ଲକ୍ଷଲକ୍ଷ କ୍ରୀଡ଼ାବିତ୍‌‌ଙ୍କ ପାଇଁ ଅସମ୍ଭବ ସମ୍ଭାବନା ସୃଷ୍ଟି କରିବା ସହିତ ସେମାନଙ୍କ ସ୍ୱପ୍ନକୁ ବାସ୍ତବତାର ରୂପ ଦେଇଛି ‘କଳିଙ୍ଗ ଷ୍ଟାଡିୟମ୍‌‌’

The Sakala Picture
Published On

ଭୁବନେଶ୍ୱର (ପ୍ରସନ୍ନଜିତ ମହାଳିକ): ଅତୀତର କଳିଙ୍ଗ ଯେପରି ତା’ର କଳାସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ଐତିହ୍ୟ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ଥିଲା, ଆଜି ସେହି ଗରିମାକୁ ଆଗକୁ ବଢ଼଼ାଇଛି ଐତିହ୍ୟ ନଗରୀ ଭୁବନେଶ୍ୱରରେ ଦଣ୍ଡାୟମାନ କଳିଙ୍ଗ ଷ୍ଟାଡିୟମ୍‌‌। ୧୯୭୮ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଐତିହାସିକ କଳିଙ୍ଗ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଯାହା ଆଜି ଲକ୍ଷଲକ୍ଷ କ୍ରୀଡ଼ାବିତ୍‌‌ଙ୍କ ପାଇଁ ଅସମ୍ଭବ ସମ୍ଭାବନା ସୃଷ୍ଟି କରିବା ସହିତ ସେମାନଙ୍କ ସ୍ୱପ୍ନକୁ ବାସ୍ତବତାର ରୂପ ଦେଇଛି। କେବଳ ଯେ, […]

ଭୁବନେଶ୍ୱର (ପ୍ରସନ୍ନଜିତ ମହାଳିକ): ଅତୀତର କଳିଙ୍ଗ ଯେପରି ତା’ର କଳାସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ଐତିହ୍ୟ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ଥିଲା, ଆଜି ସେହି ଗରିମାକୁ ଆଗକୁ ବଢ଼଼ାଇଛି ଐତିହ୍ୟ ନଗରୀ ଭୁବନେଶ୍ୱରରେ ଦଣ୍ଡାୟମାନ କଳିଙ୍ଗ ଷ୍ଟାଡିୟମ୍‌‌। ୧୯୭୮ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଐତିହାସିକ କଳିଙ୍ଗ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଯାହା ଆଜି ଲକ୍ଷଲକ୍ଷ କ୍ରୀଡ଼ାବିତ୍‌‌ଙ୍କ ପାଇଁ ଅସମ୍ଭବ ସମ୍ଭାବନା ସୃଷ୍ଟି କରିବା ସହିତ ସେମାନଙ୍କ ସ୍ୱପ୍ନକୁ ବାସ୍ତବତାର ରୂପ ଦେଇଛି। କେବଳ ଯେ, ଓଡ଼ିଶାର ହଜାର କ୍ରୀଡ଼ାବିତ୍‌‌ଙ୍କ ସ୍ୱପ୍ନକୁ ଏହା ସାକାର କରିଛି ତାହା ନୁହେଁ; ବିଦେଶୀ ଖେଳାଳିଙ୍କ ମଧ୍ୟରେ ଏହା ଭାରତର ଏକ ଆଗଧାଡ଼ିର ଷ୍ଟାଡିୟମ୍‌‌ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଛି। ଦୁଇ ଦୁଇଥର ପୁରୁଷ ହକି ବିଶ୍ୱକପ୍‌‌ ଆୟୋଜନ ହେଉ ଅଥବା ଜାତୀୟ କିମ୍ବା ଅନ୍ତର୍ଜାତୀୟ ଆଥଲେଟିକ୍‌‌ ମିଟ୍‌‌; ‘କଳିଙ୍ଗ’ର ସୁବିଧା ଏବଂ ଆତିଥ୍ୟେୟତାରେ ଦେଶ ବିଦେଶର ଖେଳାଳିଙ୍କ ଦ୍ୱାରା ବେଶ୍‌‌ ଉଚ୍ଚ ପ୍ରଶଂସିତ ହୋଇଛି। ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ ଆୟୋଜନ ପାଇଁ କଳିଙ୍ଗ ଏବେ ଦେଶର ଏକ ପ୍ରମୁଖ ଠିକଣା ପାଲଟିଛି। କଳିଙ୍ଗ ଷ୍ଟାଡିୟମ୍‌‌ର ସୌନ୍ଦର୍ଯ୍ୟକରଣରେ ମନ୍ତ୍ରମୁଗ୍ଧ ହୋଇଛନ୍ତି ବିଦେଶୀ କ୍ରୀଡ଼ାବିତ୍‌‌ ଓ ଗଣମାଧ୍ୟମ। ବିଶେଷକରି ହକି ପାଇଁ ଆମ ରାଜ୍ୟ ଓଡ଼ିଶା ଓ କଳିଙ୍ଗ ଷ୍ଟାଡିୟମ୍‌‌ ସାରାବିଶ୍ୱରେ ଯେପରି ପରିଚିତି ହାସଲ କରିଛି ଏହା ବାସ୍ତବରେ ଅଦ୍ଭୁତପୂର୍ବ। କଳିଙ୍ଗ ଷ୍ଟାଡିୟମ୍‌‌ର ଏହି ନବକଳେବରକୁ ନେଇ ଆମର ଏଇ ସ୍ୱତନ୍ତ୍ର ଉପସ୍ଥାପନା…

