ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ମିଳିଲା ମଞ୍ଜୁରୀ

The Sakala Picture
Published On

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଐତିହ୍ୟ କରିଡ଼ର ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇଛି। ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରାଜ୍ୟ ସରକାରଙ୍କ ଏହି ବୃହତ୍‍ ପ୍ରକଳ୍ପ ଅନୁମୋଦନ ଲାଭ କରିଛି। ପ୍ରକଳ୍ପର ଚୂଡ଼ାନ୍ତ ରୂପରେଖ ମଞ୍ଜୁରୀ ପାଇବା ପରେ ଖୁବ୍‍ଶୀଘ୍ର ଐତିହ୍ୟ କରିଡ଼ର କାମ ଆରମ୍ଭ ହେବ ବୋଲି ଜଗନ୍ନାଥପ୍ରେମୀ ଭକ୍ତ ଓ ସେବାୟତ ଉତ୍ସାହିତ ହୋଇପଡ଼ିଛନ୍ତି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର […]

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଐତିହ୍ୟ କରିଡ଼ର ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇଛି। ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରାଜ୍ୟ ସରକାରଙ୍କ ଏହି ବୃହତ୍‍ ପ୍ରକଳ୍ପ ଅନୁମୋଦନ ଲାଭ କରିଛି। ପ୍ରକଳ୍ପର ଚୂଡ଼ାନ୍ତ ରୂପରେଖ ମଞ୍ଜୁରୀ ପାଇବା ପରେ ଖୁବ୍‍ଶୀଘ୍ର ଐତିହ୍ୟ କରିଡ଼ର କାମ ଆରମ୍ଭ ହେବ ବୋଲି ଜଗନ୍ନାଥପ୍ରେମୀ ଭକ୍ତ ଓ ସେବାୟତ ଉତ୍ସାହିତ ହୋଇପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପାଇଁ ଆଜି ଏକ ଐତିହାସିକ ଦିନ। ଶ୍ରୀଜଗନ୍ନାଥ ମନ୍ଦିର ଐତିହ୍ୟ କରିଡ଼ର ପ୍ରକଳ୍ପର ଚୂଡ଼ାନ୍ତ ରୂପରେଖ ମଞ୍ଜୁରୀ ଲାଭ କରିଛି। ସେବାୟତ, ମଠ ଓ ପୁରୀବାସୀଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି। ୨୦୧୯ ଅକ୍ଟୋବରରେ ରାଜ୍ୟ କ୍ୟାବିନେଟରେ ଏହାକୁ ଅନୁମୋଦନ ମିଳିଥିଲା। ଏଥିସହ କ୍ୟାବିନେଟରେ କରିଡ଼ର ପାଇଁ ୮୦୦ କୋଟି ଟଙ୍କା ଅନୁମୋଦନ ଲାଭ କରିଥିଲା। ୨୦୧୯ ଡିସେମ୍ବର ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ସ୍ଥାପତ୍ୟ ଚିଠା ପ୍ରସ୍ତାବ ଆହ୍ୱାନ କରିଥିଲେ। ପ୍ରାୟ ୩୦୦ ପ୍ରସ୍ତାବ ଆସିଥିଲା। ଏହି ପ୍ରସ୍ତାବ ଆଧାରରେ ୩ଟି କମିଟି ସାଂସ୍କୃତିକ, ଟେକ୍ନିକାଲ ଓ ଡିଜାଇନ ସମୀକ୍ଷା କମିଟି ଗଢା ଯାଇଥିଲା। ଏହି ୩ଟି କମିଟି ପ୍ରାୟ ୫୦ରୁ ଅଧିକ ବୈଠକ କରିଥିଲେ। ବିଭିନ୍ନ ପ୍ରସଙ୍ଗକୁ ନେଇ ସମୀକ୍ଷା କରିଥିଲେ। କେତେକ ପରିବର୍ତ୍ତନ ମଧ୍ୟ ଅଣାଯାଇଥିଲା। ତେବେ ଏହି ଐତିହ୍ୟ ପ୍ରକଳ୍ପରେ ୩ଟି ପ୍ରମୁଖ ବିଷୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶ୍ରୀମନ୍ଦିର ଓ ଭକ୍ତଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଥିଲା ପ୍ରଥମ ଉଦ୍ଦେଶ୍ୟ। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ, ସେବାୟତ ଏବଂ ଶ୍ରୀମନ୍ଦିର କର୍ମଚାରୀଙ୍କୁ କିପରି ଏହି ପ୍ରକଳ୍ପରେ ମୌଳିକା ସୁବିଧା ଯୋଗାଇ ଦିଆଯିବ ତାହା ଥିଲା ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ। ସେହିପରି ନୀତିକାନ୍ତି ବେଳେ କିପରି ଅଧିକ ସମାଗମକୁ ନିୟନ୍ତ୍ରଣ କରାଯିବ ତାହା ଉପରେ ବି ଫୋକସ ରଖାଯାଇଥିଲା। ଏହି ପ୍ରକଳ୍ପରେ ତାହାକୁ ଭଲ ଭାବେ ସ୍ଥାନିତ କରାଯାଇପାରିଛି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଏହି ପ୍ରକଳ୍ପରେ ମୋଟ ୪ଟି ଭାଗ ରହିଛି। ପ୍ରଥମ ହେରିଟେଜ କରିଡ଼ର, ଦ୍ୱିତୀୟ ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ର, ତୃତୀୟ ମୌଳିକା ସୁବିଧା ଏବଂ ଚତୁର୍ଥ ମଠର ପୁନର୍ବିକାଶ। କରିଡ଼ରକୁ ଉତ୍ତର ଦ୍ୱାର, ପଶ୍ଚିମ ଦ୍ୱାର ଓ ଦକ୍ଷିଣ ଦ୍ୱାର ପାର୍ଶ୍ବରେ ୯ ଭାଗରେ ବିଭକ୍ତ କରାଯାଇଛି। ଏଥିମଧ୍ୟରେ ଭକ୍ତମାନେ ପ୍ରଦକ୍ଷିଣ କରିପାରିବେ। ଠାକୁରଙ୍କ ବିଜେ ମାର୍ଗ ରହିବ। ସବୁପ୍ରକାର ମୌଳିକ ସୁବିଧା ଏବଂ ଜରୁରୀକାଳିନ ସେବାର ଗାଡି ଚଳାଚଳ ମଧ୍ୟ କରିପାରିବେ। କୀର୍ତ୍ତନ ପାଇଁ ମଧ୍ୟ ବ୍ୟବସ୍ଥା ରହିବ। ୫୫ ମିଟର ମଧ୍ୟରେ ପ୍ରାୟ ୬ ଭାଗ ରହିବ। ୫୫ ମିଟରରୁ ୭୫ ମିଟର ମଧ୍ୟରେ ରାସ୍ତା ରହିବ। ସେହିପରି ଦକ୍ଷିଣ-ପୂର୍ବ କୋଣରେ ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ର ରହିବ। ଏଥିରେ ୬ ହଜାର ଦର୍ଶନାର୍ଥୀ ଧାଡ଼ିରେ ଯାଇ ଯେପରି ଦର୍ଶନ କରିବେ ସେହି ବ୍ୟବସ୍ଥା କରାଯିବ। ଅଭ୍ୟର୍ଥନା କେନ୍ଦ୍ରରେ ଏକ କ୍ଲୋକରୁମ୍‍ (ପ୍ରାୟ ୪ ହଜାର ପରିବାର ସେମାନଙ୍କ ଜିନିଷପତ୍ର) ନିଃଶୁଳ୍କ ଭାବେ ରଖିପାରିବେ। ଦର୍ଶନ ପରେ ସେମାନେ ନେଇପାରିବେ। ଏହି କେନ୍ଦ୍ରରେ ପାନୀୟଜଳ, ଶୌଚାଳୟ, ହାତ ଓ ପାଦ ଧୋଇବାର ବ୍ୟବସ୍ଥା ରହିବ। ଫଳରେ ଭକ୍ତମାନେ ଏହି କେନ୍ଦ୍ରରୁ ବାହାରି ସିଧା ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଦର୍ଶନାର୍ଥୀଙ୍କୁ କଡ଼ାକଡ଼ି ଯାଞ୍ଚ ଏବଂ ବ୍ୟାଗେଜ ସ୍କାନିଂ ବ୍ୟବସ୍ଥା ରହିବ। ସେହିପରି ଦକ୍ଷିଣ, ଉତ୍ତର ଓ ପଶ୍ଚିମ ଦ୍ୱାର ପାର୍ଶ୍ବରେ ମୌଳିକ ସୁବିଧା ଯେପରି କି ଶୌଚାଳୟ (ଉଭୟ ମହିଳା ଓ ପୁରୁଷଙ୍କ ପାଇଁ) ଉପଲବ୍ଧ ହେବ। ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଶୌଚାଳୟରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଏହାବାଦ୍‍ ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ରହିବ। ଏତଦ୍‍ବ୍ୟତୀତ ପାନୀୟ ଜଳ, ସୂଚନା ଓ ଦାନକେନ୍ଦ୍ର, ଛୋଟ ଛୋଟ କ୍ଲୋକରୁମ୍‍, ଏଟିଏମ୍‍, ସ୍ୱାସ୍ଥ୍ୟ ହେଲ୍‍ପ ଡେସ୍କ, ଆରକ୍ଷୀ ସେବାକେନ୍ଦ୍ର କରାଯିବ। ତା’ଛଡା ନୀଳଚକ୍ରଙ୍କୁ ଭଲ ଭାବେ ଦର୍ଶନ କରିପାରୁଥିବା ସ୍ଥାନରେ ସାଂସ୍କୃତିକ ମଣ୍ଡପ (୫୦୦ ଭକ୍ତ ବସିବା ଭଳି), ଭଜନ ମଣ୍ଡପ (୧୦୦ ଭକ୍ତ ବସିପା ପାଇଁ) ମଧ୍ୟ କରାଯିବ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ଟେକ୍ନିକାଲ ପରାମର୍ଶଦାତା କମିଟି ଅନୁଧ୍ୟାନ କରିବା ପରେ ଓବିସିସି ମାଧ୍ୟମରେ ଟେଣ୍ଡର କରାଯାଇ କାମ ଆରମ୍ଭ ହେବ। କାମ ପାଇଁ ପୁରୀରେ ଏକ ୱାର୍କସପ୍‍ କରାଯିବ। ୮୦ ପ୍ରତିଶତ କାମ ସେହି ୱାର୍କସପ୍‍ରେ ସରିବ। ବାକି ୨୦ ପ୍ରତିଶତ କାମ ସ୍ପଟ୍‍ରେ ଶେଷ ହେବ ଅର୍ଥାତ୍‍ ୱାର୍କସପ୍‍ରୁ ସାମଗ୍ରୀ ଅଣାଯାଇ ଐତିହ୍ୟ କରିଡ଼ର ମଧ୍ୟରେ ଖଞ୍ଜାଯିବ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଜୁନ୍‍ ୧ରୁ ଏହି ପ୍ରକଳ୍ପ କାମ ଆରମ୍ଭ ହେବ। ଏହି ପ୍ରକଳ୍ପ ଲାଗି ଅଧିଗ୍ରହଣ କାମ ୮୫ ପ୍ରତିଶତ ସରିଛି। ବାକି ଜମି ଅଧିଗ୍ରହଣ ପାଇଁ ଦୁଇଟି ଜନଶୁଣାଣି ଶେଷ ହୋଇଛି। ମହାପ୍ରଭୁଙ୍କ କାମରେ ସମସ୍ତେ ସହଯୋଗ କରିବେ ବୋଲି ଆମର ଆଶା ଅଛି। ପ୍ଲାନ ଅନୁସାରେ ୨ ଲକ୍ଷ ଭକ୍ତ ଏକାଠି ଠିଆ ହୋଇ ମହାପ୍ରଭୁଙ୍କ ଦୁର୍ଲ୍ଲଭ ସୁନାବେଶ ଦେଖିପାରିବେ। ଏବେ ମାତ୍ର ୨୦ ହଜାର ଦେଖିପାରୁଛନ୍ତି।

ମଠଗୁଡ଼ିକର ପୁନରୁଦ୍ଧାର କରାଯିବ। ବଡ଼ଛତା ଏବଂ ଛାଉଣୀ ମଠକୁ ସମ୍ପୂର୍ଣ୍ଣ ଭାବେ ପଥରରେ ନୂତନ ଭାବେ ତିଆରି କରାଯିବ। ସେଥିପାଇଁ ରାଜ୍ୟ ସରକାର ଖୁବ୍‍ଶୀଘ୍ର ପ୍ରସିଦ୍ଧ ଶିଳ୍ପୀମାନଙ୍କୁ ନେଇ ଏହି କାମ ଆରମ୍ଭ କରିବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ତେବେ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ଅନୁମତି ଦେବା ପରେ ଏହାର କେତେକ ଆଇନଗତ ଦିଗ ରହିଛି। ସେଠାରୁ ମଧ୍ୟ ସ୍ୱୀକୃତି ଆଣିବାକୁ ପଡ଼ିବ। ଚଳିତ ମାସ ଶେଷ ସୁଦ୍ଧା ଏହାର କମ୍ପିଟାଣ୍ଟ ଅଥରିଟୀ, ଜାତୀୟ ସ୍ମାରକୀ ପ୍ରାଧିକରଣ ଓ ଏଏସ୍‍ଆଇକୁ ଆବେଦନ କରାଯିବ। ଏତଦ୍‍ବ୍ୟତୀତ ପୁରୀ-କୋଣାର୍କ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଆବେଦନ କରାଯିବ। ଯେଉଁଭଳି ଭାବେ ସମସ୍ତଙ୍କ ସହଯୋଗ ଏବଂ ସହମ୍ମତି ରହିଛି ଖୁବ୍‍ଶୀଘ୍ର ଏହିସବୁ ଜାଗାରୁ ଅନୁମତି ମିଳିବ ବୋଲି ମୁଖ୍ୟ ପ୍ରଶାସକ ଦୃଢୋକ୍ତି ପ୍ରକାଶ କରିଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‍ପି କନୱର ବିଶାଲ ସିଂ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

କରିଡରରେ କ’ଣ ରହିବ

କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଶ୍ରୀମନ୍ଦିରର ଚତୁଃପାର୍ଶ୍ବକୁ ଦିଆଯିବ ନୂଆରୂପ। ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ଛିଟାରେ ଝଲସିବ ବଡ଼ଦେଉଳର ଚୌହଦି। ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ଅଞ୍ଚଳକୁ ଏବେ ପ୍ରସ୍ତୁତ କରାଯାଉଛି। ଅଧିଗ୍ରହଣ ସମ୍ପୂର୍ଣ୍ଣ ହେଲେ ଆରମ୍ଭ ହେବ ଐତିହ୍ୟ କରିଡ଼ର କାମ। ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଦର୍ଶନାର୍ଥୀଙ୍କ ସୁବିଧାକୁ ପ୍ରାଥମିକତା ଦିଆଯିବ। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆଧାର କରି ଐତିହ୍ୟ କରିଡ଼ର ପ୍ରସ୍ତୁତ କରାଯିବ। କାଞ୍ଚି ଅଭିଯାନରେ ମାଣିକପାଟଣାର ଗଉଡ଼ୁଣୀ ମୁଦି ଦେଇ ଦହି ଖାଇବା ହେଉ କି ଦାସିଆ ବାଉରୀ ଅବା ଭକ୍ତ ସାଲବେଗ କି ବନ୍ଧୁ ମହାନ୍ତିର କାହାଣୀ ସବୁ କଥା ବଖାଣିବ ଶ୍ରୀମନ୍ଦିର ଚୌହଦୀ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଦର୍ଶନାର୍ଥୀ ଶ୍ରୀମନ୍ଦିର ଚୌହଦୀରୁ ହିଁ ଜାଣିପାରିବେ ଜଗନ୍ନାଥ ସଂସ୍କୃତିର ଇତିହାସ। ଐତିହ୍ୟ କରିଡ଼ରର ପ୍ରତିଟି କାରୁକାର୍ଯ୍ୟରେ ରହିବ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଛାପ। ମହାପ୍ରଭୁଙ୍କ ଲୀଳା, ଭକ୍ତ-ଭଗବାନଙ୍କ ସମ୍ପର୍କ, ପୁରାଣ ଓ କିମ୍ବଦନ୍ତୀ କାହାଣୀର ଚିତ୍ର ଟାଣିବ ସାରା ବିଶ୍ୱର ନଜର।

ଐତିହ୍ୟ କରିଡ଼ର ମଧ୍ୟରେ ଚଲାପଥ ରହିବ। ଦର୍ଶନାର୍ଥୀମାନେ ଏହି ଚଲାପଥ ଦେଇ ମେଘନାଦ ପାଚେରି କଡ଼େ କଡ଼େ ଚତୁଃପାର୍ଶ୍ବ ବୁଲିପାରିବେ। ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ପଥରର ବିଭିନ୍ନ କାରୁକାର୍ଯ୍ୟ ନିର୍ମାଣ କରାଯିବ। କରିଡ଼ରରେ ଗଛ ଲାଗି ସବୁଜିମା ସୃଷ୍ଟି କରାଯିବ। ଘାସ ଗାଲିଚା ଓ ଫାଉଣ୍ଟେନ ମଧ୍ୟ ରହିବ। ମହାପ୍ରଭୁଙ୍କ ସେବାପୂଜାରେ ଲାଗୁଥିବା ବିଭିନ୍ନ ପ୍ରଜାତିର ଫୁଲ ଏବଂ ଔଷଧୀୟ ଉଦ୍ୟାନ ସୃଷ୍ଟି କରାଯିବ। ଜଗନ୍ନାଥଙ୍କ ପ୍ରିୟ ତୁଳସୀ ବଗିଚା ପାଇଁ ମଧ୍ୟ ପ୍ରକଳ୍ପରେ ସ୍ଥାନ ରହିବ। ଶ୍ରୀମନ୍ଦିରକୁ ପ୍ରତ୍ୟହ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ଏମାନଙ୍କ ମଧ୍ୟରେ ଅନେକ ବୟସ୍କ, ମହିଳା, ଶିଶୁ ବି ଆସନ୍ତି। ତେଣୁ ଏମାନେ ଯେପରି ସମସ୍ୟାରେ ନ ପଡ଼ିବେ ତାହାକୁ ବି ଧ୍ୟାନରେ ରଖାଯାଇଛି। ଗଛ ଛାଇ ତଳେ ବସିବା ପାଇଁ ବ୍ୟବସ୍ଥା ରହିବ। ଚୌହଦୀରେ ଯେତିକି ସମୟ ରୁହନ୍ତୁ ଭକ୍ତିରେ ଯେପରି ଭକ୍ତମାନେ ହଜିଯିବେ ତାହା ଉପରେ ଗୁରୁତ୍ୱ ଦିଆଯିବ।

କେବଳ ଦିନରେ ନୁହେଁ, ରାତିରେ ମଧ୍ୟ ଶ୍ରୀମନ୍ଦିର ପରିକ୍ରମା କରିପାରିବେ ଦର୍ଶନାର୍ଥୀ। ସେଥିପାଇଁ ଅର୍ଣ୍ଣାମେଣ୍ଟାଲ ଲାଇଟ ଲଗାଯିବ। ପରିକ୍ରମାର ୬୦ ମିଟର ଏକ କରିଡ଼ର ଭଳି ରହିବ। ଏହା ଭିତରକୁ ପ୍ରବେଶ ବେଳେ କଡା ଯାଞ୍ଚ କରାଯିବ। ଭିତରେ ମଧ୍ୟ ସୁରକ୍ଷା କର୍ମୀ ନିୟୋଜିତ ରହିବେ। ଶ୍ରୀମନ୍ଦିରକୁ ନେଇ ଏମିତି ଅନେକ କିଛି ଯୋଜନା କରାଯାଇଛି। ଏସବୁ କାର୍ଯ୍ୟକାରୀ ହେଲେ ବଦଳିଯିବ ବଡ଼ଦେଉଳର ରୂପରେଖ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର