ରାଜଧାନୀର ଏକାଧିକ ଆପାର୍ଟମେଣ୍ଟରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ବିପଦରେ ଅନ୍ତେବାସୀ
ଭୁବନେଶ୍ୱର: ରାଜଧାନୀରେ ପ୍ରତି ଦିନ ଛତୁ ଫୁଟିଲା ପରି ଅଟ୍ଟାଳିକା ନିର୍ମାଣ କରାଯାଉଛି। ବିଶେଷକରି ବିଲ୍ଡରମାନେ ଟଙ୍କା ରୋଜଗାର କରିବା ଲକ୍ଷ୍ୟରେ ଲୋକଙ୍କ ଜୀବନ ବିପଦକୁ ଠେଲି ଦେଉଛନ୍ତି। ନା ସେମାନେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରୁଛନ୍ତି, ନା ବିଭାଗଠାରୁ ପ୍ରମାଣପତ୍ର ନେଉଛନ୍ତି। ସେମାନେ ଘର ନିର୍ମାଣ କରି ରାତାରାତି କୋଟି କୋଟି ଟଙ୍କାରେ ବିକ୍ରି କରି ଦେଉଛନ୍ତି। ଲୋକେ ରହିବା ପରେ ଅସାବଧାନତା ବଶତଃ ନିଆଁ ଲାଗୁଛି, ତେବେ କିଏ ଛାତରୁ ଡେଇଁ ଗୋଡ଼ ଭାଙ୍ଗିଲାଣି […]
ଭୁବନେଶ୍ୱର: ରାଜଧାନୀରେ ପ୍ରତି ଦିନ ଛତୁ ଫୁଟିଲା ପରି ଅଟ୍ଟାଳିକା ନିର୍ମାଣ କରାଯାଉଛି। ବିଶେଷକରି ବିଲ୍ଡରମାନେ ଟଙ୍କା ରୋଜଗାର କରିବା ଲକ୍ଷ୍ୟରେ ଲୋକଙ୍କ ଜୀବନ ବିପଦକୁ ଠେଲି ଦେଉଛନ୍ତି। ନା ସେମାନେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରୁଛନ୍ତି, ନା ବିଭାଗଠାରୁ ପ୍ରମାଣପତ୍ର ନେଉଛନ୍ତି। ସେମାନେ ଘର ନିର୍ମାଣ କରି ରାତାରାତି କୋଟି କୋଟି ଟଙ୍କାରେ ବିକ୍ରି କରି ଦେଉଛନ୍ତି। ଲୋକେ ରହିବା ପରେ ଅସାବଧାନତା ବଶତଃ ନିଆଁ ଲାଗୁଛି, ତେବେ କିଏ ଛାତରୁ ଡେଇଁ ଗୋଡ଼ ଭାଙ୍ଗିଲାଣି ତ, ଆଉ କିଏ ଧୂଆଁରେ ଅଣନିଃଶ୍ୱାସୀ ହୋଇ ଜୀବନ ହାରୁଛି। ଗୁରୁବାର ଚନ୍ଦ୍ରଶେଖରପୁର ନନ୍ଦନବିହାରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଭୋରରୁ ୩ ମହଲା କୋଠାରେ ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଏମ୍ବାସି ବାର୍ ମାଲିକଙ୍କ ଘରେ ସର୍ଟସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିଲା। ହଠାତ୍ ନିଆଁ ଦେଖି ଘର ମାଲିକଙ୍କ ସ୍ତ୍ରୀ ଓ ପିଲା ବାଥ୍ରୁମ୍ରେ ପଶିଯାଇଥିଲେ। ସାୱାର ଖୋଲି ଦୀର୍ଘ ସମୟ ପର୍ଯ୍ୟନ୍ତ ବାଥ୍ରୁମ୍ ଭିତରେ ରହିଥିଲେ। ଘର ମାଲିକ କୁନାଲ ଗୋସ୍ୱାମୀ ଭୟରେ ତିନି ମହଲା ଉପରୁ ଡେଇଁ ପଡ଼ିଥିଲେ। ଏହି ଅଗ୍ନିକାଣ୍ଡ ଭଳି ଅନେକ ଲୋକଙ୍କ ଘରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ନିଆଁ ଲାଗିଲେ ଘରୁ ବାହାରିବା ପାଇଁ ନା ବାଟ ଅଛି, ଉଦ୍ଧାର କରିବା ପାଇଁ ଅଗ୍ନିଶମ ଗାଡ଼ି ଯିବାକୁ ମଧ୍ୟ ବାଟ ନାହିଁ। ଯାହାଫଳରେ ନିଆଁରେ ଧନହାନୀ ଘଟିବାର ଅଧିକ ସମ୍ଭାବନା ରହିଛି।
ଗାଇଡ୍ଲାଇନ୍ ପାଳନ ହେଉନି
ଅଗ୍ନିଶମ ଗାଇଡ୍ଲାଇନ୍ ଅନୁସାରେ ଯେଉଁ ଅଟ୍ଟାଳିକାର ଉଚ୍ଚତା ୧୫ ମିଟରରୁ ତଳେ ରହିଛି ସେଠାରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଆବଶ୍ୟକତା ନାହିଁ। ୧୫ ମିଟର ଉଚ୍ଚତାରୁ ଅଧିକ ହେଲେ ଅଗ୍ନିଶମ ପ୍ରମାଣପତ୍ର ନେବା ବାଧ୍ୟତାମୂଳକ। ଆହୁରି ମଧ୍ୟ ଛାତ ଉପରେ ୨୨ହଜାର ଲିଟର ପାଣି ରହିବାର ଟାଙ୍କି କରିବାର ନିୟମ ରହିଛି। କିନ୍ତୁ ଅନେକ ଆପାର୍ଟମେଣ୍ଟରେ ଏହି ପାଣିଟାଙ୍କି ନ ଥିବାର ଦେଖିବାକୁ ମିଳିଛି। ନିଆଁ ଲାଗିଲେ ଅଗ୍ନିଶମ କର୍ମଚାରୀ ଉକ୍ତ ଟାଙ୍କିରୁ ପାଣି ବ୍ୟବହାର କରି ନିଆଁକୁ ଲିଭାଇ ପାରିବେ। ସେହିପରି ପ୍ରତି ଫ୍ଲୋର୍ରେ ଗୋଟିଏ ପାଣି ପମ୍ପ ଲାଗିବା ନିୟମ ରହିଛି। ଏଥିସହ ସ୍ଫ୍ରିଙ୍କ୍ଲର, ନିଆଁ ଲିଭାଇବା ସିଲିଣ୍ଡର ଏବଂ ନିଆଁ ଲାଗିଲେ ସାଇରନ୍ ବ୍ୟବସ୍ଥା କରିବାକୁ କୁହାଯାଇଛି। କିନ୍ତୁ କୌଣସି ଆପାର୍ଟମେଣ୍ଟ ସେଭଳି ବ୍ୟବସ୍ଥା କରିନାହାନ୍ତି। କିନ୍ତୁ ଅନେକଙ୍କୁ ଅଗ୍ନିଶମ ପ୍ରମାଣପତ୍ର ଦିଆଯାଇଛି। ତେଣୁ କେଉଁ ଅଧିକାରୀ ଆପାର୍ଟମେଣ୍ଟକୁ ଯାଇ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଦେଲେ ତାହା ସନ୍ଦେହ ଘେରରେ।
ଅନ୍ଲାଇନ୍ ଆବେଦନ ଜାଣୁନାହାନ୍ତି
ଏବେ ଅନ୍ଲାଇନ୍ରେ ଅଗ୍ନିଶମ ପ୍ରମାଣପତ୍ର ମିଳୁଛି। ଜଣେ ଘର କରିବା ପରେ ଏହାର ଡିଜାଇନ୍କୁ ଅଗ୍ନିଶମର ସାଇଟ୍ରେ ଅପ୍ଲୋଡ୍ କରିବେ। ତାଙ୍କୁ ଉକ୍ତ ଅଞ୍ଚଳର ଅଗ୍ନିଶମ ଅଧିକାରୀ ପଚାରି ବୁଝିବେ। ପରେ ଅଗ୍ନିଶମ ଅଧିକାରୀ ଉକ୍ତ ଆପାର୍ଟମେଣ୍ଟକୁ ଯାଇ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରି ରିପୋର୍ଟ ଦେବେ। ରିପୋର୍ଟ ଦେବା ପରେ ପୁଣି ସମସ୍ତ କପି ଆବେଦନକାରୀ ଅନ୍ଲାଇନ୍ରେ ଅପ୍ଲୋଡ୍ କରିବେ। ପୁଣି ଥରେ ଡକ୍ୟୁମେଣ୍ଟକୁ ଯାଞ୍ଚ କରାଯାଇ ପ୍ରମାଣପତ୍ର ପ୍ରଦାନ କରାଯିବ। କିନ୍ତୁ ଅନେକ ବ୍ୟକ୍ତି ଏହି ଅନ୍ଲାଇନ୍ ବ୍ୟବସ୍ଥା ସମ୍ପର୍କରେ ଅବଗତ ନାହାନ୍ତି।
କେବେ ହେବ ସର୍ପ୍ରାଇଜ୍ ଯାଞ୍ଚ
ସହରରେ ବଡ଼ ବଡ଼ ଆପାର୍ଟମେଣ୍ଟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। କିନ୍ତୁ ଏହାକୁ ଅତର୍କିତ ଚଢ଼ଉ କରାଯାଇ ଯାଞ୍ଚ କରାଯାଉନାହିଁ। ଯାଞ୍ଚ ପରେ ଯେଉଁମାନେ ପ୍ରମାଣପତ୍ର କରିନାହାନ୍ତି ସେମାନଙ୍କୁ ତାଗିଦ କରିବା ସହ ଏକ ନିର୍ଦ୍ଦିଷ୍ଟ ସମୟ ଦିଆଯାଉ। ଏହି ସମୟରେ ସେମାନେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରି ନ ଥିଲେ ମୋଟା ଅଙ୍କର ଜରିମାନା କରିବାକୁ ସାଧାରଣରେ ଦାବି ହେଉଛି।





