ଅଦିନିଆ ରଥଯାତ୍ରା ବନ୍ଦ କରିବା ସବୁଠୁ ବଡ଼ ଆହ୍ୱାନ, ଚୁପ୍‌ ହୋଇ ବସିଗଲେ ଶ୍ରୀଜଗନ୍ନାଥ ପରମ୍ପରାରେ ବଡ଼ ବ୍ୟତିକ୍ରମ ଘଟିବ: ଗଜପତି

Madhusudan Das Picture
Published On

ପୁରୀ: ବିଦେଶରେ ଅଦିନିଆ ରଥଯାତ୍ରା ବନ୍ଦ କରିବା ଆଜିର ସମୟରେ ସବୁଠୁ ବଡ଼ ଆହ୍ୱାନ। କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ ରଥଯାତ୍ରାରେ ଏଭଳି ଭୟଙ୍କର ବ୍ୟତିକ୍ରମକୁ ଆମେ ସହି ଚାଲିଛେ। କେଉଁ ତିଥିରେ ମହାପ୍ରଭୁଙ୍କ ଆବିର୍ଭାବ ମଣ୍ଡପ ଯାତ୍ରା ହେବ, ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଏକଥା ମହର୍ଷିଙ୍କ ମାଧ୍ୟମରେ କହିଛନ୍ତି। ଆମେ ଯଦି ଏହାକୁ ମାନିଲେ ନାହିଁ, ବ୍ୟତିକ୍ରମ କଲେ ଯଦି ପ୍ରତିବାଦ କରୁନାହେଁ, ତେବେ ଆମେ କି ଜଗନ୍ନାଥ ସଂସ୍କୃତିର ପ୍ରଚାର କରୁଛେ? ‘ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ’ର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରି ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ଆହ୍ୱାନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଗଜପତି ମହାରାଜା କହିଥିଲେ, ଅଦିନିଆ ରଥଯାତ୍ରାର ସମାଧାନ ନ କରି ଚୁପ୍‌ ହୋଇ ବସିଗଲେ ଶ୍ରୀଜଗନ୍ନାଥ ପରମ୍ପରାର ବଡ଼ ବ୍ୟତିକ୍ରମ ଘଟିବ। ଭାରତ ବାହାରେ ମନଇଚ୍ଛା ଅଦିନିଆ ରଥଯାତ୍ରା ଚାଲିବ। ସମଗ୍ର ଜଗତରେ ଯଦି ତାଙ୍କର ଯାତ୍ରା ହେଉଛି, ତେବେ ବିଧି, ପରମ୍ପରା, ଶାସ୍ତ୍ର ଆଧାରରେ ହେଉ। ଏହା ଉପରେ ଶ୍ରୀଜଗନ୍ନାଥ ପ୍ରଚାର ପ୍ରତିଷ୍ଠାନ ଗୁରୁତ୍ୱ ଦିଅନ୍ତୁ। ଶ୍ରୀମନ୍ଦିର ପ୍ରଶାସନ ଓ ଆଲୋଚନା ଭିତ୍ତିରେ ଇସ୍କନର ସବୁ ଯୁକ୍ତିକୁ ଆମ ବିଦ୍ୱାନମାନେ ଖଣ୍ଡନ କଲେ। ଶାସ୍ତ୍ର ଅନୁମୋଦିତ ୯୭ ପୃଷ୍ଠାର ମତ ଦେବା ପରେ ମଧ୍ୟ ସବୁ ନିଷ୍ଫଳ ହେଲା। ଏବେ ଧର୍ମଗୁରୁ ତଥା ଆଚାର୍ଯ୍ୟ ଏବଂ ଭକ୍ତମାନେ ଏ ଦିଗରେ କିଛି କରିବାକୁ ପଡ଼ିବ। ଏ ନେଇ ଜାଗରଣ ସୃଷ୍ଟି ହେଉ। ସବୁଠୁ ବଡ଼ ବିଡ଼ମ୍ବନା ହେଉଛି, ଭାରତ ବାହାରେ ହେଉଥିବା ଅଦିନିଆ ରଥଯାତ୍ରାରେ ଆମ ଓଡ଼ିଆମାନେ ସାମିଲ ହେଉଛନ୍ତି, ଦାନ ଦେଉଛନ୍ତି। ସେମାନେ ଯେ ଶାସ୍ତ୍ର ବିରୋଧୀ କାର୍ଯ୍ୟ କରୁଛନ୍ତି, ଏକଥା ବୁଝିବାକୁ ପଡ଼ିବ। ସେମାନଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚାଇ ଜାଗରଣ ସୃଷ୍ଟି କରିବାକୁ ପଡ଼ିବ ବୋଲି ମତ ରଖିଛନ୍ତି ଗଜପତି ମହାରାଜା।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ଉତ୍ସବରେ ସ୍ୱାମୀ ମାଧବାନନ୍ଦ ସରସ୍ୱତୀ ମହାରାଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥ ତତ୍ତ୍ୱ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ମହନ୍ତ ରାମକୃଷ୍ଣ ଦାସ ମହାରାଜ, କେନ୍ଦ୍ରୀୟ ସଭାପତି ସଚ୍ଚିଦାନନ୍ଦ ଦାସ ବାବାଜୀ ଓ ମହାସଚିବ ଡ. ନରେଶ ଚନ୍ଦ୍ର ଦାଶ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପ୍ରଫେସର୍‌ ବ୍ରଜକିଶୋର ସ୍ୱାଇଁଙ୍କୁ ଜାତୀୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ପ୍ରତିଭା ସମ୍ମାନ, ବିଶିଷ୍ଟ ଲେଖକ ପ୍ରାବନ୍ଧିକ ଗବେଷକ ଡ. ଉମେଶ ଚନ୍ଦ୍ର ଚିହ୍ନରାଙ୍କୁ ଜାତୀୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ଗବେଷକ ସମ୍ମାନ, ଓଡ଼ିଶାର ପ୍ରଥିତଯଶା କଥାବାଚକ ଶ୍ରୀଜଗନ୍ନାଥ ଚେତନାର ଅନନ୍ୟ ପ୍ରଚାରକ ଡ. ଆଶୁତୋଷ ପ୍ରସାଦ ମିଶ୍ରଙ୍କୁ ଜାତୀୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ପ୍ରଚାରକ ସମ୍ମାନ, ଶ୍ରୀଜଗନ୍ନାଥ ମନ୍ଦିର କଲମପୁର କଳାହାଣ୍ଡି ଓ ଶ୍ରୀଜଗନ୍ନାଥ ମନ୍ଦିର ବିଶାଖାପାଟଣାଙ୍କ ଜାତୀୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ସଂଗଠକ ସମ୍ମାନ ପ୍ରଦାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଏହି ଉତ୍ସବରେ ପ୍ରତିଷ୍ଠାନର ମୁଖପତ୍ର ‘ଶ୍ରୀଜଗନ୍ନାଥ ଚେତନା-୧୫’ ଲୋକାର୍ପଣ ହୋଇଛି। ଡ. ଅସିତ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସୁଦର୍ଶନ ନାୟକ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଚିବ ସନ୍ତୋଷ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ହରେକୃଷ୍ଣ ପ୍ରତିହାରୀ ଓ ସୂର୍ଯ୍ୟନାରାୟଣ ମହାପାତ୍ର ପରିଚାଳନା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର