ଆଗକୁ ପାର୍ବଣ ଋତୁ; ମେଢ଼ ମଣ୍ଡପ ସାଙ୍ଗକୁ ରଙ୍ଗୀନ ଆଲୁଅର ଫୁଆରରେ ଚମକି ଉଠିବ ରାଜଧାନୀ

The Sakala Picture
Published On

ଭୁବନେଶ୍ୱର(ବିଶ୍ୱଜିତ୍‌‌, ସମ୍ପୂର୍ଣ୍ଣା): ଦିଶିଲାଣି ନଦୀପଠାରେ କାଶତଣ୍ଡୀର ଶୁଭ୍ର ବେଶ। ପବନର ପ୍ରତି ପୁଲକରେ ଦୋଳାୟିତ ହେଲାଣି କାଶତଣ୍ଡୀର ଶ୍ୱେତ ତନୁ। ସରିଲାଣି ମାଟି ଅନୁକୂଳ। ଶିଳ୍ପୀର କଳ୍ପନାରେ ରଙ୍ଗାୟିତ ହୋଇ ଉଠୁଛି ଦେବଦେବୀଙ୍କ ଶ୍ରୀମୁଖ। ପାର୍ବଣର ପ୍ରତିଧ୍ୱନିରେ ପୁରପଲ୍ଲୀ ପ୍ରକମ୍ପିତ। ସତେ କି କେଉଁ ଏକ ବେନାମୀ ଋତୁର ଶୀତଳ ଛୁଆଁ । କିଏ ବୃତ୍ତିର ବାଟକୁ ଦେଖି ମୁରୁକି ହସୁଛି ତ ଆଉ କିଏ ଧରାପୃଷ୍ଠରେ ନୈବେଦ୍ୟ ଅର୍ପଣର ସମୟକୁ ଜଗିଛି। ଦିନକ ପରେ ବିରାଜିବେ […]

ଭୁବନେଶ୍ୱର(ବିଶ୍ୱଜିତ୍‌‌, ସମ୍ପୂର୍ଣ୍ଣା): ଦିଶିଲାଣି ନଦୀପଠାରେ କାଶତଣ୍ଡୀର ଶୁଭ୍ର ବେଶ। ପବନର ପ୍ରତି ପୁଲକରେ ଦୋଳାୟିତ ହେଲାଣି କାଶତଣ୍ଡୀର ଶ୍ୱେତ ତନୁ। ସରିଲାଣି ମାଟି ଅନୁକୂଳ। ଶିଳ୍ପୀର କଳ୍ପନାରେ ରଙ୍ଗାୟିତ ହୋଇ ଉଠୁଛି ଦେବଦେବୀଙ୍କ ଶ୍ରୀମୁଖ। ପାର୍ବଣର ପ୍ରତିଧ୍ୱନିରେ ପୁରପଲ୍ଲୀ ପ୍ରକମ୍ପିତ। ସତେ କି କେଉଁ ଏକ ବେନାମୀ ଋତୁର ଶୀତଳ ଛୁଆଁ । କିଏ ବୃତ୍ତିର ବାଟକୁ ଦେଖି ମୁରୁକି ହସୁଛି ତ ଆଉ କିଏ ଧରାପୃଷ୍ଠରେ ନୈବେଦ୍ୟ ଅର୍ପଣର ସମୟକୁ ଜଗିଛି। ଦିନକ ପରେ ବିରାଜିବେ ଅଗ୍ରପୂଜ୍ୟ ଗଜାନନ। ପଛକୁ ପଛ ଦୁର୍ଗାପୂଜା, ଦୀପାବଳିର ଜାକଜମକ। ମେଢ଼ ମଣ୍ଡପ ସାଙ୍ଗକୁ ରଙ୍ଗୀନ ଆଲୁଅର ଫୁଆରରେ ଚମକି ଉଠିବ ରାଜଧାନୀ। କେଉଁ ପୂଜା ମଣ୍ଡପ ଉତ୍ସବମୁଖର ହୋଇପଡ଼ୁଥିବା ତ ଆଉ କେଉଁଠି ରଙ୍ଗ ବାଜାର ଶବ୍ଦରେ ନାଚି ଉଠିବ କର୍ମତତ୍ପର ମଣିଷର ମନ। ଏସବୁକୁ ନେଇ ଏଥରର ଉପସ୍ଥାପନା।

ଆହୁରି ପଢ଼ନ୍ତୁ: ମାଓ ମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହଙ୍କ ସୂଚନା

ଯୋଡ଼ା ଶ୍ରାବଣକୁ ବିଳମ୍ବିତ ପାର୍ବଣ
ଯୋଡ଼ା ଶ୍ରାବଣ ପାଇଁ ଏଥର ଡେରି ଆସିଛି ପାର୍ବଣ। ବିଳମ୍ବରେ ଆରମ୍ଭ ହେବ ପୂଜାପର୍ବ। ଯୋଡ଼ା ଶ୍ରାବଣ କିଛି ବର୍ଷ ବ୍ୟବଧାନରେ ପଡ଼ିଥାଏ। ଯେଉଁ ବର୍ଷ ଯୋଡ଼ା ଶ୍ରାବଣ ପଡ଼େ ସେହି ବର୍ଷ ପାର୍ବଣ ଡେରିରେ ଆସିଥାଏ। କାରଣ ଏହି ମାସକୁ ଅଶୁଦ୍ଧି କାଳ ବୋଲି ବିବେଚନା କରାଯାଇଥାଏ। ତେଣୁ ସବୁ ପୂଜାପର୍ବକୁ ଡେରିରେ ପାଳନ କରାଯାଏ। ସେଥିପାଇଁ ଯେଉଁ ପର୍ବପର୍ବାଣି ଅଗଷ୍ଟ ମାସରେ ପଡ଼ିବା କଥା ତାହା ଘୁଞ୍ଚିକି ଏଥର ସେପ୍ଟେମ୍ବର ଆଉ ଅକ୍ଟୋବରରେ ପଡ଼ିଛି। ତେଣୁ ଏଥର ସବୁ ପୂଜାପର୍ବ ଡେରିରେ ପାଳନ ହେଉଛି।

କାଶତଣ୍ଡୀରୁ ଆବାହନ
ଋତୁଚକ୍ରର ପରିବର୍ତ୍ତନରେ ଧାରାଶ୍ରାବଣ ଧରାପୃଷ୍ଟରୁ ଧୀରେ ଧୀରେ ଅପସରି ଯିବାପାଇଁ ଚେଷ୍ଟା କରୁଥିବା ସମୟରେ ଦିଗବଳୟ ସେପାରିରୁ ଉଙ୍କି ମାରେ ଶରତ। ‘ଭାଦ୍ର-ଆଶ୍ୱିନ-ଶରତରେ ନିର୍ମଳଶୋଭା ଜଗତରେ’ କବିଙ୍କର ଏହି ଉକ୍ତିରୁ ସ୍ପଷ୍ଟ ବାରିହୋଇପଡ଼େ ଶରତରେ ପ୍ରକୃତିର ନିର୍ମଳତା ଓ ସ୍ୱଚ୍ଛତା। ଶରତ ଋତୁକୁ ରୂପ ସମ୍ଭାର ଦେଇଥିବା ଫୁଲକୁ ନେଇ କବି ମଧୁସୂଦନ ରାଓ ଲେଖିଛନ୍ତି ‘କାଶତଣ୍ଡୀ ଫୁଲେ ମହି ଦିଶଇ ଧବଳ, ସରୋବରେ ଫୁଟିଛନ୍ତି କୁମୁଦ କମଳ। ସୁନ୍ଦର ମାଳତୀ ଗଙ୍ଗଶିଉଳି ଟଗରେ, ଧବଳିତ ଉପବନ ଜନମନହରେ’। ଅନେକ ଫୁଲର ସମ୍ଭାର ଭିତରେ କାଶତଣ୍ଡୀ ନିଆରା ଓ ସ୍ୱତନ୍ତ୍ର। ଏହି କାଶତଣ୍ଡୀ ଫୁଲ ହେଉଛି ଶରତ ଋତୁର ଆବାହକ। ନଈପଠାରେ ସବୁଜ ଗୁଳ୍ମରାଶି ମଧ୍ୟରେ ଶରତର ଆଗମନରେ ମୁଣ୍ଡ ଟେକେ କାଶତଣ୍ଡୀ। ବହୁ କବି ଏହାକୁ କାମଦେବଙ୍କ ଚାମର ରୂପେ ବର୍ଣ୍ଣନା କରନ୍ତି। ସବୁଜ ଧରଣୀ ବୁକୁରେ ଶୁଭ୍ର କାଶତଣ୍ଡୀର ଲହରି ତରଙ୍ଗାୟିତ ରୂପରାଜି ସମସ୍ତଙ୍କ ମନଲୋଭା ହୋଇଥାଏ। ଜହ୍ନରାତିର ଜ୍ୟୋତ୍ସ୍ନାରେ ପ୍ରେମର ପ୍ରତୀକ ରୋମଞ୍ଚ ଭରା କାଶତଣ୍ଡୀ ବିଧୌତ ଧରଣୀ ବୁକୁରେ ଜନମାନସରେ ରୋମାଞ୍ଚ ସୃଷ୍ଟି କରିଥାଏ। ଏଇ କାଶତଣ୍ଡୀର ଅପରୂପ ଶୋଭା ପ୍ରାଚୁର୍ଯ୍ୟ ମଧ୍ୟରେ ପାର୍ବଣର ପ୍ରାରମ୍ଭ ହୋଇଥାଏ।

ମାଳିସାହିରୁ ମାଟି ସଂଗ୍ରହ
ସାଧାରଣତଃ ଦେହଜୀବୀଙ୍କୁ ସମାଜରେ ଭିନ୍ନ ଦୃଷ୍ଟିରେ ଦେଖାଯାଏ। ସେମାନଙ୍କର ସମାଜ ପ୍ରତି ଥିବା ଗୁରୁତ୍ୱପୂର୍ଣ୍ଣ ଅବଦାନ ଓ ଭୂମିକାକୁ ଦର୍ଶାଇବା ପାଇଁ ମା’ ଦୁର୍ଗାଙ୍କ ମୂର୍ତ୍ତି ବେଶ୍ୟାଳୟ ପ୍ରାଙ୍ଗଣରୁ ସଂଗୃହିତ ମାଟିରେ ନିର୍ମାଣ କରାଯାଏ। ଯାହା ଦ୍ୱାରା ସେମାନଙ୍କର ଗୁରୁତ୍ୱ ବଢ଼଼ିବା ସହିତ ତାଙ୍କୁ ମଧ୍ୟ ପବିତ୍ର ବିବେଚନା କରାଯାଇଥାଏ। ତେଣୁ ଦେହଜୀବୀଙ୍କ ଅଗଣାର ମାଟିରେ ଦଶଭୁଜା ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କରିବା ପରମ୍ପରା ବର୍ଷବର୍ଷ ଧରି ଚାଲିଆସୁଛି। ଏହା ପଛରେ ବିଭିନ୍ନ ବିଶ୍ୱାସ ରହିଛି। ଯେଉଁଥିପାଇଁ ପାରମ୍ପରିକ ଭାବେ ପୁରୋହିତମାନେ ବେଶ୍ୟାଳୟ ଅଗଣାରୁ ମାଟି ଆଣି ମୂର୍ତ୍ତି ତିଆରି କାର୍ଯ୍ୟର ଶୁଭାରମ୍ଭ କରୁଥିଲେ। କ୍ରମେ ଏହି ପରମ୍ପରା ବଢ଼଼ିବା ସହିତ ନବରାତ୍ର ପୂଜା ପାଇଁ ଯେଉଁ ମୂର୍ତ୍ତିଗୁଡ଼ିକ ତିଆରି ହେଉଥିଲା ସେଥିରେ ବି ବେଶ୍ୟାଳୟର ମାଟିର ବ୍ୟବହାର ହେଉଥିଲା। କୁହାଯାଏ ଯେ, ବେଶ୍ୟାମାନଙ୍କ ଅଗଣାରେ ମା’ଦୁର୍ଗା ପୂଜା ପାଇବାପାଇଁ ସେମାନେ ମା’ଙ୍କୁ ପ୍ରାର୍ଥନା କରିଥିଲେ ଓ ପରେ ମା’ ତାଙ୍କୁ ଏ ବରଦାନ କରିଥିଲେ। ସେହିଦିନଠାରୁ ବେଶ୍ୟାଳୟ ପ୍ରାଙ୍ଗଣରୁ ଅଣାଯାଇଥିବା ମାଟିରୁ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ତିଆରି ଆରମ୍ଭ ହୋଇଥିଲା। ସାମ୍ପ୍ରତିକ ପାର୍ବଣ ଆରମ୍ଭ ହୋଇଥିବାବେଳେ ରାଜଧାନୀରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ କରିବାକୁ ମାଳିସାହିରୁ ବିଭିନ୍ନ ପୂଜା କମିଟି ମାଟି ସଂଗ୍ରହ କରି ମୂର୍ତ୍ତି ନିର୍ମାଣ କରି ଆସୁଛନ୍ତି।

