ମନୋରଞ୍ଜନ
ଆଜି ଲଘୁଚାପ; ଘନୀଭୂତ ହେବା ଆଶଙ୍କା, ୨୭ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ବୁଧବାରଠାରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଗୁରୁବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ତେବେ କେତେ ଘନୀଭୂତ ହେବ ଓ କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ସ୍ପଷ୍ଟ ହୋଇନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି ।
ପାଣିପାଗ ବିଜ୍ଞାନୀଙ୍କ କହିବା କଥା, ଏହି ଲଘୁଚାପଟି ଶକ୍ତିଶାଳୀ ହୋଇ ଅବପାତରେ ପରିଣତ ହେବା ଏକପ୍ରକାର ନିଶ୍ଚିତ ଥିବା ବେଳେ ଯଦି ପାଣିପାଗ ସ୍ଥିତି ଅନୁକୂଳ ହୁଏ ତେବେ ଗଭୀର ଅବପାତ/ବାତ୍ୟା ଆଶଙ୍କାକୁ ମଧ୍ୟ ଏଡ଼ାଯାଇ ନପାରେ। ସେହିପରି ପ୍ରାଥମିକ ଭାବେ ଏହା ଆନ୍ଧ୍ର ଉପକୂଳମୁହାଁ ହେବା ନେଇ ଆକଳନ କରାଯାଉ ଥିଲେ ମଧ୍ୟ ଓଡ଼ିଶା ଉପରେ ଏହାର ପରୋକ୍ଷ ଓ ପ୍ରତ୍ୟକ୍ଷ ପ୍ରଭାବ ରହିବ। ଯଦି ଏହା ଉତ୍ତର ଆନ୍ଧ୍ରରେ ସ୍ଥଳଭାଗ ଅତିକ୍ରମ କରେ ତେବେ ରାଜ୍ୟର ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସାଙ୍ଗକୁ ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶା ଓ ଉପକୂଳ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷାର ପ୍ରଭାବ ରହିପାରେ। ସେହିପରି ଲଘୁଚାପ ଅଧିକ ଶକ୍ତିଶାଳୀ ହେଲେ, ଓଡ଼ିଶା ଆଡ଼କୁ ମୁହାଁଇବାର ସମ୍ଭାବନା ବଢ଼ିଯିବ। ତେଣୁ ରାଜ୍ୟରେ ଅଧିକ ଅଞ୍ଚଳରେ ବର୍ଷା ସାଙ୍ଗକୁ ପବନ ଦେଖାଦେଇପାରେ । ଅନ୍ୟପଟେ ଆସନ୍ତା ୨୭ତାରିଖ ବେଳକୁ ଗୋଟିଏ ପଶ୍ଚିମା ଝଡ଼ର ପ୍ରଭାବ ଆରମ୍ଭ ହେବ । ସାଧାରଣତଃ ପଶ୍ଚିମା ଝଡ଼ ଦ୍ୱାରା ଉପରିଭାଗରେ ବାୟୁ ଚଳାଚଳର ତାରତମ୍ୟ ଅବପାତ/ବାତ୍ୟାଗୁଡ଼ିକର ଦିଗ ପରିବର୍ତ୍ତନ କରାଇବାରେ ସହାୟକ ହୋଇଥାଏ। ତେଣୁ ବର୍ତ୍ତମାନ ଉଭୟ ଆନ୍ଧ୍ର ଓ ଓଡ଼ିଶା ଉପରେ ସମ ପରିମାଣର ବର୍ଷା-ପବନ ଭୟ ରହୁଛି। ଏହି ସ୍ଥିତି ଯୋଗୁଁ ଆସନ୍ତା ୨୭ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ। ୨୮ ଓ ୨୯ରେ ବର୍ଷାର ପ୍ରଭାବ ସବୁଠୁ ଅଧିକ ରହିବାର ସମ୍ଭାବନା ରହିଛି ।
ଦୁଇଦିନ ପୂର୍ବେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଓଡ଼ିଶାଠାରୁ ଦୂରକୁ ଚାଲିଯାଇଛି। ମାତ୍ର ଏହା ପ୍ରଭାବରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ଅନୁଭୂତ ହୋଇଛି । ଗତ ୨୪ ଘଣ୍ଟାରେ ରାୟଗଡ଼ାରେ ୧୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କୋରାପୁଟରେ ୮ ଓ ଜଗତସିଂହପୁରରେ ୯ ମିମି ବର୍ଷା ରେକର୍ଡ ହୋଇଛି । ଶୁକ୍ରବାର ୧୧ଟି ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ଆଶଙ୍କା ରହିଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।