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ହକି ଲାଗି ବିଶ୍ୱରେ ପରିଚିତ
କଳିଙ୍ଗ ଷ୍ଟାଡିୟମ ହେଉଛି ଭାରତ ଓ ବିଶ୍ୱର ପ୍ରଥମ ଷ୍ଟାଡିୟମ, ଯେଉଁଠି ଲଗାତର ଦୁଇଥର ପୁରୁଷ ହକି ବିଶ୍ୱକପ୍‌‌ ଆୟୋଜନ କରାଯାଇପାରିଛି। ୨୦୧୮ରେ ପ୍ରଥମଥର ଲାଗି ଏବଂ ଏହାର ଠିକ୍‌‌ ୫ ବର୍ଷ ପରେ ଅର୍ଥାତ୍‌‌ ୨୦୨୩ରେ ଦ୍ୱିତୀୟଥର ଲାଗି ପୁରୁଷ ହକି ବିଶ୍ୱକପ୍‌‌ ସଫଳତାର ସହ ସମାପନ କରି ବିଶ୍ୱ କ୍ରୀଡ଼ା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛି କଳିଙ୍ଗ। ହକି ଲାଗି ବିଶ୍ୱରେ କଳିଙ୍ଗ ପରିଚିତ ହେବା ସହ ଓଡ଼ିଶାର ଗରିମା ମଧ୍ୟ ବଢ଼଼ାଇଛି। ପାଞ୍ଚ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଓ ଆଧୁନିକ ଟର୍ଫ ପିଚ୍‌‌କୁ ନେଇ ପ୍ରଥମେ ୨୦୧୦ରେ କଳିଙ୍ଗ ହକି ଷ୍ଟାଡିୟମ ନିର୍ମାଣ ଆରମ୍ଭ କରାଯାଇଥିଲା। ଯାହା ପରବର୍ତ୍ତୀ ସମୟରେ ୧୫ହଜାର ଦର୍ଶକ ବସିବା ଭଳି କ୍ଷମତା ଧାରଣ କରିଛି। ୨୦୧୪ରେ ହକି ଚାମ୍ପିଅନ୍ସ ଟ୍ରଫି ଆୟୋଜନ ସହ କଳିଙ୍ଗରେ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ପାଦ ଥାପିଥିଲା। ଏଠାରେ ଥିବା ଆଧୁନିକ ଆଷ୍ଟ୍ରୋ ଟର୍ଫ ରାଜ୍ୟର ଉଦୀୟମାନ ଯୁବ ହକି ଖେଳାଳିଙ୍କୁ ପ୍ରଥମଥର ଲାଗି ଏହି ପିଚ୍‌‌ରେ ଖେଳିବାର ସୁଯୋଗ ଦେଇଥିଲା। ଏହି ସୁଯୋଗ ହିଁ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରଦର୍ଶନରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାରେ ସହାୟତା ହୋଇଛି।

ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଗୌରବମୟ ଦଶନ୍ଧି
କଳିଙ୍ଗ ଷ୍ଟାଡିୟମରେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ସଫଳତା ସହ ସମାପନ କରାଯାଇଛି। ଯେଉଁଥିପାଇଁ କ୍ରୀଡ଼ା କ୍ଷେତ୍ରରେ ଆସିଛି ବିରାଟ ପରିବର୍ତ୍ତନ। କ୍ରୀଡ଼ା ଭିତ୍ତିଭୂମିର ହୋଇଛି ରୂପାନ୍ତରଣ; କ୍ରୀଡାବିତ୍‌‌ ହୋଇଛନ୍ତି ସଶକ୍ତୀକରଣ। କ୍ରୀଡ଼ାବିତ୍‌‌ଙ୍କ ଭବିଷ୍ୟତ ଗଢ଼ିବା ସହ କ୍ରୀଡ଼ା କ୍ଷେତ୍ରରେ ଗୌରବମୟ ଦଶନ୍ଧି ସୃଷ୍ଟି ହୋଇଛି। ଦୁଇଥର ଲେଖାଏଁ ପୁରୁଷ ହକି ବିଶ୍ୱକପ୍‌‌ର ଆୟୋଜନରେ ଉଲ୍ଲେଖନୀୟ ସଫଳତା ପରେ ଓଡ଼ିଶା ହାତେଇଛି କ୍ରୀଡ଼ା ରାଜଧାନୀର ହବ୍‌‌। ଏପରିକି ‘୨୦୩୩ ଯାଏଁ ହକି ଇଣ୍ଡିଆ ପ୍ରାୟୋଜକ ରହିଛି ଓଡ଼ିଶା’। ହକି ୱାଲ୍ଡକପ୍‌‌ ସମୟରେ ଖେଳ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି କ୍ରୀଡ଼ାବିତ୍‌‌ଙ୍କ ମନରେ ନୂତନ ଉନ୍ମାଦ ଭରିଥିଲା ଓଲି ଲ୍ୟାଣ୍ଡ୍‌‌। କ୍ରୀଡ଼ା ରାଜଧାନୀରେ ପରିଣତ କରିବା ସହ ଓଡ଼ିଶାର ପର୍ଯ୍ୟଟନକୁ ବିକାଶ କରିବା ବିଶ୍ୱସ୍ତରୀୟ କ୍ରୀଡ଼ା ଆୟୋଜନ କରିବାର କ୍ଷମତାର ଦୃଷ୍ଟିରେ ରଖି ବର୍ତ୍ତମାନ ନିବେଶକଙ୍କୁ ଆକୃଷ୍ଟ କରୁଥିବା ଭାରତର ଶ୍ରେଷ୍ଠ ୫ଟି ସହର ମଧ୍ୟରେ ଭୁବନେଶ୍ୱର ତୃତୀୟ ସ୍ଥାନରେ ରହିଛି।