ଓଡ଼ିଶାମୁହାଁ ବଙ୍ଗୀୟ କାରିଗର
ପାର୍ବଣରେ ପ୍ରଥମେ ଖୋଜାପଡ଼ନ୍ତି କାରିଗର। ଏକଦା କେବଳ ଓଡ଼ିଶାର କାରିଗରମାନେ ହିଁ ମୂର୍ତ୍ତି ପ୍ରସ୍ତୁତ କରି ଆସୁଥିଲେ। ହେଲେ ଏବେ ଅଧିକାଂଶ ସ୍ଥାନରେ କୋଲକାତାରୁ କାରିଗର ଆସି ମୂର୍ତ୍ତି ତିଆରି କରୁଛନ୍ତି। ସେମାନେ କମ୍‌‌ ସମୟରେ ଅଧିକ ସୁନ୍ଦର ଆଉ ନୂଆନୂଆ ଡିଜାଇନର ମୂର୍ତ୍ତି ତିଆରି କରିପାରୁଥିବାରୁ ବିଭିନ୍ନ ପୂଜା କମିଟି ସେମାନଙ୍କୁ ପ୍ରାଥମିକତା ଦେଉଛନ୍ତି। ସେମାନେ ମଧ୍ୟ ଦକ୍ଷତାର ସହ ବିଭିନ୍ନ ଶୈଳୀରେ ସୁଉଚ୍ଚ ମୂର୍ତ୍ତି ନିର୍ମାଣ କରୁଛନ୍ତି। ଚଳିତବର୍ଷ କେଉଁଠି ଗଣେଶଙ୍କୁ ରାଜା ବେଶ ଅବସ୍ଥାପିତ କଲେଣି ତ କେଉଁଠି ଚନ୍ଦ୍ରଯାନରେ ଅଗ୍ରପୂଜ୍ୟଙ୍କୁ ବିରାଜିତ କରୁଛନ୍ତି। ପାର୍ବଣ ପୂର୍ବରୁ ଭୁବନେଶ୍ୱର ଆସି ସମସ୍ତ ଦେବଦେବୀଙ୍କ ମୂର୍ତ୍ତିକୁ ନିଖୁଣ ଭାବେ ନିର୍ମାଣ କରିବା ପରେ ସମଗ୍ର ରାଜ୍ୟରେ ତାକୁ ବିକ୍ରିକରି ଭଲ ରୋଜଗାର ମଧ୍ୟ ପାଉଛନ୍ତି। ପୂଜା ମଣ୍ଡପରେ ୫୫ ଫୁଟ୍‌‌ ଉଚ୍ଚତାର ମୂର୍ତ୍ତି ଆକର୍ଷଣର ଅନ୍ୟତମ କେନ୍ଦ୍ରବିନ୍ଦୁ ପାଲଟିଛି। ପଶ୍ଚିମବଙ୍ଗରେ ମୂର୍ତ୍ତି କାରିଗର ତୁଳନାରେ କାମ ମିଳୁନାହିଁ। ତେଣୁ ସେମାନେ ଧୀରେ ଧୀରେ ଓଡ଼ିଶାମୁହାଁ ହେଉଛନ୍ତି। ତାଙ୍କ କହିବା ଅନୁଯାୟୀ ଓଡ଼ିଶାରେ ଯେତିକି କାମ ମିଳୁଛି ଓ ଲାଭ ହେଉଛି ସେହି ତୁଳନାରେ ତାଙ୍କ ରାଜ୍ୟରେ ବହୁତ କମ୍‌‌। ତେଣୁ ୨୦୧୪ ପରଠାରୁ ସେମାନେ ଓଡ଼ିଶା ଆସି ମୂର୍ତ୍ତି ବନାଇବା ଆରମ୍ଭ କଲେଣି। ଆଉ ବଙ୍ଗୀୟ କାରିଗରଙ୍କ ଚାହିଦା ମଧ୍ୟ କ୍ରମାନ୍ୱୟରେ ଓଡ଼ିଶାରେ ବୃଦ୍ଧି ପାଇବାରେ ଲାଗିଛି। ପୂଜାର ଦୁଇମାସ ଆଗରୁ ତାଙ୍କୁ ଅଗ୍ରୀମ ଦେଇ ଦିଆଯାଇ ଓଡ଼ିଶାକୁ ଡକାଯାଉଛି।

ପ୍ଲାଷ୍ଟର୍‌‌ ଅଫ୍‌‌ ପ୍ୟାରିସ୍‌‌’ ମୂର୍ତ୍ତିର ଚାହିଦା
କଞ୍ଚା ମାଟିରେ ତିଆରି ମୂର୍ତ୍ତି ବ୍ୟବସାୟ କ୍ରମଶଃ କମିବାରେ ଲାଗିଛି। କାରଣ ଭଲ କିସମର ମାଟି ସଂଗ୍ରହକରି ପାଳ, ଛଣ ବିଡ଼ାରେ ମାଟି ଓ କନା ଉପରେ ଲେପଦେଇ ବିଭିନ୍ନ ରଙ୍ଗର ପୂର୍ଣ୍ଣାଙ୍ଗ ମୂର୍ତ୍ତି କରିବା ପାଇଁ ପ୍ରାୟ ୩ରୁ୪ ଦିନ ଓ ଖର୍ଚ୍ଚ ପ୍ରାୟ ୩୦୦ ହୋଇଯାଉଛି। ଗୋଟିଏ ମୂର୍ତ୍ତିକୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିବା ସତ୍ତ୍ବେ ଉପଯୁକ୍ତ ପାରିଶ୍ରମିକ ମିଳୁନାହିଁ। ଅପରପକ୍ଷରେ ସ୍ୱଳ୍ପ ସମୟରେ ସେହି ସମାନ ଖର୍ଚ୍ଚରେ ଆକର୍ଷଣୀୟ ଶୈଳୀରେ ପ୍ଲାଷ୍ଟର ଅଫ୍‌‌ ପ୍ୟାରିସ ମୂର୍ତ୍ତି ନିର୍ମାଣ ହୋଇଯାଉଛି। ଯେଉଥିପାଇଁ ଉପଯୁକ୍ତ ପାରିଶ୍ରମିକ ମଧ୍ୟ ମିଳିପାରୁଛି। ତେଣୁ ମାଟି ତୁଳନାରେ ପ୍ଲାଷ୍ଟର ଅଫ୍‌‌ ପ୍ୟାରିସ ନିର୍ମିତ ମୂର୍ତ୍ତି ବଜାରରେ ଅଧିକ ଦେଖିବାକୁ ମିଳୁଛି।

ବେଙ୍ଗାଲୁରୁ, କୋଲକାତା ଓ ପୁଣେରୁ ଫୁଲ ଆମଦାନି
ପାର୍ବଣ ସମୟରେ ଫୁଲର ଚାହିଦା ଅଧିକ ଥାଏ। ସେଥିପାଇଁ ଏହି ସମୟରେ ଫୁଲର ଦାମ୍‌‌ ବି ସାଧାରଣ ଦିନ ଅପେକ୍ଷା ଟିକେ ଅଧିକ ଥାଏ। ଗେଣ୍ଡୁଫୁଲର ଚାହିଦା ଅନ୍ୟ ଫୁଲଠୁ ଅଧିକ ରୁହେ। ତେଣୁ ଏହି ସମୟରେ ପୂଜାର ତିନିଚାରି ଦିନ ଆଗରୁ ଫୁଲ ପାଇଁ ଅର୍ଡର ଆସିଯାଏ। ହେଲେ ଏହି ବର୍ଷ ବର୍ଷା ଲଗାତାର ହେବା ସହ ବିଶ୍ୱକର୍ମା ପୂଜା ଓ ଗଣେଶ ପୂଜା ପାଖାପାଖି ପଡ଼ୁଥିବାରୁ ବେପାର କମୁଛି ବୋଲି ଦୋକାନୀ କହୁଛନ୍ତି। ଖାଲି ମୂର୍ତ୍ତି ଏବଂ କାରିଗର ନୁହଁ ବରଂ ପୂଜା ପାଇଁ ଗେଣ୍ଡୁ ଫୁଲ ବି କୋଲକାତାରୁ ଆସୁଛି। କୋଲକାତା ବ୍ୟତୀତ ବେଙ୍ଗାଲୁରୁ ଆଉ ପୁଣେରୁ ଫୁଲ ମଧ୍ୟ ଅଣାଯାଉଛି।

ମଣ୍ଡପରେ ସାମାଜିକ ବାର୍ତ୍ତା
ଯେପରିଭାବେ ମଣ୍ଡପର ସାଜସଜ୍ଜାକୁ ନେଇ ପ୍ରତିଯୋଗିତା ଚାଲିଛି, ସେହିପରି ମୂର୍ତ୍ତି ତିଆରି କ୍ଷେତ୍ରରେ ବିଭିନ୍ନ ଡିଜାଇନର ମୂର୍ତ୍ତି ଆକର୍ଷିତ କରୁଛି। କେଉଁଠି ମୁମ୍ୱାଇ ଆକୃତ୍ତିରେ ତ କୋଉଠି ଜଗନ୍ନାଥଙ୍କ ବେଶରେ ବିରାଜିତ ହେଉଛନ୍ତି ଗଜାନନ। ମୟୂରପୁଚ୍ଛରେ ଗଣେଶ, ମହାଦେବଙ୍କ ଆସନ, ଜହ୍ନ ଉପରେ ଗଣେଶ, ପଦ୍ମରେ ଗଣେଶଙ୍କ ବିଭିନ୍ନ ଅବତାର ଦେଖିବାକୁ ମିଳୁଛି। ସମାଜକୁ କିଛି ସାମାଜିକ ବାର୍ତ୍ତା ଦେବା ପ୍ରତିଟି ପୂଜା କମିଟିର ପ୍ରାରମ୍ଭିକ ଲକ୍ଷ୍ୟ ରହିଛି। ଏହା ସହ ସଚେତନତାର ମନ୍ତ୍ର ବାଣ୍ଟିବେ ଗଜାନନ।

ସେଲ୍‌ଫି ପଏଣ୍ଟରେ ‘ଚନ୍ଦ୍ରଯାନ’ ଓ ‘ଜି-୨୦’
ପୂଜାକୁ ନେଇ ସବୁଠି ଏବେ ପ୍ରତିଯୋଗିତା ଆରମ୍ଭ ହେଲାଣି। ସୁନ୍ଦର ସାଜସଜ୍ଜା କରି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବାରେ ଲାଗିପଡ଼ିଛନ୍ତି ପୂଜା କମିଟି। ମଣ୍ଡପର ସାଜସଜ୍ଜା ସାଙ୍ଗକୁ ସେଲ୍‌ଫି ପଏଣ୍ଟ, ପ୍ରତ୍ୟେକକ୍ଷେତ୍ରରେ କିଛି ନୂଆ କରିବାର ପ୍ରୟାସ ଜାରିରଖିଛନ୍ତି। ଏହିଭଳି କିଛି ନୂଆ ପ୍ରାୟସରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ କାମ ଜାରିରଖିଛନ୍ତି କମିଟି ସଦସ୍ୟମାନେ। ନୂଆପଲ୍ଲୀ ନୂଆସାହି ଆଖଣ୍ଡଳମଣି ସେବା ସଂସଦ ପକ୍ଷରୁ ଗଣେଶ ପୂଜା ପାଇଁ ରାଜଉଆସ ତୋଳା ଚାଲିଛି। ତନ୍ମଧ୍ୟରେ ରାଜା ଭାବେ ଦର୍ଶନ ଦେବେ ଅଗ୍ରପୂଜ୍ୟ ଗଜାନନ। ତା ସହିତ ବିଶ୍ୱରେ ଚର୍ଚ୍ଚିତ ଥିବା ଚନ୍ଦ୍ରଯାନ ଶୈଳୀରେ ସେଲ୍‌ଫିପଏଣ୍ଟ ପ୍ରସ୍ତୁତ କରାଯାଉଛି। ଏହା ସହ ଚନ୍ଦ୍ରଯାନ ସମ୍ପର୍କିତ ଅନେକ ଜଣାଅଜଣା ତଥ୍ୟ ସମୂହକୁ ଏଲ୍‌‌ଇଡି ମାଧ୍ୟମରେ ପ୍ରଦର୍ଶିତ କରାଯିବ। ଚନ୍ଦ୍ରଯାନର ସଫଳତା ଓ ଦେଶପ୍ରୀତି ଜାଗ୍ରତ କରିବାକୁ ଜାତୀୟ ପତାକାର ତ୍ରିରଙ୍ଗରେ ସମ୍ମୁଖ ଭାଗ ରଙ୍ଗାୟିତ ହେବ। ସେହିପରି ସହିଦ ନଗର ପୂଜା କମିଟି ଆଉ ଏକ ଅଭିନବ ପ୍ରୟାସ କରିଛି। ଏଥର ‘ଜି-୨୦’ ଆୟୋଜନର ସଫଳତାକୁ ନେଇ ପୂଜା ମଣ୍ଡପର ସାଜସଜ୍ଜା କରିବାର ଯୋଜନା ରହିଛି। ପାର୍ବଣ ଋତୁରେ ଠାକୁର ପୂଜା ସହିତ ଚର୍ଚ୍ଚିତ ଘଟଣାବଳୀ ଉପରେ ଆଧାରିତ ତୋରଣ ଦର୍ଶକଙ୍କ ମନ ମୋହିବ ବୋଲି ଆୟୋଜକ ଆଶାପ୍ରକାଶ କରିଛନ୍ତି।

