ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠକ : ୧୯ ପ୍ରସ୍ତାବ ଉପରେ ଲାଗିଲା ମୋହର
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟ ବୈଠକରେ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ରାଜ୍ୟ ରାଜଧାନୀରୁ ପଞ୍ଚାୟତକୁ ସହଜରେ ପରିବହନ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ‘ଲକ୍ଷ୍ମୀ’କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହାବ୍ୟତୀତ ସିଲିକନ୍ ଓ ନିଷ୍ଟକୁ ଏକକ ୟୁନିଭର୍ସିଟି କରିବାକୁ ମଧ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଏଥି ସହିତ କ୍ୟାବିନେଟ ବୈଠକରେ ଖରିଫ […]
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟ ବୈଠକରେ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ରାଜ୍ୟ ରାଜଧାନୀରୁ ପଞ୍ଚାୟତକୁ ସହଜରେ ପରିବହନ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ‘ଲକ୍ଷ୍ମୀ’କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହାବ୍ୟତୀତ ସିଲିକନ୍ ଓ ନିଷ୍ଟକୁ ଏକକ ୟୁନିଭର୍ସିଟି କରିବାକୁ ମଧ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।
ଏଥି ସହିତ କ୍ୟାବିନେଟ ବୈଠକରେ ଖରିଫ ଋତୁ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରଯାଇଛି। ୨୦୨୩-୨୪ରେ ୭୯ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ୭୯ ଲକ୍ଷ ମେଟ୍ରିକ ଟନ୍ ଧାନ ଓ ୫୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ମଣ୍ଡିକୁ ଆସିଲେ ବି ସରକାର କ୍ରୟ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ସହ ରାଜ୍ୟ ପୂର୍ତ୍ତ ଓ ଆର୍ଡି ବିଭାଗ ଅଧୀନରେ ଥିବା ସବୁ ଟୋଲ୍ ଗେଟ୍ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେତୁ ଓ ନିର୍ମାଣ ନିଗମ ଦ୍ବାରା ପରିଚାଳିତ ସମସ୍ତ ୩୫ ଟୋଲ୍ ଗେଟ୍ ଉଠିଯିବ । ସମସ୍ତ ୩୫ ଟୋଲ୍ ଗେଟ୍ ଉଚ୍ଛେଦକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ଦେଇଛି।
ସରକାରଙ୍କ ନୂଆ ‘ଲକ୍ଷ୍ମୀ’ଯୋଜନାରେ କେବଳ ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ପରିବହନ ସୁନିଶ୍ଚିତ କରିବ ନାହିଁ ବରଂ ରାସ୍ତା ଓ ସେତୁ ନିର୍ମାଣ ତଥା ମରାମତି କାର୍ଯ୍ୟକୁ ଗୁରୁତ୍ୱ ଦେବ। ସେହିପରି କାର୍ଯ୍ୟକ୍ରମ ଜରିଆରେ ବିଜୁ ଗାଁ ଗାଡ଼ି ଯୋଜନାକୁ ପୁନରୁଦ୍ଧାର କରାଯିବ। ‘ଲକ୍ଷ୍ମୀ’ ଯୋଜନାରେ ବ୍ଲକରେ ଅନ୍ୟୂନ ଗୋଟିଏ ‘ଆମ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ପରିଣତିସ୍ୱରୂପ ମହିଳା ସଶକ୍ତିକରଣଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା, କୃଷି, ଶିଳ୍ପ, ପର୍ଯ୍ୟଟନ ଆଦି କ୍ଷେତ୍ର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲାଭବାନ୍ ହେବ।
