ଓଡ଼ିଆ ଝିଅ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ତଦାଶା ମିଶ୍ର ଝାଡ଼ଖଣ୍ଡର ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ
ରାଞ୍ଚି: ଓଡ଼ିଆ ଝିଅ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ତଦାଶା ମିଶ୍ରଙ୍କୁ ଝାଡ଼ଖଣ୍ଡର ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ପୁଲିସ ଡିଜି ପଦରେ ନିଯୁକ୍ତ ହେବାରେ ସେ ହେଉଛନ୍ତି ପ୍ରଥମ ମହିଳା ଅଧିକାରୀ । ଡିଜି ପଦରୁ ଅନୁରାଗ ଗୁପ୍ତା ଇସ୍ତଫା ଦେବାପରେ ତାଙ୍କ ସ୍ଥାନରେ ଶ୍ରୀମତୀ ମିଶ୍ରଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି । ଗତକାଲି ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଏସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ସେ ନୂଆ ଦାୟିତ୍ବ ଗ୍ରହଣ କରିବେ ।
ମିଳିଥିବା ସୂଚନା ଅନୁଯାୟୀ ୧୯୯୪ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ତଦାଶା ମିଶ୍ର ଅସ୍ଥାୟୀ ରୂପେ ଏହି ଦାୟିତ୍ବ ତୁଲାଇବେ । ଏବେ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଥିବା ତଦାଶା ଆସନ୍ତା ଡିସେମ୍ବର ୩୧ ତାରିଖରେ ଅବସର ଗ୍ରହଣ କରିବେ । ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଦାୟିତ୍ବ ନେବା ପୂର୍ବରୁ ସେ ରେଳବାଇର ଅତିରିକ୍ତ ମହାନିର୍ଦ୍ଦେଶକ ଥିଲେ । ଏହାସହିତ ରାଜ୍ୟ ପୁଲିସ ବିଭାଗରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ପଦବୀରେ ମଧ୍ୟ ରହିଥିଲେ । ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ତଦାଶା ମିଶ୍ର ୧୯୯୪ରେ ଆଇପିଏସ୍ ବିହାର କ୍ୟାଡର୍ରେ ଯୋଗ ଦେଇଥିଲେ । ତେବେ ୨୦୦୦ରେ ବିହାର ବିଭାଜନ ପରେ ତାଙ୍କୁ ଝାଡ଼ଖଣ୍ଡ କ୍ୟାଡର ମିଳିଥିଲା ।