ବର୍ଷକ ଆଗରୁ ବାଜା ବରାଦ
ଆଗରୁ ପୂଜା ପାଇଁ ଡିଜେର ଚାହିଦା ବହୁତ ଥିଲା। କଳସ ଯାତ୍ରା, ପ୍ରସେସନ, ଭଷାଣ ଆଦି ସମୟରେ ଖାଲି ଡିଜେର ଚାହିଦା ଆଉ ବ୍ୟବହାର ଦେଖିବାକୁ ମିଳୁଥିଲା। ହେଲେ ଡିଜେ ମାର୍କେଟ୍‌‌ରେ ବ୍ୟାନ୍‌‌ ହେବାପରେ ଧୀରେ ଧୀରେ ସବୁ ପୁଣିଥରେ ପାରମ୍ପରିକ ରୀତିନୀତିକୁ ଫେରିଲେଣି। ଏଥର ପୁଣି ସେହି ପାରମ୍ପରିକ ବାଦ୍ୟ ଶୁଣିବାକୁ ମିଳିବ। କଳସ ଯାତ୍ରାଠାରୁ ଭଷାଣ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ବାଜାର ଶବ୍ଦରେ ପ୍ରକମ୍ପିତ ହେବ ସବୁ ପୂଜା ମଣ୍ଡପ। ଶିଙ୍ଘ ବାଜା ଆଉ ଘଣ୍ଟରେ ଧୁମ୍‌‌ଧାମରେ ପାଳନ ହେବ ପୂଜା। ପୂବରୁ ରାଜଧାନୀରେ ପାର୍ବଣ ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳର ବାଦ୍ୟକାରଙ୍କ ଅଣାଯାଉଥିବା ବେଳେ ଏବେ ରାଜ୍ୟ ବାହାର ବାଦ୍ୟକାରଙ୍କୁ ଅଣାଯାଉଛି। ଏଥିପାଇଁ ବର୍ଷକ ଆଗରୁ ଲକ୍ଷ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଉଛି।

ଜମିଲାଣି ରିହର୍‌‌ସାଲ୍‌‌
ପାର୍ବଣ ସମୟ ଆସିଲେ ଛୋଟପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ଖୁସି ଏବଂ ଉତ୍କଣ୍ଠା ଦେଖିବାକୁ ମିଳେ। କାରଣ ପୂଜା ସମୟରେ ଯେଉଁ ଭକ୍ତି ସଙ୍ଗୀତ, ନୃତ୍ୟ ଆଦିର ବ୍ୟବସ୍ଥା କରାଯାଇଥାଏ, ତାହା ଲୋକଙ୍କ ମନକୁ ଖୁସି ଦେଇଥାଏ। ପାଠରୁ ପିଲାଙ୍କୁ ବିରତି ଦିଏ ଓ ପୂଜାପର୍ବରେ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ବି ହୁଏ। ସେଥିପାଇଁ ସବୁଥର ପରି ଏଥର ବି ପୂଜା କମିଟଗୁଡ଼ିକ ଦ୍ୱାରା ବିଶେଷ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଯେପରି ୩ ଦିନ ଧରି ମେଲୋଡି, ନୃତ୍ୟ ଓ ସଙ୍ଗୀତ ପରିବେଷଣ, ଷ୍ଟାର୍‌‌ ନାଇଟ୍‌‌, ଭଜନ ସନ୍ଧ୍ୟା ଆଦି ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିପାଇଁ ମେଲୋଡି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରିହର୍‌‌ସାଲ୍‌‌ ଜମିବାରେ ଲାଗୁଛି।

ଚାରିମାସିଆ ମେଲୋଡି ଋତୁ
ପାର୍ବଣରେ ପୁଣି ଦୁଲୁକିବ ମଞ୍ଚ। ଜମିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ପାର୍ବଣ ପାଖେଇ ଆସୁଥିବାରୁ ଉତ୍ସାହିତ ମେଲୋଡି ମାଲିକ। ଅନ୍ୟ ସମୟ ଅପେକ୍ଷା ଭଲ କାମ ମିଳିଯିବ ତା ସାଙ୍ଗକୁ ଉନ୍ନତ ରୋଜଗାର। ତେଣୁ ସେମାନେ ଦୀର୍ଘଦିନରୁ ପ୍ରସ୍ତୁତି ଆରମ୍ଭ କଲେଣି। ଅନ୍ୟପଟେ ମେଲୋଡିକୁ ନେଇ ଆତ୍ମ ବିଭୋର ଯୁବପିଢ଼ି। ଯାହାର ଝଲକ୍‌‌ ରାଜଧାନୀର ବିଭିନ୍ନ ମେଲୋଡି ଏବଂ ଅର୍କେଷ୍ଟ୍ରା ପାର୍ଟିଙ୍କ ରିହଲସଲ୍‌‌ରୁ ଜଣା ପଡ଼ୁଛି। କଣ୍ଠଶିଳ୍ପୀଙ୍କଠାରୁ ଆରମ୍ଭ କରି ନୃତ୍ୟଶିଳ୍ପୀ ମ୍ୟୁଜିସିଆନ,୍‌‌ ପାଲା କଳାକାରମାନେ ଅଭ୍ୟାସରେ ଲାଗିପଡ଼ିଛନ୍ତି। ଓଡ଼ିଆ ଓ ହିନ୍ଦୀ ଗୀତର ମାସ୍‌‌ଅପ୍‌‌ ଗୀତଗୁଡ଼ିକୁ ନେଇ ମେଲୋଡି ପାର୍ଟିର କଳାକାରମାନେ ଅଭ୍ୟାସ କରୁଛନ୍ତି। ସେହିପରି ବର୍ତ୍ତମାନ ଟ୍ରେଣ୍ଡ୍‌‌ରେ ରହିଥିବା କ୍ୟୁଟ୍‌‌ ଗେହ୍ଲୀ…, ଯମୁନା ଯିବାକୁ ମୋତେ ହୋଇଛି ମନା…, ଆମ ଗାଁ ଝିଅ ଖାଣ୍ଟି ଗୁଆ ଘିଅ…, ପ୍ରେମର ତୀର ଆଉ ଫିଙ୍ଗନିରେ…, କାଜଲ କାଜଲ…, ଝାଲାମାଲା…, ତେଲୁଗୁ ସୁନ୍ଦରୀ…, ପରଦେଶିଆ ରାଜା… ଆଦି ଗୀତରେ ଦୁଲୁକିବ ରାଜଧାନୀ। ପୂଜା କମିଟି ପକ୍ଷରୁ ଭଜନ ସନ୍ଧ୍ୟା, ମେଲୋଡ଼ି ଓ ପାଲା ପରିବେଷଣ ପାଇଁ ବୁକିଂ ସରିଲାଣି। ଦର୍ଶକଙ୍କ ଚାହିଦାକୁ ପୂରଣ କରିବାକୁ ମେଲୋଡି ପାର୍ଟିଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏଥିପାଇଁ ରାଜ୍ୟ ବାହାର ନୃତ୍ୟଶିଳ୍ପୀ ମଧ୍ୟ ଅଣାଯାଇଛି। ରାଜଧାନୀର ପ୍ରାୟ ୩୦ରୁ ଊର୍ଦ୍ଧ୍ବ ମେଲୋଡି ପାର୍ଟି ଏବେ କଳାକାରମାନଙ୍କୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। କେଉଁ କେଉଁ ସ୍ଥାନରେ କେଉଁ ଗୀତ ପରିବେଷଣ କରାଯିବ ତାହାର ତାଲିକା ମଧ୍ୟ ପ୍ରସ୍ତୁତି ହୋଇସାରିଲାଣି। ଗଣେଶ ପୂଜାଠାରୁ ଆରମ୍ଭ କରି କାଳୀ ପୂଜା ପର୍ଯ୍ୟନ୍ତ ଦୀର୍ଘ ୪ମାସ ଧରି ମେଲୋଡ଼ି ଓ ଭଜନ ସନ୍ଧ୍ୟା ପାଇଁ ଗ୍ରୁପ୍‌‌ ଗୁଡିକୁ ଏବେଠାରୁ ବୁକିଂ କରାଯାଉଥିବା ଜଣାପଡ଼ିଛି।