ଏହି ‘ଲକ୍ଷ୍ମୀ’ଯୋଜନାରେ ତିନି ବର୍ଷ ପାଇଁ ୩୧୭୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆଗାମୀ ତିନି ବର୍ଷ ପାଇଁ ଏହି ବ୍ୟୟବରାଦ କରାଯାଇଛି । ଏହି ଯୋଜନା ଅଧିନରେ ସମସ୍ତ ଗ୍ରାମ ପଞ୍ଚାୟତ, ବ୍ଲକ୍ ମୁଖ୍ୟାଳୟ, ଜିଲ୍ଲା ମୁଖ୍ୟାଳୟ, ରାଜ୍ୟର ପ୍ରମୁଖ ସହର ଏବଂ ଅର୍ଥନୈତିକ ପେଣ୍ଠ ସ୍ଥଳକୁ ବସ୍ ଯୋଗେ ସଂଯୋଗ ସ୍ଥାପନ ପାଇଁ ଲକ୍ଷ୍ୟ ରହିଛି । ଲକ୍ଷ୍ମୀ ବସ୍ ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ଚଳାଚଳ କରିବ । ଏହି ଯୋଜନା ଅଧିନରେ ୧୦୦୦ରୁ ଅଧିକ ବସ୍ ନିୟୋଜିତ କରାଯିବ । ଏହାର ଅବଧି ୧୦ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ଯୋଜନାର ସମୀକ୍ଷା ଓ ସୁଫଳ ପ୍ରଦର୍ଶନ ଆଧାରରେ ଏହାକୁ ଆଉ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ରାଜ୍ୟ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି ।
ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପରିବହନ ଏକ ପ୍ରମୁଖ ମାଧ୍ୟମ । ସଡ଼କ ଭିତ୍ତିଭୂମି ସୁଦୃଢ଼ କରାଯାଇ ଥିଲେ ସୁଦ୍ଧା ସେହି ଅନୁପାତରେ ସାର୍ବଜନୀନ ପରିବହନ ପାଇଁ ବ୍ୟବସ୍ଥାର ଅଭାବ ରହିଛି । ଏହାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ଯାତ୍ରୀ ଓ ପଣ୍ୟ ପରିବହନ ସ୍ଥାୟୀ, ସୁଲଭ, ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ଯୋଗାଇ ଦେବା ପାଇଁ ଓଡ଼ିଶା ସରକାର ଲକ୍ଷ୍ମୀ ଯୋଜନା ଚଳିତ ଆର୍ଥିକ ବର୍ଷରେ ଆରମ୍ଭ କରିବା ସହିତ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ । ତେବେ ସୁଦୂର ପ୍ରସାରୀ ହେବାକୁ ଥିବା ଏହି ଯୋଜନା ପାଇଁ ଅଧିକ ପାଣ୍ଠିର ଆବଶ୍ୟକତା ରହିଥିଲା । ଲାକ୍ମୀ ଯୋଜନାରେ ଗ୍ରାମପଞ୍ଚାୟତ ସ୍ତରରୁ ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ଏକ ନିରବିଚ୍ଛିନ୍ନ ସାର୍ବଜନୀନ ପରିବହନ ସେବା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରହିଛି । ଯୋଜନା ଅଧିନରେ ବ୍ଲକ୍ ଓ ଜିଲ୍ଲା ସ୍ତରରେ ବସ୍ଷ୍ଟାଣ୍ଡ ନିର୍ମାଣ କରାଯିବ । ମହିଳା ସଶକ୍ତିକରଣ ଲକ୍ଷ୍ୟରେ ବସ୍ଷ୍ଟାଣ୍ଡ ଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ ମିଶନ୍ ଶକ୍ତି ଗୋଷ୍ଠୀଙ୍କ ହାତରେ ନ୍ୟସ୍ତ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିସହ ବ୍ଲକ୍ ଗୁଡିକରେ ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯିବ । ଅପରପକ୍ଷେ କୃଷଜାତ ଦ୍ରବ୍ୟକୁ ସେମାନଙ୍କ ଉତ୍ପାଦନ ସ୍ଥଳରୁ ବଜାର ପର୍ଯ୍ୟନ୍ତ ଉନ୍ନତ ପରିବହନ ବ୍ୟବସ୍ଥା ଦ୍ୱାରା ପହଞ୍ଚାଇ ପାରିବେ ।
ଲକ୍ଷ୍ମୀ ଯୋଜନା ଅଧିନରେ ବ୍ଲକ୍ ସଂଯୋଗୀକରଣ ଦ୍ୱାରା ଗ୍ରାମ ପଞ୍ଚାୟତ ଓ ଏହାର ବ୍ଲକ୍ ମୁଖ୍ୟାଳୟ ମଧ୍ୟରେ ଯୋଗାଯୋଗ ସୁବିଧା କରିବା, ଜିଲ୍ଲା ସଂଯୋଗୀକରଣ ଦ୍ୱାରା ବ୍ଲକ୍ ମୁଖ୍ୟାଳୟକୁ ସେମାନଙ୍କ ଜିଲ୍ଲା ମୁଖ୍ୟାଳୟ ସହିତ ଯୋଗାଯୋଗ ସୁବିଧା କରାଯିବ । ‘ଜଗନ୍ନାଥ ଏକ୍ସପ୍ରେସ୍’ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟକୁ ଭୁବନେଶ୍ୱର କିମ୍ବା ଭୁବନେଶ୍ୱର ଭାୟା ପୁରୀକୁ ଯୋଗାଯୋଗ ସୁବିଧା ସୁନିଶ୍ଚିତ କରାଯିବ । ସେହିପରି ‘ଲକ୍ଷ୍ମୀ ଏକ୍ସପ୍ରେସ୍’ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟ କିମ୍ବା ପ୍ରମୁଖ ସହର ମଧ୍ୟରେ ଯୋଗାଯୋଗର ସୁବିଧା ଉପଲବ୍ଧ କରାଯିବ । ବସ୍ ଚଳାଚଳ ଆରମ୍ଭ ହେବାର ପ୍ରଥମ ତିନି ବର୍ଷରେ ଅର୍ଥାତ୍ ୨୦୨୩-୨୪ରୁ ୨୦୨୫-୨୬ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ପାଇଁ ପ୍ରାୟ ୩୧୭୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସ୍ଆରଟିସି) ଉପରେଲକ୍ଷ୍ମୀ ଯୋଜନାର କାର୍ଯ୍ୟାନ୍ୱୟନ ଦାୟିତ୍ୱ ପ୍ରଦାନ କରାଯାଇଛି ।





