ମନୋରଞ୍ଜନ
ଓଡ଼ିଶା
ମଣ୍ଡିର ଗୋଲକ ଧନ୍ଦାରେ ଛନ୍ଦି ହେଲେଣି ଚାଷୀ; ଯୋଗ୍ୟ ଚାଷୀଙ୍କ ଅପେକ୍ଷା ଅଯୋଗ୍ୟ ହାତେଇଛନ୍ତି ଅଧିକ ଟାର୍ଗେଟ
ଆସିକା: ସୁଧୁରୁନି ମଣ୍ଡି ସମସ୍ୟା । ମଣ୍ଡିର ଗୋଲକ ଧନ୍ଦାରେ ଛନ୍ଦି ହେଲେଣି ଚାଷୀ । ଯୋଗ୍ୟ ଚାଷୀଙ୍କୁ ମିଳୁନି ଆବଶ୍ୟକୀୟ ଟାର୍ଗେଟ । ଅଯୋଗ୍ୟ ହାତେଇଛନ୍ତି ଅଧିକ ଟାର୍ଗେଟ । ପ୍ରଶାସନ, ସମବାୟ ସମିତି ଓ ମିଲର୍ସଙ୍କ ମଧୁଚନ୍ଦ୍ରିକାରେ ପେଷି ହେଉଛନ୍ତି ଅନ୍ନଦାତା । ଗଞ୍ଜାମ ଜିଲ୍ଲା ଧରାକୋଟରେ ମଣ୍ଡି ରେଜିଷ୍ଟ୍ରେସନ ସମୟରେ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି । ଯାହାର ଏକ୍ସକ୍ଲୁସିଭ ତଥ୍ୟ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଏଇ ଯେମିତି ଆଠଘରିଆ ଗାଁର ପଞ୍ଚାନନ ଗୌଡ଼ଙ୍କର ୧୦ ଏକର ଜମି ଥିବା ବେଳେ ୧୦ କୁଇଣ୍ଟାଲ ଧାନ ଆଦାୟ ହେଉଛି । ହେଲେ ତାଙ୍କୁ ୯ କୁଇଣ୍ଟାଲ ୪୫ କେଜିର ଟୋକନ ମିଳିଛି । ସେହିପରି ସନ୍ତୋଷ ବିଷୋୟୀଙ୍କ ୬ ଏକର ଜମି ଥିବା ବେଳେ ତାଙ୍କୁ ବି କମ ଟାର୍ଗେଟ ମିଳିଛି । ହେଲେ ସେହି ଗାଁର ନିରଞ୍ଜନ ବାଡ଼ତ୍ୟାଙ୍କ ଏକ ଏକର ଭିତରେ ଜମି ରହିଛି । ହେଲେ ତାଙ୍କୁ ୩୭ କୁଇଣ୍ଟାଲ ୩୫ କେଜିର ଟୋକନ ମିଳିଛି । ଯେଉଁଥିରୁ ଟୋକନ ହେରଫେର ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଛି ।
ଯୋଗ୍ୟ ଚାଷୀଙ୍କୁ ଆବଶ୍ୟକୀୟ ଟୋକନ ମିଳିନଥିବାରୁ ସେମାନେ ବଳକା ଧାନକୁ ବାରଣ୍ଡାରେ, ଖଳା ମୂଳେ ସାଇତି ରଖିଛନ୍ତି । ବାକି ଧାନକୁ କଣ କରିବେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏପଟେ ମଣ୍ଡି ସମସ୍ୟାର ଫାଇଦା ଉଠାଇ ଗାଁ ଗାଁରେ ବୁଲୁଛନ୍ତି ଆନ୍ଧ୍ର ବେପାରୀ । ଲୋକଙ୍କୁ ଭୂତାଇ ସ୍ଵଳ୍ପ ଟଙ୍କାରେ ଧାନ କିଣି ମାଲାମାଲ ହେଉଛନ୍ତି । ଗଞ୍ଜାମ ଜିଲ୍ଲାରେ ମାସେ ହେଲାଣି ମଣ୍ଡି ଖୋଲିଲାଣି । ହେଲେ ଏଯାଏଁ ଧାନ କିଣା ସ୍ଵାଭାବିକ ହୋଇପାରି ନାହିଁ । କେଉଁଠି ଟୋକନ ମିଳୁନି ତ କେଉଁଠି କଟନୀ ଛଟନୀ ଚାଲିଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି ।