ପ୍ରସ୍ତୁତ ପୁଲିସ
ପାର୍ବଣରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ କମିଶନରେଟ୍‌‌ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଇନଶୃଙ୍ଖଳା ରକ୍ଷା କରିବାକୁ ବିଭିନ୍ନ ସମ୍ୱେଦନଶୀଳ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ। ପକେଟମାର୍‌‌ ଓ ଛିନ୍‌‌ତାଇ ରୋକିବାକୁ ପୂଜା ମଣ୍ଡପଗୁଡ଼ିକ ସମେତ ପୂରା ରାଜଧାନୀକୁ ସିସିଟିଭି ନଜରରେ ରଖାଯିବ। ପାର୍ବଣ ପୂର୍ବରୁ ପେସାଦାର୍‌‌ ଅପରାଧୀଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବ। ଟ୍ରାଫିକ୍‌‌ ନିୟନ୍ତ୍ରଣ କରିବାକୁ ମାର୍ଗଦର୍ଶିକା ଓ ଗହଳି ରାସ୍ତା ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଅବଗତ କରାଯିବ। ଯାତ୍ରୀଙ୍କ ସହାୟତା ପାଇଁ ଟୋଲ୍‌‌ ଫ୍ରି ନମ୍ୱର ଜାରି କରିବା ସହିତ ସ୍ୱତନ୍ତ୍ର ମହିଳା ସେଲ୍‌ଫ ଖେଳାଯିବାକୁ କମିସନରେଟ୍‌‌ ପୁଲିସ ପକ୍ଷରୁ ଯୋଜନା କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ବିସର୍ଜନ ପାଇଁ ୱାଟର୍‌‌ ଫାୟାର୍‌‌
ପାର୍ବଣ ସମୟରେ ରାଜଧାନୀର ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ବିଗ୍ରହଙ୍କ ମୂର୍ତ୍ତି ବିସର୍ଜନ ମୁଖ୍ୟତଃ କୁଆଖାଇ, ଦୟା ଓ ଅନ୍ୟ ଛୋଟବଡ଼ ନଦୀ ନାଳରେ କରାଯାଇଥାଏ। ମୂର୍ତ୍ତିରେ ବ୍ୟବହାର କରାଯାଉଥିବା ବିଭିନ୍ନ ରାସାୟନିକ ଦ୍ରବ୍ୟ ଓ ରଙ୍ଗ ଯୋଗୁଁ ପରିବେଶ ପ୍ରଦୂଷିତ ହୁଏ। ପ୍ରଦୂଷିତ ପାଣିକୁ ବ୍ୟବହାର କରି ବହୁ ଲୋକ ରୋଗାକ୍ରାନ୍ତ ହେଉଥିବାର ଅଭିଯୋଗ ହୁଏ। ଏହି ପ୍ରଦୂଷଣର ମାତ୍ରା କମ୍‌‌ କରିବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଏ। ସେଠାରେ ମୂର୍ତ୍ତି ବିସର୍ଜନ କରିବାକୁ ସମସ୍ତ ପୂଜା କମିଟିକୁ ଅନୁରୋଧ କରାଯାଏ। କିନ୍ତୁ ସମୟର ଅଗ୍ରଗତି ସହିତ ଲୋକଙ୍କ ମନରେ ସଚେତନତା ସୃଷ୍ଟି ହୋଇଛି। ପ୍ରଦୂଷଣର ପ୍ରାଦୁର୍ଭାବକୁ ପରିଲକ୍ଷିତ କରି ବହୁ ପୂଜା କମିଟି ‘ୱାଟର ଫାୟାର’ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଅପରପକ୍ଷରେ ବଡ଼ବଡ଼ ମୁର୍ତ୍ତିକୁ ବିସର୍ଜନ କରିବାକୁ ଶୋଭାଯାତ୍ରାରେ ନେବା ମଧ୍ୟ ସମ୍ଭବ ହେଉନାହିଁ। ତେଣୁ ବିକଳ୍ପ ପନ୍ଥା ଭାବେ ଆବଶ୍ୟକ ଅନୁଯାୟୀ ପାଣି ଟାଙ୍କି ଆଣି ପୂଜା ମଣ୍ଡପରେ ମୂର୍ତ୍ତି ଉପରକୁ ସିଞ୍ଚନ କରିବାକୁ ‘ୱାଟର୍‌‌ ଫାୟାର୍‌‌’ କୁହାଯାଉଛି। ଏହାଦ୍ୱାରା ପରିବେଶ ପ୍ରଦୂଷଣ କମିବା ସହିତ ନଦୀ ଜଳ ସ୍ୱଚ୍ଛ ରହିପାରିବ। ପାର୍ବଣ ପୂର୍ବରୁ ବହୁ ପୂଜା କମିଟି ମୂର୍ତ୍ତିର ୱାଟର୍‌‌ ଫାୟାର୍‌‌ ଦ୍ୱାରା ବିସର୍ଜନ କରିବାକୁ ଘୋଷଣା କରୁଛନ୍ତି। ଯାହାକୁ ପରିବେଶବିତ୍‌‌ମାନେ ସ୍ୱାଗତ କରିବା ସହ ପ୍ରଶଂସା କରୁଛନ୍ତି। ଧୀରେ ଧୀରେ ଏହା ଆଧୁନିକ ଯୁଗର ଧାରା ହେବାକୁ ଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp