୧୧ ବର୍ଷ ପରେ ଆଜି ହେବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ହାଣ୍ଡିଭଙ୍ଗା ଯାତ
ଭୁବନେଶ୍ବର : ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ହାଣ୍ଡିଭଙ୍ଗା ଯାତ ହେବ । ୧୧ ବର୍ଷ ପରେ ଆଜି ହେବ ହାଣ୍ଡିଭଙ୍ଗା ଯାତ। ଏକାଠି ହେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ବାସୁଦେବ, ମା’ପାର୍ବତୀ, କପିଳେଶ୍ୱର ଓ ଶନିଶ୍ୱର । ସେବାୟତଙ୍କ ବିବାଦ ଲାଗି ବନ୍ଦ ଥିଲା ଏହି ଯାତ୍ରା । ଚଳିତ ବର୍ଷ ପ୍ରଶାସନର ବୁଝାସୁଝା ପରେ ଆରମ୍ଭ ହୋଇଛି ନୀତିକାନ୍ତି । ହାଣ୍ଡିଭଙ୍ଗା ଯାତ ପାଇଁ କପିଳେଶ୍ଵର ମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି । କପିଳେଶ୍ଵର ମନ୍ଦିରରେ ମଙ୍ଗଳ ଆଳତି ପରେ ଚାଲିଛି ସାହାଣ ମେଲା ଦର୍ଶନ । କପିଳେଶ୍ଵର ମନ୍ଦିର ପରିସରରେ ୩ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।
ଦୀର୍ଘ ବର୍ଷ ଧରି ଖୁଣ୍ଟିଆ ଓ ମଲିଆ ସେବାୟତ ମଧ୍ୟରେ ଥିଲା ବିବାଦ । ଯାହାଫଳରେ ମହାପ୍ରଭୁଙ୍କର ଏହି ଯାତ୍ରା ହୋଇପାରୁନଥିଲା । ତେବେ ବିବାଦ ତୁଟାଇବା ପାଇଁ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ କପିଳେଶ୍ୱର ମନ୍ଦିର ଟ୍ରଷ୍ଟବୋର୍ଡ ବୈଠକ ହୋଇଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, କପିଳେଶ୍ୱରଙ୍କ ଖୁଣ୍ଟିଆ ଓ ମଲିଆ ସେବାୟତଙ୍କ ସେବାସ୍ୱତ୍ତ୍ୱ ଚୁଡାନ୍ତ କରିବାକୁ ୩ ଜଣିଆ ନ୍ୟାୟିକ କମିଟି ଗଠନ ହେବ। କିନ୍ତୁ ଏବେ ହାଣ୍ଡିଭଙ୍ଗା ଯାତ ଲାଗି ଏକ ଅନ୍ତରୀଣ ସେବା ପୂଜା ତାଲିକା କରାଯାଇଛି। ଏହି ଅନ୍ତରୀଣ ତାଲିକା ଅନୁଯାୟୀ ଖୁଣ୍ଟିଆ ସେବାୟତମାନେ ଶନିବାର ଭୋର ୪ଟାରେ ମନ୍ଦିରରେ ପହଞ୍ଚି ମଙ୍ଗଳ ଆଳତୀ କରିଛନ୍ତି । ଠାକୁରଙ୍କ ଦିନ ତମାମର ୪ ବେଳା ପାଇଁ କୋଠ ବ୍ୟଞ୍ଜନାଦି ପ୍ରସ୍ତୁତି ଓ ସମର୍ପଣ କରିବେ । କିନ୍ତୁ ବରାଦି ଭୋଗ ପ୍ରସ୍ତୁତି ଏବଂ ସେହି ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ-କପିଳେଶ୍ୱରଙ୍କ ଭେଟ ଆଳତୀ ନୀତି ମଲିଆ ସେବାୟତଙ୍କ ଦ୍ୱାରା କରାଯିବ। ଅନ୍ତରୀଣ ସେବା ସ୍ୱତ୍ତ୍ୱକୁ ମାନିବେ ଖୁଣ୍ଟିଆ ଓ ମଲିଆ ସେବାୟତ।