ରୂପାନ୍ତରଣର ମୁଖ୍ୟ ରୂପକାର ‘ନବୀନ’
ବର୍ତ୍ତମାନର ଓଡ଼ିଶା ସରକାର ସର୍ବଦା କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ହିଁ ଓଡ଼ିଶା ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଓଡ଼ିଶାରେ ବର୍ତ୍ତମାନ ଉପଲବ୍ଧ କ୍ରୀଡ଼ା ଭିତ୍ତିଭୂମି ଦେଶର ଅନ୍ୟରାଜ୍ୟ ପାଇଁ ପ୍ରେରଣା ସୃଷ୍ଟିକରିଛି। ରାଜ୍ୟର କ୍ରୀଡ଼ା ବଜେଟ୍‌‌ ଅନ୍ୟ ବୃହତ୍‌‌ ରାଜ୍ୟ ତୁଳନାରେ ବହୁ ଅଧିକ। କ୍ରୀଡ଼ାର ବିକାଶ ଓ ଭିତ୍ତିଭୂମି ନିର୍ମାଣ ସହ ରାଜ୍ୟର କୋଣ ଅନୁକୋଣରୁ କ୍ରୀଡ଼ା ପ୍ରତିଭା ଚିହ୍ନଟ ପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ବ୍ୟୟ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ଲକ୍ଷ୍ୟ ‘ୟୁଥ୍‌‌ ଆଣ୍ଡ ୟୁଥ୍‌‌ ଫର ଫ୍ୟୁଚର’ ଯୁବ କ୍ରୀଡ଼ା ପ୍ରତିଭାଙ୍କୁ ଆଗକୁ ବଢ଼଼ିବାକୁ ବେଶ୍‌‌ ସହାୟକ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ହକିଠୁ ସନ୍ତରଣ; ଟେନିସ୍‌‌ଠୁ ବ୍ୟାଡ୍‌‌ମିଣ୍ଟନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ରୀଡ଼ା କ୍ଷେତ୍ରରେ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରି ରାଜ୍ୟ ସରକାର ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏହିକ୍ରମରେ ଆଥଲେଟିକ୍ସ କ୍ଷେତ୍ରରେ ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ିହେବାକୁ ଯାଉଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ‘ଦେଶର ପ୍ରଥମ ଇଣ୍ଡୋର ଆଥ୍‌‌ଲେଟିକ ଷ୍ଟାଡ଼ିୟମ’ ନିର୍ମାଣ କଳିଙ୍ଗ ପରିସରରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏଥସହ ‘ବ୍ୟାଡ୍‌‌ମିଣ୍ଟନ ଉତ୍କର୍ଷ କେନ୍ଦ୍ର, ସ୍ପୋର୍ଟସ୍‌‌ କ୍ଳାଇମ୍ବିଙ୍ଗ୍‌‌ ୱାଲ୍‌‌, ଅଭିନବ ବିନ୍ଦ୍ରା ଟାର୍ଗେଟ୍‌‌ ଓ ପରଫର୍‌‌ମାନ୍ସ କେନ୍ଦ୍ର, ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ର ଓ ସନ୍ତରଣାଗାର’ ଆଦି କଳିଙ୍ଗ ଷ୍ଟାଡିୟମର ଶୋଭା ବଢ଼଼ାଉଛି।

‘ଫିଫା’ ମାନର ଫୁଟବଲ୍‌‌ ଷ୍ଟାଡିୟମ୍‌‌
କେବଳ ହକି ନୁହେଁ ଫୁଟ୍‌‌ବଲ ମ୍ୟାଚ୍‌‌ ଆୟୋଜନ କରି ଅନ୍ତର୍ଜାତୀୟ ସ୍ତରରେ ଚମକିଛି କଳିଙ୍ଗ ଷ୍ଟାଡିୟମ୍‌‌। ଗତବର୍ଷ ୧୭ ବର୍ଷରୁ କମ୍‌‌ ବାଳିକା ଫିଫା ବିଶ୍ୱକପ୍‌‌ ଆୟୋଜନ କରି ‘ଫିଫା’ ମାନର ଫୁଟବଲ୍‌‌ ଷ୍ଟାଡିୟମର ମାନ୍ୟତା ପାଇଛି କଳିଙ୍ଗ ଷ୍ଟାଡିୟମ। ଏହି ଫିଫା ବାଳିକ ବିଶ୍ୱକପ୍‌‌ ପୂର୍ବରୁ ନୂଆରୂପ ପାଇଥିଲା କଳିଙ୍ଗର ମୁଖ୍ୟ ଷ୍ଟାଡିୟମ। ଫୁଟ୍‌‌ବଲ ମ୍ୟାଚ୍‌‌ ଲାଗି ସାଧାରଣ ଘାସକୁ ଉଠାଇ ଏଠାରେ ସ୍ୱତନ୍ତ୍ର ଘାସ ଗାଲିଚାର ଚାଦର ବିଛାଯାଇଥିଲା। ଏପରିକି ବର୍ଷା ହେଲେ ପଡ଼ିଆରୁ ପାଣି ନିଷ୍କାସନର ସ୍ୱତନ୍ତ୍ର ବ୍ୟବସ୍ଥା ଓ ନୂଆ ରୂପରେ ସୁସଜ୍ଜିତ ଗ୍ୟାଲେରି ଗଢ଼ାଯାଇଥିଲା। ଆଉ ୧୨ ହଜାର ଦର୍ଶକ ଗ୍ୟାଲେରିରେ ବସି ଖେଳ ଦେଖିବାର ବ୍ୟବସ୍ଥା କରାଯାଇଥିଲା। ସେହିଭଳି ‘ଫିଫା’ ମାନର ଫୁଟବଲ୍‌‌ ଷ୍ଟାଡିୟମ ହେବାପରେ କଳିଙ୍ଗରେ ୩ରୁ ୪ଟି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇସାରିଛି।

‘ମାଟି ଟ୍ରାକ୍‌‌ରୁ ସିନ୍ଥେଟିକ୍‌ ଟ୍ରାକ୍‌‌’
କଳିଙ୍ଗର ମୁଖ୍ୟ ଷ୍ଟାଡିୟମରେ ପୂର୍ବରୁ ଥିବା ମାଟି ଟ୍ରାକ୍‌‌ ନବକଳେବର ହୋଇ ନୂତନ ୮ ଲେନ୍‌‌ ବିଶିଷ୍ଟ ସିନ୍ଥେଟିକ ଦୌଡ଼କୁଦ ଟ୍ରାକ୍‌‌ରେ ରୂପାନ୍ତରିତ ହୋଇସାରିଛି। ୨୦୧୭ରେ ଅନୁଷ୍ଠିତ ୨୨ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗତିତା ପୂର୍ବରୁ ଏହି ଟ୍ରାକ୍‌‌କୁ ନବୀକରଣ କରାଯାଇଥିଲା। ପରେ ୪୧ଟି ଦେଶର ୫୬୦ କ୍ରୀଡ଼ାବିତ୍‌‌ଙ୍କୁ ନେଇ ଏସିଆର ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ କ୍ରୀଡ଼ାବିତ୍‌‌ଙ୍କ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଯାହା ଆମ ରାଜ୍ୟ ପାଇଁ ଆଉ ଏକ ଗୌରବର ବିଷୟ। ଦୌଡ଼କୁଦ ଇଭେଣ୍ଟରେ ଅଲିମ୍ପିକ୍‌‌ସରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରା ମଧ୍ୟ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଏଠାରେ କିଛିଦିନ ଅଭ୍ୟାସ କରିଛନ୍ତି। ଯାହା ବାସ୍ତବରେ ରାଜ୍ୟ କ୍ରୀଡ଼ାଜଗତ ପାଇଁ ଗୌରବର ବିଷୟ। ସେଭଳି ଷ୍ଟାଡିୟମ ଭିତରେ ଲମ୍ବା ଏବଂ ଉଚ୍ଚଡିଆଁ, ଜାଭେଲିନ୍‌‌, ସଟ୍‌‌ଫୁଟ୍‌‌ର ଭଳି ଖେଳର ବ୍ୟବସ୍ଥା ରହିଛି।

ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ର ଓ ସନ୍ତରଣାଗାର
ଆଥ୍‌‌ଲେଟିକ୍ସ ଓ ହକି ପରେ କଳିଙ୍ଗ ଷ୍ଟାଡିୟମ୍‌‌ରେ କାର୍ଯ୍ୟକ୍ଷମ ହୋଇଛି ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ର। ଏହି ଉଚ୍ଚକ୍ଷମତା ସମ୍ପନ୍ନ ପ୍ରଶିକ୍ଷଣ କେନ୍ଦ୍ର ଲାଗି ଓଡ଼ିଶା ସରକାର ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି। ଖ୍ୟାତନାମା କ୍ରିକେଟର୍‌‌ ଅନୀଲ କୁମ୍ବଲେଙ୍କ ‘ଟେନଭିକ୍‌‌ ସ୍ପୋର୍ଟ୍ସ’ ଏହି କେନ୍ଦ୍ରର ପରିଚାଳନା ଦାୟିତ୍ୱରେ ରହିଛି। ପ୍ରଶିକ୍ଷଣ, ଶିକ୍ଷା, ଜିମ୍‌‌, ଖାଦ୍ୟପେୟ ସହ ଆଉ ସବୁକିଛି ଟେନ୍‌‌ଭିକ୍‌‌ ସ୍ପୋର୍ଟସ ବୁଝୁଛି। ଏଠାରେ ୧୦ରୁ ୧୭ ବର୍ଷ ବୟସର ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା ରହିଛି। ପ୍ରତିଯୋଗିତା ପାଇଁ ଗୋଟିଏ ଓ ପ୍ରଶିକ୍ଷଣ ଲାଗି ୧୨ଟି ପ୍ଲାଟଫର୍ମ ରହିଛି। ଅନ୍ୟପଟେ ସନ୍ତରଣରେ କ୍ୟାରିଅର ଗଢ଼ିବା ଲାଗି ଲକ୍ଷ୍ୟ ରଖିଥିବା ଯୁବ ପ୍ରତିଭାଙ୍କ ଲାଗି କଳିଙ୍ଗରେ ବିଜୁ ପଟ୍ଟନାୟକ ସନ୍ତରଣାଗାର ମଧ୍ୟ ରହିଛି। ଏଠାରେ ୨୫ ଓ ୫୦ମିଟର ବିଶିଷ୍ଟ ଅଲିମ୍ପିକ୍‌‌ ମାନର ସନ୍ତରଣାଗାର, ଉଭୟ ପୁରୁଷ ଓ ମହିଳାଙ୍କ ଲାଗି ଲକର୍‌‌ ରହିଛି। ସେହିଭଳି ଏଠାରେ ୩୦୦ ଦର୍ଶକଙ୍କ ଲାଗି ଗ୍ୟାଲେରି ସୁବିଧା ମଧ୍ୟ ଉପଲବ୍ଧ। ନିକଟରେ ୪୮ ତମ ଜାତୀୟ ସନ୍ତରଣ ପ୍ରତିଯୋଗିତା ଏଠାରେ ଅନୁଷ୍ଠିତ ହୋଇଯାଇଛି। ସେହିଭଳି ଗ୍ରୀଷ୍ମକାଳୀନ ସନ୍ତରଣ ପ୍ରଶିକ୍ଷଣ ଆୟୋଜନ କରି ଏହି କ୍ରୀଡ଼ାରେ କ୍ୟାରିଅର ଗଢ଼ିବା ଲାଗି ମଧ୍ୟ ସୁଯୋଗ ଦିଆଯାଉଛି।

ଅଭିନବ ବିନ୍ଦ୍ରା ଟାର୍ଗେଟ୍‌‌ ଓ ପରଫର୍‌‌ମାନ୍ସ କେନ୍ଦ୍ର
ବନ୍ଧୁକଚାଳନା କ୍ଷେତ୍ରରେ ଦକ୍ଷତା ଦେଖାଇ ପ୍ରତିଭାବାନ ହେବେ ଖେଳାଳି। କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ଅଭିନବ ବିନ୍ଦ୍ରା ଟାର୍ଗେଟ୍‌‌ ଓ ପରଫର୍‌‌ମାନ୍ସ କେନ୍ଦ୍ର ରାଜ୍ୟର କ୍ରୀଡ଼ାବିତ୍‌‌ଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବାରେ ବେଶ୍‌‌ ସହାୟକ ହେଉଛି। ଏଠାରେ ୧୦ ମିଟର ସୁଟିଂ ରେଞ୍ଜ ରହିଛି। ଏଥିରେ ମୋଟ ୨୦ଟି ଟାର୍ଗେଟ୍‌‌ ରହିଛି। ଯେଉଁଥିରେ ୧୦ଟି ଇଲେକ୍ଟ୍ରୋନିକ ଟାର୍ଗେଟ୍‌‌ ଓ ୧୦ଟି ଇଲେକ୍ଟ୍ରିକାଲ ଟାର୍ଗେଟ୍‌‌ ରହିଛି। ସେହିପରି ଦୁଇଟି ଆନ୍ତର୍ଜାତିକ ମାନର କ୍ରୀଡ଼ା ବିଜ୍ଞାନ କେନ୍ଦ୍ରରେ ଆଧୁନିକ ଚିକିତ୍ସା ଓ ଉପକରଣ ଆଦିର ବ୍ୟବସ୍ଥା ରହିଛି। ଯାହା ଆଘାତପ୍ରାପ୍ତ କ୍ରୀଡ଼ାବିତ୍‌‌ଙ୍କ ଚିକିତ୍ସା ଓ ପୁନର୍ବାସ କ୍ଷେତ୍ରେର ବେଶ୍‌‌ ସହାୟକ ହୋଇଛି। ଏହାକୁ ବିଶେଷଜ୍ଞମାନେ ପରିଚାଳନା କରୁଛନ୍ତି।

ହକି ଉତ୍କର୍ଷ କେନ୍ଦ୍ର
କଳିଙ୍ଗ ଷ୍ଟାଡିୟମ୍‌‌ରେ ଓଡ଼ିଶା ସରକାର ଓ ଟାଟା ଷ୍ଟିଲ ଆଣ୍ଡ୍‌‌ ଟାଟା ଟ୍ରଷ୍ଟ ଆନୁକୂଲ୍ୟରେ ପ୍ରତିଷ୍ଠା କରାଯାଇଛି ଅତ୍ୟାଧୁନିକ ଓଡ଼ିଶା ଟାଟା ନାଭାଲ ହକି ହାଇପର୍‌‌ଫର୍ମାନ୍ସ ସେଣ୍ଟର। ଉଦୀୟମାନ ଖେଳାଳିଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନ କରାଯାଇ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତ କରିବା ଲକ୍ଷ୍ୟ ରଖାଯାଇଛି। ଏହାକୁ ପେସାଦାର ଫିଲ୍ଡ ହକି ପ୍ରଶିକ୍ଷଣ କେନ୍ଦ୍ର ଭାବେ ମଧ୍ୟ ବିବେଚନା କରାଯାଇଥାଏ। ୨୦୧୯ ଅଗଷ୍ଟ ୧୩ ତାରିଖରୁ କାର୍ଯ୍ୟକ୍ଷମ ହୋଇଥିବା ଏହି ଅତ୍ୟାଧୁନିକ ସେଣ୍ଟରଟି ସମସ୍ତ ପ୍ରକାର ହକି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ତାହାର ଉପସ୍ଥିତି ଜାହିର କରିସାରିଛି। ଏହାକୁ କାର୍ଯ୍ୟକ୍ଷମ କରିବା ଲାଗି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳାଳି ତଥା ଟାଟା ଇଣ୍ଡିଆରେ କାମ କରୁଥିବା ରାଜୀବ ସେଠଙ୍କୁ ପ୍ରୋଜେକ୍ଟ ଡାଇରେକ୍ଟର ଭାବେ ନିଯୁକ୍ତ କରାଯାଇଛି। ଖେଳାଳି ରହିବା ଲାଗି ୨ଜଣ ଲେଖାଏଁ ରହିବା ଲାଗି ୪୮ଟି ପ୍ରକୋଷ୍ଠ, ସୁସ୍ଥତା କେନ୍ଦ୍ରର ବ୍ୟବସ୍ଥା ରହିଛି।

ଯୋଡ଼ିହୋଇଛି ୫ ମେଗା ପ୍ରକଳ୍ପ
କଳିଙ୍ଗ ଷ୍ଟାଡିୟମ୍‌‌କୁ ଭାରତର ଏକ ନମ୍ୱର ଷ୍ଟାଡିୟମରେ ପରିଣତ କରିବାକୁ ରାଜ୍ୟ ସରକାର ବିଭିନ୍ନ ଘରୋଇ ଉଦ୍ୟୋଗୀଙ୍କ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ନିର୍ମାଣ ପାଇଁ ୫ଟି ମେଗା ପ୍ରକଳ୍ପ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ହକି ଓ ବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ର(ଏଚ୍‌‌ପିସି), ଦୌଡ଼କୁଦ ଲାଗି ଇଣ୍ଡୋର ଷ୍ଟାଡିୟମ, ସ୍ପୋର୍ଟ୍ସ ସାଇନ୍ସ, ଆକ୍ୱାଟିକ ସେଣ୍ଟର (ଜଳକ୍ରୀଡ଼ା) ନିର୍ମାଣ ଚାଲିଛି। ରାଜ୍ୟର କ୍ରୀଡ଼ାପ୍ରତିଭାଙ୍କୁ ଅତ୍ୟାଧୁନିକ ସୁବିଧାସୁଯୋଗ ଦେବା ସହିତ ଅଲିମ୍ପିକ ପାଇଁ ପ୍ରସ୍ତୁତି କରିବା ଏହାର ମୂଳ ଉଦ୍ଦେଶ୍ୟ।

ଦେଶର ପ୍ରଥମ ଇନ୍‌‌ଡୋର୍‌‌ ଷ୍ଟାଡ଼ିୟମ୍ ରାଜ୍ୟ ପାଇଁ ସୁନାମ: ଭିନିଲ କ୍ରୀଷ୍ଣା
ବର୍ଷା ହେଉ କି ଖରା; ସବୁ ଋତୁରେ ଖେଳାଳି ଅଭ୍ୟାସ କରିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ଆଥଲେଟିକ୍ସ ପ୍ରତିଯୋଗିତା ବିନା ବାଧାରେ ଖେଳାଯାଇପାରିବ। କଳିଙ୍ଗ ଷ୍ଟାଡିୟମ ପରିସରରେ ଦେଶର ପ୍ରଥମ ଇଣ୍ଡୋର୍‌‌ ଆଥଲେଟିକ୍ସ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୧୨୦ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ଇନ୍‌‌ଡୋର ଆଥଲେଟିକ ଷ୍ଟାଡିୟମ ନିର୍ମିତ ହୋଇଛି। ଏହାସହ ପୂର୍ଣ୍ଣ ସମୟ କୋଚିଂ ପାଇଁ ୧୦୦ରୁ ଅଧିକ ଅନ୍ତର୍ଜାତୀୟ ଆଥଲେଟ୍ସ ଏଠାରେ ରହି କୋଚିଂ ନେବାର ସୁବିଧା ରହିଛି। ସେହିପରି ଇନ୍‌‌ଡୋର୍‌‌ ଆଥଲେଟିକ୍ସ ଷ୍ଟାଡ଼ିୟମ ଖେଳାଳିଙ୍କ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ସାଧାରଣତଃ ବର୍ଷା ଋତୁରେ କ୍ରୀଡ଼ା ଆୟୋଜନ କରିବା ଓ ଖେଳାଳିମାନେ ଅଭ୍ୟାସ କରିବାରେ ସମସ୍ୟା ଦେଖାଯାଇଥାଏ। ଏହି ଇନ୍‌‌ଡୋର ଆଥଲେଟିକ୍ସ ଷ୍ଟାଡ଼ିୟମ ନିର୍ମାଣ ହେବା ପରେ ଏହି ସମସ୍ୟାରୁ ମୁକ୍ତି ମିଳିବ। ଖେଳାଳିଙ୍କ ବିକାଶ ଓ ଆଗାମୀ ଦିନରେ ଅଧିକରୁ ଅଧିକ ଚାମ୍ପିଅନ୍‌‌ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ଇନ୍‌‌ଡୋର୍‌‌ ଆଥଲେଟିକ୍ସ ଷ୍ଟାଡିୟମ ଆରମ୍ଭ ହେବା ପରେ ଆଥଲେଟିକ୍ସ କ୍ଷେତ୍ରରେ ଓଡ଼ିଶା ସୁନାମ ଅର୍ଜନ କରିବ ବୋଲି କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ସୂଚନା ଦେଇଛନ୍ତି।

‘ବ୍ୟାଡ୍‌‌ମିଣ୍ଟନ୍‌‌ ଉତ୍କର୍ଷ କେନ୍ଦ୍ର’
ବ୍ୟାଡମିଣ୍ଟନ ହାଇପରଫର୍‌‌ମାନ୍ସ ସେଣ୍ଟର ପାଇଁ କଳିଙ୍ଗ ଷ୍ଟାଡିୟମରେ ‘ସଟଲ କକ୍‌‌’ ଆକୃତିର ଏକ ବିଲ୍ଡିଂ ନିର୍ମାଣ କରାଯାଉଛି। ସ୍ୱତନ୍ତ୍ର ପ୍ରଣାଳୀରେ ନିର୍ମିତ ଏହି ‘ସଟଲ୍‌‌କକ୍‌‌’ ଲାଇଟ୍‌‌ ସମଗ୍ର ଅଞ୍ଚଳକୁ ଆଲୋକିତ କରିବ। ଡାଲମିଆ ଗ୍ରୁପ ଏବଂ ପୁଲେଲା ଗୋପିଚାନ୍ଦ ବ୍ୟାଡ୍‌‌ମିଣ୍ଟନ ଫାଉଣ୍ଡେସନର ମିଳିତ ପ୍ରୟାସରେ ଏହି ସ୍ୱତନ୍ତ୍ର ଡିଜାଇନର ବ୍ୟାଡ୍‌‌ମିଣ୍ଟନ ଏକାଡେମୀର ନିର୍ମାଣାଧୀନ ରହିଛି। ଏହାକୁ ଦେଶର ଅନ୍ୟତମ ଶ୍ରେଷ୍ଠ ବ୍ୟାଡ୍‌‌ମିଣ୍ଟନ ଏକାଡେମୀ ଭାବେ ପ୍ରସ୍ତୁତ କରାଯାଉଛି। ବ୍ୟାଡ୍‌‌ମିଣ୍ଟନ ଉତ୍କର୍ଷ କେନ୍ଦ୍ର ପରିସରରେ ଏକକାଳୀନ ୮ଟି ବ୍ୟାଡ୍‌‌ମିଣ୍ଟନ କୋଟ ରହିବ। ଗ୍ୟାଲେରିରେ ୫୦୦ ଦର୍ଶକ ଖେଳ ଦେଖିବାର ବ୍ୟବସ୍ଥା ରହିଛି। ଏଠାକୁ ଖ୍ୟାତନାମା ଖେଳାଳି ଓ ପ୍ରଶିକ୍ଷକମାନେ ଆସିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳ ଅନୁଷ୍ଠିତ ହେବ।

ଅଲିମ୍ପିକ୍‌ ମାନର ଜଳକ୍ରୀଡ଼ା ବା ଆକ୍ୱାଟିକ୍‌‌ କମ୍ପ୍ଳେକ୍ସ
କ୍ରୀଡ଼ା କ୍ଷେତ୍ରରେ ବିଶ୍ୱ ଦରବାରରେ ଆହୁରି ପରିଚିତ ହେବ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ। ହକି ଓ ଫୁଟବଲ୍‌‌ ଓ ଅନ୍ୟ ଦୌଡ଼କୁଦ ଖେଳ ପରେ ଜଳକ୍ରୀଡ଼ାସ୍ଥଳ ହେବାକୁ ଯାଉଛି କଳିଙ୍ଗ ଷ୍ଟାଡିୟମ। ଏଠାରେ ଅଲିମ୍ପିକମାନର ଜଳକ୍ରୀଡ଼ା ବା ଆକ୍ୱାଟିକ୍‌‌ କମ୍ପେ୍ଲକ୍ସ ନିର୍ମାଣ ଚାଲୁଛି। ୭୫ ମିଟର ବିଶିଷ୍ଟ ଅଲିମ୍ପିକମାନର ସନ୍ତରଣାଗାର ସହ ଏକ ହଜାର ଦର୍ଶକଙ୍କ ଲାଗି ଗ୍ୟାଲେରି ନିର୍ମାଣ କାର୍ଯ୍ୟ ପ୍ରସ୍ତୁତ ଚାଲିଛି। ଏଥିରେ ଜଳକ୍ରୀଡ଼ାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତା ଆୟୋଜନ ହେବାର ସୁବିଧା ରହିବ। ରାଜ୍ୟ ଯୁବ ସନ୍ତରଣକାରୀଙ୍କୁ ଆଗକୁ ବଢ଼଼ିବା କ୍ଷେତ୍ରରେ ଏହା ନିଶ୍ଚିତ ରୂପେ ସହାୟକ ହେବ। ଉକ୍ତ କେନ୍ଦ୍ରରେ ୨ଜଣ ଲେଖାଏଁ ରହିବା ୨୬ଟି ଆବାସସ୍ଥଳ, ଜିମ୍ନାସିୟମ, କ୍ରୀଡ଼ା ପୁନର୍ବାସ, ସୁସ୍ଥତା କେନ୍ଦ୍ର ଆଦି ରହିଛି।

‘ଅତ୍ୟାଧୁନିକ ଜିମ୍ନାଷ୍ଟିକ୍‌ ହଲ୍‌‌’
ଇଣ୍ଡୋର ଜିମ୍ନାଷ୍ଟିକ ସେଣ୍ଟରକୁ ଅତ୍ୟାଧୁନିକ ଭାବରେ ନିର୍ମାଣ କରାଯାଇଛି। ଜିମ୍ନାଷ୍ଟିକ ହଲ୍‌‌ରେ ବିଦେଶୀ ସରଞ୍ଜାମ ଲଗାଯାଇଛି। ୪୦୦ ଦର୍ଶକ ବସିବା ଭଳି କ୍ଷମତା ବିଶିଷ୍ଟ ସେଣ୍ଟରରେ ସେଣ୍ଟ୍ରାଲ ଏସି ସୁବିଧା ରହିଛି। ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି। ସେହିପରି କଳିଙ୍ଗ ଷ୍ଟାଡିଅମରେ ଜିମ୍ନାଷ୍ଟିକ ଏଚ୍‌‌ପିସି ପାଇଁ ୫ ଜଣ କୋଚ୍‌‌ ରହିଛନ୍ତି। ଏଚ୍‌‌ପିସି ପ୍ରୋଗ୍ରାମ ନିର୍ଦ୍ଦେଶକ ଭାବେ ବିଶ୍ୱବିଖ୍ୟାତ ଷ୍ଟିଭ ବୁଚେରଙ୍କୁ ନିଯୁକ୍ତି ମିଳିଛି। ଖୁବଶୀଘ୍ର କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଦେଶର ସର୍ବଶ୍ରେଷ୍ଠ ତଥା ଅତ୍ୟାଧୁନିକ ଜିମ୍ନାଷ୍ଟିକ ସେଣ୍ଟର ଉଦ୍‌‌ଘାଟିତ ହେବ।

‘ସ୍ପୋର୍ଟସ୍‌‌ କ୍ଲାଇମ୍ବିଂ ୱାଲ୍‌‌’
ପାହାଡ, ପର୍ବତ ଭଳି ଉଚ୍ଚସ୍ଥାନକୁ ଚଢ଼ିବା ଲାଗି ଅତ୍ୟାଧୁନିକ ‘ସ୍ପୋର୍ଟ୍ସ କ୍ଲାଇମ୍ବିଂ ୱାଲ୍‌‌’ର ସୁବିଧା ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଉପଲବ୍ଧ ରହିଛି। ଯେଉଁଠାରେ ରାଜ୍ୟର ଯୁବ ପ୍ରତିଭା ପ୍ରଶିକ୍ଷଣ ନେଉଛନ୍ତି। ଅଗ୍ରଣୀ, କ୍ଷୀପ୍ରତା ଓ ବୋଲଡରିଂ ପ୍ରାଚୀରରେ ଚଢ଼ିବା ଲାଗି ଦଉଡ଼ି ସହ ସୁରକ୍ଷା କବଚର ସୁବିଧା ଏଠାରେ ରହିଛି। ଏଠାରୁ ପ୍ରଶିକ୍ଷଣ ନେଇ ଅନେକ କ୍ରୀଡ଼ାବିତ୍‌‌ ଦେଶ ଓ ବିଦେଶରେ ପର୍ବତର ଶୃଙ୍ଗକୁ ଚଢ଼ି ସୁନାମ ଅର୍ଜନ କରୁଛନ୍ତି। ସେଠାରେ ନିୟୋଜିତ ଥିବା ପ୍ରଶିକ୍ଷକ ଏବେ ୧୦୦ରୁ ଊର୍ଦ୍ଧ୍ବ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏଥିସହ ମହିଳା ଓ ପୁରୁଷଙ୍କ ଲାଗି ପୋଷାକ ପରିବର୍ତ୍ତନ କକ୍ଷ ଓ କାର୍ଯ୍ୟାଳୟ ଆଦି ରହିଛି।

୬୫ କୋଟିରେ ଟେନିସ୍‌‌ ସେଣ୍ଟର
ଟେନିସ୍‌‌ କିମ୍ବଦନ୍ତୀ ରାଫେଲ ନାଡାଲ, ରୋଜର ଫେଡରରଙ୍କ ଭଳି ଖେଳାଳି ହେବାକୁ ଲକ୍ଷ୍ୟ ରଖିଥିବା ଯୁବ ଓଡ଼ିଆ କ୍ରୀଡ଼ାବିତ୍‌‌ଙ୍କ ଲାଗି ସୁଯୋଗ ଆଣିଦେଇଛି କଳିଙ୍ଗରେ ନବନିର୍ମିତ ଅନ୍ତର୍ଜାତୀୟ ଟେନିସ୍‌‌ ସେଣ୍ଟର। ହକି ଓ ଫୁଟ୍‌‌ବଲ ଭଳି ଅନ୍ତର୍ଜାତୀୟସ୍ତରର ଭିତ୍ତିଭୂମି ଏହି ଟେନିସ ସେଣ୍ଟରରେ ରହିଛି। ୬୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଟେନିସ ସେଣ୍ଟରକୁ ମାର୍ଚ୍ଚ ଶେଷ ଭାଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌‌ଘାଟନ କରିଥିଲେ। ଏଥିରେ ଫ୍ଲଡ୍‌‌ଲାଇଟ୍‌‌, ଅତ୍ୟାଧୁନିକ ଜଳ ନିଷ୍କାସନ ବ୍ୟବସ୍ଥା ସହ ସେଣ୍ଟର କୋଟରେ ୧୫୦୦ ଦର୍ଶକ ବସି ଖେଳ ଦେଖିବାର ବ୍ୟବସ୍ଥା ରହିଛି। ଏହି ଟେନିସ ସେଣ୍ଟରରେ ମୁଖ୍ୟ କୋଟକୁ ମିଶାଇ ୮ଟି ସିନ୍ଥେଟିକ୍‌‌ ଓ ୩ଟି କ୍ଲେ କୋଟ ରହିଛି। ନିକଟରେ ଏଠାରେ ୧୨ ଦେଶକୁ ନେଇ ଆଇଟିଏଫ୍‌‌ ଏସିଆ ୧୪ ବର୍ଷରୁ କମ୍‌‌ ଡେଭେଲପ୍‌‌ମେଣ୍ଟ ଚାମ୍ପିଅନ୍‌‌ସିପ୍‌‌ ଅନୁଷ୍ଠିତ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର