାୟୀ ପ୍ରଶାସନିକ ବ୍ୟବସ୍ଥା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଦୁଇଟି ପ୍ରସଙ୍ଗ ଉପରେ ସର୍ବଦା ଗୁରୁତ୍ୱାରୋପ କରି ଆସିଛନ୍ତି। ‘୫-ଟି’ ଉପକ୍ରମ ଓ ‘ମୋ ସରକାର’। ସମାୟାନୁବର୍ତ୍ତିତା, ସ୍ୱଚ୍ଛତା, ସାମୂହିକ ଉଦ୍ୟମ, ବୈଷୟିକ ଜ୍ଞାନକୌଶଳ ଓ ରୂପାନ୍ତରଣ

ସେବାରେ ସନ୍ତୋଷ
(୫-ଟି)ରେ ରାଜ୍ୟର କାୟାକଳ୍ପ ପରିବର୍ତ୍ତନ ପାଇଁ ନିଆଯାଇଛି ପଦକ୍ଷେପ। ସବୁ କ୍ଷେତ୍ରରେ ଓଡ଼ିଶା ରୂପାନ୍ତରଣ ଧାରାରେ ସାମିଲ ହୋଇଛି। ଅନୁରୂପ ଭାବରେ ‘ମୋ ସରକାର’ ବ୍ୟବସ୍ଥାରେ ଲୋକଙ୍କଠାରୁ ନିୟମିତ ମତାମତ (ଫିଡ୍ବ୍ୟାକ) ସଂଗ୍ରହ ନିଆଯାଇ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରାଯାଇ ପାରିଛି। ଭଲ ଫିଡ୍ବ୍ୟାକକୁ ଭିତ୍ତିକରି ଅଧିକାରୀମାନଙ୍କୁ ପ୍ରଶଂସାପତ୍ର ଓ ଅବହେଳା ପାଇଁ ଦଣ୍ଡ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ଫିଡବ୍ୟାକ ସଂଗ୍ରହ ପ୍ରଣାଳୀ ମୋ ସରକାର ଅଧିନରେ କାର୍ଯ୍ୟକାରୀ ହେଉଥିବା ବେଳେ ଏହାର ସୁଫଳ ଏବେ ତୃଣମୂଳ ସ୍ତରରେ ଅନୁଭୂତ ହେଉଛି।
“ଲୋକମାନଙ୍କୁ ସେବା କରିବା ଏବଂ ଆବଶ୍ୟକତା ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଆତ୍ମସନ୍ତୋଷ ପ୍ରଦାନ କରିବର ସହ ଏହା ଆମ ଜୀବନକୁ ଅର୍ଥପୂର୍ଣ୍ଣ କରିଥାଏ”। ବାହାନଗା ରେଳ ଦୁର୍ଘଟଣାରେ ସହାୟତା ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ବାହାନଗାବାସୀଙ୍କୁ ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ଏହି କେତୋଟି ଶବ୍ଦ ତାଙ୍କ ଜୀବନରେ ମଧ୍ୟ ପ୍ରତିଫଳିତ। ତାଙ୍କର ସାଧାରଣ ଜୀବନ, ନିରାଡ଼ମ୍ବର ପୋଷାକ ପରିପାଟୀ ପାଇଁ ମୁଖ୍ୟମନ୍ତ୍ରୀ ଯେତିକି ଚର୍ଚ୍ଚିତ; ସାଧାରଣ ଲୋକଙ୍କ ପାଇଁ କିଛି କାମ କରିବାରେ ସେ ଆତ୍ମସନ୍ତୋଷ ପାଉଥିବା ନେଇ ତାଙ୍କର ମନ୍ତବ୍ୟ ସେତିକି ଆଦୃତ। ଯେଉଁଥିପାଇଁ ଓଡ଼ିଶାର ଲୋକମାନଙ୍କ ପାଇଁ ସେ ଆଦରଣୀୟ।
ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା
ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ସବୁବେଳେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ଆସିଛନ୍ତି। ଅଭିଯୁକ୍ତ ଯେତେ ପ୍ରଭାବଶାଳୀ ହୁଅନ୍ତୁ ପଛେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସର୍ବଭାରତୀୟ ସେବାର ଅଧିକାରୀ ହୁଅନ୍ତୁ କିମ୍ବା ଦଳୀୟ ବିଧାୟକ, କେହି ଏଥିରୁ ବର୍ତ୍ତି ପାରି ନାହାନ୍ତି। କାହାକୁ ଚାକିରିରୁ ବହିଷ୍କାର କରାଯାଇଛି, କାହାର ପେନସନ ବନ୍ଦ ହୋଇଛି ବା କାହାର ସମ୍ପତ୍ତି ଜବତ ହୋଇଛି। ଦୁର୍ନୀତି ବିରୋଧରେ ନବୀନଙ୍କ ଏହି ବେସାଲିସ୍ ମନୋଭାବ ରାଜ୍ୟରେ ପ୍ରଶାସନିକସ୍ତରରେ ଆଣିଛି ପରିବର୍ତ୍ତନ।

ସମୃଦ୍ଧିର ଆଧାର ‘ଲକ୍ଷ୍ମୀ’
ଉତ୍ତମ ପରିବହନ ବ୍ୟବସ୍ଥା ହିଁ ସାମାଜିକ ଓ ଅର୍ଥନୈତିକ ପ୍ରଗତିର ଚାବି କାଠି। ନବୀନ ପଟ୍ଟନାୟକ ଏହାକୁ ଠିକ୍ ବୁଝିଛନ୍ତି ଓ ଏଥିପାଇଁ ପ୍ରଣୟନ ହୋଇଛି ‘ଲକ୍ଷ୍ମୀ’ ଯୋଜନା। ଏହି ଯୋଜନା କେବଳ ପରିବହନ ନୁହେଁ ବରଂ ପ୍ରତ୍ୟେକ ଗ୍ରାମାଞ୍ଚଳରେ ରୂପାନ୍ତରଣ ଆଣିବ। ଆମ ଅର୍ଥନୀତିକୁ ସୁଦୁୃଢ଼ କରିବ, ଗାଁ ଗାଁରେ ସମୃଦ୍ଧି ଆଣିବ। ଗତ ୧୨ ତାରିଖରେ ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମନ୍ତବ୍ୟ ଓଡ଼ିଶାର ସମୃଦ୍ଧ ଭବିଷ୍ୟତକୁ ଇଙ୍ଗିତ କରିଛି।

ହକିପ୍ରେମୀ ନବୀନ






